ଗଳ୍ପମାଳା

 

 

 

 

 

 

 

 

 

 

 

ଗଳ୍ପମାଳା

ଗୋଦାବରୀଶ ମିଶ୍ର

 

ସୂଚିପତ୍ର

 

୧.

ପରଦାନସୀନ

୨.

ପାଣୁ ମିଶ୍ରେ

୩.

ତୋଳା କନ୍ୟା

୪.

ବିଧବା କନ୍ୟା

୫.

ବନ୍ଦୀ

୬.

ଦମ୍ଭିଲା ବନ୍ଧୁ

୭.

ସାବତ ପୁଅ

୮.

ନାରୀର ଗତି

୯.

ବରଯାତ୍ରୀ

୧୦.

ଭାଇ ଭାଗ

୧୧.

ବଡ଼ପୁଅ

Image

 

ପରଦାନସୀନ

 

‘‘କିତାପ ଖଣ୍ଡେ ଖଣ୍ଡେ ପଢ଼ି ଏବେ ମାଇକିନିଆ ଝିଅଗୁଡ଼ାକ କି ଅଣ୍ଡିରାଚଣ୍ଡୀ ହେଲେଣି-! ଆଗେ ଥିଲା ଯେ ଦେହରେ ସୂର୍ଯ୍ୟ କିରଣ ପଡ଼ୁ ନଥିଲା । ଘର ଭିତରେ ଲୁଚି ରହୁଥିଲେ-। ଘରେ ବୋହୂ ଅଛି ବୋଲି କିଏ ଜାଣୁଥିଲା ? ଶାଶୁ, ଶ୍ୱଶୁର ତୁଣ୍ଡ ଶୁଣୁ ନଥିଲେ । ଶାଶୁଘରକୁ ଆସି ଦଶ ବରଷକାଳ ବୋହୂମାନେ ଚୁଁ ଛଡ଼ା ପାଟିରୁ ପଦେ କଥା ବାହାର କରି ଦେଉଥିଲେ । ଏବେ କି କାଳ ହେଲା କି ? ଷୋଳବରଷୀ ଭୁଆସୁଣୀ ଝିଅଗୁଡ଼ାକ ପୁରୁଷ ଲୋକଙ୍କ ପରି ଦାଣ୍ଡରେ ବୁଲିଲେଣି-। ଏହି ଦେଖୁନାହଁ, ରାମବାବୁଙ୍କ ଝିଅ । ବୟସ କ’ଣ କମ୍‌ ଟୋକୀର ? ବିଭା ହୋଇଥିଲେ, ପିଲାଝିଲା ଦି’ଟା ହୁଅନ୍ତେଣି । ଅଣ୍ଡିରାଚଣ୍ଡୀର କିଛି ଠିକ୍‌ ଅଛି ? ଦାଣ୍ଡରେ ବାଟରେ ବୁଲୁଛି; ମୁଣ୍ଡରେ ଓଢ଼ଣା ନାହିଁ, ପୁରୁଷ ଲୋକଙ୍କ ସାଙ୍ଗେ ଯିବା ଆସିବା, କଥାବାର୍ତ୍ତା, ଥଟ୍ଟା ତାମସା–କ’ଣ ବାକି ଅଛି ତା’ର ? ଛି, ମା’ ଏମିତି ଝିଅ ଜନ୍ମ କରିବ ନାହିଁ, ଏନ୍ତୁଡ଼ିଶାଳରେ ତଣ୍ଟିରେ ଲୁଣ ମଡ଼େଇ ଦେବ । ଲାଜ ସରମ ଟିକିଏ ମୁହଁକୁ ଅଛି ? ଏଗୁଡ଼ାଙ୍କର ଆଉ କି ଠିକ୍‌ ଠିକଣା ? ଯେ ଘରୁ ଦାଣ୍ଡକୁ ବାହାରିଲା, ସେ ତ ଗଲା ଏକାବେଳକେ କୁଳରୁ । ରାମବାବୁର କ’ଣ ଆଖି ଅଛି-? ଦେଖନ୍ତା ନାହିଁ ଝିଅଟା କେମିତି ବାବରଖାନୀ ହୋଇଯାଉଛି ? ଛି, ଛି, ଛି, ଆଖିରେ ଏକଥା ଦେଖିକରି ଅଛି ? ଟୋକୀଟା କଟକ ସହରରେ ଯାଇ ପଶିବ, ପାନ ବିକିବ । ବିଧାତା କି ଦଶା ଲେଖିଥିଲା କପାଳେ ।’’

 

ପଦ୍ମପୁର ଗ୍ରାମର କେତେଜଣ ବୟସ୍କା, ପ୍ରୌଢ଼ା ରମଣୀ ଦିନେ ଏକତ୍ର ବସି ଯେ ସବୁ କଥାବାର୍ତ୍ତା କରୁଥିଲେ, ତହିଁରୁ କେତେକ ବାଜେ କଥା ଓ କେତେକ ସୌଜନ୍ୟଶୂନ୍ୟ ଅଶ୍ରାବ୍ୟ ଏବଂ ଅକଥନୀୟ ବିଷୟ ବାଦ୍‌ଦେଲେ, ବାକି ଯାହା ରହିବ, ତାହାର ସାରାଂଶ ଏଠାରେ ଉଲ୍ଲେଖ କରାଗଲା । ଏ ସବୁ କଥାବାର୍ତ୍ତା ଚାଲିଥିବାବେଳେ ପାଖ ଘରେ ଇନ୍ଦୁ ଏବଂ ଚଞ୍ଚଳା ବସି ଶୁଣୁଥିଲେ-। ଏ ରମଣୀମାନଙ୍କର ପଦେପଦେ କଥାରେ ଚଞ୍ଚଳା, କୀର୍ତ୍ତନଦଳରେ ମୃଦଙ୍ଗ ବଜାଇବା ଲୋକଟି ପରି ତାନ ଛିଣ୍ଡାଇ, ମୁଣ୍ଡ ଚାଖଣ୍ଡେ ପର୍ଯ୍ୟନ୍ତ ତଳକୁ ଝୁଙ୍କାଇ, ନିଜର ସମ୍ମତି ଜଣାଉଥାଏ–ଶେଷରେ କହିଲା, ‘‘ସତେ ଇନ୍ଦୁ, ଏ ସରର କପାଳ ବଡ଼ ମନ୍ଦ । ଆଚାରଭ୍ରଷ୍ଟ ହେଲେ ତ କୁଳ ସ୍ତ୍ରୀ ଗଲା-। ଏ ଟୋକୀର ଆଉ କି ଆଚାର ଅଛି ? ଦାଣ୍ଡରେ ବାଟରେ, ଦେଖୁନାହଁ କେମିତି ବୁଲୁଛି ? ପାଠ ପଢ଼ିବାକୁ କ’ଣ କିଏ ମନା କରୁଚି ? ଏଇ, ମୁଁ ତ ଦି’ଅକ୍ଷର ଫେର୍‌ ପଢ଼ିଛି, ତୁମେ ମଧ୍ୟ କିଛି ପଢ଼ାପଢ଼ି କରୁଛ । ତା’ ବୋଲି କ’ଣ ଦାଣ୍ଡରେ ବୁଲୁଚେ ? କପାଳଟା ବଡ଼ ମନ୍ଦ ଏ ଟୋକୀର-।’’

 

ପଦ୍ମପୁର ଗୋଟିଏ ଆଧୁନିକ ଗ୍ରାମ । ସେ ଗ୍ରାମରେ ଅନେକ ଲୋକ ଇଂରେଜୀ ପଢ଼ାଶୁଣା କରିଚନ୍ତି । ସେମାନଙ୍କ ମଧ୍ୟରୁ ବିଦେଶରେ ରହି ଦୁଇଜଣ ଓକିଲ; ଜଣେ ସବ୍‌ଡ଼େପୁଟି, ଚାରି ପାଞ୍ଚଜଣ ଶିକ୍ଷକ କାର୍ଯ୍ୟ କରନ୍ତି । ବାକି କେତେକ ବନ୍ଦୋବସ୍ତରେ କାମ କରି ଚଳନ୍ତି । ଗ୍ରାମର ଖାନ୍‌ଦାନ୍‌ ଘର ମଧ୍ୟ ଦୁଇ ଚାରିଗୋଟି ଅଛି । ରାମବାବୁ ଜଣେ ଖାନ୍‌ଦାନ୍‌ ଘରର ଲୋକ । ଇଂରେଜୀ ପଢ଼ା ମଧ୍ୟ ଅଛି । ବି.ଏ. ପଢ଼ିବାବେଳେ ପିତାଙ୍କର ହଠାତ୍‌ କାଳ ହେବାରୁ, ବିଷୟ ସମ୍ପତ୍ତି ବୁଝିବା ନିମନ୍ତେ ପଢ଼ା ଛାଡ଼ି ଦେଇଥିଲେ । ସେଥିପାଇଁ ସେ ବେଳେବେଳେ ଦୁଃଖିତ ହୁଅନ୍ତି, ତାଙ୍କଠାରୁ ଅଧିକ ପଢ଼ୁଆ ଲୋକଙ୍କୁ ଦେଖିଲେ, ବିନୟରେ ମୁଣ୍ଡ ପୋତି ଦିଅନ୍ତି; କିନ୍ତୁ ତାଙ୍କ ହୃଦୟ ବଡ଼ ଉଦାର ଏବଂ ଅତ୍ୟନ୍ତ ପ୍ରଶସ୍ତ । କନ୍ୟା ସରୋଜିନୀକୁ ସେ ଜଣେ ଆଦର୍ଶ ଗୃହିଣୀ କରିବା କାମନାରେ ଇଂରେଜୀ, ଓଡ଼ିଆ ଆଦି ପଢ଼ାଇଛନ୍ତି । ତାକୁ ଘର ଭିତରେ ସିନ୍ଦୁକରେ ଚୋରାମାଲ୍‌ ପରି ବନ୍ଦକରି ରଖନ୍ତି ନାହିଁ, ବାହାରକୁ ଯିବା ଓ ଲୋକଙ୍କ ସାଙ୍ଗେ ମିଳାମିଶା କରିବାକୁ ସ୍ୱାଧୀନତା ଦିଅନ୍ତି । ମୋଟ ଉପରେ ସେ କହନ୍ତି, ‘‘ଶରତ ଯେପରି ମୋର ପିଲା, ସର ମଧ୍ୟ ସେଇପରି ପିଲା । ଉଭୟେ ସମାନ ଭାବରେ ଦେଶର ଭବିଷ୍ୟତ । ସର କାହିଁକି ଘର କଣରେ ପଡ଼ି ରହିବ ?

 

ସରୋଜିନୀ ରାମବାବୁଙ୍କ ପରି ଖାନ୍‍ଦାନ୍ ଘରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଝିଅ ନୋହିଥିଲେ ପଦ୍ମପୁରର ବ୍ରାହ୍ମଣ କରଣ ଆଦି ଉଚ୍ଚ ବଂଶର ଲୋକଙ୍କ ମଧ୍ୟରେ ତାକୁ ଯେ କେତେ ହୀନସ୍ତା ହେବାକୁ ପଡ଼ୁଥାନ୍ତା, ତାହା ସହଜରେ ଅନୁମାନ କରିହେବ । ତଥାପି ଗ୍ରାମର ସ୍ତ୍ରୀଲୋକେ ତାକୁ ଆଗରେ ବେଶୀ କିଛି ନ କହିଲେ ମଧ୍ୟ ପଛରେ ଚୁଗୁଲିରେ ଉଡ଼ାଇ ଦିଅନ୍ତି; କିଏ କେତେ ପ୍ରକାର ନାକ ଟେକନ୍ତି; କିଏ କେତେ ଦେଖାଇ ଶିଖାଇ କହନ୍ତି । ପୁରୁଷଲୋକଙ୍କ ମହଲରେ ସୁଦ୍ଧା ତା’ର ସମାଲୋଚନା ହୁଏ । କୌଣସି ସମାଲୋଚନା ଶରତର କାନରେ ପଡ଼ିଲେ, ସେ ତୀବ୍ର ପ୍ରତିବାଦ କରେ; ମାତ୍ର ସରୋଜିନୀ ଶୁଣିଲେ, ହସି ଦିଏ; ରାମବାବୁ ଶୁଣି କହନ୍ତି, ‘‘ନ ବୁଝିଲା ଲୋକେ କେତେ କଥା କହିବେ । ପ୍ରତ୍ୟେକ କଥାରେ ପ୍ରତିବାଦ କରିବାକୁ ଗଲେ, ଜୀବନ ତ କେବଳ ପ୍ରତିବାଦରେ ଚାଲିଯିବ; କାମ କରିବାକୁ ସମୟ ମିଳିବ କୁଆଡ଼ୁ ? ସମାଲୋଚନାର ଅମୋଘ ମହୌଷଧ ହେଉଛି ଉଦାସୀନତା । ତୁନି ହୋଇ କାର୍ଯ୍ୟ କରିଗଲେ, ସୂର୍ଯ୍ୟ କିରଣରେ ସକାଳର କାକର ଉଡ଼ିଗଲା ପରି, ସକଳ ପ୍ରକାର ସମାଲୋଚନା କେଉଁଆଡ଼େ ଚାଲିଯିବ ।’’

 

ପଦ୍ମପୁରରେ ଅନେକ ଲୋକଙ୍କର ଧାରଣା ଜନ୍ମିଥିଲା ଯେ, ସରୋଜିନୀ ପାଇଁ ବରପାତ୍ର ମିଳିବ ନାହିଁ । ଏ ଧାରଣା ଅନେକ ଥର କଥାରେ ମଧ୍ୟ ପ୍ରକାଶ ପାଇଥିଲା । ଦିନେ ଇନ୍ଦୁ କାହାଠାରୁ କ’ଣ ଶୁଣି, ଧାଇଁ ଆସି ପଚାରିଲା, ‘‘ତୁମେ ନୂଆବୋହୂ, କହୁଥିଲ ପରା ଯେ ସରକୁ କେହି ବାହା ହେବେନାହିଁ । ଏବେ କେଉଁଠି ତା’ର ନିର୍ବନ୍ଧ ହୋଇଗଲାଣି । କୋଉ ହୀନକପାଳିଆ ଲୋକ ତାକୁ ବାହା ହେଉଛି କେଜାଣି ? ଜାଣୁ ଜାଣୁ ଗୋଟେ ଅଲକ୍ଷଣୀ ହାତେ ଆପଣା ଚୁଟି ଧରାଇ ଦେଉଚି-।’’

 

‘‘କେହି ଧରାଉ ନାହାନ୍ତି ଇନ୍ଦୁ, ତୁମେ ମିଛରେ କ’ଣ ଶୁଣିଚ । ସେ ଅଣ୍ଡିରାଚଣ୍ଡୀକି ପୁଣି ବର ମିଳିବ, ସେ ଘରଦ୍ୱାର କରି ସଂସାରେ ରହିବ ? ସେ ତ ତିନିପାଞ୍ଜିରୁ ଯାଇଚି । କେଜାଣି କୋଉ ପାଣ କି ପଠାଣ ତା’ ମୁହଁ ଦେଖି ଅବା ଭୁଲିଥିବ ।’’

 

ଚଞ୍ଚଳାର କଥା ଠିକ୍‌ ସରିଲାବେଳକୁ ପୋଇଲୀ ଆସି କହିଲା, ‘‘ରାମବାବୁ ଝୁଅ ସର ଦୁଆରରେ ଆସି ଠିଆ ହୋଇଚି, ବୋହୂଙ୍କ ସାଥିରେ ଦେଖା କରିବ, ଇନ୍ଦୁ ଦେଈଙ୍କ ସାଥିରେ ଦେଖା କରିବ । ସେ ପରା ବାହାହୋଇ, ଶାଶୁ ଘରକୁ ଚାଲିଯାଉଚି ଯେ, ଘର ଘର ବୁଲି କାନ୍ଦନ୍ତା କ’ଣ, କଥାବାର୍ତ୍ତା ହେଉଚି, ଆଉ ହସରେ ଗାଁ ଫଟେଇ ଦଉଚି । ତୁମେ ତ ସେଦିନ, ବୋହୂ, ତାକୁ ଘରେ ପୂରାଇବାକୁ ମନା କରିଥିଲ, କ’ଣ ନାହିଁ କରିଦେବି ?’’

 

‘‘ହଁ ରାଧି, ନାହିଁ କରିଦେ ।’’

 

‘‘ନା ନୂଆବୋହୂ, ଟୋକୀଟା ତ ଚାଲିଯାଉଚି, ଆସୁନା, କଥାବାର୍ତ୍ତା ହେଇଯିବ । ଏଇଥରକ ତ, ଆଉ କୋଉ ଆସିବ ଯେ । ନାହିଁକରି ଫେରାଇ ଦେବାଟା ଭଲ ଦିଶିବ ନାହିଁ । ତୁମେ ସିନା ତାକୁ କବାଟ କଣ ବାଟେ ଦାଣ୍ଡରେ ଯିବାର ଦେଖିଚ; ସେ କ’ଣ ତୁମକୁ ଦେଖିଚି କି ? ଦେଖିଥାଉ ଆସି ବୋହୂ ହବାକୁ ହେଲେ, କିପରି ପଣତ ଦେବାକୁ ହୁଏ, ମୁଣ୍ଡ ପୋତି ରହିବାକୁ ପଡ଼େ, ତୁଣ୍ଡ ସମ୍ଭାଳି କଥା କୁହାଯାଏ । ଦେଖିଥିଲେ ଅବା ମନରେ ରହିବ, ଟିକିଏ ହେଲେ ଶିଖିବ-।’’

 

ଚଞ୍ଚଳା ଯେ ବୋହୂପଣିଆରେ ଗୋଟାଏ ଆଦର୍ଶ ହେବ, ତାହା ଭାଳି ସେ ମନେମନେ ଖୁସି ହେଲା । କହିଲା, ‘‘ଆଃ, ଏଇ ପୁଣି ଶିଖିବେ । ଯାହା ନୋହିଛି ବାଳୁତ କାଳେ, ତା’ କି ହୁଏ ପାଚିଲା ବାଳେ ? ସତର ଅଠର ବରଷ ବୟସ ହେଲାଣି; ଆଉ ଶିଖିବ ! କହୁଚ ତ, ହଉ ଆସୁ । ଡାକ୍‍ ଲୋ ରାଧି, ଡାକ ।’’

 

ସରୋଜିନୀ ଘର ଭିତରେ ପଶି କହିଲା, ‘‘ନମସ୍କାର ନୂଆବୋହୂ ।’’ ଏହା ଶୁଣି ଚଞ୍ଚଳା ଓ ଇନ୍ଦୁ ହସ ଚିପି ରଖି ନ ପାରି କୁରୁକୁରୁ ହୋଇ ହସି ପକାଇଲେ । ସରୋଜିନୀ ସାମାନ୍ୟ ଅପ୍ରତିଭ ହୋଇ କହିଲା, ‘‘ମୁଁ ଗୋଟିଏ ନିତାନ୍ତ ଅଣ୍ଡିରାଚଣ୍ଡୀ ପିଲା, ନା ? ସେଥିପାଇଁ ମୋ କଥା ଶୁଣି ହସ ମାଡ଼ିଲା, ନୂଆବୋହୂ । ମୁଁ ତ ଏ ଗାଁ ଛାଡ଼ି ଚାଲିଯାଉଚି । ତୁମ ଦର୍ଶନ ପାଇବା ମୋ ଭାଗ୍ୟରେ କେବେ ଘଟି ନଥିଲା । ଇନ୍ଦୁ ତ ମୋ ପିଲାଦିନର ସାଥୀ । ଏବେ ସିନା କରଛଡ଼ା ହୋଇ ରହିଲା । ତୁମେମାନେ ତ ସବୁ ହେଲ ପୁରୁଣା ଧରଣର ଝିଅ, ଘର ଭିତରେ ଲୁଚି ରହିବ, କଥା କହିବ ନାହିଁ । ମୁଁ ସେଟା ଆଦୌ ପସନ୍ଦ କରେ ନାହିଁ । ଯାହାହେଉ, ନୂଆବୋହୂ, ଯିବା ଆଗରୁ ତୁମକୁ ଥରେ ଦେଖି ଗଲି, ମୁଁ ବଡ଼ ଖୁସି ହେଲି । ଆଉ ଇନ୍ଦୁକୁ ମଧ୍ୟ ଦେଖିଲି । ଇନ୍ଦୁ ତ ତୁମେ ଆସିଲା ଦିନୁ ଦିନେ ବାହାରେ ମୁହଁ ଦେଖେଇବାକୁ ନାହିଁ । ହଉ ନୂଆବୋହୂ, ମନେ ପକାଉଥିବ । ସତ କହିଲ, ନୂଆବୋହୂ, ଆଉ ଯେ ଯେତେ ମୋତେ ପାସୋରି ଦିଅନ୍ତୁ ପଛକେ, ତୁମେ କେବେ ଦେବନାହିଁ, ନୁହେଁ ? ଠିକ୍‌ କହୁନାହିଁ ? ନମସ୍କାର । ରହ, ଇନ୍ଦୁ ।’’

 

ଉତ୍ତର ପାଇବାକୁ ଅପେକ୍ଷା ନ କରି ସରୋଜିନୀ ନାରାୟଣଙ୍କ ଘରୁ ବାହାରି ଚାଲିଗଲା-। କେତେ ଦିନ ଭିତରେ ପଦ୍ମପୁରରେ ଗୋଟିଏ ଉତ୍ସବ ଲାଗିଲା । ସେ ଉତ୍ସବ ଜଣେ ନବାଗତ ବ୍ୟକ୍ତିଙ୍କୁ ନେଇ । ନବାଗତ ବ୍ୟକ୍ତି କଟକର ଜଣେ ଯୁବକ, ଉଦୀୟମାନ ଓକିଲ-। ନୂଆ ଓକିଲମାନେ କଚେରିକୁ ଗଲାବେଳେ ଅବଶ୍ୟ ନାନା ଆଡ଼ମ୍ୱର ଦେଖାଇ ଯାଆନ୍ତି; ମାତ୍ର କଚେରିରେ ପହଞ୍ଚିଲେ, ବିରାଡ଼ି ଆଗରେ ମୂଷା ପରି, ଛପି, ନଇଁ, ମୁଣ୍ଡ ପୋତି ରହନ୍ତି; କିନ୍ତୁ ଏ ଓକିଲ, ବାଟରେ ଯାହା କରିଥାନ୍ତୁ, ପଦ୍ମପୁରରେ ପାଦ ପକାଇ, ଗ୍ରାମସାରା କମ୍ପାଇବାକୁ ଲାଗିଲେ । ବାଦ୍ୟ ବାଜିଲା, ହୁଳହୁଳି ପଡ଼ିଲା, ଭୋଜିଭାତରେ ଗ୍ରାମ ପୂରିଗଲା, ଦିହୁଡ଼ି ମଶାଲର ଆଲୋକରେ ଅନ୍ଧାର ପକ୍ଷ ରାତି ଉଜ୍ଜ୍ୱଳ ହୋଇଉଠିଲା, ବାଣ ଫୁଟି ଆକାଶ ବିଦୀର୍ଣ୍ଣ ହେବାକୁ ବସିଲା । ଓକିଲବାବୁ ଆସିଲାବେଳେ ଯେଉଁ ପାଲିଙ୍କିରେ ବସି ଆସିଥିଲେ, ଫେରିବା ସମୟରେ ତା’ ପଛରେ ଆଉ ଗୋଟିଏ ସୁଆରି ଧରି ଫେରିଲେ ।

 

ମଦନବାବୁ ଓକିଲଙ୍କ ଭାର୍ଯ୍ୟା କଟକରେ ମଦନବାବୁ ନାମ ସାହାଯ୍ୟରେ ପରିଚିତ ହେବାର ଆବଶ୍ୟକତା ରହିଲା ନାହିଁ । ସରୋଜିନୀ ନୂତନ ବିସ୍ତୃତ କାର୍ଯ୍ୟକ୍ଷେତ୍ର ପାଇ ବିଶେଷ ଉତ୍ସାହରେ କାମରେ ଲାଗିଲା । ସେ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ବସାଇଲା, ବୟସ୍କା ରମଣୀମାନଙ୍କର ଗୋଟିଏ ସଭା ଗଢ଼ିଲା, ଘର ଘର ବୁଲି ଶିକ୍ଷା ପ୍ରଚାର କରିବାରେ ଲାଗିଲା । ଦିନେ ସେ ରମଣୀମାନଙ୍କ ସଭାରେ ବକ୍ତୃତା ସୂତ୍ରରେ କହିଲା, ‘‘ଆହା, ଆମର ଭଉଣୀମାନେ ଯେ ଘରୁ ପଳାଇ କୁଳଚ୍ୟୁତ ହୋଇ ପତିତା ପାଲଟି, ପାପ-ପଙ୍କରେ ବୁଡ଼ି ସଢ଼ୁଛନ୍ତି, ସେମାନଙ୍କୁ ଉଦ୍ଧାର ନ କଲେ, ତାଙ୍କ ପାପର ଫଳ ଭୋଗିବାକୁ ହେବ କାହାକୁ, ନା ଯେଉଁମାନେ ସ୍ୱାମୀ, ପୁଅ, ଝିଅ ଧରି ଘର କରୁଛନ୍ତି । ନାରୀମାତ୍ରେ ସାବିତ୍ରୀଙ୍କର ବଂଶଧର–ଯେ କି ନିଜ ସତୀତ୍ୱ ଓ ପୁଣ୍ୟବଳରେ ସ୍ୱୟଂ ଯମଠାରୁ ନିଜର ମୃତ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ ।’’

 

ସରୋଜିନୀର କଟକର କାର୍ଯ୍ୟକଳାପ ପଦ୍ମପୁରରେ କିଏ ଜାଣିଲା, କିଏ ବା ଜାଣିଲା ନାହିଁ; କିନ୍ତୁ ଚଞ୍ଚଳା ଯେ ସେ ବିଷୟରେ କିଛି ଖବର ପାଇଲା ନାହିଁ, ସେ କଥା ନିଶ୍ଚୟ । ଚଞ୍ଚଳା ଜଣେ ସାଧାରଣ ଥିଲାଘର ଝିଅ । ସେ ମା’ କୋଳର ଏକମାତ୍ର କନ୍ୟା ହୋଇଥିବାରୁ ପିଲାଦିନେ ଗେହ୍ଲା ହୋଇ ବଢ଼ିଥିଲା । ଭଲ ପାତ୍ରରେ ଝିଅକୁ ଦେବା କାମନାରେ ବାପ ମା’ ତାକୁ ନାରାୟଣବାବୁଙ୍କ ହାତରେ ସମ୍ପିଥିଲେ । ନାରାୟଣବାବୁ କେନ୍ଦ୍ରାପଡ଼ାରେ ମାସିକ ଷାଠିଏ ଟଙ୍କା ବେତନରେ ଶିକ୍ଷକତା କରନ୍ତି । ସେ କାର୍ଯ୍ୟରେ ହାତ ଚିକ୍‍କଣ କରିବାର ସୁବିଧା ସେପରି ନଥିଲେ ସୁଦ୍ଧା, ବାର୍ଷିକ ପରୀକ୍ଷା ସମୟରେ ମାସେ ଖଣ୍ଡେ ତାଙ୍କୁ ଚାଉଳ, ଡାଲି, ପନିପରିବା, ଦୁଧ, ଘିଅ କିଣିବାକୁ ପଡ଼େନାହିଁ । ସେ ଡେପୁଟିମାଜିଷ୍ଟ୍ରେଟ କାର୍ଯ୍ୟରେ ରହିବେ, ଇନ୍ଦ୍ରପଦ ଲାଭ କରିବେ ବୋଲି କଳ୍ପନାରେ ସ୍ଥିର କରିଥିଲେ । ସେଥିପାଇଁ କଳ୍ପନାର ଶଚୀ ଚଞ୍ଚଳା ଆସି ତାଙ୍କ ଗଳାରେ ମାଳ ହୋଇ ଝୁଲିଥିଲା । ହାଇସ୍କୁଲ୍‍ରୁ ଉତ୍ତୀର୍ଣ୍ଣ ହୋଇ ପ୍ରାୟ ପ୍ରତ୍ୟେକ ଯୁବକ କଲେଜରେ ପାଦ ପକାଇଲା ମାତ୍ରେ ଡେପୁଟିମାଜିଷ୍ଟ୍ରେଟ ପଦ ପ୍ରତି ଲକ୍ଷ୍ୟ ରଖି ଜୀବନ ଗଢ଼ିଥାନ୍ତି । ଚାକିରି ଜଗତର ପ୍ରକୃତି ସେଥିରେ ନାନା ବାଧାବିଘ୍ନ ଘଟାଉ ନଥିଲେ, ହୁଏତ ସେ ସମସ୍ତଙ୍କୁ ଦିନେ ସେହି ଇନ୍ଦ୍ରପଦ ଲାଭ କରିବାକୁ ହୁଅନ୍ତା । ପ୍ରକୃତିର ବିଘ୍ନମାନଙ୍କ ମଧ୍ୟରୁ ଗୋଟିଏ ଅକସ୍ମାତ୍‌ ନାରାୟଣବାବୁଙ୍କ ଜୀବନକୁ ଛୁଇଁ ଦେଇ ଗଲା–ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ; ସୁତରାଂ ତାଙ୍କୁ ହଠାତ୍‌ ଛ’ବର୍ଷର ସ୍ୱପ୍ନରୁ ଉଠି, ବାସ୍ତବିକ ଜଡ଼ଜଗତର କ୍ଷୁଦ୍ର ଜୀବଟି ପରି ଘୃଣ୍ୟ ଶିକ୍ଷକତାର ଆଶ୍ରୟ ନେବାକୁ ହେଲା । ତିନିବର୍ଷ ଲାଗେ ଲାଗେ ବି.ଏ. ପରୀକ୍ଷାରେ ଫେଲ୍‌ ହେବାରୁ ସେ ସରସ୍ୱତୀଙ୍କ ମନ୍ଦିରରୁ ପାଦଟି ବାହାରକୁ ପକାଇ କହିଲେ, ‘‘ଲକ୍ଷ୍ମୀ ସରସ୍ୱତୀଙ୍କର ତ କଳି; ଏଣିକି ଲକ୍ଷ୍ମୀଙ୍କ ଆଶ୍ରୟ ନେଲେ ଫଳ ମିଳିବ ଦେଖୁଛି ।’’

 

ନାରାୟଣବାବୁଙ୍କ ବାପ ମା’ ସଂସାରରେ ଯେପରି ଗୋଟିଏ ଯୌଥ ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥିଲେ; ସେ ଉଦ୍ଦେଶ୍ୟରେ ସାଧନ ସଙ୍ଗେ ସଙ୍ଗେ ଜୀବନର କାର୍ଯ୍ୟ ଶେଷ ହୋଇଅଛି ବୋଲି ମଣିଲେ । ନାରାୟଣବାବୁଙ୍କ ମଙ୍ଗଳକୃତ୍ୟ ପରେ ଉଭୟେ ପ୍ରାୟ ଏକ ସମୟରେ ଇହଜଗତରୁ ବିଦାୟ ନେଇ ହଇଜା ଯାନରେ ଚଢ଼ି ସତ୍ୱର ସ୍ୱର୍ଗ ରାଜ୍ୟକୁ ଚାଲିଗଲେ । ଇନ୍ଦୁର ବିବାହର କାର୍ଯ୍ୟ ନାରାୟଣଙ୍କୁ କରିବାକୁ ହେଲା । ଚଞ୍ଚଳା ଥରେ ସ୍ୱାମୀଙ୍କ ସଙ୍ଗେ କେନ୍ଦ୍ରାପଡ଼ା ଯାଇ ସେଠାରେ ନାନା ଅସୁବିଧା ଭୋଗିଲା । ପାଇଖାନାର ଗନ୍ଧରେ ରୋଜ୍ ତାକୁ ଦୁଇ ତିନିଥର ବାନ୍ତି ଆସିଲା, କୂଅ ପାଣି ତା’ ଦେହରେ ଗଲାନାହିଁ, ସହରୀ ଚାଉଳର ଭାତ ତା’ ପାଟିରେ ପଶିବା ପୂର୍ବରୁ ନାକ ପାଖେ ବନ୍ଦ ହୋଇ ରହିଲା । ଫଳରେ ନାରାୟଣବାବୁ ସ୍ଥିର କଲେ, ଚଞ୍ଚଳାକୁ ଗ୍ରାମରେ ଛାଡ଼ିଦେବେ; ସେ ସେଠାରେ ପୋଇଲୀ ରାଧୀ ପାଖରେ ରହିବ । ରୋଷେଇ କରିବା ନିମନ୍ତେ ଜଣେ ପୂଜାରୀ ମଧ୍ୟ ଜୁଟାଇ ଦେଲେ ।

 

ନାରାୟଣବାବୁଙ୍କ ଅନ୍ୟାନ୍ୟ କାରବାର ଯାହା ହେଉ, ଏହି ପୂଜାରୀ ରଖିବା ବ୍ୟବସାୟରେ ସେ ଯେ ଲାଭବାନ୍‌ ହେଲେ ସେଥିରେ ସନ୍ଦେହ ନାହିଁ । ପୂଜାରୀ ପ୍ରଥମେ ଅବଶ୍ୟ ମାସକୁ ମାସ ଦରମା ଦାବି କରି ନେଉଥିଲା; କିନ୍ତୁ କ୍ରମେ ସେ ତା’ର ନନ୍ଦପୁର ଘର ଅପେକ୍ଷା ନାରାୟଣବାବୁଙ୍କ ଘରକୁ ଅଧିକ ନିଜର ମଣିବାରେ ଲାଗିଲା; ଏପରିକି ତା’ର ଦରମା ମାଗି ନେବା ଦୂରେ ଥାଉ, ନିଜ ଘରୁ ଟଙ୍କା ଆଣି, ନାରାୟଣବାବୁଙ୍କ ମନିଅର୍ଡ଼ର୍‍ର ଅପେକ୍ଷା ନ ରଖି, ତାଙ୍କ ଘର ଖର୍ଚ୍ଚ ସାମୟିକ ଚଳାଇଲା । କୋଡ଼ିଏ ବାଇଶ ବର୍ଷ ବୟସବେଳେ ଯୁବକ ପ୍ରାଣରେ ସ୍ୱାର୍ଥର ଆକ୍ରମଣ ସେତେ ପ୍ରବଳ ହୋଇ ନଥାଏ । ନାରାୟଣବାବୁ ମନୋବିଜ୍ଞାନରୁ ଅନ୍ତତଃ ସେହି ବିଷୟଟି ଭଲରୂପେ ଉପଲବ୍‍ଧି କରିଥିଲେ; ସେ ଯୋଗ୍ୟତା ଦେଖି ବାସୁ ପଣ୍ଡାକୁ ପୂଜାରୀ ରୂପେ ବାଛିଥିଲେ । ସେତେବେଳେ ସେ କହିଥିଲେ–‘‘ଟୋକାଟାର ପୁଅ ଭାରିଯା ନାହାନ୍ତି ଯେ ତାଙ୍କ ପାଇଁ ମୋ ଘରୁ ଜିନିଷପତ୍ର ଚୋରାଇ ନେଇଯିବ ।’’ ତାଙ୍କ ଭବିଷ୍ୟତ ବାଣୀ ଆଶାତୀତ ସଫଳ ହେଲା । ସେ ଆଠଦିନକୁ ଆଠଦିନ ଘରକୁ ନିୟମିତ ରୂପେ ଟଙ୍କା ପଠାଇବା ଦାବିରୁ ଟିକିଏ ନିଷ୍କୃତି ପାଇ ନିଃଶ୍ୱାସ ମାଇଲେ । କହିଲେ–‘‘ଓଃ, ଏତ କ୍ରମେ ଗୋଟାଏ ମହାନଦୀ ସୁଅ ବୋହିବା ଉପରେ ବସିଥିଲା । ମାସକେ ସିନା ଥରେ ଟଙ୍କା ପଠାନ୍ତି; ଏ ଚିଠି ଉପରେ ଚିଠି, କ’ଣ ନା, ‘ଟଙ୍କା ସରିଗଲା ପଠାଅ’ । ତିନିଟା ପେଟପାଇଁ ମାସକୁ କୋଡ଼ିଏ ପଚିଶି ନଗଦ ଖର୍ଚ୍ଚ । ଯାହାହେଉ ପ୍ରେୟସୀ କ୍ରମେ ଘରକରଣା ଶିଖି ଆସିଲେଣି ।’’

 

ପାଠକ ନାରାୟଣବାବୁଙ୍କର ଜୀବନ-ଇତିବୃତ୍ତର ଏ ପୃଷ୍ଠାଟି ଅନୁଧ୍ୟାନ କରି, ତେଣେ ସରୋଜିନୀର ବିସ୍ତୃତ କାର୍ଯ୍ୟକ୍ଷେତ୍ର ପ୍ରତି ଦୃଷ୍ଟି କରିବା ବାସନା ବୋଧହୁଏ ଛାଡ଼ି ନଥିବେ । ସରୋଜିନୀ ମଦନବାବୁଙ୍କ ହାତ ଧରି ପଦ୍ମପୁରରୁ ଆସିବାର ପାଞ୍ଚବର୍ଷ ହୋଇଗଲାଣି । ତା’ର ନାମ ଖ୍ୟାତି ସବୁଆଡ଼େ ରଟିଲାଣି । ତା’ର କାର୍ଯ୍ୟକଳାପର ବର୍ଣ୍ଣନା କରି ଖବରକାଗଜରୁ ଗୋଟିଏ ଗୋଟିଏ ସ୍ତମ୍ଭ ଯାଉଛି । ତା’ର ଶରୀର ସୌନ୍ଦର୍ଯ୍ୟ ଯେପରି, ହୃଦୟର ଗୁଣ ମଧ୍ୟ ସେହିପରି ପ୍ରଶଂସନୀୟ । ସରୋଜିନୀ ନିଜର ଯୁବତୀସୁଲଭ କନକ ରୂପକୁ କଠୋର ପ୍ରତିଜ୍ଞା ବହ୍ନିରେ ଦିନକୁଦିନ ଆଉଟି ଶୁଦ୍ଧରୁ ଶୁଦ୍ଧତର କରି ରଖିଛି । ଲୋକେ କହୁଛନ୍ତି, ‘‘ଶିକ୍ଷିତା ନାରୀ ଯେ କ’ଣ ହୋଇପାରେ, ଏହାହିଁ ତାହାର ଦୃଷ୍ଟାନ୍ତ । ସେ ପଦ୍ମାବତୀ କଥା ଛାଡ଼, କି ପାଠ ବା ପଢ଼ିଥିଲା, ଜୀବନଟାକୁ ପାପ-ପଙ୍କରେ ସେ ବୁଡ଼ାଇବାକୁ ବସିବ, ତା’ର ଶିକ୍ଷା ଅଶିକ୍ଷା ସଙ୍ଗେ ସମ୍ପର୍କ କ’ଣ ଅଛି-? ସେହିପରି ଯେ ରମଣୀ ପବିତ୍ର ଜୀବନ ଗଢ଼ିବାକୁ ଚାହିଁବ, ସେ ଶିକ୍ଷିତା ହେଲେ ଯାହା, ଅଶିକ୍ଷିତା ହେଲେ ମଧ୍ୟ ତାହାହିଁ । ତେବେ ଶିକ୍ଷା ଗୋଟାଏ ପ୍ରଧାନ ସହାୟକ, ଯାହାକି ସରୋଜିନୀ ଦେବୀ ଜୀବନରେ ଦେଖାଇ ଯାଉଛନ୍ତି । ଇତିହାସର ଲୀଳାବତୀ, ଖନା ତ ଏହିପରି ଜଣେ ଜଣେ ହୋଇଥିବେ ।’’

 

ଦିନେ ମଦନବାବୁ କଚେରି ଯିବାକୁ ତାଙ୍କ ଯୋଡ଼ି ବଗିରେ ବସିବାକୁ ଯାଉଛନ୍ତି, ହଠାତ୍‌ ଜଣେ ଶୀର୍ଣ୍ଣକାୟ, ଭଗ୍ନହୃଦୟ ଯୁବକକୁ ଦେଖି ପଚାରିଲେ, ‘‘କିହୋ ଗୋସାଇଁ, ତୁମେ ନନ୍ଦପୁର ଦାମ ପଣ୍ଡା ପୁଅ ବାସୁ ନା ?’’

 

‘‘ହଁ ବାବୁ ।’’

‘‘କ’ଣ ଦେହ ଖରାପ ହୋଇଥିଲା ? ଏପରି ନିତାନ୍ତ କାଇଲା ଦିଶୁଛ ଯେ । ଦେଖିଲେ ଚିହ୍ନି ହେଉନାହିଁ ଏକାବେଳକେ ।’’

‘‘ନାହିଁ ବାବୁ, ମୋ କଥା ଛାଡ଼ନ୍ତୁ । ଭାଗ୍ୟ ବଳରେ ବର୍ତ୍ତି ଆସିଲି । କେନ୍ଦ୍ରାପଡ଼ାର ଗୋଟାଏ ମାଷ୍ଟର ମୋ ନାଁରେ ଏକ ମକଦ୍ଦମା କରିଥିଲା । ତା’ ଭାରିଯା ସାକ୍ଷୀ ହୋଇଥିଲେ ମୁଁ କ’ଣ ଖଲାସ ହେଉଥିଲି । ଦୋହରା ସୁପର୍ଦ ହୋଇ ଏବେ ତ ଜେଲଖାନାରେ ଥାଆନ୍ତି ।’’

‘‘ଆସିଚ କୋଉଆଡ଼େ ଏବେ ?’’

‘‘ବାବୁ, ମତେ ଟିକିଏ କେଉଁଠି ରଖେଇ ଦେବେ ? ଏଡ଼େ ବଡ଼ କଥାଟାଏ ମୁଁ କିପରି ତୁଣ୍ଡରେ ଧରିବି, ପିଲାଦିନର ସାଥୀଟା ମୁଁ । ବଡ଼ ହଇରାଣ ହେଉଛି । ଗଲାବର୍ଷ ଭାରିଯା ଘରକୁ ଆସିଲା । ଏବେ କୋଳରେ ଝିଅଟିଏ । ହେଲେ, ଖାଇବା ବିନା ବଡ଼ କଷ୍ଟ । ଦେଖୁ ନାହାନ୍ତି ମୋ ରୂପରୁ ?’’

‘‘କାହିଁକି, ତୁମର ତ ଜମିବାଡ଼ି କିଛି ଥିଲା ।’’

‘‘ସବୁ ଉଡ଼ିଯାଇଚି, ବାବୁ, ମୋ ମୂର୍ଖପଣିଆରେ । ଆଉ ମୋ କଥା କହନ୍ତୁ ନାହିଁ । ବାକି ଯାହା ଥିଲା, ମକଦ୍ଦମାରେ ସରିଲା । ଏବେ ବାଡ଼ି ଗୋବରେ ଗୋବାଏ ନାହିଁ । ଆପଣଙ୍କୁ ଭରସା କରି ଆସିଛି ।’’

 

‘‘କି କାମ କରିବ ?’’

 

‘‘ପୂଝାରି ହେବାକୁ ତ କପାଳେ ଲେଖା ଅଛି । ଆଉ କି କାମ କ’ଣ ପଚାରୁଛନ୍ତି ?’’

 

‘‘ଆମ ଘରେ ତ ପୂଝାରି ରଖୁନାହିଁ । ଆଚ୍ଛା, ପୂଝାରି କାହିଁକି ହେବ ? ଆଉ ଗୋଟାଏ କାମ ଜୁଟେଇ ଦବା, ଯହିଁରେ ଚାରିପଇସା ରୋଜଗାର ହେବ । ତୁମେ ରହ, ମୁଁ କଚେରିରୁ ଆସେ-।’’

 

କଚେରିରୁ ଫେରି ମଦନବାବୁ ବାସୁ ପଣ୍ଡାକୁ ମାସିକ ପଚିଶ ଟଙ୍କା ଦରମାରେ ଦଶପଲ୍ଲା ପଠାଇଦେଲେ । ସେଠାରେ ତାଙ୍କର କାଠର ବ୍ୟବସାୟ ଥିଲା । ତାହା ବୁଝିବାପାଇଁ ଜଣେ ଭଲ ବିଶ୍ୱାସୀ ଲୋକର ଆବଶ୍ୟକ ପଡ଼ିଥିଲା । ବାସୁ ପଣ୍ଡା ମଦନ ବାବୁଙ୍କର ପଡ଼ୋଶୀ । ନନ୍ଦପୁରରେ ପିଲାଦିନେ ପ୍ରକୃତରେ ଉଭୟେ ଅନେକ ଦିନ ଏକାଠି ଡୁ ଡୁ ଡାଉପୁଆ ଆଦି ଖେଳୁଥିଲେ । ବାସୁ ଖେଳରେ ଖୁବ୍‌ ଜିଣୁଥାଏ; କିନ୍ତୁ ସେଥିଲାଗି ଅନ୍ୟାନ୍ୟ ପିଲାଙ୍କ ପରି ଆନନ୍ଦ ଓ ଗର୍ବରେ ବିଶେଷ କୋଳାହଳ କରେନାହିଁ, କି ଅହଙ୍କାରରେ ଫାଟି ପଡ଼େ ନାହିଁ । ସେତେବେଳେ ଦାମ ପଣ୍ଡାର ଚବିଶ ଦସ୍ତିରେ ଚାରିମାଣ ସାର ଜମିଥାଏ । ବାସୁ ଖାଇପିଇ ବେଶ୍‌ ମୋଟାମୋଟି ହୋଇଥାଏ । ତା’ ଆଚରଣ ମଧ୍ୟ ସାଧାରଣ ଗାଉଁଲି ପିଲାଙ୍କ ପରି ସରଳ ସୁନ୍ଦର ଥିଲା ।

 

ବାସୁ ପଣ୍ଡା ମଦନ ବାବୁଙ୍କ କାଠ କାମରେ ରହି, ନିଜେ ରୋଜଗାର କରି, ମଦନ ବାବୁଙ୍କ ବ୍ୟବସାୟରେ ଲାଭ ଦେଖାଇବାର କିଛିକାଳ ପରେ, ଦିନେ ସରୋଜିନୀ ପୁରୀ ଚୁଡ଼ଙ୍ଗସାହିରେ ଗୋଟିଏ ଘରେ ପାଦ ପକାଇ, ହଠାତ୍‌ ଚମକି ପଡ଼ିଲା । ଚାହିଁ ଦେଖିଲାବେଳକୁ ଗୋଟାଏ ସ୍ତ୍ରୀ ବ୍ୟକ୍ତି, ମୁହଁ ବୁଲାଇ, ତରତର ହୋଇ ଘର ଭିତରକୁ ପଳାଇ ଯାଉଛି । ସରୋଜିନୀ ନିଜର ଆଖିକୁ ବିଶ୍ୱାସ କଲାନାହିଁ । ସେଠାରେ କେତେକ ସମୟ ସ୍ତମ୍ଭୀଭୂତ ହୋଇ ରହି, ଘରୁ ବାହାରି ଚାଲିଗଲା ।

 

ସରୋଜିନୀର ପୁଅଟିର ବୟସ ତିନି ଚାରିବର୍ଷ । ତା’ର ଜନ୍ମ ସମୟରେ ସରୋଜିନୀ ପ୍ରସୂତି ରୋଗରେ ତିନି ଚାରିମାସ କାଳ ପଡ଼ିଥିଲା । ସେତେବେଳେ ସେ ସମ୍ୱାଦପତ୍ର ପଢ଼ି ନାହିଁ କି ସେ ସମୟରେ ଖବର ଅନ୍ତର କିଛି ରଖି ପାରିନାହିଁ । ସେ ଦୀର୍ଘ ସମୟଟାକୁ ସେ ତା’ ଜୀବନର ଗୋଟାଏ କାଳରାତି ବୋଲି ଧରି ନେଇଛି । ତା’ର ବଞ୍ଚିବାର ଆଶା ବଡ଼ କମ୍‌ ଥିଲା । କେତେକ ପରିମାଣରେ ବୈଦ୍ୟ ଡାକ୍ତରମାନେ ଯମ ସଙ୍ଗେ ତୁମୂଳ ସଂଗ୍ରାମରେ ଲଢ଼ିବା ଫଳରେ, ଆଉ କେତେକ ପରିମାଣରେ ନିଜର ମନୋବଳ ଯୋଗେ, ସେ ରୋଗକୁ ପରାସ୍ତ କରି ସୁସ୍ଥ ହୋଇ ଉଠିଲା । ମାତ୍ର ସେହି କେତେକ ମାସର ଖବର ଅନ୍ତର ଜାଣିବା ନିମନ୍ତେ ସେ ଅନେକ ଦିନ ଧରି ପୁରୁଣା ଚିଠି ଏବଂ ସମ୍ୱାଦପତ୍ରମାନ ଅବସର ସମୟରେ ପଢ଼ୁଥାଏ । ଏପରିକି, ବଜାରରୁ ଜିନିଷ ବନ୍ଧା ହୋଇ ଆସିଥିବା ପୁଟୁଳାର କାଗଜ ଖଣ୍ଡିକ ଉପରେ ପର୍ଯ୍ୟନ୍ତ ଥରେ ଆଖି ନ ବୁଲାଇ ଛାଡ଼େ ନାହିଁ ।

 

ସେଦିନ ଚୁଡ଼ଙ୍ଗସାହିର ସେ ଘରୁ ସେପରି ଭାବରେ ଫେରିଆସି ସରୋଜିନୀ ବାଟଯାକ ଗୋଟାଏ ପ୍ରବଳ ଚିନ୍ତାରେ କଟାଇଲା । ଶେଷରେ କହିଲା, ‘‘ମୁଁ ନିତାନ୍ତ ପାଗଳୀଟାଏ । ସେ କାହିଁକି ଏଠି ଆସି ରହନ୍ତା ?’’ ତା’ ଆରଦିନ ସରୋଜିନୀ ସେ ଘରକୁ ଯାଇ ଦେଖିଲା ବାହାର ଦ୍ୱାର ବନ୍ଦ । ତା’ପରେ ତିନି ଚାରିଦିନ ଧରି ରୋଜ ସେ ଘରଦ୍ୱାର ପାଖରୁ ସେ ଫେରି ଆସିଲା । ଦ୍ୱାର ସେହିପରି ବନ୍ଦ, ଘରେ ଜନପ୍ରାଣୀ ନାହାନ୍ତି । ଗୋଟିଏ ପାଖର ପଡ଼ୋଶୀ, ସୁଲକ୍ଷଣା ମାହାରୀ, କହିଲା, ‘‘ସୁକୁମାରୀ ତ କେବେ ଏପରି କୋଉଆଡ଼େ ଯାଏନାହିଁ; କେଜାଣି କାହିଁ ଗଲା ।’’ ଆର ପାଖ ପଡ଼ୋଶୀ, ସୁହାସିନୀ ମାହାରୀ କହିଲା, ‘‘ସୁକୁମାରୀ ପ୍ରାୟ ଚାରି ପାଞ୍ଚଦିନ ତଳେ ଦିନେ ହଠାତ୍‌ କାହିଁକି ଅନେକ ବେଳ ଘରେ ବସି କାନ୍ଦିଲା; ତା’ପରେ ବାୟାଣୀ ପରି ‘ମୋ ରମା, ମୋ ରମା’, ବୋଲି କାହାକୁ ଡାକିଲାମିତି ଏଘର ସେଘର ବୁଲିଲା । ସେହି ଦିନୁ ତ ତା’ର ଆଉ ଦେଖା ନାହିଁ । ଜାଣ ତ, ବାବୁଆଣୀ, ଆମେ ମହାପ୍ରଭୁଙ୍କ ହେତାଖିଆ ସେବକ । ତୁମେ ଯାହା କହୁଛ, ସେ ସବୁ କିଛି ନୁହେଁ । ଆମ ଏ ଗୋଟାକଯାକ ସାହି ସେଇଆ । ସେ ସୁଲୋଚନା, ଶିରୀ, ହୀରା, ହେରିକା ସିନା ଛାଡ଼ିଦେଇ ଗଲେ । ମୁଁ କ’ଣ ସେବା ଛାଡ଼ିପାରିବି ? ଖାଇବି କ’ଣ ? ମୁଁ ଯାହା ଖାଏନା କାହିଁକି, ଜଗନ୍ନାଥଙ୍କ ସେବା ଚଳିବ କିପରି ?’’

 

ସରୋଜିନୀ ପୁରୀରେ ଆଉ ସମୟ ନଷ୍ଟ ନ କରି କଟକ ଫେରି ଆସିଲା । ତା’ ପରଦିନ ବଜାରରୁ ଯେଉଁ କାଗଜ ମୁଣିରେ ଚିନି କିଣାହୋଇ ଆସିଥିଲା, ସେଟା ଦେଖୁଦେଖୁ ପଢ଼ିଲା, ‘ଚଞ୍ଚଳାର ସାକ୍ଷ୍ୟରେ ଆସାମୀ ମାଜିଷ୍ଟ୍ରେଟ ମହକୁମାରେ ଖଲାସ ପାଇଗଲା । ନାରାୟଣବାବୁ ନିଜର ସହଧର୍ମିଣୀର କାର୍ଯ୍ୟରେ ନିତାନ୍ତ ମର୍ମାହତ । ସେ ଆଉ ଛାତ୍ରମାନଙ୍କ ପାଖରେ ମୁହଁ ଦେଖାଇ ପାରୁନାହାନ୍ତି, ବନ୍ଧୁବାନ୍ଧବ ଆତ୍ମୀୟସ୍ୱଜନଙ୍କ ସମାଜରେ ସିଧା ଠିଆ ହେଉ ନାହାନ୍ତି । ଏଭଳି ଗୋଟାଏ ଗୋଟାଏ ରାକ୍ଷସୀ କଳଙ୍କିନୀଙ୍କ ହାତ ଧରି ସଂସାରରେ କେତେ ଭଲ ଲୋକ ଯେ ଲଜ୍ଜା ଅପମାନ ଭୋଗୁଛନ୍ତି, ତା’ର ସୀମା ନାହିଁ । ଚଞ୍ଚଳା ସାକ୍ଷ୍ୟ ଦେଇ ଫେରାର । ସେ ମରିବା ପୂର୍ବରୁ ଗୋଟାଏ ବୃଥା ପାପଭାରାରୁ ମୁକ୍ତ ହୋଇପାରିବ ନାହିଁ ।’

 

ସରୋଜିନୀ ପଢ଼ିସାରି ପନ୍ଦର ଦିନର ଭୋକିଲା ବାଘୁଣୀ ପରି ବ୍ୟାକୁଳ ହେବାକୁ ଲାଗିଲା । କେତେ ପୁରୁଣା ଖବରକାଗଜ ଖୋଜିଲା । ସେ ଯେ ତଳ ଅଧକ ପଢ଼ିଲା; ତା’ ଉପର ଅଧକ ପାଇବାପାଇଁ ଚିନି ଦୋକାନୀ ପାଖକୁ ଯାଇ ତା’ର ସବୁ ମୁଣି, ସବୁ କାଗଜ ଖଣ୍ଡମାନ ତନ୍ନତନ୍ନ କରି ଖୋଜିବାରେ ଲାଗିଲା । ବାଟରେ ଦୁଇଜଣ ଲୋକ କଥାବାର୍ତ୍ତା ହୋଇଗଲେ, ‘‘ପୋଲିସ୍‌ବାଲା କାହିଁକି ଏ ଦୋକାନଟା ଖାନ୍‍ତଲାସ୍‌ କରୁଛନ୍ତି । ହୁଏତ କିଛି ଚୋରିମାଲ୍‌ ଆଣି ରଖିଥିବ ।’’ ମାତ୍ର ଏତେ ଖାନ୍‍ତଲାସ୍‍ରେ କିଛି ଫଳ ଫଳିଲା ନାହିଁ । ସମ୍ୱାଦପତ୍ରରୁ ଚିରା ହୋଇଥିବା ଯେଉଁ କାଗଜ ଖଣ୍ଡକରେ ସେ ମୁଣିଟା ତିଆରି ହୋଇଥିଲା, ସେଥିରେ ସମ୍ୱାଦପତ୍ରର ନାମ ବା ତାରିଖ କିଛି ନଥିଲା । ମଦନ ବାବୁ କଚେରିରୁ ଫେରନ୍ତେ, ସରୋଜିନୀ ସେ ଚିରା କାଗଜ ଖଣ୍ଡି ତାଙ୍କୁ ପଢ଼ାଇ, ସେ ବିଷୟରେ ସବିଶେଷ ଖବର ପଚାରିଲା । ମାତ୍ର ଉତ୍ତର ଶୁଣିଲା, ‘‘ମୁଁ ସେ ସବୁ ବାଜେ ଖବର ପଢ଼େ ନାହିଁ, ତୁମେ କ’ଣ ଜାଣି ନାହଁ ? ମୋତେ ମହକିଲଙ୍କ ଲଥି ଦିଅ, ଯେତେ ପାଇଲେ ପଢ଼ି ଚାଲିଯିବି । ଆଉ ହାଇକୋର୍ଟ ନଜିର କଥା ପଚାର । ଏଟା କ’ଣ ହାଇକୋର୍ଟ ମକଦ୍ଦମା ?’’

 

‘‘ନା,’’

 

‘‘ତେବେ, ଆଉ ମୋତେ ପଚାରୁଛ କାହିଁକି ? ଖବରକାଗଜ ପଢ଼ିବା, ନାନା ସମ୍ବାଦ ରଖିବା ତ ମୁଁ ତୁମ ଦ୍ୟାହିତି ଛାଡ଼ି ଦେଇଛି ।’’

 

ସରୋଜିନୀ ପୁଣି ପୁରୀ ଧାଇଁଲା । ପୁରୀରୁ କଟକ, କଟକରୁ ବାଲେଶ୍ୱର, ବାଲେଶ୍ୱରରୁ କେନ୍ଦ୍ରାପଡ଼ା–ଏପରି ନାନା ସ୍ଥାନ ବୁଲିଲା, କିନ୍ତୁ କିଛି ସନ୍ଧାନ ପାଇଲା ନାହିଁ । ମନେମନେ ଭାବିଲା, ‘‘ଚୁଡ଼ଙ୍ଗସାହିରେ ଯାହାକୁ ମୁହୂର୍ତ୍ତକ ପାଇଁ ଦେଖିଲି, ସେ ତ ଚଞ୍ଚଳା । ନା, ସେ ତ ସୁକୁମାରୀ; ସମସ୍ତେ କହିଲେ ତା’ ନାଁ ସୁକୁମାରୀ । ଆଚ୍ଛା ସେ ସୁକୁମାରୀ ମଧ୍ୟ କାହିଁ ? ଏ କ’ଣ ଗୋଟାଏ ରହସ୍ୟ ? ଛି ଛି ଛି; ମୁଁ ପାଗଳୀ ହୋଇଯିବି, ମୋ ମୁଣ୍ଡ ବିଗିଡ଼ିଯିବ ।’’ ପ୍ରକୃତରେ ସରୋଜିନୀ ପାଗଳୀ ପରି ହୋଇ ପଡ଼ିଲା । ମନୁଷ୍ୟ ଚରିତ୍ର ଉପରେ ତା’ର ଘୋର ସନ୍ଦେହ ଜନ୍ମିଲା । ପଦ୍ମପୁରରେ ନାରାୟଣବାବୁଙ୍କ ଘରେ ସେ ତା’ର ଯେଉଁ ନୂଆବୋହୂ ଚଞ୍ଚଳା ସହିତ ଦେଖା କରିବାକୁ ଯାଇ, ନିତାନ୍ତ ଅପ୍ରତିଭ ଭାବରେ ସେହି ମୁହୂର୍ତ୍ତରେ ଫେରି ଆସିଥିଲା, ସେ ଚଞ୍ଚଳା ଯେ ଏ ଦଶା ଘଟିବ, ସେ ଭାବି ପାରିଲା ନାହିଁ । କହିଲା, ‘‘ଭଗବାନ୍‌, ଓଃ ନାରୀ ହୃଦୟରେ କି ଦୁର୍ବଳତା ନିହିଛ !’’

 

କେତେଦିନ ଯାଇଛି, ଦିନେ ସରୋଜିନୀ ଖଣ୍ଡିଏ ଚିଠି ପାଇଲା । ପଢ଼ିଲା–

 

ଶ୍ରୀମତୀ ସରୋଜିନୀ ଦେବୀ,

 

ତୁମେ ସ୍ୱର୍ଗର ଦେବତା, ଆଉ ମୁଁ ନର୍କର କୃମି । ମୁଁ ମୁହୂର୍ତ୍ତକ ପାଇଁ ଅନ୍ଧ ହୋଇ, ଯେଉଁ ସମୟରେ ପୂଝାରି ସହିତ ଘରୁ ବାହାରି ଗଲି, ତୁମେ ଶୁଣିଥିବ । ତା’ପରେ କଟକରେ ଯାଇ ରହିଲି, ପ୍ରଥମେ ତେଲେଙ୍ଗାବଜାର, ତା’ପରେ ବକ୍‍ସିବଜାର; ମାତ୍ର କେବଳ ଯେପରି ଏ ପାପୀୟସୀକୁ ଖୋଜି ବାହାର କରିବାପାଇଁ ତୁମେ ଗଳି ଗଳି ହୋଇ ବୁଲିଲ । ତୁମେ ମୋ ପାଖକୁ ଯେଉଁଦିନ ଯାଇ କହିଥିଲ, ‘ନମସ୍କାର, ନୂଆବୋହୂ,’ ସେ କଥା ମୋର ମନେଅଛି । ମୁଁ ତୁମକୁ ଅଣ୍ଡିରାଚଣ୍ଡୀ ଭାବି ଇନ୍ଦୁ ସହିତ କୁର୍‍ କୁର୍‍ ହସି ପକାଇଲି । କେବଳ ସେତିକି ନୁହେଁ; ତୁମକୁ ବହୁତ ଘୃଣା କରୁଥିଲି, ପଛରେ ଗାଳି ଦେଉଥିଲି । ଏବେ ତା’ର ଫଳ ଭୋଗୁଛି । ତୁମରି ଆଖି ଏଡ଼ାଇବା ପାଇଁ, କଟକରୁ ଯାଇ ନାମ ବଦଳାଇ ପୁରୀରେ ରହିଲି । ସେଠି ମଧ୍ୟ ତୁମେ ଯାଇ ହାଜର ହେଲ । ମୁଁ ତୁମ ଦୃଷ୍ଟି ବରାବର ଏଡ଼ିଛି । ସେଦିନ ମୁହୂର୍ତ୍ତକ ପାଇଁ ଅବଶ୍ୟ ତୁମେ ଦେଖିଦେଲ । ମୋର ସହଚାରୀମାନଙ୍କ ଠାରୁ ତୁମର କଥାଗୁଡ଼ିକ ଶୁଣି ମୋର ଜୀବନ ପ୍ରତି ଧିକ୍‌କାର ଆସିଥିଲା । ମାତ୍ର ମୋ ପାଇଁ ଏ ତ୍ରିଭୁବନରେ ବିନ୍ଦୁ ମାତ୍ର ସ୍ଥାନ ନାହିଁ । ମୁଁ ପୁରୀରୁ ପଳାଇ ଆସି ହାହାକାର କରି କେତେଦିନ ବୁଲିଲି । ମୋ କୋଳର ରମା ନାରାୟଣବାବୁଙ୍କ ପାଖେ ଅଛି । ସେ ତାକୁ ମୋ’ରି ପରି ଗଢ଼ିବେ । ମୁଁ ଏ ମଧ୍ୟରେ ଥରେ ତାକୁ ଟିକିଏ ଦେଖିବାକୁ କେତେ ଚେଷ୍ଟା କଲି, ହୋଇପାରିଲା ନାହିଁ । ତା’ କାନରେ ମୋ ନାମ ପକାଇବ ନାହିଁ । ତୁମେ ରମାକୁ ଆଣି ପାଖରେ ରଖି ପାଳିବ; ନିଜ ଆଦର୍ଶରେ ଗଢ଼ିବ । ଏହାହିଁ ନ୍ୟାୟର ବିଚିତ୍ର ପ୍ରତିଶୋଧ । ମୁଁ ମୋ ପ୍ରାଣର ଚାବିକାଠି ନିଜ ହାତରେ ରଖିସାରି ଏ ଚିଠି ଡାକରେ ପକାଉଚି । ମୋତେ ଆଉ ଖୋଜିବ ନାହିଁ । ଏ ଜନ୍ମରେ ବା ଅନ୍ୟ କେଉଁ ଜନ୍ମରେ ଆଉ ଦେଖା ହେବ ନାହିଁ । ମୁଁ ମରି ନର୍କରେ ବୁଡ଼ିବି, ସେ ତ ଆଉ ବିଳମ୍ୱ ନୁହେଁ–ମୁହୂର୍ତ୍ତେ ମାତ୍ର, ଜୀବ ଛାଡ଼ି ଆସିଲାଣି । ତୁମେ ମଲେ ସ୍ୱର୍ଗକୁ ଯିବ । ଜୀବନର ଅନନ୍ତ ବିଦାୟ, ଦେବି ! ରମା ଲାଗିଲା । ତାକୁ ଆଶୀର୍ବାଦ କର, ସେ ତୁମରି ପରି ଜଣେ ହୋଇପାରୁ ।’

 

ତୁମ୍ଭର

ଅଭାଗୀନି, କଳଙ୍କିନୀ, ପତିତା

ଚଞ୍ଚଳା

Image

 

ପାଣୁ ମିଶ୍ରେ

 

ବିମାତା ମାଳତି ଅପେକ୍ଷା ଦାମୋଦର ବୟସରେ ଦୁଇବର୍ଷ ମାତ୍ର ସାନ । ଘରେ ଆଉ ପିଲାପିଲି ନାହାନ୍ତି ଯେ, ଦାମୋଦର ସେମାନଙ୍କ ସଙ୍ଗେ ଖେଳିବ, ବୁଲିବ, ହସ କୌତୁକ ହେବ, ସୁଖରେ କାଳ କଟାଇବ । ପୁଣି ମାଳତୀ ବୋହୂ ହୋଇ ଆସିଥିଲେ ସୁଦ୍ଧା, ସେ ଯେ କାହାର ବୋହୂ ସେ କଥା ସେ ନିଜେ ବୁଝିବାକୁ ଅକ୍ଷମ । ତା’ଛଡ଼ା ସମଗ୍ର ଘରେ ଦାମୋଦର ଓ ଦାମୋଦର ବାପା ଲୋକନାଥ । ଲୋକନାଥଙ୍କ ସହିତ ସବୁବେଳେ ମିଳାମିଶା କରିବାକୁ ମାଳତିକୁ ସେତେ ସୁଖ ଲାଗେ ନାହିଁ । ଲୋକନାଥ ତା’ର ବାପ ବୟସର ଲୋକ । ଲୋକନାଥ ଅବଶ୍ୟ ତାକୁ ଦଣ୍ଡେ ପାଖରୁ ଅନ୍ତର କରିବାକୁ ଇଚ୍ଛା କରନ୍ତି ନାହିଁ । ତାଙ୍କର ଜୀବନର ମଉଳି ଆସିଥିବା ଫୁଲଟି ହଠାତ୍‌ ଝଡ଼ି ପଡ଼ିବାରୁ, ପ୍ରୌଢ଼ ବୟସରେ ସେ ଗୋଟିଏ ଦରଫୁଟିଲା ଫୁଲ କଢ଼ି ପଦକ କରି ବେକରେ ବାନ୍ଧିଛନ୍ତି । ତାଙ୍କର ଇଚ୍ଛା, ବଗିଚାର ମାଳୀ ପରି, ସେ ତାହା ଫୁଟି କ୍ରମେ ଫୁଲରେ ପରିଣତ ହେବାର ସୁମଧୁର ପ୍ରାକୃତିକ କ୍ରିୟା ବରାବର ପାଖରେ ବସି ଦେଖୁଥାନ୍ତେ, ସୌରଭରେ ବନର ମହୁମାଛିକୁ ଭାଗୀ ହେବାକୁ ନ ଦେଇ, ନିଜେ ତାହା ଏକାକୀ ଆଘ୍ରାଣ କରନ୍ତେ । ମାଳତି କିନ୍ତୁ ଏ ସବୁ ସେତେ ପସନ୍ଦ କରେ ନାହିଁ । ଲୋକନାଥ ଦାମ୍ପତ୍ୟ ଡୋରି ଯେତେ ଟାଣନ୍ତି, ସେ ସେତିକି ଖସିଯିବାକୁ ଚାହେଁ । ଦାମୋଦର ସଙ୍ଗେ ମିଳାମିଶା କଲେ ସେ ବାଲ୍ୟଜୀବନର ସରଳ ସ୍ୱାଧୀନତା ଉପଭୋଗ କରେ, ଆପଣାର ଭାଇଟି ସହିତ ଖେଳିଲା ବୁଲିଲା ପରି ତାକୁ ଲାଗେ । ସେଥିପାଇଁ ସେ ଇଚ୍ଛା କରେ, ଘରେ କେବଳ, ଦାମୋଦର ଥାଆନ୍ତା, ଲୋକନାଥଙ୍କର ସତ୍ତା ସେଠାରୁ ଏକାବେଳକେ ଲୋପ ପାଇଗଲେ, ସେ ଟିକିଏ ନିଃଶ୍ୱାସ ମାରି ନିଶ୍ଚିନ୍ତ ହୁଅନ୍ତା ।

 

ମାଳତୀର ମନର ଭାବ ବୁଝିବାକୁ ଲୋକନାଥଙ୍କର ବାକି ରହିଲା ନାହିଁ । କିନ୍ତୁ ସେ ଭାବ-ସ୍ରୋତର ମୁଖ ତାଙ୍କ ନିଜ ଆଡ଼କୁ ଗଡ଼ାଇ ଆଣିବାର ଉପାୟ ତାଙ୍କ ହାତରେ ନଥିଲା । ମାଳତି ଗୋଟିଏ କ୍ଷୁଦ୍ର ଝରଣା ହେଲେ, ଲୋକନାଥ ଏକ ମସ୍ତ ଉଚ୍ଚ ଦୁର୍ଭେଦ୍ୟ ପର୍ବତ, ମାଳତୀ ମାଘ ମାସର ଚୋରା ବସନ୍ତର ଗୋଟିଏ କ୍ଷୀଣ ରେଖା ବୋଲି ଯଦି ଧରାଯାଏ, ତା’ହେଲେ ଲୋକନାଥଙ୍କୁ ତୁଷାର ଆବୃତ ବିସ୍ତୃତ ଗିରିପ୍ରାଚୀର ବୋଲି କହିବାକୁ ହେବ । ସୁତରାଂ ଲୋକନାଥଙ୍କ ନିକଟରେ ମାଳତୀର କୋମଳ ବାଳିକା-ହୃଦୟର ଭାବଟିକକ ପ୍ରବାହିତ ହୋଇ ନପାରି, ଜମା ହୋଇ ରହୁଥିଲା ଏବଂ ଦାମୋଦରକୁ ଏକାକୀ ଦେଖିଲେ, ହଠାତ୍‌ ତା’ର ହୃଦୟ ମଧ୍ୟକୁ ବହି ଚାଲି ଯାଉଥିଲା ।

 

ଫଳରେ ଲୋକନାଥ କ୍ରମେ ଦାମୋଦର ପ୍ରତି ବିରକ୍ତ ହୋଇ ଆସିଲେ । ଦାମୋଦର ନିତାନ୍ତ ପିଲା ହେଲେ ସୁଦ୍ଧା, ତାହା ପ୍ରତି ପିତାଙ୍କର ଭାବ ବୁଝିବାକୁ ତା’ର ବୁଦ୍ଧିର ଅଭାବ ହେଲା ନାହିଁ । ସୁତରାଂ ସେ ଘର ମଧ୍ୟରେ ଶଙ୍କି ଚଳିବାକୁ ଲାଗିଲା, ମାଳତୀ ସହିତ ପ୍ରକାଶ୍ୟରେ ମିଳାମିଶା କରିବା ସେ କ୍ରମେ କ୍ରମେ ଛାଡ଼ିବାକୁ ବସିଲା । ମାତ୍ର ସେ ଯେତେ ଛାଡ଼ି ଦେବାକୁ ଚେଷ୍ଟାକଲା, ମାଳତି ସେତିକି ତା’ ସଙ୍ଗେ ଯୋଡ଼ିହୋଇ ରହିବାକୁ ବ୍ୟସ୍ତ ହୋଇ ପଡ଼ିଲା । ଫଳରେ ଲୋକନାଥ ମନେ କଲେ ଯେ, ତାଙ୍କର ସ୍ନେହର ଫୁଲଟିରେ ଦାମୋଦର ଯେପରି ଗୋଟାଏ ପରାଗ ଆହରଣକାରୀ ଭ୍ରମର । ସେ ଭ୍ରମରକୁ ସେହି ଫୁଲ ନିକଟରୁ ଅନ୍ତର କରି ଦୂରରେ କିପରି ରଖିବେ, ସେଥିପାଇଁ ଉପାୟ ଖୋଜି ଲାଗିଲେ । ଉପାୟ ପାଇବାରେ ତାଙ୍କର ବିଳମ୍ୱ ମଧ୍ୟ ଘଟିଲା ନାହିଁ । ଧାନଶିଷାରୁ ଧାନ ଝାଡ଼ିବା ନିମନ୍ତେ ଯେପରି ଶିଷାକୁ ପିଟଣାରେ ପିଟିବାକୁ ହୁଏ, ଲୋକନାଥ ସେହିପରି ଦିନେ ଗୋଟାଏ ବାଉଁଶ ପାଞ୍ଚଣ ଦାମୋଦର ପିଠିରେ ଉଡ଼ାଇ ଦେଲେ । ରକ୍ତର ଧାରରେ ଲୁଗାପଟା ରଙ୍ଗ ହୋଇଗଲା । ବୋଉ ମଲାଦିନୁ ଦାମୋଦର କେବେ ଏତେ କାନ୍ଦି ନଥିଲା, କି ନିଜର ନିରେଖପଣ କେବେ ଏତେ ସ୍ପଷ୍ଟଭାବେ ବୁଝି ନଥିଲା । ତାହାର ଦୁର୍ଦ୍ଦଶା ଦେଖି ବିଚାରୀ ମାଳତୀର ହୃତ୍‌ପିଣ୍ଡ ଫାଟିଗଲା ପରି ହେଲା; ମାତ୍ର ତା’ର କି ଚାରା ଯେ ସେ ଦାମୋଦରକୁ ସାହାଯ୍ୟ କରି ତା’ର କଷ୍ଟ ଦୂର କରିପାରିବ ?

 

ନ ଖାଇ ନ ପିଇ, କାନ୍ଦି କାନ୍ଦି, ଘରର ଅଳିଆଗଦାଟି ପରି ଦାମୋଦର ଯେତେବେଳେ ପଦାକୁ ବାହାରି ଗଲା, ମାଳତୀ ଘର ଭିତରୁ ଜାଣିପାରିଲା ଅବଶ୍ୟ, ମାତ୍ର ସାହସ ହେଲା ନାହିଁ ଯେ ସେ ଆସି ତାକୁ ମନା କରିବ ଏବଂ ଆଖିରୁ ଲୁହ ପୋଛି, ଘରକୁ ଫେରାଇ ନେବ ଦାମୋଦର ସଙ୍ଗେ ସେ ଦେଢ଼ବର୍ଷ ଭାଇ ଭଉଣୀ ପରି ଖେଳିଥିଲା, ବସିଥିଲା, ଶୋଇଥିଲା, ବୁଲୁଥିଲା, ଖିଆପିଆ କରିଥିଲା । ସେ ଆଜି ତା’ ଆଖିର ଅଶ୍ରୁ ସହିତ ନିଜ ନେତ୍ରର ଗୁପ୍ତ ବାରି ମିଶାଇ ଘର କୋଣରେ, ମଲା ଠାରୁ ବଳି ଅଧିକ ଦୁଃଖ, ଲାଜ, ସଙ୍କୋଚରେ ଜିଇ ପଡ଼ିରହିଲା; କିନ୍ତୁ ଲୋକନାଥଙ୍କର ଆଉ ମଝିରେ ଭ୍ରମରର ଭୟ ନାହିଁ । ମାଳତୀ ପୂରାପୂରି ଦିନ ଚବିଶ ଘଡ଼ି, ତାଙ୍କ ଆଖି ଆଗେ ନିଜ ରୂପଛଟା ବାଢ଼ିପାରିବ, ତାଙ୍କ ଆପଣାର ସୌରଭରେ ମୁଗ୍‍ଧ କରିପାରିବ ।

 

ତେରବର୍ଷ ବୟସର ପିଲା ଦାମୋଦର ଖୋର୍ଦ୍ଧାରୋଡ଼୍ ଷ୍ଟେସନ୍‍ର ଚାରିଆଡ଼େ ରେଳଗାଡ଼ି, ଲୋକାରଣ୍ୟ, ଗୋରା ସାହେବ, ମେମ୍‌ ଦେଖି ଏବଂ ଇଞ୍ଜିନ୍‌ମାନଙ୍କର ସିଟି ଶୁଣି, ତାଜୁବ ହୋଇ ଠିଆ ହୋଇଅଛି । ତା’ର ପେଟ ଜଳୁଛି । ଘରୁ ଆସିବାର ଦୁଇଦିନ ହୋଇଗଲାଣି । ସେ ଦୁଇଦିନ କାଳ ତା’ର ପେଟରେ ଅନ୍ନ ପଡ଼ି ନାହିଁ । ଜଠରାଗ୍ନି ଜଳିଲାବେଳେ ସେ ତାହା ନଈ ପୋଖରୀର ପାଣିରେ ଲିଭେଇବାକୁ ବାରମ୍ୱାର ଚେଷ୍ଟା କରି ବିଫଳ ହୋଇଅଛି । ବାଟରେ ସେ କେତେ ଗାଁ ପାର ହୋଇ ଆସିଛି । କେତେ ଦୋକାନ ବଜାର ବାଟେ କ୍ଷୁଧାରେ କାତର ହୋଇ ଚାଲିଛି । ତା’ ପାଖରେ ପଇସାପତ୍ର କିଛି ନାହିଁ ଯେ ସେ କୌଣସିଠାରେ ମୁଢ଼ି ହୁଡ଼ୁମ୍ବ କିଛି କିଣି ପେଟର ଜ୍ୱାଳା ଶାନ୍ତ କରିବ । ସୁତରାଂ ହୃଦୟ ଦୁଃଖରେ ଅଧେ ଶୁଖି ନିଜ ଜଠରାଗ୍ନିରେ ଅଧେ ଜଳି; ରେଳଗାଡ଼ିର ଆଶ୍ରୟରେ କୌଣସି ଦୂର ସ୍ଥାନକୁ ପଳାଇ ଶାନ୍ତି ପାଇବା ନିମନ୍ତେ ବ୍ୟାଧ ଅନୁସୃତ ମୃଗଶିଶୁଟି ପରି ଆସି, ଖୋର୍ଦ୍ଧାରୋଡ଼୍ ଷ୍ଟେସନ୍‍ ପ୍ଲାଟ୍‍ଫର୍ମ୍‍ରେ, ଶଙ୍କିତ ମନରେ, ଏକୁଟିଆ ଠିଆ ହୋଇଛି । ସେଠାରେ ଚିହ୍ନାଲୋକ ଜଣେ ସୁଦ୍ଧା ଦେଖୁ ନାହିଁ, ତା’ ମନରେ ଏତେ ଭାବନାର ଉଦୟ ହେଉଅଛି ଯେ ସେ କ’ଣ ଭାବୁଛି ନିଜେ ତାହା କିଛି ବୁଝିପାରୁ ନାହିଁ । ଉପସ୍ଥିତ ଅବସ୍ଥାରେ କ’ଣ ଭାବିବା ଉଚିତ, ତାହା ଠିକ୍‌ କରିପାରୁ ନାହିଁ । ସେତେବେଳେ ତା’ ମନରେ ଅବସ୍ଥାର ଗୋଟାଏ ଫଟୋ ନେଇପାରିଥିଲେ, କୌଣସି ପ୍ରକାର ଚିତ୍ର ସୁଖଦୁଃଖର କୌଣସି ଦୃଶ୍ୟମାନ ଛବି ଆଦୌ ଉଠି ନଥାନ୍ତା ।

 

ଦାମୋଦର ଠିଆ ହୋଇଅଛି, ହଠାତ୍‌ ପୁରୀରୁ କଲିକତା ଯିବାର ପାସେଞ୍ଜର ଗାଡ଼ି ଆସି ପହଞ୍ଚିଲା । କେତେ ଲୋକ ଓହ୍ଲାଇଲେ, କେତେ ଲୋକ ବସିଲେ, କେତେ କୋଳାହଳ ଚାରିଆଡ଼େ ଶୁଣାଗଲା । ସେ ସବୁ ମଧ୍ୟରେ ଦାମୋଦର ଶୁଣିଲା, ଜଣେ ଡାକୁଛି, ‘ପାଣୁ ମିଶ୍ରେ, ପାଣୁ ମିଶ୍ରେ ।’ ସେ ତ ତା’ର ମାମୁର ନାମ ! ବୁଦ୍ଧି ହେଲା ଦିନରୁ ସେ ମାମୁକୁ ଥରକ ଛଡ଼ା ଆଉ କେବେ ଦେଖି ନାହିଁ । ତା’ର ଅଜା ଆଈ ପ୍ରଭୃତି ସମସ୍ତେ ଏକ ସମୟରେ ହଇଜାରେ ମରିଛନ୍ତି । ମାମୁଛେଉଣ୍ଡ ହୋଇ ଘରୁ ପଳାଇ ଖଡ୍‌ଗପୁରରେ ରେଳ ଇଲାକାରେ ଚାକିରି କରୁଥିଲା । ଛୁଟିରେ ସେ କେବେ ନିଜ ଗ୍ରାମକୁ ଅବା ଆସିଥିବ; କିନ୍ତୁ ବାଟଗାଁରେ ଦିନେ ପାଦ ପକାଇ ନାହିଁ । କେବଳ ଲୋକନାଥଙ୍କ ନିକଟକୁ ସେ ବେଳେବେଳେ ଯେ ଚିଠି ଲେଖେ, ଦାମୋଦର ତାହା ଲୁଚାଇ ପଢ଼ି, ଜାଣିଥିଲା ଯେ ମାମୁ ଇହଜଗତରେ ରହିଛି ! ହୁଏତ ସେ ତାହାରି ନିକଟକୁ ଯାଇ ଆଶ୍ରୟ ନେବା ଆଶାରେ ଖୋର୍ଦ୍ଧାରୋଡ଼୍ ଷ୍ଟେସନ୍‍ରେ ଆସି ଉପସ୍ଥିତ ହୋଇଛି । ସେଥିପାଇଁ ‘ପାଣୁ ମିଶ୍ରେ’ ଡାକ ଶୁଣି, ତା’ର ମୃତପ୍ରାୟ ପିଣ୍ଡରେ ପ୍ରାଣର ସଞ୍ଚାର ହେଲା । ଲୋକଟି ‘ପାଣୁ ମିଶ୍ରେ’ ବୋଲି ଯେତିକି ଡାକିଲା, ଦାମୋଦର ତେତିକି ମାମୁକୁ ଖୋଜିବାରେ ଲାଗିଲା । କେତେ ବୁଲିଲା, କେତେ ଚାହିଁଲା, କେତେ ଏଣେତେଣେ ଯାଇ ଅନାଇଲା; ମାତ୍ର ମାମୁକୁ କେଉଁଠାରେ ଦେଖିଲା ନାହିଁ । ସେ ଲୋକଟି ମଧ୍ୟ ସେହିପରି ଏକସ୍ୱରରେ ‘ପାଣୁ ମିଶ୍ରେ, ପାଣୁ ମିଶ୍ରେ’ ବୋଲି ଡାକୁଛି–ଗାଡ଼ି ଛାଡ଼ିଦେଲା ।

 

ଯାହା ଘଟିଗଲା, ସେଥିରୁ ଦାମୋଦରର ଆଶା ହେଲା ଯେ ତା’ର ମାମୁ ହୁଏତ ସେହି ଖୋର୍ଦ୍ଧାରୋଡ଼୍ ଷ୍ଟେସନରେ ରହିଛି ବା କେଉଁଠାରୁ ସେଠାକୁ ଗାଡ଼ିରେ ବସି ଆସିବାର କଥା ଅଛି । ସୁତରାଂ ସମଗ୍ର ଅକୂଳ ସଂସାର ସମୁଦ୍ର ମଧ୍ୟରେ ତାକୁ କୂଳରେ ଗୋଟିଏ କ୍ଷୀଣ ଚିତ୍ର ଦେଖାଗଲା । ‘ପାଣୁ ମିଶ୍ରେ’ ବୋଲି ଯେଉଁ ଲୋକଟି ଡାକୁଥିଲା, ତାକୁ ଯାଇ ମାମୁର ସମ୍ୱାଦ ପଚାରିବାକୁ ତା’ର ବଳବତୀ ଇଚ୍ଛା ହେଉଥିଲେ ସୁଦ୍ଧା ପ୍ରଥମେ ସାହସ ପଟିଲା ନାହିଁ । ମାତ୍ର ଉତ୍କଣ୍ଠା ଯେତେବେଳେ ଭୟ ଶଙ୍କା ଆଦିର କଠିନ, ସ୍ଥୂଳ ଆବରଣ ଭେଦି ଉପରକୁ ଉଠିଲା, ସେତେବେଳେ ସେ କେତେଥର ପାଦ ଆଗ ପଛକୁ ପକାଇ, ଶେଷରେ ତା’ ନିକଟକୁ ଯାଇ ଅସ୍ପଷ୍ଟ ସ୍ୱରରେ ପଚାରିଲା, ‘ତୁମେ ମୋ ମାମୁକୁ କାହିଁକି ଡାକୁଛ ?’ ଲୋକଟି ସେ କଥା ସ୍ପଷ୍ଟ ଶୁଣି ନ ପାରି, ତା’ର ଚିର ଅଭ୍ୟସ୍ତ ରୀତିରେ କହିଲା, ‘କେତେକର ? କାଢ଼ ପଇସା ।’ ଦାମୋଦର କ’ଣ ଶୁଣିଲା, କିଛି ଠିକ୍‌ରୂପେ ବୁଝିପାରିଲା ନାହିଁ । ସେ ଅନ୍ତତଃ ସେପରି ଗୋଟାଏ ତା’ ପକ୍ଷେ ଅର୍ଥହୀନ ଉତ୍ତର ପାଇବାକୁ ଆଶା କରି ନଥିଲା । ସୁତରାଂ ନିଜ ମାମୁ ବିଷୟରେ ସେ ଲୋକଟିକୁ ଆଉ କିଛି ପଚାରିବାକୁ ତା’ର ସାହସ ଘଟିଲା ନାହିଁ । ଆହୁରି ପୁଣି ପଚାରିଲେ ଯେ ଠିକ୍‌ ଉତ୍ତର ପାଇବ, ତା’ର ସେ ଆଶା ମଧ୍ୟ ହେଲା ନାହିଁ ।

 

କିନ୍ତୁ ମାମୁକୁ ଦେଖିବାର ଆଶା ଦାମୋଦର ଛାଡ଼ିପାରିଲା ନାହିଁ । କ୍ରମେ ଦୁଇ ପହରୁ ଉପରବେଳା, ଉପରବେଳାରୁ ସନ୍ଧ୍ୟା ଓ ସନ୍ଧ୍ୟାରୁ ରାତି ହେଲା । ଦାମୋଦର ସେହିପରି, ଆପଣାର ପ୍ରେତ ସମାନ, କେବଳ ପାଣୁ ମିଶ୍ରଙ୍କୁ ଦେଖିବା ଆଶା ହୃଦୟରେ ପୋଷଣ କରି, ଭୋକରେ, ମନଦୁଃଖରେ, ଉଦାସ ପ୍ରାଣରେ, ଏପଟ ସେପଟ ଛଟପଟ ହୋଇ ବୁଲୁଅଛି । କୌଣସିଠାରେ ବସିପଡ଼ି ଟିକିଏ ବିଶ୍ରାମ ନେବାକୁ ତା’ ମନରେ ଯଥେଷ୍ଟ ବଳ ଆସୁନାହିଁ । ପାଦ ଦିଓଟି ଭୂମି ଉପରେ ଏକ ସ୍ଥାନରେ ସ୍ଥିର ହୋଇ ରହିବାକୁ ବିଶେଷ ଲୋଡ଼ୁଥିଲେ ସୁଦ୍ଧା, ଭୟ ହେଉଅଛି । କଥା କଥାକେ ତା’ର ଆଖିର ଭ୍ରୂଲତା ପଡ଼ିଯାଉଛି; କେଉଁଠାରେ ଗୋଟାଏ ଶବ୍ଦ ହେଲେ, ସେ ସେଥିରେ ଚମକି ପଡ଼ୁଛି । ଏପରି ଅବସ୍ଥାରେ ଦାମୋଦର ଷ୍ଟେସନ୍‍ ପ୍ଲାଟ୍‍ଫର୍ମ୍‍ରେ ଗୋଟିଏ ପାଖ ଆଦରି ନେଇ, ସେଠାରେ କେବଳ ଚାଲବୁଲ କରିବାରେ ଲାଗିଛି ।

 

ରାତି ପହରକବେଳେ ପୁନରାୟ ଗୋଟିଏ ପୁରୀ କଲିକତା ରେଳଗାଡ଼ି ଆସି ପହଞ୍ଚିଲା-। ସେ ଗାଡ଼ିପାଖେ ମଧ୍ୟ ଚାଲି ଚାଲି ପୂର୍ବର ସେ ଲୋକଟି ପୁଣି ‘ପାଣୁ ମିଶ୍ରେ, ପାଣୁ ମିଶ୍ରେ’ ବୋଲି ପାଟି କରିବାରେ ଲାଗିଲା । ସୁତରାଂ ଦାମୋଦର ଗାଡ଼ିଯାକ ଏଣେତେଣେ ଚାହିଁଲା; ଏପାଖ ସେପାଖ ଅନେକ ବୁଲିଲା; ମାମୁ କେଉଁଠାରେ ଥିବ ବୋଲି କେତେ ଖୋଜିଲା । ଅଥଚ ମାମୁକୁ ଦେଖିଲା ନାହିଁ । ତା’ର କ୍ଷୁଦ୍ର ସନ୍ତପ୍ତ ପ୍ରାଣରେ କ୍ଷଣକ ମଧ୍ୟରେ ନୈରାଶ୍ୟ ଘୋଟିଗଲା । ହଠାତ୍‌ ଗୋଟାଏ ଘଣ୍ଟି ବାଜିଲା । ସେତେବେଳେ ଦାମୋଦର ଦେଖିଲା ଯେ ସେ ଲୋକଟି ରେଳଗାଡ଼ି ଭିତରେ ବସିଥିବା ଜଣେ ଲୋକ ସହିତ କ’ଣ କଥାବାର୍ତ୍ତା ହେଉଛି; ଆଉ ‘ପାଣୁ ମିଶ୍ରେ’ ବୋଲି ଡାକୁନାହିଁ । ସୁତରାଂ ସେହି ଲୋକଟିକୁ ସେ ପାଣୁ ମିଶ୍ରେ ବୋଲି ମନେମନେ ଠଉରାଇଲା-। ତହୁଁ ସେ କୌଣସି ଚିନ୍ତା କରିବାକୁ ସମୟ ବ୍ୟୟ ନ କରି ଗାଡ଼ି ଉପରକୁ ଉଠିଗଲା-। ସେ ସମୟରେ ଗାଡ଼ିରେ ଅନ୍ୟ କୌଣସି ଯାତ୍ରୀ ଚଢ଼ୁ ନଥିଲେ । ଦାମୋଦର ଏକା ଉଠିବାରୁ ରେଳ କର୍ମଚାରୀମାନଙ୍କ ଦୃଷ୍ଟି ତାହାରି ଉପରେ ଘନୀଭୂତ ହୋଇ ପଡ଼ିଲା । ସେ ବିନା ଟିକଟରେ ଗାଡ଼ିରେ ଚଢ଼ୁଛି ବିଚାରି, କର୍ମଚାରୀମାନେ ତାକୁ ଧରିବାକୁ ଧାଇଁଲେ । ମାତ୍ର ଠିକ୍‌ ସେତିକିବେଳେ ରେଳଗାଡ଼ି ସିଟି ବଜାଇ ଫୁଃ ଫୁଃ ଧୂଆଁ ଛାଡ଼ି ଚାଲିବାକୁ ଆରମ୍ଭ କଲା । ଯାତ୍ରୀମାନେ ଦାମୋଦରକୁ କହିଲେ, ‘ଭାଗ୍ୟ ବଳରେ ଖସି ଆସିଲୁ, ଟୋକା । ହଉ, ବସିଯା ବସିଯା-।’

 

ଏତେ କ୍ଳାନ୍ତି ପରେ ସୁଦ୍ଧା, ଦାମୋଦର ଗାଡ଼ି ଭିତରେ ବସିବା ପରିବର୍ତ୍ତେ ଷ୍ଟେସନ୍‍ର ସେ ଲୋକଟି ଗାଡ଼ିର ଯେଉଁ ଯାତ୍ରୀ ସଙ୍ଗେ କଥାବାର୍ତ୍ତା ହେଉଥିଲା, ତାହା ନିକଟକୁ ଯାଇ, ଜୁହାର କରି କହିଲା, ‘ନମସ୍କାର ମାମୁ ।’ ଏତିକି କହି ସେ ଆଉ କିଛି କହିପାରିଲା ନାହିଁ, ଲଥ୍‌ କରି ବସିଲା-। ଦୀନବନ୍ଧୁ ବାବୁ ରହସ୍ୟଟା କିଛି ବୁଝିପାରିଲେ ନାହିଁ; ତେବେ ଦାମୋଦର ଯେ ତାଙ୍କର ଭଣଜା ନୁହେଁ, ସେ କଥା ସେ ବେଶ୍‌ ବୁଝିପାରିଲେ । ପ୍ରଥମେ ତାଙ୍କର ନିଜର ଭଉଣୀ ନଥିଲା । ତା’ପରେ ପୁଣି ଦାମୋଦର କାନ୍ଧରେ ପଇତା ଦେଖି, ଦାମୋଦର ଯେ ଦୂର ସମ୍ପର୍କରେ ସାତ ଲେଖା ଯୋଖାରେ ସୁଦ୍ଧା ତାଙ୍କର ଭଣଜା ହୋଇପାରେ, ସେ ସନ୍ଦେହ ତାଙ୍କର ରହିଲା ନାହିଁ । ତଥାପି ସେ ଦାମୋଦରକୁ ନିତାନ୍ତ କ୍ଳାନ୍ତ ଶ୍ରାନ୍ତ ଦେଖି, ତାକୁ ଖାଇବାକୁ ଦେଲେ; ନିଜର ମର୍ଯ୍ୟାଦା ରକ୍ଷା କରି ଗୋଟାଏ ଅପରିଚିତ ପିଲାକୁ ଯେତେ ଯତ୍ନ କରିପାରନ୍ତି, ତହିଁରେ ଅଣୁମାତ୍ର ତ୍ରୁଟି କଲେ ନାହିଁ-। ଆଦର ପାଇ ଦାମୋଦର କ୍ରମେ ଭରସି ଗଲା ଏବଂ ଦୀନବନ୍ଧୁ ବାବୁଙ୍କୁ ‘ମାମୁ’ ବୋଲି ଡାକିବାକୁ ଲାଗିଲା । ଦାମୋଦର ତାଙ୍କ ସହିତ ଯେ ସମ୍ପର୍କ ସ୍ଥାପନ କଲା, ଦାମୋଦର ପିତା ଲୋକନାଥ ସେହି ସମ୍ପର୍କର ଅନୁସରଣ କରି ତାଙ୍କୁ ସମ୍ୱୋଧନ କରିଥିଲେ, ତାଙ୍କ ପରି ଆତ୍ମମର୍ଯ୍ୟାଦା ରକ୍ଷାକାରୀ ବ୍ୟକ୍ତି ହୁଏତ ଲୋକନାଥଙ୍କର ମୁଣ୍ଡ ସେହିଠାରେ ଫଟାଇଥାନ୍ତେ; କିନ୍ତୁ ଦାମୋଦରର ସମ୍ୱୋଧନରେ ସେ ଅଣୁମାତ୍ର ଆପତ୍ତି କଲେ ନାହିଁ ।

 

ଦାମୋଦରଙ୍କୁ ଏପରି ଆକସ୍ମିକ ଭାବରେ ପାଇ ଦୀନବନ୍ଧୁ ବାବୁ ବିଶେଷ ଖୁସି ହେଲେ-। ତାଙ୍କର ଏପରି ବ୍ୟବସାୟ ଯେ ସେ ଗୋଟାଏ ଲୋକକୁ ପାଇଲେ, ଲକ୍ଷେ ଟଙ୍କା ପାଇଲା ପରି ମନେ କରନ୍ତି । ସେ ଜଣେ କୁଲି କଣ୍ଟ୍ରାକ୍ଟର । କୁଲି ସର୍ଦାର ଯଦୁମଣି ଦାସଙ୍କ ଘରେ ପ୍ରଥମେ ଖାଇପିଇ ମାସକୁ ଚାରିଟଙ୍କା ବେତନରେ ବଜାର ସଉଦା କରି ଆଣିବା କାମରେ ରହିଥିଲେ-। ପନ୍ଦରବର୍ଷ ମଧ୍ୟରେ ସେ ସେହି ସାମାନ୍ୟ ଅବସ୍ଥାରୁ ଉଠି କୁଲି କଣ୍ଟ୍ରାକ୍ଟର ପାହ୍ୟାରେ ଯେପରି ପହଞ୍ଚିଲେ, ନିଜର ‘ଦିନା ନାୟକ’ ଜନ୍ମିତ ପୈତୃକ ନାମ ଛାଡ଼ି ‘ଦୀନବନ୍ଧୁ ପଟ୍ଟନାୟକ’ ନାମ ଗ୍ରହଣ କରିଥିଲେ । ଓଡ଼ିଶାର ନାନା ଆଡ଼ୁ କୁଲି ନେଇ ସର୍ଦାର ଯଦୁମଣି ଦାସଙ୍କ ପାଖେ ହାଜର କରିବା ତାଙ୍କର କାମ । ସେଦିନ ସେ ଗାଡ଼ିରେ ପଚାଶ କୁଲି ନେଇ ଯାଉଥିଲେ । ସେମାନଙ୍କୁ ଆଗରୁ ଟଙ୍କାପଇସା ଦାଦନ ଦେଇ ନେଉଥିଲେ । ବିନା ଦାଦନରେ, କୌଣସି ପ୍ରକାର ବ୍ୟୟ ବ୍ୟତୀତ, ଦାମୋଦର ତାଙ୍କ ପାଖେ ହଠାତ୍‌ ଆସି ହାଜର ହେବାରୁ, ସେ ତାହା ନିଜର ଏକ ସୌଭାଗ୍ୟ ବୋଲି ଧଇଲେ । କିନ୍ତୁ ଅନ୍ୟାନ୍ୟ କୁଲିଙ୍କ ଅପେକ୍ଷା ଦାମୋଦରର ବିଶେଷତ୍ୱ ଥିଲା-। ସେ ବିନା ବ୍ୟୟରେ ମିଳିଥିବାରୁ ଦୀନବନ୍ଧୁ ବାବୁ ତାକୁ ଠିକ୍‌ କୁଲି ପରି ବ୍ୟବହାର କରୁ ନଥିଲେ-। ସୁତରାଂ ସେ ‘ମାମୁ’ ବୋଲି ଡାକିଲେ, ଅନିଚ୍ଛା ସତ୍ତ୍ୱେ ତାହା ସହି ନେଉଥିଲେ ।

 

କଲିକତାରେ ପହଞ୍ଚି ପଚାଶଜଣଯାକ କୁଲି ଏଣେତେଣେ କାମ କରିବାକୁ ଗଲେ । ଦାମୋଦରକୁ ସେଦିନ କୌଣସିଠାରେ କାମକୁ ନ ପଠାଇ, ଦୀନବନ୍ଧୁ ବାବୁ ନିଜ ସଙ୍ଗରେ ସର୍ଦାର ଘରକୁ ନେଇଗଲେ । ସର୍ଦାର ଯଦୁମଣି ଦାସ କଟକ ଜିଲାର ମାସ୍ତାନ ବ୍ରାହ୍ମଣ । କୁଲି ସର୍ଦାର କାମ କରି ନିଜ ଦେହକରେ ବିସ୍ତର ସମ୍ପତ୍ତି ଉପାର୍ଜନ କରିଛନ୍ତି । ବାର୍ଷିକ ପ୍ରାୟ ପଚିଶ ହଜାର ଟଙ୍କା ରୋଜଗାର କରନ୍ତି । ସପରିବାର କଲିକତାରେ ରହନ୍ତି । ଢଙ୍ଗରଙ୍ଗ, ଚାଲିଚଳନ ଅନେକ ପରିମାଣରେ ବଙ୍ଗାଳୀଙ୍କ ପରି ହୋଇ ପଡ଼ିଛି; ମାତୃଭାଷା ଓଡ଼ିଆ ଛାଡ଼ି ବଙ୍ଗଳାରେ କଥାବାର୍ତ୍ତା କରନ୍ତି । ସେ ଯାହାହେଉ, ଓଡ଼ିଶାରେ ଓଡ଼ିଆମାନେ ତାଙ୍କୁ ବେଶ୍‌ ଖାତିର କରନ୍ତି । ବଙ୍ଗାଳୀମାନେ ମଧ୍ୟ ଉପରେ ମାନି ଚଳନ୍ତି । ସର୍ଦାରଙ୍କର ଗୋଟାଏ ରଜା ଘରର ଆଡ଼ା ।

 

କିନ୍ତୁ ସର୍ଦାରଙ୍କର ଗୋଟିଏ ମାତ୍ର ସାତବର୍ଷ ବୟସର ଝିଅ ରମା । ନାନା ଦାନ ପୁଣ୍ୟ କରି ସୁଦ୍ଧା, ପୁତ୍ର ଲାଭ କରିବା ତାଙ୍କ ଭାଗ୍ୟରେ ଘଟିଲା ନାହିଁ । ସେଥିପାଇଁ ସର୍ଦାରାଣୀଙ୍କର ମନରେ ଭାରି ଦୁଃଖ । ପୁଅ ଅଭାବରେ ସେ ଚାକର ନଉକରମାନଙ୍କୁ ପୁଅ ପରି ପାଳନ୍ତି । କାମରୁ ଫେରି ଘରକୁ ଯିବା ପୂର୍ବରୁ ସେମାନେ ତାଙ୍କ ସଙ୍ଗେ ଦେଖାକରି, ନିଜ ପୁଅ ଝିଅଙ୍କ ପାଇଁ ତାଙ୍କଠାରୁ କଣ୍ଢେଇ ମିଠେଇ ଆଦି ନେଇଯାନ୍ତି । ସେଦିନ ଦୀନବନ୍ଧୁ ବାବୁ କେତେଦିନ ପରେ କଲିକତାକୁ ଫେରି ସର୍ଦାରାଣୀଙ୍କ ସହିତ ଦେଖା କରିବାକୁ ଗଲେ । ସଙ୍ଗରେ ଦାମୋଦର ମଧ୍ୟ ଗଲା । ଦାମୋଦର ଗରିବ ଘରର ପିଲା ହେଲେ କ’ଣ ହେବ, ତା’ର ଅର୍ଥାଭାବର କ୍ଷତିପୂରଣ କରିବା ନିମନ୍ତେ ପ୍ରକୃତି ତାକୁ ବେଶ୍‌ ଅଙ୍ଗସୌଷ୍ଠବ ଦେଇଥିଲା । ତା’ର ମୁହଁର ଠାଣି ଦେଖିଲେ ନିତାନ୍ତ କଠୋର ହୃଦୟରେ ମଧ୍ୟ ସ୍ନେହର ସଞ୍ଚାର ହୁଏ । ସର୍ଦାରାଣୀ ତାକୁ ଦେଖି, ଦୀନବନ୍ଧୁ ବାବୁଙ୍କୁ ତା’ ବିଷୟରେ ନାନାପ୍ରକାର ପ୍ରଶ୍ନ କରିବାରେ ଲାଗିଲେ । ସେସବୁ ପ୍ରଶ୍ନର ଉତ୍ତର ଶୁଣିସାରି ସେ ପରିଶେଷରେ କହିଲେ, ‘ଆଚ୍ଛା ଦୀନୁ, ଏ ଦାମୋଦର ତେବେ ଆମ ଘରେ ରହୁ ।’

 

ଦୀନବନ୍ଧୁ ବାବୁ ଦାମୋଦରକୁ ସର୍ଦାରାଣୀଙ୍କ ପାଖେ ଛାଡ଼ିଦେଇ ମନଦୁଃଖରେ ଚାଲିଗଲେ । ମନ ଦୁଃଖର କାରଣ ଏହି ଯେ ତା’ ବାବଦରେ ସେ ସର୍ଦାରଙ୍କଠାରୁ ଯେ ପାଉଣା ପାଇଥାନ୍ତେ, ସର୍ଦାରାଣୀଙ୍କ ଯୋଗେ ତାଙ୍କୁ ସେଥିରୁ ବଞ୍ଚିତ ହେବାକୁ ପଡ଼ିଲା । ଦାମୋଦର ସର୍ଦାରାଣୀଙ୍କ ପାଖେ ରହି ବହୁ ଦିନର ବିସ୍ମୃତ ମାତୃସ୍ନେହ ଅନୁଭବ କରିବାକୁ ଲାଗିଲେ । ବିଦେଶରେ ତା’ର ଆଉ ମାମୁ ଖୋଜିବାର ଆବଶ୍ୟକତା ରହିଲା ନାହିଁ, ତା’ର କଥାବାର୍ତ୍ତା, ଚାଲିଚଳନରେ ନିଜେ ସର୍ଦାର ମଧ୍ୟ ବିଶେଷ ସନ୍ତୁଷ୍ଟ ହୋଇପଡ଼ିଲେ । ଫଳରେ ଦାମୋଦର ତାଙ୍କ ଘରକୁ ଆସିବାର ବର୍ଷେ ନ ପୂରୁଣୁ ସେ ସେଘରର ଜଣେ ମୁଖ୍ୟ ବାସିନ୍ଦା ହୋଇ ପଡ଼ିଲା । ଚାକରବାକରଙ୍କ ମହଲରେ ତା’ର ନାମ ‘ଦାମୋଦର ବାବୁ’ ହେଲା ।

 

ରମା ସହିତ ଯେଉଁଦିନ ଦାମୋଦର ବାବୁଙ୍କର ମଙ୍ଗଳକୃତ୍ୟ ଅନୁଷ୍ଠାନ କରାଗଲା, ସେଦିନ କଲିକତା ସହରଯାକ ମହା ଉତ୍ସବ ଲାଗିଲା । ସେ ଉତ୍ସବରେ ସର୍ଦାରଙ୍କର ପୂରା ଦୁଇବର୍ଷର ଆୟର ବ୍ୟୟ ଘଟିଗଲା । ରମାର ହାତ ଧରି ଦାମୋଦର ବାବୁ ପୂର୍ଣ୍ଣମାତ୍ରାରେ ସର୍ଦାରଙ୍କର ଉତ୍ତରାଧିକାରୀ ହେଲେ । ସେ ସର୍ଦାରି କାର୍ଯ୍ୟର ଯାବତୀୟ କାମଦାମ ବିବାହ ଆଗରୁ ଶିଖି ନେଇଥିଲେ । ବିବାହ ପରେ ସେ ଯେପରି ଚତୁର୍ଭୁଜ ହୋଇ ପଡ଼ିଲେ, ଦଶ ଦିନର କାମ ସେ ଦିନକେ ସାରିଲେ । ଟଙ୍କାପଇସା ବିସ୍ତର ରୋଜଗାର କଲେ । ଫଳରେ ସର୍ଦାର ଯେତେବେଳେ ଆଖି ବୁଜିଲେ ତାଙ୍କର ଅଭାବ କିଛି ଜଣାଗଲା ନାହିଁ । ଦାମୋଦର ବାବୁ ତାଙ୍କର ସମୁଦାୟ ବିଷୟ ସମ୍ପତ୍ତି ଓ ବ୍ୟବସାୟର ଏକମାତ୍ର କଣ୍ଟକହୀନ ମାଲିକ ହୋଇ ବସିଲେ ।

 

ଦାମୋଦର ବାବୁ କଲିକତା ସହରର ଧନ-ସମ୍ପଦ ଓ ଭୋଗବିଳାସ ମଧ୍ୟରେ ରହି, ଜନ୍ମଭୂମି ବାଟଗାଁ କଥା ମନରୁ ପାସୋରି ଦେଇ ନାହାନ୍ତି । ରମାର ବାହୁଯୁଗଳରେ ବନ୍ଧାହୋଇ ସୁଦ୍ଧା, ବାଟଗାଁରେ ଥିବା ସେ କ୍ଷୁଦ୍ର କୁଡ଼ିଆ ଘରଟିକୁ କ୍ଷଣକ୍ଷଣକେ ପଳାଇବା ନିମନ୍ତେ ତାଙ୍କ ହୃଦୟକୁ ବରାବର ଅବସର ଦେଉଛନ୍ତି । ବାଟଗାଁର ଚିତ୍ରଟି ତାଙ୍କ ଆଖିରେ ଅଙ୍କିତ ହୋଇ ରହିଛି । ବିଶେଷରେ, ବାପାଙ୍କର ସେହି ଶେଷଦିନର ମାଡ଼, ତାଙ୍କର ବେଶ୍‌ ମନେ ଅଛି । ବାପା ଲୋକନାଥ ତେଣେ ଦାମୋଦର ଘରୁ ଚାଲିଗଲା ପରେ, ମାଳତୀକୁ ଧରି ତା’ର ସମୟ ଉପରେ ଅଖଣ୍ଡ ରାଜତ୍ୱ କଲେ । କ୍ରମେ ମାଳତୀ ଗର୍ଭଧାରଣ କଲା । ତା’ ପେଟରୁ ଯେଉଁଦିନ ବାହାରି, ପୁଅଟିଏ ତଳେ ପଡ଼ି କୁଆଁ କାନ୍ଦିଲା, ଗର୍ଭବେଦନା ଯୋଗେ ସେହିଦିନ ମାଳତୀର ମୃତ୍ୟୁ ଘଟିଲା । ଉପଯୁକ୍ତ ହେପାଜତ ଅଭାବରେ ପୁଅଟି ମଧ୍ୟ ବଞ୍ଚିଲା ନାହିଁ ।

 

ଯଦୁମଣି ଦାସ ସର୍ଦାରଙ୍କର ପୁରୀଧାମରେ ଯେଉଁ କୋଠାଘର ଥାଏ ସେଥିରେ ସେ ନିଜେ କେବେ ରହିନାହାନ୍ତି । ମାତ୍ର ତାଙ୍କ ଅନ୍ତେ ସର୍ଦାରାଣୀ ତୀର୍ଥ ବାସ କରିବା ନିମନ୍ତେ ସେହି ଘରେ ଯାଇ ରହିଲେ । ତାଙ୍କୁ ଦେଖିବା ଓ ତାଙ୍କ ଭଲ ମନ୍ଦ ବୁଝିବା ନିମନ୍ତେ ଦାମୋଦର ବାବୁଙ୍କୁ ଅନେକ ସମୟରେ ପୁରୀ ଆସିବାକୁ ପଡ଼ିଲା । ପୁରୀ ଆସିବା ବାଟରେ ସେ ଯେଉଁଦିନ ପ୍ରଥମେ ତାଙ୍କର ସେ ପରିଚିତ ଖୋର୍ଦ୍ଧାରୋଡ଼୍ ଷ୍ଟେସନରେ ପହଞ୍ଚିଲେ ସେଠାରେ ଶୁଣିଲେ, ଜଣେ ଲୋକ ପୂର୍ବ ପରି ‘ପାଣୁ ମିଶ୍ରେ, ପାଣୁ ମିଶ୍ରେ’ ବୋଲି ଡାକୁଛି । ସେ ବିସ୍ମୟରେ ଚାହିଁ ଦେଖିଲେ ଯେ ଲୋକଟି ପ୍ରକୃତରେ କୌଣସି ପାଣୁ ମିଶ୍ରଙ୍କୁ ଡାକୁ ନାହିଁ । ସେ ପାନ, ବିଡ଼ି, ସିଗାରେଟ ବିକ୍ରି କରୁଛି-। ସେ ଶବ୍ଦଗୁଡ଼ିକୁ ସେ ଏପରି ଭାବରେ ମିଶାଇ କହୁଛି ଯେ ତାହା ଏକତ୍ର ‘ପାଣୁମିଶ୍ରେ’ ପରି ଶୁଭୁଛି-। ଦାମୋଦର ବାବୁ ନିଜର ପିଲାକାଳର ଭୁଲ ବୁଝିପାରିଲେ । ମାତ୍ର ସେଥିରେ ସେ ହସିପାରିଲେ ନାହିଁ; ଅତୀତର ବିଷାଦମୟ ସ୍ମୃତିରେ ହୃଦୟ, ବର୍ଷାକାଳର ମେଘ ପରି, ଭାରୀ ହୋଇ ଆସିଲା-। ସେ ଦୁଇଆଖିରୁ ଦୁଇଟୋପା ଲୁହ ରୁମାଲ କାନିରେ ପୋଛି ଶାଶୁଙ୍କୁ ଦେଖିବା ନିମନ୍ତେ ପୁରୀ ଚାଲିଗଲେ ।

 

ତେଣେ ଘରର ପାର୍ଥିବ ସ୍ରୋତରେ ଲୋକନାଥ ଯେଉଁ ଭେଳାକୁ ଧଇଲେ ବା ଧରି ପାରିଥାନ୍ତେ, ସେ ସବୁ ଗୋଟି ଗୋଟି ହୋଇ ଭାସି ଚାଲିଗଲା । ଫଳରେ ସେ ଘର ଛାଡ଼ି ଦାମୋଦରକୁ ଖୋଜି ବୁଲିବାରେ ଲାଗିଲେ । ନାନା ସ୍ଥାନ ଖୋଜିଲେ, ବନ୍ଧୁବାନ୍ଧବମାନଙ୍କ ଘରକୁ ଗଲେ । ସେ କାଳେ ମାମୁ ପାଖକୁ ଯାଇଥିବ ସେଥିପାଇଁ ଖଡ଼୍‌ଗପୁରରେ ଯାଇ ପହଞ୍ଚିଲେ । ସେଠାରେ ଶୁଣିଲେ, ପାଣୁ ମିଶ୍ରେ ମାସକୁ ଦଶ ଟଙ୍କା ବେତନରେ ଖଲାସି କାମ କରୁଥିଲେ । ମାତ୍ର ରେଳଗାଡ଼ିରେ କଟି ଅନେକ ଦିନୁ ମରି ଯାଇଛନ୍ତି । ଅନୁସନ୍ଧାନରେ ସେ ବୁଝିଲେ ଯେ ପୁଅକୁ ସେ ଯେଉଁଦିନ ମାରି ଘରୁ ତଡ଼ି ଦେଇଥିଲେ, ପାଣୁ ମିଶ୍ରେ ତା’ର ପ୍ରାୟ ଛ’ମାସ ପୂର୍ବରୁ ମରି ଯାଇଥିଲେ-। ପାଣୁ ମିଶ୍ରଙ୍କ ମୃତ୍ୟୁ ଯୋଗେ ଯେତେ ନୁହେଁ, ପୁଅକୁ ନ ପାଇ, ସେ ମନ ଦୁଃଖରେ ଖଡ଼୍‌ଗପୁରରୁ ଫେରି ଆସୁଥିଲେ । ସେ ଯେଉଁ ରେଳଗାଡ଼ିରେ ବସିବାକୁ ଯାଉଥିଲେ, ତାହାର ଏକ ଦ୍ୱିତୀୟ ଶ୍ରେଣୀ ବଖରା ଭିତରକୁ ଚାହିଁ ଦେଖିଲେ, ଜଣେ ସୁନ୍ଦର ଯୁବକ ମୂଲ୍ୟବାନ ପୋଷାକପତ୍ର ପିନ୍ଧି, ସସ୍ତ୍ରୀକ ଯାଉଛନ୍ତି । ଲୋକନାଥ ତାଙ୍କୁ ଦେଖି ଦୋଦୋଚିହ୍ନା ହେଲେ । ଦାମୋଦର ବାବୁ ବାପାଙ୍କୁ ଭଲରୂପେ ଚିହ୍ନିଲେ, ମାତ୍ର ନିଜର ପରିଚୟ ଦେବାକୁ ସାହାସ ହେଲା ନାହିଁ । ଗାଡ଼ି ଚାଲିଲା-। ସେଦିନ ରାତିସାରା ଦାମୋଦର ବାବୁଙ୍କୁ ଭଲ ନିଦ ହେଲା ନାହିଁ-। ସେ ନିତାନ୍ତ ବିମର୍ଷ ଚିନ୍ତିତ ଦେଖାଗଲେ । ରମା ବାରମ୍ୱାର କାରଣ ପଚାରି କୌଣସି କଥା ବାହାର କରିପାରିଲା ନାହିଁ-। ଚାକରବାକର ଶଙ୍କିତ ହୋଇ ରହିଲେ ।

 

ଗାଡ଼ି ଖୁବ୍‌ ଭୋରରୁ ପୁରୀରେ ପହଞ୍ଚିବାରୁ ଦାମୋଦର ବାବୁ ପ୍ରଥମେ ଓହ୍ଲାଇ ତୃତୀୟ ଶ୍ରେଣୀ ଗାଡ଼ିଗୁଡ଼ିକ ତରତରରେ ଖୋଜି ପକାଇଲେ; ମାତ୍ର ଲୋକନାଥ ନିରାଶ ମନରେ ଖୋର୍ଦ୍ଧାରୋଡ଼୍ ଷ୍ଟେସନରେ ଓହ୍ଲାଇ ଯାଇଥିଲେ । ବୁଢ଼ା ବିଲୁଆ ଯେପରି ନିଜର ସାଥୀମାନଙ୍କୁ ଖୋଜି ଖୋଜି, ନ ପାଇ, ନିରାଶ ହୋଇ ମରିବା ନିମନ୍ତେ ପୁଣି ନିଜ ଗାତରେ ଆଶ୍ରୟ ନିଏ, ଲୋକନାଥ ସେହିପରି ଖୋର୍ଦ୍ଧାରୋଡ଼୍ ଷ୍ଟେସନରେ ଓହ୍ଲାଇ ଶୂନ୍ୟ ହୃଦୟରେ ବାଟଗାଁରେ ଯାଇ ପହଞ୍ଚିଲେ । ପୁରୀରେ ସେଥର ଶାଶୁଙ୍କ ଅନୁରୋଧରେ, ଅନିଚ୍ଛା ସତ୍ତ୍ୱେ ଦାମୋଦର ବାବୁଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ରହିବାକୁ ହେଲା । ଫେରିଲାବେଳେ ଦାମୋଦର ବାବୁ ଅନ୍ୟାନ୍ୟ ଥର ପରି ସିଧା କଲିକତା ଚାଲିଗଲେ ନାହିଁ । ସେ ସଙ୍ଗରେ ରମାକୁ ଧରି ଖୋର୍ଦ୍ଧାରୋଡ଼୍‍ରେ ଓହ୍ଲାଇ ଜନ୍ମଭୂମି ବାଟଗାଁରେ ଯାଇ ପହଞ୍ଚିଲେ । ଦେଖିଲେ, ସେଠାରେ ବାପା ଏକ ନିଃସହାୟ ଭାବରେ ଜୀର୍ଣ୍ଣ ପତନୋନ୍ମୁଖ କୁଡ଼ିଆଟି ମଧ୍ୟରେ ରୋଗରେ ପଡ଼ିଛନ୍ତି । ତାଙ୍କ ରୋଗ ଭଲ କରିବା ନିମନ୍ତେ ସେ ନିଜର ଏକବର୍ଷ ସମୁଦାୟ ଆୟ ଉତ୍ସର୍ଗ କଲେ । ଡାକ୍ତର କବିରାଜ ଡାକିବାକୁ ଲୋକ ପଠାଇଲେ ।

 

ଦାମୋଦର ବାବୁଙ୍କୁ ଦେଖି, ଚିହ୍ନି ପାରି, ଗ୍ରାମର ଲୋକ ଲୋକନାଥଙ୍କ ରୋଗଶଯ୍ୟା ନିକଟରେ ଆସି ସେବା ଶୁଶ୍ରୂଷା କରିବା ନିମନ୍ତେ ପ୍ରଥମଥର ପାଇଁ ରୁଣ୍ଡ ହୋଇ ପଡ଼ିଲେ । ଲୋକନାଥ ଗତ ରାତିରୁ ଅଚେତ ହୋଇ ପଡ଼ିଥିଲେ । ହଠାତ୍‌ ତାଙ୍କର ଚେତା ଆସିଗଲା । ସେ ଚାହିଁ ଦେଖିଲେ ଯେ ଖଡ଼୍‍ଗପୁର ଷ୍ଟେସନରେ ରେଳଗାଡ଼ିରେ ସେ ଯେଉଁ ଯୁବକ ଯୁବତୀଙ୍କୁ ଦେଖିଥିଲେ, ସେ ଦୁହେଁ ଆସି ତାଙ୍କ ପାଖେ ଉପସ୍ଥିତ ହୋଇଛନ୍ତି । ପ୍ରକୃତ ଘଟଣା ବୁଝିବାରେ ଆଉ ବାକି ରହିଲା ନାହିଁ । ସେ ଦାମୋଦର ବାବୁ ଓ ରମା ଉଭୟଙ୍କୁ ପାଖକୁ ଡାକି, ସେମାନଙ୍କ ମୁଣ୍ଡରେ ନିଜର କ୍ଷୀଣ ଦୁର୍ବଳ ହାତ ରଖି କହିଲେ, ‘ପ୍ରାଣର ପୁଅ ବୋହୂ ମୋର, ଆଶୀର୍ବାଦ କରୁଛି, ଚିରଜୀବୀ ହୁଅ, ଆଉ ସୁଖ... ।’’ ସେତିକି କହିଲା ପରେ ତାଙ୍କର କଣ୍ଠରୋଧ ହୋଇଗଲା, ଚେତା ବୁଡ଼ିଗଲା । କିଏ କାନ ଫୁଙ୍କିଲା, ମୁହଁରେ ପାଣି ସିଞ୍ଚିଲା । ମାତ୍ର ମୁହୂର୍ତ୍ତକ ମଧ୍ୟରେ ଲୋକନାଥଙ୍କ ପ୍ରାଣ-ବାୟୁ, ବୈଦ୍ୟ ଡାକ୍ତର ଆସିବାକୁ ଅପେକ୍ଷା ନ ରଖି ଉଡ଼ିଗଲା । ଦାମୋଦର ବାବୁ ମହା ସମାରୋହରେ ଶୁଦ୍ଧିକ୍ରିୟା ବଢ଼ାଇ, ବାପା ମାରି ଘରୁ ତଡ଼ିଦେଲା ଦିନ ଯେପରି ଦୁଃଖ ନୈରାଶ୍ୟରେ ପଳାଇଥିଲେ, ପୁଣି ଆଉ ଥରେ ସେହିପରି ବାଟଗାଁ ଛାଡ଼ି ଚାଲିଗଲେ-

 

ତୋଳା କନ୍ୟା

 

ବଡ଼ ଝିଅ ବିମଳା ପାଇଁ ଭଲ ବରପାତ୍ର ପାଇଥିବାରୁ, ପୈତୃକ ଭୂସମ୍ପତ୍ତିରୁ କିଛି ବିକ୍ରି କରି, ଦୀନବନ୍ଧୁ ବିଭାଘର ଭୋଜି, ପଟୁଆର ଆଡ଼ମ୍ୱର ଆଦି ଅନେକ ପରିମାଣରେ ଥିଲାଘର ଧରଣରେ ଚଳାଇଥିଲେ । ସେଥିପାଇଁ, ବାଇଶ ଦିନ ପରେ ଚନ୍ଦ୍ର ବନ୍ଦାପନା ପଡ଼ିବାରୁ ସେ ଟିକିଏ ଟାଣି ଓଟାରି ହେଲେ । ମାତ୍ର ଚମ୍ପା ଯୌବନର ସୋହାଗ ବାଣୀ ଏକାବେଳକେ ଭୁଲି ଯାଇଥିଲା ଭଳି, କହିଲେ, ‘ମଲା, ବଡ଼ ହୋଇ ଝିଅ ବୋଲି ତ ଗୋଟିଏ; କୋଉ ପୁଅ ଅଛି ଯେ ଖାଇବ ? ଧନକୁ ଯେବେ ଏତେ ଲୋଭ, ଯୋଗୀ ଭିକାରି ଘର ଦେଖି କଲୁନେଇଁ ? ମୋରି ସାଙ୍ଗେ ଅହନ୍ତା ! କି କପାଳ ଦେଇଥିଲା ମୋତେ ଦଇବ, କୋଉଠୁ ଆଣି ୟା ହାତ ଧରାଇଲା । ହାଡ଼ିଆଣୀ, ବାଉରାଣୀରୁ ନାରଖାର କରି ସାରିଲାଣି ମୋତେ ।’ ଏତେଗୁଡ଼ାଏ ଘଡ଼ଘଡ଼ି ପରେ ବର୍ଷ ମୁନ୍ଦାଏ ନୋହିବା ସ୍ୱାଭାବିକ ନୁହେଁ; ଚମ୍ପା ଅନେକ ଦିନ ପରି, ସ୍ୱାମୀଙ୍କ ସହିତ ତା’ର ଅପ୍ରତ୍ୟକ୍ଷ କଥାବାର୍ତ୍ତା ସାରି, ଟିକିଏ ସକେଇ କାନ୍ଦି, ପୁଣି ଯାଇ ଦରଫୁଟିଲା ଭାତ ଆଟିକାଟି ଚୁଲିରୁ ଓହ୍ଲାଇ, ଗାଳି ପକାଇ, ଅଘୋଡ଼ା ଥୋଇ ଦେଲେ । ପାଣି ଢାଳଟା ହାତରୁ ଦୁମ୍‌ କରି ତଳେ ପଡ଼ିଲା, କବାଟ ଧଡ଼୍‍ କରି କିଳା ହେଲା, କମଳା ଗୋଇଠାଏ ଖାଇ ଭେଁଭେଁ କାନ୍ଦିବାରେ ଲାଗିଲା । ମୋଟ ଉପରେ ଚମ୍ପା ଜଣେ ହୋଇ, ଦଣ୍ଡକ ପାଇଁ ଘରେ ପାଞ୍ଚଜଣଙ୍କ ଗହଳି ଲଗାଇ ଦେଲେ ।

 

ଚନ୍ଦ୍ର ବନ୍ଦାପନା ଦିନ ଜୋଇଁ ଚର୍ଚ୍ଚା କରିବା ଲାଗି ଦୀନବନ୍ଧୁ, କେବଳ ଘରଡ଼ିହ ଖଣ୍ଡିକ ଛଡ଼ା, ବାକି ଅବଶିଷ୍ଟ ପୈତୃକ ସମ୍ପତ୍ତି, ବାରଦସ୍ତିରେ ଦେଢ଼ମାଣ ଜମି ବନ୍ଧକ ଦେଇ ସତତ୍ରିଶ ଟଙ୍କା ଆଣିଲେ । ଗୋପୀକାନ୍ତପୁରରେ ପୁଣି ଗୋଟିଏ ଛୋଟିଆ ରକମ ବିଭାଘର ଆୟୋଜନ ଚାଲିଲା । ଜଗନ୍ନାଥ କୃଷ୍ଣପୁରରୁ ଡାକରା ହୋଇ ଆସି, ଦୁଇ ଦିନ ରହି, ସମ୍ଭାବନା ହୋଇଗଲେ । ସେ ଜାଣନ୍ତି, ସେ ନଥିଲା ଘରେ ବିଭା ହୋଇଛନ୍ତି, ବିମଳାର ରୂପ ଦେଖି ତା’ ହାତ ଧରିଛନ୍ତି, ତା’ ବାପାଙ୍କ ସମ୍ପତ୍ତିବାଡ଼ିର ମୂଲ୍ୟ ତଉଲ କରି ନୁହେଁ । ସେଥିପାଇଁ ଜୋଇଁ ଚର୍ଚ୍ଚାର ତ୍ରୁଟିରେ ସେ କିଛି ମନେ ନ କରି ଗ୍ରାମକୁ ଫେରିଗଲେ । ଗଲା ପୂର୍ବରୁ କେହି ନଥିଲାବେଳେ କବାଟ ଜଳାବାଟେ ଘର ଭିତରେ ବିମଳାକୁ ଦେଖି କହିଲେ, ‘‘ଏ କଢ଼ଟି କେବେ ପୁଣି ଫୁଲ ହେବ, ଫୁଟି କୃଷ୍ଣପୁରକୁ ଉଜ୍ଜ୍ୱଳ କରିବ, କେଜାଣି ।’’

 

ବିମଳାର ବିବାହ ପରେ, ଦୀନବନ୍ଧୁ ଓ ଚମ୍ପାଙ୍କ ମଧ୍ୟରେ, ଗୋପୀକାନ୍ତପୁରରେ, କେବେ ଘଡ଼ଘଡ଼ିରେ, କେବେ ଚଡ଼ଚଡ଼ିରେ, କେବେ ବର୍ଷାରେ, କେବେ ଦ୍ୱାରବନ୍ଧ ସଙ୍ଗେ କବାଟର ଯୁଦ୍ଧରେ, କେବେ ପୁଣି ଚୁଲି ସହିତ ହାଣ୍ଡିର ଆଲିଙ୍ଗନରେ, ଦୀର୍ଘ ଦେଢ଼ବର୍ଷ କାଳ କଟିଗଲା । ବିମଳା ଗୃହଯୋଗ୍ୟ ହେଲା । ପ୍ରିୟତମା ଚମ୍ପାଙ୍କ ବାକ୍ୟ ସମ୍ୱର୍ଦ୍ଧନା ପୁଣି ଥରେ ବିଶେଷ ଭାବରେ ଗ୍ରହଣ କରିବାର ସୁଯୋଗ ଦୀନବନ୍ଧୁଙ୍କ ଘଟଣାବହୁଳ ଉଚ୍ଚ କପାଳରେ ଘଟିଲା । ଝିଅକୁ ଭାରଥୋର ଦେଇ ଭଲ ଭାବରେ ପହିଲିପାଳି ସଜରେ କିପରି ପଠାଇବେ, ସେ ଭାବି ଭାବି ଠିକ୍‌ କରିପାରିଲେ ନାହିଁ । ଜମି ବନ୍ଧକ ରଖିଥିବା ମହାଜନ ପାଖରୁ ସେ ବାବଦର କିଛି ପାଇବେ ବୋଲି ଆଶା କରି ଗଲାରୁ, ସେ ହିସାବ କରି ଦେଖାଇ ଦେଲା ଯେ ଜମିର କିଣା ଦାମ୍‌ ଅପେକ୍ଷା ତା’ର ଅନେକ ଟଙ୍କା ବେଶି ହୋଇଗଲାଣି । ଘରଡ଼ିହ ଖଣ୍ଡି ବିକ୍ରି କରିଦେଲେ, ଗୃହିଣୀ ଚମ୍ପାକୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମିଳିବ ନାହିଁ ଜାଣି, ସେ ସେ ପ୍ରସ୍ତାବ ତୁଣ୍ଡରେ ଧରୁ ନଥିଲେ; କିନ୍ତୁ ଅନ୍ୟ ଉପାୟ ନ ଦେଖି ଶେଷରେ ଯେତେବେଳେ ସେହି ପ୍ରସ୍ତାବ କରିବାକୁ ସେ ବାଧ୍ୟ ହେଲେ, ମହାଜନମାନେ କହିଲେ, ‘‘ମେଲା ଡିହ ତ ନୁହେଁ, ତୁମକୁ ଘରୁ ବେଦଖଲ କରିବାକୁ ପୁଣି ଅଦାଲତକୁ କିଏ ଯିବ ?’’ ସୁତରାଂ, ଘରଡ଼ିହ ଖଣ୍ଡକରୁ କିଛି ଟଙ୍କା ଆସିବାର ଯେ ସମ୍ଭାବନା ଉପରେ ଦୀନବନ୍ଧୁ ଭାସି ରହିଥିଲେ, ତାହା ଲୋପ ପାଇଲା । ଟଙ୍କା ଠିକ୍‌ ନ କରି ସେ ଘରକୁ ଅବଶ୍ୟ ଫେରିପାରନ୍ତି, ମାତ୍ର ସେଠି ରହିବେ କିପରି ? ଚମ୍ପାଙ୍କ ତୁଣ୍ଡର କଥା ଓ ହାତଗୋଡ଼ର କାର୍ଯ୍ୟକଳାପରେ ତ ଦରପୂରିଲା ଘର ସମ୍ପୂର୍ଣ୍ଣରୂପେ ପୂରିଯିବ; ତାଙ୍କ ପାଇଁ ସେଠାରେ ବିନ୍ଦୁମାତ୍ର ଖାଲି ସ୍ଥାନ ରହିବ ନାହିଁ । ଝିଅ ପହିଲିପାଳି ଯିବାର ଆୟୋଜନ କରିବା ଅପେକ୍ଷା ଦୀନବନ୍ଧୁ ଏହି ଚିନ୍ତାରେ ବିଶେଷ ଘାରି ହୋଇ ପଡ଼ିଲେ ।

 

ଅନେକ ଉପାୟ ଖୋଜି, ମାତ୍ର କିଛି ନ ଦେଖି, ଦୀନବନ୍ଧୁ ପରିଶେଷରେ କମଳାକୁ ତୋଳାକନ୍ୟା କରିଦେବା ପାଇଁ ଗୋପନରେ ରାଜି ହୋଇ, ରଘୁନାଥଙ୍କଠାରୁ ଷାଠିଏ ଟଙ୍କା ଆଗତୁରା ଆଣିଲେ । ଚମ୍ପା ଏ ଟଙ୍କା ସାକ୍ଷାତ୍ ଦର୍ଶନରେ ଦେଖିବା ପୂର୍ବରୁ, କଳ୍ପନାରେ ତା’ର ସଂଖ୍ୟା, ପରିମାଣ, ଆୟତନ, ଓଜନ ଆଦି ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଧାରଣା କରି ନଥିଲେ । ମାତ୍ର ଦେଖିଲା ପରେ ତାଙ୍କର କଳ୍ପନାରେ ଅଙ୍କିତ ଗଦାଠାରୁ ଏ ଷାଠିଏ ଟଙ୍କା ନିତାନ୍ତ କମ୍‌ ଦିଶିଲା-। ସେଦିନ ରାତିରେ ଚମ୍ପା ପଖାଳ ଖାଇଲେ, ଦୀନବନ୍ଧୁ ପବନ ଆହାର କରି ଶୋଇଲେ-। ଘରେ ଚୁଲି ଜଳିଲା ନାହିଁ । ବିମଳା ଓ କମଳା ବାଣ୍ଟିହୋଇ ଯଥାକ୍ରମେ ବାପା ଓ ମାଆଙ୍କ ପଥର ଅନୁସରଣ କଲେ । ବିମଳା କହିଲା, ‘‘ନା, ବୋଉ, ମୋ ପେଟ ମୋଡ଼ି ହେଉଛି, ମୁଁ ଆଜି ଖାଇବି ନାହିଁ ।’’ କମଳାର ବୟସ ନିତାନ୍ତ କମ୍‌ ଥିବାରୁ ସେ ଭଲମନ୍ଦ କର୍ତ୍ତବ୍ୟ ଅକର୍ତ୍ତବ୍ୟ କିଛି ବୁଝି ନ ପାରି ମାଆଙ୍କ କଥାରେ ତାଙ୍କ ସହିତ ଖାଇ ବସି ପଡ଼ିଲା ।

 

ଟଙ୍କା ଦାଦନ ଦେବାମାତ୍ରେ ଦୀନବନ୍ଧୁଙ୍କ କନ୍ୟା ଉପରେ ରଘୁନାଥଙ୍କର ଦାବି କ୍ରମଶଃ ଘନୀଭୂତ ହୋଇଆସିଲା । ଏତେ ଶୀଘ୍ର ଯେ ରଘୁନାଥ କମଳାକୁ ତାଙ୍କ ଘରକୁ ପଠାଇଦେବାକୁ ଜିଦ୍‌ ଧରି ବସିବେ, ଦୀନବନ୍ଧୁ ସେ କଥା ଭାବି ନଥିଲେ । କମଳାର ବୟସ ଚାରିବର୍ଷ ମାତ୍ର, ସେ ହାତରେ ଖାଇନାହିଁ, ଶେଯରେ ମୁତୁଛି, ଘରେ ଦିନେ ଦିନେ ଝାଡ଼ା ଫେରୁଛି, ଲୁଗା ପିନ୍ଧି ଶିଖି ନାହିଁ-। ସେ ତାକୁ ତୋଳା କନ୍ୟା କରି ବରପଦାକୁ ପଠାଇବେ କିପରି ? ସେ ଯେ ନିତାନ୍ତ ଦାୟରେ ପଡ଼ି ଆପାତ ଗୁରୁ ଭାରରୁ ମୁକ୍ତ ହେବାଲାଗି ଟଙ୍କା ପାଇବା ନିମନ୍ତେ କନ୍ୟାର ବୟସ ଏଗାରବର୍ଷ ବୋଲି କହି ଦେଇଛନ୍ତି । କମଳାକୁ ଦେଖିଲେ କେହି ତ ଏଗାର ବର୍ଷ କଥା ଦୂରେ ଥାଉ, ତା’ର ଅଧକରୁ କମ୍‌ ପାଞ୍ଚବର୍ଷ ବୋଲି ସୁଦ୍ଧା ପସନ୍ଦ କରିବ ନାହିଁ । ସେ ଏଡ଼େ କଅଁଳା ପିଲାଟିକି ରଘୁନାଥଙ୍କ ପ୍ରଣୟର ସାମଗ୍ରୀ ସ୍ୱରୂପ ପଠାଇଦେବେ କିପରି ? ସେଥିପାଇଁ ଚାରି ଛ’ଥର ଟାଳିଲେ; କିନ୍ତୁ ଶେଷକୁ ଯେତେବେଳେ ରଘୁନାଥ ଉଚ୍ଚବାଚ ଆରମ୍ଭ କରିବାକୁ ବସିଲେ, କାଳେ ଲୋକ ଏବଂ ବିଶେଷରେ ନିଜର ସହଧର୍ମିଣୀ ଚମ୍ପା ଜାଣିପକାଇବେ, ସେହି ଭୟରେ, ତାଙ୍କୁ ଜବାବ ଦେଲେ, ‘‘ଆଚ୍ଛା, ଶୁକ୍ରବାର ଭଲ ଦିନ ଅଛି । ସେହିଦିନ ନେଇ ଛାଡ଼ିଦେଇ ଆସିବି । ଆଉ ଏ ବିଷୟ ବେଶି ପ୍ରଘଟ କରି ଲାଭ କ’ଣ ?’’

 

ଶୁକ୍ରବାର ଦିନ ପାଇଁ ଦୀନବନ୍ଧୁ ସେହି ଷାଠିଏ ଟଙ୍କାରୁ ଆବଶ୍ୟକୀୟ ଖର୍ଚ୍ଚବାର୍ଚ୍ଚ ଯାଇ ବାକିଥିବା ବାଆନ ଟଙ୍କାରେ ଲୁଗାପଟା, ବଡ଼ି, ମୁଗଜାଇ, ପନିପରିବା, ମୁଆଁ, ମିଠେଇ ଆଦି କନ୍ୟା ବିଦାୟ ସମ୍ପର୍କୀୟ ପଦାର୍ଥମାନ, କାହାର ହୁକୁମ ତାଲିମ କଲା ପରି, ଯୋଗାଡ଼ କଲେ । ସାହି ପଡ଼ିଶା ଲୋକେ ଆସି, ଭାର ଦେଖି କହିଲେ, ‘‘ଦୀନବନ୍ଧୁକୁ ଚାହିଁ ଏ ବଳି ପଡ଼ିଛି ।’’ ଚମ୍ପା ମୁହଁ ଛିଞ୍ଚାଡ଼ି, ଗର ଗର ହୋଇ, ଉତ୍ତର ଦେଲେ, ‘‘ମଲା, ୟାକୁ ଆଉ ଭଲ ଯଥା ମିଳିଲା ନାହିଁ ଯେ ଜୋଇଁଙ୍କ ପାଇଁ ଏଇ କରିଆ କନା ପଠାଉଚି । ହାଟରେ ଆଉ ସାରୁ ନଥିଲା; ଗୁଡ଼ିଆ ଘରେ ଗୁଡ଼ ନଥିଲା ଯେ ଲିଆ ଆଣିଛି, ଏଡ଼େ ବଡ଼ ଥାନଟାକୁ ଭାର ପଠାଇବ ବୋଲି । ମନ ଯେମିତି, କାମ ସେମିତି ।’’ କିଏ ଚମ୍ପାଙ୍କ କଥାକୁ ବେପସନ୍ଦ କରି କ’ଣ କହିଲା । କିଏ ପଚାରିଲା, ‘‘ଆଲୋ ବିମଳା ବୋଉ, ହକରା କେବେ ଆସିଲା ମ ?’’ ଆଉ କିଏ ପଚାରିଲା, ‘‘ଆଜିଠୁ କାହିଁକି ପିଲାଟାକୁ ପଠାଇ ଦେଉଛ ମ ?’’ ଚମ୍ପା ଉଭୟ ପ୍ରଶ୍ନର ଉତ୍ତର ଏକାଠି ଦେଇ କହିଲେ, ‘‘ଏଇ ଘରକୁ ପୁଣି ହକରା ପଠାନ୍ତେ ? ତାଙ୍କ ବୋହୂକୁ ସେ ନେଲେ, ଖୁଆଇ ପିଆଇ ହେପାଜତ କରି ରଖିବେ । ଏଠି ରହିଲେ ଶୁଖି ଶୁଖି ସିନା ମରିବ । ଯାଉ, ଦିନେ ତ ପରଘରକୁ ଯିବ । ତା’ ଘରକୁ ଗଲେ ସେ ଖାଇ ପିଇ ସୁଖରେ ରହିବ ।’’

 

ଶୁକ୍ରବାର ସକାଳେ ବିମଳା କାନ୍ଦି, ମା’ ଭଉଣୀଙ୍କଠାରୁ ବିଦାୟ ନେଇ, ବୋଝ ଭାର ସହିତ ବାପାଙ୍କ ସଙ୍ଗେ ମନେମନେ ଖୁସି ହୋଇ, ଗୋପୀକାନ୍ତପୁରରୁ ବାହାରି ଗଲା; ଗଲେ ସ୍ୱାମୀ ଘରେ ସୁଖରେ ରହିବ, କେବଳ ଯେ ଖାଇବାକୁ ପିନ୍ଧିବାକୁ ଯଥେଷ୍ଟ ପାଇବ ସେତିକି ନୁହେଁ, ତା’ର ଜୀବନଲତା ଯୌବନର ମଳୟଧାରାରେ ବଢ଼ି, ଅଜାଡ଼ି ହୋଇ ପଡ଼ିବାକୁ ବସିଛି; କାହାରି ଆଶ୍ରୟ ଶୀଘ୍ର ନ ପାଇଲେ ତାକୁ ତଳେ ଲୋଟିବାକୁ ହେବ; ସେଥିପାଇଁ ସେ ଜଗନ୍ନାଥଙ୍କ ବାହୁଯୁଗଳର ଅବଲମ୍ବନ କେତେ ଦିନ ହେଲା ଲୋଡ଼ିବାରେ ଲାଗିଛି । ମା’ ଆଉ ଭଉଣୀକି ଛାଡ଼ି ଆସି ତା’ ମନରେ ଦୁଃଖ ଅବଶ୍ୟ ହୋଇଛି; କିନ୍ତୁ ତାକୁ ଚିର ଜୀବନ ଯେଉଁ ସ୍ଥାନରେ କାଟିବାକୁ ହେବ, ସେଠାରେ ସୁଖ ଆଶାରେ ସେ ଖୁସିରେ ବାଟ ଚାଲୁଛି । ଦୀନବନ୍ଧୁ ବାଟରେ ଗୋଟାଏ ଚଟିଘରେ ପହଞ୍ଚି ସେଠାରେ ଜିନିଷପତ୍ର ସବୁ ରଖାଇ ଦେଇ, ଲୋକ ବାକ ବିଦାୟ କରିଦେଲେ । ରଘୁନାଥ ଆସି ସେଠାରେ ସେ ସମୁଦାୟ ଜିନିଷ ସହିତ ବାପ ଝିଅ ଦୁହିଁଙ୍କୁ ପାଛୋଟି ନେଲେ; ମାତ୍ର ଦେଖା ହେବାମାତ୍ରେ କହିଲେ, ‘‘ଦାସେ, ତୁମେ ତ ନଅଣ୍ଟିଆ ଲୋକ; ଏ ବୋଝ ଭାର କାହିଁକି ଆଣିଲ ? ଆଚ୍ଛା, ଆଣିଲଣି ତ; ଆଉ କ’ଣ ଏଠୁ ଫେରାଇ ନେବ ? ଝିଅକୁ ଦେବାପାଇଁ ଆଣିଛ, ପର କାହାକୁ ତ ନୁହେଁ ।’’

 

ରଘୁନାଥଙ୍କ ଘରେ ପହଞ୍ଚି, ସେଠାରେ ବେଶି ସମୟ ନ ରହି, ଦୀନବନ୍ଧୁ ଏକପ୍ରକାର ଚୋରଟି ପରି, ଏପରିକି ଝିଅକୁ ନ କହି ମଧ୍ୟ ବାକି ଚାଳିଶଟଙ୍କା ଧରି ଫେରି ଆସିଲେ । ଠେକୁଆ ପିଲା ବିଲୁଆ ଗାତରେ ପଶି ନିଜର ଭୁଲ ବୁଝିଲା ଭଳି, ବିମଳା ଦିନକ ଭିତରେ ଜାଣିପାରିଲା ଯେ ସେ ଆଉ କେଉଁଠାକୁ ଆସିଛି–ଯେଉଁଠାକୁ ଆସିବା ନିମନ୍ତେ ତା’ର ଲକ୍ଷ୍ୟ ଥିଲା, ସେଠାକୁ ନୁହେଁ । ରଘୁନାଥ ଫୁଟନ୍ତା ଫୁଲଟାକୁ ଡାଳରୁ ଛିଣ୍ଡାଇ ଆଣି ସିନ୍ଦୁକରେ ବନ୍ଦ କରି ରଖିଲେ । ବିମଳା ଝାଉଁଳି ପଡ଼ିଲା, ମଉଳି ଗଲା; ମାତ୍ର କିଛି ଗୋଟାଏ ବାଟ କାଢ଼ିବାର ଉପାୟ ନାହିଁ । ବିଭାଘର ପାଇଁ ଦିନ ସ୍ଥିର ହେଲା । ବିମଳା ବତାସି ବେଳର ବରଡ଼ାପତ୍ର ପରି ଥରିବାକୁ ଲାଗିଲା । ରଘୁନାଥଙ୍କର ଘରେ ସୁଖରେ ରହିବାପାଇଁ ତା’ର କୌଣସି କାରଣ ନଥିଲା । ରଘୁନାଥଙ୍କର ପୁଅ ହରିହର ଓ ତା’ର ଭାର୍ଯ୍ୟା ଚଞ୍ଚଳା ତାକୁ ପରିହାସ ଓ ଟାହୁଲ କରୁଅଛନ୍ତି । ନ କରିବେ ବା କାହିଁକି, ସେ ତାହା ଦେଖିପାରିଲା । ରଘୁନାଥଙ୍କୁ ପ୍ରାୟ ପଞ୍ଚାବନ ବର୍ଷ ବୟସ । ତାଙ୍କ ନାତୁଣୀ, ହରିହର ଝିଅ, ଉମା ଶାଶୁଘରକୁ ଯିବାକୁ ବସିଛି । ନୂଆ ଗୋସେଇଁମା’ଟି ତା’ଠୁଁ ମାସେ ଖଣ୍ଡେ ସାନ ହେବ । ରଘୁନାଥ ପୁଅଠାରୁ ଅଲଗା ହୋଇ ଅଛନ୍ତି । ହରିହର ତାଙ୍କର ପ୍ରଥମ ଭାର୍ଯ୍ୟାର ପୁଅ । ଦ୍ୱିତୀୟ ଭାର୍ଯ୍ୟାର ପୁଅ ଝିଅ କିଛି ହୋଇ ନଥିଲେ । ଦୀନବନ୍ଧୁ ସେ ଶୂନ୍ୟ ସିଂହାସନରେ ତୃତୀୟ ଅଧିକାରିଣୀ ରୂପେ ନିଜର ଝିଅକୁ ଛାଡ଼ିବେ ବୋଲି ରଘୁନାଥଙ୍କଠାରୁ ମୂଲ୍ୟ ଗ୍ରହଣ କରିଥିଲେ । ରଘୁନାଥ ଭାରି ଚିଡ଼ା ଲୋକ, ଭାର୍ଯ୍ୟାଙ୍କୁ ସେ ବରାବର ବାଡ଼ିରେ ଆଲିଙ୍ଗନ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଅଭାବରେ ଛୁରି, ଗୁଆକାତିରେ ଚୁମ୍ୱନ କରି ଆସିଛନ୍ତି । ହରିହର ମା’ ଦଉଡ଼ି ଦେଇ ମରିଥିଲେ । ତାଙ୍କର ପରବର୍ତ୍ତିନୀ ରଘୁନାଥଙ୍କର ଗୋଟାଏ ଚଟକଣିରେ ହଠାତ୍‌ ଇହଲୋକ ଛାଡ଼ି ନ ଯାଇଥିଲେ, ସେ ମଧ୍ୟ ଦଉଡ଼ି ଖୋଜିଥାନ୍ତେ । ଆଜି ସେହି ଘରକୁ ବିମଳା ଆସିଛି । ବୁଢ଼ା ବୟସରେ ମୁଠିଏ କିଏ ଫୁଟାଇ ଦେବାକୁ, ରୋଗ ବୈରାଗ ବେଳେ ସେବା କରିବାକୁ ନଥିଲା ବୋଲି, ରଘୁନାଥ ଦୈବବଳରେ ସଂସାର ବନ୍ଧନରୁ ମୁକ୍ତ ହେଲାପରେ ସୁଦ୍ଧା ପୁଣି ଛନ୍ଦି ହେବାକୁ ସ୍ଥିର କଲେ । ତାଙ୍କର ସେ ଜାଲରେ ବିମଳା ଆସି କି ଅସମ୍ଭବ ଭାବରେ, ନିଜ ସାନ ଭଉଣୀର ପ୍ରାୟଶ୍ଚିତ୍ତ ସ୍ୱରୂପ ପଡ଼ିଯାଇଛି । ଉମା ଆସି ୟାକୁ କହିଗଲା, ‘‘ଗୋସାଇଁ ମା’, ବୁଢ଼ା ମାଇଲେ, ପାଟିତୁଣ୍ଡ କରିବୁ ନାହିଁଟି; କଲେ ଆହୁରି ଅଧିକ ମାରିବ;’’ କିନ୍ତୁ ଏ ପରାମର୍ଶ ମୂଲ୍ୟ ବୁଝିବାର ସୁଯୋଗ ବିମଳାର ଘଟିନାହିଁ । ସେ ଆସିବାର ପନ୍ଦର ଦିନ ମଧ୍ୟରେ, ବିବାହ ନିମନ୍ତେ ସ୍ଥିର ହୋଇଥିବା ଦିବସ ଉପସ୍ଥିତ ହେବା ପୂର୍ବରୁ ରଘୁନାଥ ଗ୍ରହଣୀ ରୋଗରେ ପଡ଼ିଲେ ।

 

ତେଣେ ରଘୁନାଥଙ୍କ ଘରେ ବିମଳାକୁ ଛାଡ଼ିଦେଇ, ଦୀନବନ୍ଧୁ ଗୋଟାଏ ଆପାତ ଦାବିରୁ ରକ୍ଷା ପାଇଲେ ଅବଶ୍ୟ; ମାତ୍ର ତାକୁ ଛାଡ଼ି ଫେରିଲା ପରେ ସେ ନିଜର ଭୁଲ ବୁଝିପାରିଲେ; କିନ୍ତୁ ବାଟ ନାହିଁ ଯେ ଫେରାଇ ଆଣିବେ । ସେ ଗୋଟାଏ କିଛି ଉପାୟ କାଢ଼ିବେ ବୋଲି ଭାବିଥିଲେ, ତାହା ଦିଶିଲା ନାହିଁ । ସେ ସବୁବେଳେ ଘାଣ୍ଟି ହେଉଛନ୍ତି, ଦିନଯାକ ଅନ୍ୟମନସ୍କ ହୋଇ କାଳ କଟାଉଛନ୍ତି, ରାତିରେ ନିଦ ହେଉନାହିଁ । ଏପରି ସମୟରେ ଦିନେ କୃଷ୍ଣପୁରରୁ ହକରା ଆସି ପହଞ୍ଚିଲା । ଚମ୍ପା କହିଲେ, ‘‘ଝିଅ ତ ଗଲା; ଫେରେ ହକରା କ’ଣ ?’’ ଦୀନବନ୍ଧୁ ମୁହଁ ଦେଖାଇ ପାରିଲେ ନାହିଁ, ଏଣେତେଣେ ଲୁଚିଲେ ।

 

ମାତ୍ର କଥା ପ୍ରଘଟ ହୋଇଗଲା । କୃଷ୍ଣପୁରରୁ ସମ୍ୱନ୍ଧୀ ଆସିଲେ, ତା’ ବନ୍ଧୁବାନ୍ଧବମାନେ ଆସି ପହଞ୍ଚିଲେ । ଚମ୍ପା ରୋଗରେ, ଲଜ୍ଜାରେ କାନ୍ଥରେ ନିଜ ମୁଣ୍ଡ ପିଟିବାକୁ ଲାଗିଲେ । ଦୀନବନ୍ଧୁଙ୍କ ମୁଣ୍ଡ ହାତରେ ପଡ଼ିଲେ ସେ ତାକୁ ବାଘୁଣୀ ପରି ଚୋବାଇ, ରଗଡ଼ି, ଗୁଣ୍ଡ କରିଦେବେ ବୋଲି ଖୋଜିଲେ । ସମସ୍ତଙ୍କର ବାକ୍ୟବାଣ ଦୀନବନ୍ଧୁଙ୍କୁ ଲକ୍ଷ୍ୟ କରି ଆସିବାକୁ ଲାଗିଲା । ଦୀନବନ୍ଧୁ ଦାରୁଭୂତ ହୋଇ ବସିରହିଲେ । ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ବିମଳା ଘରେ ନାହିଁ ଯେ ବାହାର କରି ଦେଇଦେବେ । କୃଷ୍ଣପୁର ସମ୍ବନ୍ଧୀ ଜଣେ ଓକିଲ ମୋହରିର । ଓକିଲ ବାବୁ ଦଶଟଙ୍କା ପାଇଲେ, ସେ ପାଆନ୍ତି ବାର । ମହକିଲମାନଙ୍କଠାରୁ ତାଙ୍କର କେତେପ୍ରକାର ପାଉଣା ଉପରେ ଦାବି ଥାଏ । ଓକିଲଙ୍କ ପରି ତାଙ୍କର ମଧ୍ୟ ଦର୍ଶନି ଅଛି; ଲଥିଫିଟା, ଲଥିଛୁଆଁ, ଲଥିପଢ଼ା, ଲଥି ପେସ୍‌, ଲଥି ବନ୍ଧା, ଲଥି ଚିରା, ଆଦି ବାବଦରେ ମକଦ୍ଦମାର ଭିନ୍ନ ଭିନ୍ନ ଅବସ୍ଥାରେ ସେ ମହକିଲଙ୍କଠାରୁ ପାଉଣା ଅସୁଲ କରି ନିଅନ୍ତି । ତା’ପରେ ପୁଣି ଓକିଲଙ୍କଠାରୁ ଟଙ୍କାକେ ଚାରିଅଣା ଧରାବନ୍ଧା ରହିଛି । ଏକେ ସେ ଜଣେ ଧନୀଲୋକ । ତା’ପରେ ପୁଣି ଆଇନକାନୁନ ତାଙ୍କୁ ବେଶ୍‌ ଜଣାଅଛି । ସୁତରାଂ ସେ ଗୋପୀକାନ୍ତପୁରରେ ଦୁଇଦିନ କାଳ ଗୋଟାଏ ପ୍ରକାଣ୍ଡ ହାଟ ବସାଇ, ଅମରକୋଷର କଳେବର ବୃଦ୍ଧି କରିବାକୁ ବିସ୍ତର ସରଞ୍ଜାମ ସୃଷ୍ଟି କରି ଫେରିଲାବେଳେ ନିରୁତ୍ତର ଦୀନବନ୍ଧୁଙ୍କୁ କହିଲେ, ‘‘ହାରାମଜାଦା, ବିଲାତ ଯିବି, ପାର୍ଲିଆମେଣ୍ଟ୍ ପର୍ଯ୍ୟନ୍ତ ଲଢ଼ିବି, ଦେଖିବି ତୋର ମଗଦୁର କେତେ; କେତେ ଟଙ୍କା ସେ ରଘୁଆ ବୁଢ଼ା ଘରେ ପୋତି ରଖିଛି । ତୋତେ ତାକୁ ଦଶବର୍ଷ ଲେଖାଏଁ ଜେଲ ଦିଆଇବି ।’’

 

ଗୋପୀକାନ୍ତପୁରରେ ଏ ଏକତରଫା ଲଢ଼େଇ ସମୟରେ, ତେଣେ ବରପଦା ଗ୍ରାମ ମଧ୍ୟ ଆଉ ଗୋଟିଏ ଲଢ଼େଇର ଦୃଶ୍ୟ ଦେଖୁଥିଲା । ରଘୁନାଥ ଗ୍ରହଣୀରେ ରୋଗ ଶେଯରେ ଶୋଇ ଯମଦୂତମାନଙ୍କ ସହିତ ଯେ କ୍ଷୀଣ ଯୁଦ୍ଧ ଦେଢ଼ମାସ ଧରି କରି ଆସୁଥିଲେ, ସେ ଯୁଦ୍ଧର ଶେଷ ସଂଗ୍ରାମ କୃଷ୍ଣପୁର ସମ୍ବନ୍ଧୀ ଗୋପୀକାନ୍ତପୁରରୁ ଫେରିଲାଦିନ ଘଟିଲା । ସେ ସଂଗ୍ରାମରେ ଯମଦୂତମାନେ ଜୟଲାଭ କଲେ, ରଘୁନାଥ ହାରିଲେ । ବିମଳା ଗୋଟିଏ କର୍ତ୍ତବ୍ୟର କଠୋର ଅନୁରୋଧରେ ରଘୁନାଥଙ୍କୁ ଅବଶ୍ୟ ପଥିରାନ୍ଧି ବାଢ଼ୁଥିଲା ଏବଂ ସେବା ଶୁଶ୍ରୂଷା ଯଥାସମ୍ଭବ କରୁଥିଲା; କିନ୍ତୁ ଯମଦୂତଙ୍କ ସହିତ ତାଙ୍କର ଦୀର୍ଘ ସମୟ ମଧ୍ୟରେ ସେ ନିଜକୁ ସାବଧାନ ଭାବରେ ଦୂରରେ ରଖି ଚଳୁଥିଲା । ବିମଳାର ସ୍ୱଭାବ ବଡ଼ ମଧୁର । ସେ କାହାରି ଦୁଃଖ ଆଖିରେ ଦେଖିପାରେ ନାହିଁ; ନିଜେ ଉପବାସ ରହି ଭୋକୀ, ଭିକାରିଙ୍କି ଖାଇବାକୁ ଦିଏ, ଘରେ ବାପା ମା’ କଳି ଲାଗିଲେ, ସେ ଉପବାସ କରି ତାହାର ପ୍ରାୟଶ୍ଚିତ୍ତ କରେ । ଶତ୍ରୁ ପାଇଁ ସୁଦ୍ଧା ସେ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଥାଏ । ସେଥିପାଇଁ ସେ ନିର୍ବିକାର ଚିତ୍ତରେ ସେ ରୋଗ ଶଯ୍ୟାରେ ଶାୟିତ ବୃଦ୍ଧ ରଘୁନାଥଙ୍କର ସେବା କରି ଚାଲିଲା । କାହାରି ମନା, ପରିହାସ, ବ୍ୟଙ୍ଗ କଥା କାନରେ ଶୁଣିଲା ନାହିଁ-

 

ରଘୁନାଥ ବଞ୍ଚିଥିଲାବେଳେ ତାଙ୍କ ଘରେ ବିମଳା ପାଇଁ ଯେ ସ୍ଥାନ ଥିଲା, ସେ ମଲା ପରେ ଯେ ସେ ସ୍ଥାନ ଆଉ ରହିଲା ନାହିଁ, ତାହା ନୁହେଁ । ସେ ଯେ ସିନ୍ଦୁକରେ ପଶିଥିଲା, ସେଠାରୁ ଫିଟି ଆସିବାର ତା’ର ଉପାୟ ନଥିଲା । ରଘୁନାଥ ସିନ୍ଦୁକର କଞ୍ଚିକାଠି ଧରି ବସିଥିଲେ । ତାଙ୍କ ମୃତ୍ୟୁ ପରେ ସିନ୍ଦୁକଟି ମେଲା ପଡ଼ିଲା । ତାଙ୍କ ପୁଅ, ବୋହୂ, ନାତି, ନାତୁଣୀ ଆସି ସେ ଘର ଅଧିକାର କରିବା ସଙ୍ଗେ ସଙ୍ଗେ ବିମଳା ସେଠାରୁ ପଳାଇ ଆସି, ପୃଥିବୀର ଅନ୍ୟ କେଉଁଠାକୁ ଯାଇପାରେ ବୁଝି ନ ପାରି, ବହୁଦିନ ହଜିଥିବା ଛଡ଼ା ଗାଈ ପରି ମୁସୁଣ୍ଡେଇ ଦୀନବନ୍ଧୁଙ୍କ ଘରେ ପହଞ୍ଚିଲା । ତାକୁ ଦେଖି ଗ୍ରାମସାରା ହୁଲସ୍ତୁଲ ପଡ଼ିଲା । ସେ ବାପା ମା’ଙ୍କୁ ଗାଳି ଦେବାରେ ଲାଗିଲା । ଚମ୍ପା ସ୍ୱାମୀଙ୍କ ଉପରେ ରକ୍ତଚାଉଳ ଚୋବାଇଲେ । କମଳା ଭେଁଭେଁ ହୋଇ କାନ୍ଦି ବସିଲା । କୌଣସିଠାରେ ଟିକିଏ ଶାନ୍ତି ନାହିଁ । ମୋଟ ଉପରେ ଗୋପୀକାନ୍ତପୁରରେ ଦୀନବନ୍ଧୁଙ୍କ ଘର ଭିତରଟା ଓ ତା’ର ଆଖପାଖ ସ୍ଥାନଗୁଡ଼ିକ ଗୋଟିଏ ଛୋଟିଆ ମହାଭାରତ ଯୁଦ୍ଧର କେନ୍ଦ୍ରସ୍ଥଳ ହୋଇ ପଡ଼ିଲା । ସତେଅବା କାନ୍ଥ ସହିତ ଚାଳ, ଚାଳ ସହିତ ଚଟାଣ, ଚଟାଣ ସହିତ ଆସବାବ କଳି କରିବାରେ ଲାଗିଲେ । ଭୂମିକମ୍ପ ପରି ଏକ ତୁମୂଳ କୋଳାହଳ ସେ ମଧ୍ୟରୁ ଜାତ ହେଲା । ଦୀନବନ୍ଧୁ କୌଣସି ଉପାୟ ନ ଦେଖି ଗୋଟିଏ ଚିତ୍ର ପ୍ରତିମା ପରି, ଘରୁ ଛପି ବାହାରି ଯାଇ, ବାଟରେ ପିନ୍ଧା ଲୁଗାଖଣ୍ଡ ଚିରି, କୌପୁନି କରି ପିନ୍ଧି, ଜୀବନର ଅବଶିଷ୍ଟ ସମୟ ଲାଗି ଅଦୃଶ୍ୟ ହୋଇଗଲେ ।

Image

 

ବିଧବା କନ୍ୟା

 

ମାର୍କଣ୍ଡ ଭୁବନେଶ୍ୱର ରେଳ ଷ୍ଟେସନରେ ଗାଡ଼ିରୁ ଓହ୍ଲାଇ ଦେଖନ୍ତି ଗ୍ରାମର କୁକୁରପଲ ବେଷ୍ଟିତ ବନ୍ୟମୃଗିଣୀ ଏବଂ ମୃଗଶିଶୁ ପରି, ଜଣେ ପ୍ରାୟ ଚାଳିଷବର୍ଷ ବୟସର ସଧବା ସ୍ତ୍ରୀ ବ୍ୟକ୍ତି ଓ ଜଣେ ବାଳିକା ବସିଛନ୍ତି, ବଜାରର ଏକମାତ୍ର ମାଛ ପସରାକୁ ଘେରିଲା ପରି, ଚାରିପାଖେ ଲୋକ ବେଢ଼ି ରହିଛନ୍ତି । କିଏ କ’ଣ କହୁଛି, କିଏ କି ପ୍ରଶ୍ନ ପଚାରୁଛି, ସତେଅବା ଦୁଇଗୋଟି ପଣ୍ୟ ଏତେ ଖରିଦଦାରଙ୍କ ଅଯାଚିତ ଦରଦାମ୍, ମୂଲ୍ୟ ପ୍ରସ୍ତାବରେ ଏପରି ଭାବରେ ପୋତିହୋଇ ପଡ଼ୁଛନ୍ତି ଯେ ତାଙ୍କର ନିଜ ରୂପ ଗୁଣ ଦେଖାଇବାର ଅବକାଶ ନାହିଁ, ସେହିପରି ସ୍ତ୍ରୀ ବ୍ୟକ୍ତି ଦିଓଟି ଦର୍ଶକଙ୍କର ଏତେଗୁଡ଼ାଏ ପ୍ରଶ୍ନ ଶୁଣି, କୌଣସିଟାର ଉତ୍ତର ନ ଦେଇପାରି ତୁନି ହୋଇ ବସିଛନ୍ତି, ଯେପରିକି କୌଣସି ଜଡ଼ରାଜ୍ୟର ଲୋକ । ମନରେ କେତେ ଭାବ ଉଠୁଛି; କିନ୍ତୁ ଗୋଟାଏ ମଧ୍ୟ ପ୍ରକାଶ ପାଇପାରୁନାହିଁ ।

 

ମାର୍କଣ୍ଡ କିଛି ଦୂରରେ ଠିଆ ହୋଇ ତଳଲିଖିତ ପ୍ରକାରରେ ଅନେକ ପ୍ରଶ୍ନ, ଅନେକ ପରାମର୍ଶ ଶୁଣିଲେ ।

 

‘‘ଚାଲ, ଦିହେଁଯାକ ଆମ ଘରେ ରହିବ ।’’

 

‘‘ନା, ଏ ସାନ ପିଲାଟି ଚାଲୁ ଆମ ଘରେ ରହିବ; ବୁଢ଼ୀକୁ ଯେ ନେଉଛ ନିଅ ।’’

 

‘‘ତୁମ ଘର କେଉଁଠି ?’’

 

‘‘ତୁମେ ଘରୁ ପଳାଇ ଆସିଛ, ନା ?’’

 

‘‘ତୋର ଏ ପିଲା କ’ଣ ହୁଏ, ବୁଢ଼ୀ ?’’

 

‘‘ତୋର ଏ ବୁଢ଼ୀ କ’ଣ ହୁଏ, ପିଲା ?’’

 

‘‘ଏ ବୁଢ଼ୀ କ’ଣ ବୁଢ଼ୀପରି ଦିଶୁଛି ?’’

 

‘‘ଏ ପିଲାକୁ ଛାଡ଼ିଦେଲେ, କେତେ ନେବୁ, ମାଉସୀ ?’’

 

‘‘ଟିକଟ ନ କରି ଆସିଛ ?’’

 

‘‘ଟଙ୍କା ପଇସା ପାଖରେ ନାହିଁ ?’’

 

‘‘ଆରେ ଟଙ୍କା ପଇସା କ’ଣ କରିବ ? ଟଙ୍କାପଇସାର ମୂଳ ଯେ ରୂପ, ବୟସ, ସେ ତ ଅଛି ।’’

 

ଏ ସବୁ ଏବଂ ଏପରି ଆହୁରି କଥା କହି, ରୁଣ୍ଡୀଭୂତ ଲୋକ ହସୁଥିଲେ, ପାଟି କରୁଥିଲେ, ଚିତ୍କାରରେ ଷ୍ଟେସନ୍‍ର ଟିଣଚାଳ କମ୍ପାଇ ପକାଉଥିଲେ । ଦୁର୍ଗା ଲୀଳାକୁ କୋଳରେ ଯାକି ଧରି ବସିଥିଲେ, ଯେପରିକି ଆତ୍ମରକ୍ଷା ଅସମର୍ଥ କପୋତୀ ନିଜର ଶିଶୁଟିକୁ ଛଞ୍ଚାଣ ପଲ ଆଗରେ ଡେଣାରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ । ଲୀଳା ଆଖିରୁ ଲୁହ ବହିଲେ, ନିଜ ଲୁଗା କାନିରେ ପୋଛି ଦେଉଥିଲେ । ଏହା ଦେଖି ଲୋକେ ଆହୁରି କୋଳାହଳ କରୁଥିଲେ । ଜଣେ କହିଲା, ‘‘ବର ପାଇଛି ଯେ, କାନ୍ଦିଲା ହୀରା ଝଡ଼ିବ ।’’ ଆଉ ଜଣେ କହିଲା, ‘‘ହସିଲେ ମୁକ୍ତା ଝଡ଼ିବ-। ହସିଲୁ ଦେଖି, ପିଲା ।’’ ପୁଣି ଆଉ ଜଣେ କହିଲା, ‘‘ବର ପାଇନାହିଁ, ପାଇବ ଆଜି ।’’

 

ଅନେକ ସମୟ ପରେ ଲୋକଙ୍କ କୋଳାହଳ ମଝିରେ ଟିକିଏ ଅବସର ନେଉଥିଲାବେଳେ, ଲୀଳା ଧୀରେ ଧୀରେ କହିଲା, ‘‘ମୁଁ ମନା କରୁଥିଲି, ବୋଉ, କାହିଁକି ଏପରି ବାହାରି ଆସିଲୁ ? ଏଠି ଏ ବିଦେଶରେ ଅଚିହ୍ନା ରାଜ୍ୟରେ କିଏ ସାହା ହେବ ?’’

 

ଏ କଥା ଶୁଣି ପାରାର ଘୁମୁରା ଶବ୍ଦରେ ବିରାଡ଼ି ପଲ ମାତି ଉଠିଲା ପରି, ଲୋକେ ପୁଣି ନାନା କୋଳାହଳ କଲେ । ମାର୍କଣ୍ଡ ଲୋକାରଣ୍ୟ ଭେଦି ଆସି, ମା’ ଓ ଝିଅ ଦୁହିଁଙ୍କୁ ସାନ୍ତ୍ୱନା ଦେଇ, ଲୋକମାନଙ୍କୁ ନାନା ଗାଳି ଭର୍ତ୍ସନା କରି, ଛିନ୍ନଛତ୍ର କରିଦେଲେ । ସେମାନେ ମଧ୍ୟ ନିତାନ୍ତ ଅପରାଧୀ ପରି କିଏ କେଉଁଠାରେ ଆଉଜି ଛପି ରହିଗଲେ, ଆଉ ମୁହଁ ଦେଖାଇଲେ ନାହିଁ । କେବଳ ଷ୍ଟେସନରେ ଜଣେ କର୍ମଚାରୀ ରହି ମା’ ଏବଂ ଝିଅ ଦୁହିଁଙ୍କଠାରୁ ଟିକଟ ଦାବି କରିବାରେ ଲାଗିଲେ । ସେମାନେ ଗାଡ଼ିରେ ଆସି ନାହାନ୍ତି ବୋଲି ବାରମ୍ବାର କହିଲେ ସୁଦ୍ଧା, କର୍ମଚାରୀ ତାହା ବିଶ୍ୱାସ କଲେ ନାହିଁ । ସେମାନଙ୍କ ନିକଟରେ ଯେତେ ପଇସା ଥିଲା, ଦୋହରା ମାସୁଲକୁ ତାହା ନଅଣ୍ଟ ହେଲା । ସୁତରାଂ କର୍ମଚାରୀ ଟିକିଏ ଶଙ୍କିତ ସ୍ୱରରେ, ମାର୍କଣ୍ଡକୁ ନ ଶୁଣିଲା ଭଳି କହିଲେ, ‘‘ଏଠି ରହ, ମାସୁଲ ନ ଦେଲେ ସାତଦିନ ଅଟକାଇ ରଖିବାର ଆମର ନିୟମ ଥିବାର ଏକା ।’ ଯାହାହେଉ ଦୁର୍ଗା ଓ ତାଙ୍କର ଝିଅଟିକୁ ସେଠାରେ ସାତଦିନ ବନ୍ଦ ହୋଇ ରହିବାକୁ ପଡ଼ିଲା ନାହିଁ, କର୍ମଚାରୀଙ୍କ ସହିତ ଅନେକ ଯୁକ୍ତିତର୍କ ପରେ ମାର୍କଣ୍ଡ ସେମାନଙ୍କ ପାଇଁ ଖଡ଼୍‍ଗପୁରଠାରୁ ଦୋହରା ମାସୁଲ ଦେଇ ତାଙ୍କୁ ଖଲାସ କରି ନେଲେ ।

 

ହଠାତ୍‌ ଏପ୍ରକାର ମମତା ଓ ସାହାଯ୍ୟ ମାର୍କଣ୍ଡଙ୍କଠାରୁ ପାଇ ବାଟରେ ଶଗଡ଼ରେ ବସି ଯାଉଥିଲାବେଳେ, ଲୀଳା ମୁଣ୍ଡ ପୋତି ଅନେକ କାନ୍ଦିଲା । ଖରାଦିନ ମେଘର ବର୍ଷା ବତାସିରେ ଉଡ଼ିଗଲା ପରି, ଦୁର୍ଗା ଦୀର୍ଘଶ୍ୱାସରେ ଲୁହ ମାରିନେଇ କହିଲେ, ‘‘ଆମ କଥା କ’ଣ ପଚାରୁଛ ପୁଅ-? ତୁମେ ଏ ବିପଦରେ ଯେପରି ଆସି ପିଠିରେ ପଡ଼ିଲ, ତୁମକୁ ତ ସବୁ ବିଷୟ ବଳେ କହିବାର କଥା, ତା’ପରେ ପୁଣି ତୁମେ ଥରକୁ ଦି’ଥର ପଚାରିଲଣି । କସରଦାରୁ ଦୁଇ ଦିନ ଚାଲି ଆମେ ତୀର୍ଥ କରିବାକୁ ରେଳରେ ପୁରୀ ଯିବୁ ବୋଲି ଏ ଷ୍ଟେସନରେ ଆସି ଆଜି ସକାଳେ ପହଞ୍ଚିଲୁ-। ତିନିଟା ଗାଡ଼ି ଆମ ଆଗରେ ଗଲା, ଆମେ ଯାଇ ବସିପାରିଲୁ ନାହିଁ । ଆମ ପାଖରୁ କେତେ ଲୋକ ପୁରୀ ଗଲେ ସେ ଗାଡ଼ିରେ ବସି । ମୁଁ ପଇସା ଦେଇ ଟିକଟ ମାଗିବାରୁ କହିଲା, ‘ଏବେ ନାହିଁ, ବସ, ବସ’-। ସେଥିପାଇଁ ବସି ରହିଲୁ । ନିଜେ ତ ଦେଖିଲ ବାପା, ଲୋକଗୁଡ଼ାକ ମଢ଼କୁ ଚିଲ ଶାଗୁଣା କଲା ପରି, ଆମକୁ କ’ଣ କରି ପକାଉଥିଲେ । ଧର୍ମ ଆଉ ଏ ମହୀମଣ୍ଡଳରେ ନାହିଁ-। ତୁମେ ନଥିଲେ, ଆମେ ଆଜି କି ହଟହଟା ନୋହିଥାନ୍ତୁ ! ବାଟରେ, କାଲି ରାତିରେ, ଲୁଗାପଟା ଯାହା କେତେ ଖଣ୍ଡି ପାଖରେ ଥିଲା, ସବୁ ଚୋର ନେଇଗଲା । ଦୁଃଖୀ ଉପରେ ତ ସମସ୍ତଙ୍କର ମାଡ଼-। ତୁମେ ବାବୁ ଏପରି ଚାଲୁଥିବ, ଆଉ ଆମେ ଶଗଡ଼ରେ ବସି ଯାଉଥିବୁ ? ତୁମେ ମଧ୍ୟ ବସ ନା-।’’

 

କେତେକ ପରିମାଣରେ ମାର୍କଣ୍ଡଙ୍କ ପ୍ରଶ୍ନର ଉତ୍ତରରେ ଓ କେତେକ ପରିମାଣରେ ନିଜର ଆତ୍ମକାହାଣୀ ଅପୂର୍ଣ୍ଣ ନ ରଖିବା ଇଚ୍ଛାରେ ଦୁର୍ଗା ଲଜ୍ଜା ଏବଂ ସଙ୍କୋଚ ସହିତ ଏ କେତେକ କଥା କହିଲେ । ମାତ୍ର ମାର୍କଣ୍ଡଙ୍କ ଜ୍ଞାତବ୍ୟ ବା ଦୁର୍ଗାଙ୍କ ବକ୍ତବ୍ୟ ଏତିକିରେ ଶେଷ ହେବାର ନୁହେଁ । ନିତାନ୍ତ ଶଙ୍କିତ ଭାବରେ ମାର୍କଣ୍ଡ ଗାଡ଼ି ପଛରୁ ପୁଣି ପଚାରିଲା, ‘‘ଘରେ କିଏ ଅଛି ?’’

 

ଦୁର୍ଗା ବିଚାରୀ ଅଦାଲତର ନିୟମବଦ୍ଧ ସାକ୍ଷୀଙ୍କ ପରି କହିଲା, ‘‘କେହି ନାହିଁ, ମୋର ସ୍ୱାମୀ ଘର ଛାଡ଼ି ସାତ ଆଠ ବର୍ଷ ହେଲା କେଉଁଆଡ଼େ ଯାଇଛନ୍ତି, ଆସିନାହାନ୍ତି । ପୁଅ ଝିଅ ସବୁ ଏହି ଲୀଳା; ବିଧାତା ନିଅନୁଗ୍ରହ କଲା, ଅହ୍ୟ ଶଙ୍ଖ ହରାଇ, ବିଧବା ହୋଇ ବସିଛି ହୀନକପାଳୀ’’–କହି ଟିକିଏ ତୁନି ହେଲେ, ମନରେ କ’ଣ ଭାବିଲେ, ପୁଣି ପଚାରିଲେ, ‘‘ତୁମେ ଆମକୁ କୁଆଡ଼େ ନେଉଛ, ବାପା ?’’

 

‘‘ଭୁବନେଶ୍ୱର । ଭୁବନେଶ୍ୱର ଏକ ତୀର୍ଥ । ସେଠାରୁ ପୁରୀ ନେବି । ପୁରୀରେ ମୋର କାମ ଅଛି । ମୁଁ ସେଠାରେ ରହିବି । ତୁମର ଇଚ୍ଛା ହେଲେ, ଆଉ ସାଥୀ ଜୁଟିଲେ, ତୁମେ ପୁରୀରୁ ଗଙ୍ଗା ଗୋଦାବରୀ ଯାଇପାର । ଖର୍ଚ୍ଚ ପାଇଁ ଭାବନା ନାହିଁ । ତୀର୍ଥ କରିବାକୁ ଘରୁ ବାହାରିଛ ପରା-?’’

 

ଦୁର୍ଗା ପୁଣି ହୃଦୟର କଥା ହୃଦୟରେ, ଲୁଚାଇ ହଁ କଲେ । ତାଙ୍କର ସ୍ୱାମୀ ବିଦେଶ ଯାଇନାହାନ୍ତି, କସରଦାରେ ଘରେ ରହିଛନ୍ତି । ଅବସ୍ଥା ଆଦୌ ସ୍ୱଚ୍ଛଳ ନୁହେଁ । ଲୀଳା ପହିଲିପାଳି ଯିବାକୁ ସଜ ହେଉଥିଲା ଦିନ ଖବର ଆସିଲା ଯେ, ବର କଲିକତା ସେପଟେ କେଉଁ ବିଦେଶରେ ମରିଗଲେ । ଫୁଟନ୍ତା କଢ଼ି ଗଛରୁ ଝଡ଼ିଗଲା ପରି, ଲୀଳା ବିଧବା ହୋଇ, ସଂସାରର ସୁଖ ବନ୍ଧନରୁ ଖସି ଘରର ଅଳିଆଗଦା ପ୍ରାୟ ଘର କୋଣରେ ପଡ଼ି ରହିଲା । ଦୁର୍ଗାଙ୍କ ଦେହ ସହିଲା ନାହିଁ ଯେ ସେ କାଚ ଶଙ୍ଖା ପିନ୍ଧିବେ, ଆୟଅଳଙ୍କାର ଲଗାଇବେ, ମାଛ ଶୁଖୁଆ ଖାଇବେ, ଏକାଦଶୀରେ ଗ୍ରାସ ମାରିବେ, ଅଥଚ କୋଳର ଝିଅ ଲୀଳା ତୁଚ୍ଛା ହାତ, ତୁଚ୍ଛା ମୁହଁ କାନରେ ରହିବ, ନିରାମିଷ ଖାଇବ, ଏକାଦଶୀରେ ନିର୍ଜଳ ଉପବାସ କରିବ, ଶୁଣ୍ଠିଆ ପିନ୍ଧି ରହିବ । ସେ ତ ସ୍ୱାମୀ ମୁହଁ ଦେଖିନାହିଁ; ସୁତରାଂ କୁମାରୀ । ତାକୁ ଆଉ ବର ଖୋଜି ବିବାହ ଦେବାକୁ ଦୁର୍ଗା ବିନାୟକ ମିଶ୍ରଙ୍କୁ ଅନେକ ବଳାଇଲେ, ଅଳି କଲେ, କଖ୍ୟା କରି ବସିଲେ । ବିନାୟକ ଶାସ୍ତ୍ର ମତ ଅନୁସାରେ ନାସ୍ତି କଲେ । ବନ୍ଧୁ ବିରାଦର କୁଟୁମ୍ବ ଲୋକେ ଭୀଷଣ ପ୍ରତିବାଦ ଉଠାଇଲେ । ଦୁର୍ଗା ଅନ୍ୟ ଉପାୟ ନ ଦେଖି ସ୍ୱାମୀଙ୍କଠାରୁ ବିଦାୟ ନ ନେଇ, ଘରେ ଦେଢ଼ ଦିନ ଚୁଲି ନ ଜଳିବା ପରେ, ଲୀଳାକୁ ସତ୍‌ପାତ୍ରରେ ଦାନ କରିବାକୁ ଘରୁ ବାହାରି ଆସିଛନ୍ତି ।

 

ଦୁର୍ଗାଙ୍କର ମାମୁପୁଅ ଭାଇ ଲକ୍ଷ୍ମଣ ତ୍ରିପାଠୀ ଜଣେ ସଂସ୍କାର-ପ୍ରୟାସୀ ଆଧୁନିକ ଲୋକ-। ତାଙ୍କ ପାଖକୁ ଗଲେ ସେ କିଛି ସାହାଯ୍ୟ କରିପାରନ୍ତି ବୋଲି ତାଙ୍କର ଆଶା । ରେଳ ନ ପଡ଼ିବାବେଳେ ସେ ପିଲାଦିନେ ନିଜେ ବାପ ଘରୁ ତାଙ୍କ ଘରକୁ କେତେଥର ଯାଇଛନ୍ତି; କିନ୍ତୁ କସରଦାରୁ ସେ ପୁରୀ ଜିଲା କଣାସ ଥାନା ତ୍ରିଲୋଚନପୁରକୁ ଯିବାର ବାଟ ଜାଣନ୍ତି ନାହିଁ-। ପୁରୀ ଗଲେ ତାହାର ସୁରାଖ ମିଳିବ ବୋଲି ସେ ଆପାତତଃ ପୁରୀ ଯିବାକୁ ଭାବିଥିଲେ; ମାତ୍ର ଘରୁ ବାହାରି ଆସିଲା ପରେ ବାଟରେ ତାଙ୍କର ନାନା ଚିନ୍ତା ବଢ଼ିଛି । ଘରକୁ ଫେରିଯିବାକୁ ଇଚ୍ଛା କରି ସୁଦ୍ଧା, ସାହସ କରି ପାରୁ ନାହାନ୍ତି । ଫଳରେ ନଦୀ ସୁଅରେ ଭାସିଲା କାଠଖଣ୍ଡପରି, ଥରେ ପାଣିକି ଡେଇଁ ପଡ଼ିଥିବାରୁ, ସୁଅ ବଳରେ ଚାଲିଛନ୍ତି ମାତ୍ର । ହୃଦୟରେ ଆଉ ବିଶେଷ କୌଣସି ଲକ୍ଷ୍ୟ ନାହିଁ-। ଲୀଳା ମା’ଙ୍କର ଅଭିପ୍ରାୟ ବାଟରେ ଜାଣିପାରି କହିଛି ଯେ ସେ ପ୍ରାଣ ସିନା ହରାଇବ, ତଥାପି ବିଧାତା କପାଳରୁ ଲିଭାଇଥିବା ସିନ୍ଦୁର ଟୋପା ଆଉ ଘେନିବ ନାହିଁ-। ହୃଦୟ ପୀଠରେ ସଦାଶିବ ନିମନ୍ତେ ଯେଉଁ କ୍ଷୁଦ୍ର ଦେଉଳଟି ଗଢ଼ିଥିଲା, ସେଥିରେ ଆଉ କାହାରିକୁ ବସିବାକୁ ଦେବ ନାହିଁ-। ଦୁର୍ଗା ଯାହା ପାଇଁ ଘର ଛାଡ଼ି ବନସ୍ତରେ ପଶିଲେ, ତା’ରି ଅବୁଝାପଣ ଯୋଗେ ତାଙ୍କୁ ଆହୁରି ଘାଣ୍ଟି ହେବାକୁ ହେଉଛି । ତାଙ୍କର କୌଣସି ସ୍ଥିର ଉଦ୍ଦେଶ୍ୟ ନାହିଁ-। କପାଳରେ ଭଲ କିଛି ଜୁଟିଲେ, ଆପତ୍ତି ନାହିଁ; ନ ଜୁଟିଲେ ମଧ୍ୟ ଦୁଃଖ ନାହିଁ-। ସେ ସଂସାର ସ୍ରୋତରେ ଇତସ୍ତତଃ ହେଉଛନ୍ତି, ଭୀଷଣ ଆନ୍ଦୋଳନ ଅନୁଭବ କରୁଛନ୍ତି । ଭାସିବେ କି ବୁଡ଼ିବେ ଠିକ୍‌ ନାହିଁ । କେବଳ ହଠାତ୍‌ ମାର୍କଣ୍ଡ ଆସି ଅଯାଚିତ କର୍ଣ୍ଣଧାର ହୋଇ ମିଳି ଯାଇଛନ୍ତି ମାତ୍ର-

 

ମାର୍କଣ୍ଡ ମହାପାତ୍ର ଜଣେ ଧନୀ ଘରର ପୁଅ, ପିତାଙ୍କ ଅନ୍ତେ ଏବେ ପ୍ରାୟ ବାର୍ଷିକ ଆଠ ହଜାର ଟଙ୍କା ଆୟର ସମ୍ପତ୍ତିରେ ମାଲିକ ହୋଇଛନ୍ତି । ଦାନ ଖଇରାତରେ ତାଙ୍କର ଅନେକ ବ୍ୟୟ ହୁଏ । ନିଜ କୁଟୁମ୍ବ ଲୋକଙ୍କର ଭରଣ ପୋଷଣ ଆଦି ବ୍ୟୟ ଛଡ଼ା, ଦୁଇଟି ସ୍ତ୍ରୀ ବ୍ୟକ୍ତିଙ୍କ ତୀର୍ଥଯାତ୍ରା ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷେ କଷ୍ଟକର କଥା ନୁହେଁ । ସେ ଦୁର୍ଗା ଏବଂ ଲୀଳା ଦୁହିଁଙ୍କୁ ଭୁବନେଶ୍ୱର ପୁରୀ ନେଲେ । ପୁରୀରେ ଜଣେ ବିଶ୍ୱାସୀ ଲୋକକୁ ସାଥୀ କରି ଦେଇ ଖର୍ଚ୍ଚ ନିମନ୍ତେ ଅଢ଼େଇ ଶହ ଟଙ୍କା ଯାଚି ଦୁର୍ଗାଙ୍କୁ କହିଲେ, ‘‘ତୁମେ ଗଙ୍ଗା ସ୍ନାନ କରିଯିବ ପରା, ଯାଅ । ସେଠାରୁ ଆଉ ଯେଉଁଆଡ଼େ ଇଚ୍ଛା ହେବ, ଯିବ । ଏ ଲୋକ ତୁମକୁ ନିଜ ଘରେ ପହଞ୍ଚାଇ ଦେଇ ଆସିବ ।

 

ଦୁର୍ଗା କହିଲେ, ‘‘ପୁଅ, ଏ ପନ୍ଦର ବର୍ଷର ଅନାଥ ଝିଅକୁ ଲାଙ୍ଗୁଡ଼ରେ ବାନ୍ଧି ମୁଁ କି ତୀର୍ଥ କରିବାକୁ ଯିବି ? ବାପା, ମୋର ତ ଘରେ କେହି ନାହିଁ ଯେ ମୁଁ ଘରକୁ ଫେରିବି । ତୁମେ ଯେବେ ଶାଗ ପେଜ ଦେଇ ଏ ଦି’ପେଟ ପୋଷି ପାରିବ, ମୁଁ ତୁମରି ଉପରେ ଭାର ହେବି । ମୁଁ କିଛି ୠଣୀ ହେବିନାହିଁ । ମୋ ଝିଅ ସୁକୁମାରୀ ନୁହେଁ । ରାନ୍ଧି-ବାଢ଼ି ପାରିବ, ମୁଁ ପାଣି ଆଣିବି, ଧାନ କୁଟିବି । ଆମେ ଆଉ ତୀର୍ଥ କରିବାକୁ ଯିବୁ ନାହିଁ, ତୁମ୍ଭଠାରୁ, ବାପା ଏ ବୁଜୁଳାଏ ଟଙ୍କା ନେଇ ତୁମ ଗୁହାଳ ଘରେ କି ଢିଙ୍କିଶାଳେ ଆମକୁ ଟିକିଏ ଥାନ ଦେଲେ, ସେଇଠି ପଡ଼ି ରହିବୁ । ଲୀଳାର ବାପା କେବେ ଆସିଲେ ଆମକୁ ନେଲେ ଯିବୁ ।’’

 

ଦୁର୍ଗାଙ୍କ କଥା ଶୁଣି ଯୁବକ ମାର୍କଣ୍ଡଙ୍କ ହୃଦୟ ତରଳି ଗଲା । ସେ ପରର ଦୁଃଖ ସହି ପାରନ୍ତି ନାହିଁ । ଲୀଳା ସହିତ ତାଙ୍କର କଥାବାର୍ତ୍ତା ହୋଇ ନାହିଁ; ଏପରିକି ସେ ତା’ର ମୁହଁ ସୁଦ୍ଧା ଦେଖି ନାହାନ୍ତି । ଲୀଳା ଲଜ୍ଜା ସଙ୍କୋଚରେ ମୁଣ୍ଡ ପୋତି ଦୂରେ ଦୂରେ ରହି ଚଳପ୍ରଚଳ ହୁଏ । ତା’ର ହୃଦୟର ବେଦନା ଦୁର୍ଗାଙ୍କ ତୁଣ୍ଡରେ ପ୍ରତିଧ୍ୱନିତ ହୋଇ ମାର୍କଣ୍ଡଙ୍କ କାନକୁ ଯାହା ଆସେ ମାତ୍ର । ମାର୍କଣ୍ଡ ସେ ଦୁହିଁଙ୍କ ସହିତ ଚାରିଦିନ ରହି ବୁଝିଥିଲେ ଯେ ସେମାନେ ତାଙ୍କର କୃପାର ଉପଯୁକ୍ତ ପାତ୍ର । ସେମାନଙ୍କୁ ତୀର୍ଥ କରିବାକୁ ଅସହାୟ ଭାବରେ ଦୂର ବିଦେଶକୁ ପଠାଇଦେବାକୁ ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛା ହେଉ ନଥିଲା; କିନ୍ତୁ ଭୁବନେଶ୍ୱର ଷ୍ଟେସନ୍‍ରୁ ଭୁବନେଶ୍ୱର ଗ୍ରାମକୁ ଯିବାବେଳେ ବାଟରେ ଦୁର୍ଗା ଯେ ତୀର୍ଥଯାତ୍ରାରେ ବାହାରିଥିବା କଥା କହିଲେ, ତାଙ୍କର ସେହି ଅଭିଳାଷ ପୂର୍ଣ୍ଣ କରିବାପାଇଁ ମାର୍କଣ୍ଡ ଆଜି ତାଙ୍କୁ ଗଙ୍ଗାସ୍ନାନ କରିବା ନିମନ୍ତେ ଯିବାକୁ ପଠାଉଥିଲେ-। ଦୁର୍ଗାଙ୍କର କଥା ଶୁଣି କହିଲେ, ‘‘ଭଲ କଥା, ଆମ ଘରକୁ ତେବେ ଯିବ ।’’ ତା’ପରେ ସେ ସେମାନଙ୍କୁ ଚନ୍ଦ୍ରଭାଗା ଓ ସାକ୍ଷୀଗୋପାଳ ବୁଲାଇ, ଶେଷରେ ଘରକୁ ଘେନି ବାଙ୍କୀ ଫେରିଲେ-

 

ମାର୍କଣ୍ଡ ଯେ କେବଳ ଧନୀ ତାହା ନୁହେଁ, ସେ ଜ୍ଞାନୀ ମଧ୍ୟ । ଲକ୍ଷ୍ମୀ ଏବଂ ସରସ୍ୱତୀ ଉଭୟେ ତାଙ୍କୁ ଅନୁଗ୍ରହ କରିଛନ୍ତି । ବୟସ ପ୍ରାୟ ଚବିଶବର୍ଷ, ପଢ଼ା ଶେଷ ନୋହିଥିବାରୁ ବିବାହ ହୋଇ ନଥିଲା । ଏବେ ଅନେକଠାରେ ପ୍ରସଙ୍ଗ ଲାଗିଛି; ମାତ୍ର ମାଆଙ୍କ ମନକୁ କୌଣସିଟି ପାଉନାହିଁ । ଯେତେ କନ୍ୟା ଦେଖୁଛନ୍ତି, ସମସ୍ତଙ୍କର କିଛି ନା କିଛି ଖୁଣ ଦେଖାଯାଉଛି । ଦିନେ ସେ ଦୁର୍ଗାଙ୍କ ପାଖରେ ବସିଛନ୍ତି, ପୁଅଙ୍କ ବିବାହ ବିଷୟ ପକାଇ, ହଠାତ୍‌ କହିପକାଇଲେ, ‘‘ଆହା, ଲୀଳାଟିକି ଯେବେ ବିଧାତା ବାମ ନୋହିଥାନ୍ତା, ମୁଁ କାହିଁକି ଏତେ ଧନ୍ଦି ହେଉଥାନ୍ତି, ଏତେ ଆଡ଼େ ଏଣେତେଣେ ଆଖି ବୁଲାଉଥାନ୍ତି ।

 

ଦୁର୍ଗା ନିଜର ଝିଅ ସହିତରେ ମାର୍କଣ୍ଡଙ୍କ ଘରେ ପହଞ୍ଚି ତାଙ୍କ ଆଶା ଅନୁସାରେ ଗୁହାଳ ଘରେ ବା ଢିଙ୍କିଶାଳେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଇ ନାହାନ୍ତି । ତାଙ୍କୁ ଅଲଗା ଖୁଆଡ଼ ମିଳିଛି । ମା’ ଝିଅ ସେଠାରେ ପୃଥକ୍‌ ଭାବରେ ମାର୍କଣ୍ଡଙ୍କ ଘର ସହିତ କୌଣସି ସମ୍ପର୍କ ନ ରଖି ରହନ୍ତି, ନିଜେ ରାନ୍ଧି ଖାଆନ୍ତି, ତାଙ୍କୁ ମାର୍କଣ୍ଡଙ୍କ ଘରେ ରୋଷେଇ କରିବା କିମ୍ବା ଧାନ କୁଟିବା, ପାଣି ବୋହିବାକୁ ପଡ଼ୁନାହିଁ । ଲୀଳା ମାର୍କଣ୍ଡଙ୍କ ଘର ତ ଏକାବେଳକେ ମାଡ଼େ ନାହିଁ । ଦୁର୍ଗା ମଧ୍ୟ ସେତେ ବେଶି ଯାଆନ୍ତି ନାହିଁ । ମାର୍କଣ୍ଡଙ୍କର ସ୍ପଷ୍ଟ ମନା ଅଛି ଯେ ସେମାନଙ୍କୁ କେହି ଯେପରି କିଛି କାମ ନ ବତାଏ-। ଧାନ କୁଟାଳିମାନେ ଚାଉଳ ଆଣି ଦିଅନ୍ତି । ପନିପରିବା, କାଠ, ପାଣି ରୋଜ୍ ଆସି କେଉଁଠାରୁ ପହଞ୍ଚେ, ସେଥିପାଇଁ ଦୁର୍ଗାଙ୍କୁ ଭାବିବାକୁ ପଡ଼େ ନାହିଁ । କାମ ନଥିଲାବେଳେ ମାର୍କଣ୍ଡଙ୍କ ମା’ ଆସି ଲୀଳା ସହିତ କଥାବାର୍ତ୍ତା ହସକଉତୁକ ହୁଅନ୍ତି । ସେତେବେଳେ ସେ କହନ୍ତି, ‘‘ଆହା, ଲୀଳାଟି କିପରି ଗୋଟିଏ ଚାଉଳରେ ଗଢ଼ା !’’

 

ମାର୍କଣ୍ଡଙ୍କର ପୁରୁଷ ଅଭିଭାବକ ନଥିବାରୁ, ତାଙ୍କ ମା’ ନିଜେ କନ୍ୟା ଦେଖିବାକୁ ଯାଆନ୍ତି-। ଲୀଳା ଆସିଲା ପରେ ସେ କେତେ କନ୍ୟା ଦେଖିବାକୁ ଗଲେ । କେହି ତାଙ୍କ ମନକୁ ପାଇଲେ ନାହିଁ । କିଏ ଟିକିଏ ସାବନା, କିଏ ଅତି ତୋଫା ଗୋରା, କିଏ ଡେଙ୍ଗୀ, କିଏ ବାଙ୍ଗରୀ, କିଏ ଭାରି ମୋଟୀ, କିଏ ସରୁଆ; ଏହିପରି ଜଣ ଜଣ ହୋଇ ସମସ୍ତେ କଟିବାରେ ଲାଗିଲେ । ଲୀଳା ବର୍ତ୍ତମାନ ତାଙ୍କର ସୌନ୍ଦର୍ଯ୍ୟର ମଛା; ତା’ପରି ଡଉଲରେ ପିଲାଟିଏ କୌଣସିଠାରେ ମିଳିଲା ନାହିଁ-। ଦୁର୍ଗା ଘରୁ ବାହାରି ଆସିବାର ଅଭିପ୍ରାୟ ମନରୁ ଦୂର କରିଥିଲେ । ଶାସ୍ତ୍ରର ବାଧା, ବନ୍ଧୁବାନ୍ଧବଙ୍କ ଆପତ୍ତି ସେ ତ ଏଡ଼ିଥିଲେ; ମାତ୍ର ନିଜେ ଲୀଳାର ଅନାସ୍ଥା ଓ ଯେ ବିବାହ ସୂତ୍ର ବିଧାତା ଥରେ ଛିଣ୍ଡାଇ ଦେଇଛି, ତାକୁ ପୁଣି ଗଇଣ୍ଠାଇବାକୁ ଚେଷ୍ଟା କରିବାରେ ତା’ର ଘୋର ଅନିଚ୍ଛା, ତାଙ୍କ ପ୍ରତି ଏକ ପ୍ରକାଣ୍ଡ ଅଲଙ୍ଘନୀୟ ଅନ୍ତରାୟ ହୋଇ ପଡ଼ିଥିଲା । ସେଥିପାଇଁ ଅସମ୍ଭବକୁ ସେ ଆଉ ହୃଦୟରେ ପୋଷି ରଖି ନଥିଲେ; କିନ୍ତୁ ମାର୍କଣ୍ଡଙ୍କ ମା’ଙ୍କ ତୁଣ୍ଡରୁ ଲୀଳା ବିଷୟରେ କଥା ଶୁଣିଲା ଦିନୁ ତାହା ବିଜୁଳି ଛଟକ ପରି ବେଳେବେଳେ ତାଙ୍କ ହୃଦୟରେ ଖେଳି ଯାଉଅଛି, ପ୍ରବଳ ଭାବରେ ତାଙ୍କର ସମସ୍ତ ପ୍ରାଣକୁ ଆନ୍ଦୋଳିତ କରୁଅଛି । ମାତ୍ର ପର ମୁହୂର୍ତ୍ତରେ ସବୁ ଅନ୍ଧାର ଦିଶୁଅଛି; ସେ ଭାବନ୍ତି, ‘‘ଏହା କ’ଣ ସମ୍ଭବ ? ଏ କୁବେର ଘରେ ବିଦୁରର କନ୍ୟା ! ପୁଣି ସମସ୍ତେ କହିବେ, ଅଇଣ୍ଠା-। ଏଥିରେ ମାର୍କଣ୍ଡ ରାଜି ହେବ ? ନା, ତା’ଠାରେ କ’ଣ ଅଛି ? ତା’ର ମା’ ତ କାନରେ ଶୁଣିବେ ନାହିଁ ସେ ସବୁ ହେଲେ ମଧ୍ୟ, ଲୀଳାକୁ କ’ଣ ମଙ୍ଗାଇ ପାରିବି ?’’ ଏହିପରି ନାନା କଥା ଭାବି, ଦୁର୍ଗା ନିରାଶ ହୋଇ ଢଳିପଡ଼ନ୍ତି ।

 

ମା’ ତାଙ୍କ ପାଇଁ ଲୀଳାପରି କନ୍ୟାଟିଏ ଖୋଜୁଛନ୍ତି ଶୁଣିଲା ଦିନୁ, ମାର୍କଣ୍ଡ ଭାବୁଛନ୍ତି, ‘‘କାହିଁକି, ଯାହା ପରି ରତ୍ନ ମୋର ଲୋଡ଼ା, ସେ ନିଜେ କ’ଣ ତା’ଠାରୁ ହୀନ ?’’ ଏବେ ସେ ଲୀଳାକୁ ପାଳିତା, ଆଶ୍ରିତା, ଅନାଥିନୀ, ଅରକ୍ଷିତା ବାଳିକାଟିଏ ବୋଲି ମଣନ୍ତି ନାହିଁ । ଲୀଳା ମଧ୍ୟ ମାର୍କଣ୍ଡଙ୍କୁ କେବଳ ଆଶ୍ରୟଦାତା, ରକ୍ଷକ ବୋଲି ମନେ କରେନାହିଁ । ବାଙ୍କୀ ଆସିଲା ପରେ ଅନେକ ଦିନ ଦୁହିଁଙ୍କର ଦେଖା ହେଉ ନଥିଲା । ଲୀଳା ଥରେ ରୋଗରେ ପଡ଼ିବାରୁ ମାର୍କଣ୍ଡ ନିଜେ ଶୁଶ୍ରୂଷା କରିବାକୁ ଗଲେ । ରୋଗ ଶଯ୍ୟାରୁ ଝାଡ଼ଝୁଡ଼ ହୋଇ ଉଠି, ଲୀଳା ଆଉ ମାର୍କଣ୍ଡଙ୍କୁ ଲୁଚିଲା ନାହିଁ । କ୍ରମେ ଦୁହିଁଙ୍କ ମଧ୍ୟରେ କି ଏକ ଅଦୃଶ୍ୟ ସମ୍ପର୍କ ବଢ଼ିବାକୁ ଲାଗିଲା ଯେ ଦୁହେଁ ଗୋପନରେ, ଅନ୍ୟମାନଙ୍କଠାରୁ ଦୂରରେ, ପରସ୍ପରକୁ ଭେଟିବାକୁ, ପରସ୍ପର ସହିତ କଥାବାର୍ତ୍ତା ହେବାକୁ, ଯେତେ ପସନ୍ଦ କଲେ, ଅନ୍ୟମାନଙ୍କ ସଙ୍ଗରେ ଥିଲାବେଳେ ସେତେ ପସନ୍ଦ କଲେନାହିଁ; ମାତ୍ର ସେପରି ସୁଯୋଗ କେବେ ଘଟିଲା ନାହିଁ । ଲୀଳା ଏକା ଥିଲାବେଳେ ଗମ୍ଭିରୀ ଘରେ ଲୁଚି ରହେ, ମାର୍କଣ୍ଡ ମଧ୍ୟ ଲୀଳାର ରହିବା ସ୍ଥାନକୁ ଏକାକୀ, ଚୋର ପରି ଯିବାକୁ ନିତାନ୍ତ ଲଜ୍ଜାର କଥା ମନେ କରନ୍ତି ।

 

କ୍ରମେ ଦୁର୍ଗା ଜାଣିପାରିଲେ ଏବଂ ମାର୍କଣ୍ଡଙ୍କ ମା’ ସନ୍ଦେହ କଲେ ଯେ ମାର୍କଣ୍ଡ ଲୀଳା ପ୍ରତି ମନେମନେ ଆସକ୍ତି ହୋଇଛନ୍ତି ଜାଣି, ଦୁର୍ଗା ବିଚାରିଲେ, ‘‘ବିଧାତା କ’ଣ ସତେ ଏହା ଘଟାଇବ-? ଲୀଳାର ହୀନକପାଳରେ କ’ଣ ଏଡ଼େ ବଡ଼ କଥା ଅଛି ।’’ ମାତ୍ର ମାର୍କଣ୍ଡଙ୍କ ମା’, ମନକୁ ନ ପାଇଲେ ସୁଦ୍ଧା, ଗୋଟିଏ କନ୍ୟା ଠିକ୍‌ କରି ପକାଇଲେ, ମାର୍କଣ୍ଡଙ୍କ ଇଚ୍ଛା ବିରୋଧରେ ନିର୍ବନ୍ଧ ମଧ୍ୟ ହୋଇଗଲା ।

 

ମାର୍କଣ୍ଡଙ୍କ ହୃଦୟରେ ଯେତେବେଳେ ଆଉ ଗୋଟିଏ ଡୋରି ଆସି ବନ୍ଧା ହେବାକୁ ବସିଲା, ସେ ନିଜେ ଲୀଳା ସହିତ ଯେଉଁ ଅଦୃଶ୍ୟ ଡୋରିଟି ବାନ୍ଧିଥିଲେ, ତାହାର ଆକର୍ଷଣ ଦିନକୁଦିନ ଅଧିକ ଅନୁଭବ କରିବାକୁ ଲାଗିଲେ । ସେ ଜିଦ୍‌ ଧରି ବସିଲେ ଯେ ଲୀଳା ଛଡ଼ା ସେ ଆଉ କାହାରିକୁ ବିଭା ହେବେନାହିଁ; ଲୀଳା ପ୍ରସଙ୍ଗ ଯଦି ନ ହୁଏ, ବରଂ ଅଭିଆଡ଼ା ରହିବେ । ସେଥିରେ ମା’ ଏକାବେଳକେ ନାରାଜ । ସେ ଧର୍ମଶାସ୍ତ୍ର, ଶ୍ରୁତି, ସ୍ମୃତି, ମନୁ, ପରାଶର ଜାଣନ୍ତି ନାହିଁ; ମାତ୍ର ବିଧବା ଯେ ସଂସାରରେ ନିତାନ୍ତ ଅମଙ୍ଗଳକର ପଦାର୍ଥ, ବିବାହ ରୂପ ମଙ୍ଗଳ କାର୍ଯ୍ୟର ସେ କିପରି ପାତ୍ରୀ ହୋଇ ବସିବ ? ପୁଣି ଏ ଗୋଟାଏ ଅତ୍ୟନ୍ତ ନୂଆ କଥା, ସାରା ସୃଷ୍ଟିରେ ଶୁଣାନାହିଁ । ମା’ ମାର୍କଣ୍ଡକୁ ଅନେକ ବୁଝାଇଲେ, ଗାଳି ଦେଲେ, ଲକସ୍ତକ ହେଲେ, ମାର୍କଣ୍ଡ କର୍ଣ୍ଣପାତ କଲେ ନାହିଁ । ଫଳରେ ମା’ ବାଧ୍ୟ ହୋଇ ଶେଷକୁ କହିଲେ, ‘‘କୁଳାଙ୍ଗାର, ତୋ ଇଚ୍ଛା, ଯାହା ତୁ କରୁଚୁ କର, କେଉଁଠୁ ଗୋଟାଏ ଅଲକ୍ଷଣୀ ଆଣିଥିଲୁ, ଏବେ ତା’ରି ଫାନ୍ଦରେ ପଡ଼ି ସଢ଼’’ କହି ମା’ ଅଲଗା ହୋଇ ରହିଲେ; କୌଣସି କାର୍ଯ୍ୟରେ ଯୋଗ ଦେଲେ ନାହିଁ । ଜ୍ଞାତି, କୁଟୁମ୍ବ କେତେକ ଅଡ଼ି ରହିଲେ, ଆଉ କେତେକ ମର୍ଯ୍ୟାଦା ଭୋଜି ଚୁମ୍ବକରେ ଟାଣି ହୋଇ ଆସିଲେ ।

 

ବିନାୟକ ମିଶ୍ରେ ଭାର୍ଯ୍ୟା ଓ ଝିଅକୁ ବହୁଦିନ ଖୋଜି ଖୋଜି, ରାଗରେ ଜଳି, ଦୁଃଖରେ ସଢ଼ି, ଲଜ୍ଜାରେ ନଇଁ, ଯେଉଁ ଦିନ ଆସି ବାଙ୍କୀରେ ପହଞ୍ଚନ୍ତି, ସେଦିନ ମାର୍କଣ୍ଡଙ୍କର ଚାଉଳଧୂଆ । ସେ ଯେତେବେଳେ ଆସି ଦେଖିଲେ ଯେ ମାର୍କଣ୍ଡଙ୍କ ପରି ଜ୍ଞାନୀ, ବିବେକୀ, ଧନୀ, ଖ୍ୟାତିମାନ ଯୁବକ ତାଙ୍କର ଅଭାଗୀନି ନିଃସହାୟା ବିଧବା ଲୀଳାକୁ ବିଭା ହେବାକୁ ରାଜି ହୋଇଛନ୍ତି, ପ୍ରଚଳିତ ପ୍ରଥା ପ୍ରତି ଆଉ ଭ୍ରୂକ୍ଷେପ କଲେ ନାହିଁ, ଶାସ୍ତ୍ରରୁ ଖୋଜି ସପକ୍ଷ ମତ ବାହାର କରିବାକୁ ଲାଗିଲେ ।

 

ମଙ୍ଗଳନ ଦିନ ବିଶେଷ ଉତ୍ସବ ଲାଗିଲା, ବାଦ୍ୟ ବାଜିଲା, ବାଣ ଫୁଟିଲା, ହୁଳହୁଳିରେ ଗ୍ରାମସାରା ଫାଟି ପଡ଼ିଲା, ଭୋଜିରେ ବହୁଲୋକ ଖାଇଲେ । ଗମ୍ଭିରି ଘର ମଧ୍ୟରୁ ଲୀଳାର ବହୁଦିନର ଶୁଷ୍କ ଉତ୍ସ ଉଛୁଳି ପଡ଼ିବାକୁ ଲାଗିଲା । ମାର୍କଣ୍ଡ ହୃଦୟରେ ଏକ ଅବୋଧ୍ୟ ଆନନ୍ଦ ଅନୁଭବ କଲେ ।

 

ପରଦିନ ସକାଳେ ମାର୍କଣ୍ଡ ବେଦୀରେ ବସିଛନ୍ତି, ମନ୍ତ୍ର ଅଧେ ପଢ଼ା ସରିଲାଣି; କର୍ମକର୍ମାଣି କେତେକ ହୋଇଗଲାଣି, ବାଦ୍ୟ ମହୁରି ବାଜୁଛି, ଲୋକ କୋଳାହଳ ଘନ ଘନ ଉଠୁଛି-। କନ୍ୟା ବେଦୀକି ଆସିବାର ଆୟୋଜନ ଚାଲିଛି, ବିନାୟକ ମିଶ୍ରେ ସମ୍ପ୍ରଦାନ କରିବାକୁ ହାତରେ କୁଶ ପାତ୍ରୀ ଧରି ଉତ୍କଣ୍ଠାରେ ବସି ବାଟ ଚାହିଁଛନ୍ତି । ଭାବୁଛନ୍ତି, ‘‘ସବୁ ତ ହୋଇସାରିଛି, କେବଳ ହାତଗଣ୍ଠିଟା ପଡ଼ିଗଲେ, ରକ୍ଷା ।’’ ଏପରି ସମୟରେ କେତେକ ଲୋକ ପାଟି କରି ଉଠିଲେ, ‘ପଳା ପଳା ଭିଖ ବର୍ତ୍ତମାନ ନାହିଁ ।’ ବିନାୟକ ମିଶ୍ରେ କନ୍ୟା ଆସିବା ବାଟରୁ ଆଖି ବୁଲାଇ ଚାହିଁ ଦେଖିଲେ । ଛାତିରୁ କ’ଣ ଗୋଟାଏ ଖସି ପଡ଼ିଲା, ଆଖି ଖୋସି ହୋଇଗଲା । ଏ ଯେ ସେହି ସଦାଶିବ । ସେ ନ ଚିହ୍ନିଲା ପରି ହୋଇ ମୁହଁ ଫେରାଇ ନେଉଥିଲେ । ସଦାଶିବର ମୁଣ୍ଡ ମଧ୍ୟ ଲାଜରେ ପୋତି ହୋଇ ଯାଇଥିଲା । ସେ ହାତ ଯୋଡ଼ି, ନଇଁ, ବିନାୟକ ମିଶ୍ରଙ୍କୁ କହିଲା, ‘‘ନମସ୍କାର’’ ।

 

ହଠାତ୍‌ ହୁଲସ୍ତୁଲ ପଡ଼ିଗଲା । ବିନାୟକ ମିଶ୍ରେ କ’ଣ କରିବେ, ବୁଝିପାରିଲେ ନାହିଁ । ପ୍ରଥମେ ଘଟଣାଟା ଲୁଚାଇ ରଖିବାକୁ ଇଚ୍ଛାକଲେ; ମାତ୍ର ସେଥିରେ ମନ ମାନିଲା ନାହିଁ । ଛାତି ଫାଟିଗଲା ପରି, ମୁଣ୍ଡରେ ବଜ୍ର ପଡ଼ିଲା ପ୍ରାୟ ତାଙ୍କୁ ବୋଧ ହେଲା; ଦଶଦିଗ ଅନ୍ଧାର ଦିଶିଲା । ବିଚକ୍ଷଣ ମାର୍କଣ୍ଡ ବୁଝିପାରି, ତାଙ୍କୁ ପଚାରିଲେ, ‘‘ଆପଣ ହଠାତ୍‌ କାହିଁକି ଏତେ ବ୍ୟସ୍ତ ହେଉଛନ୍ତି ?’’ ମିଶ୍ରେ କିଛି ନ ଲୁଚାଇ ସବୁ କଥା କହିଗଲେ । କନ୍ୟା ଆଉ ବେଦୀକି ଆସିଲା ନାହିଁ । ମାର୍କଣ୍ଡ ଉଠି ସଦାଶିବର ହାତ ଧରି ଘରକୁ ଘେନିଗଲେ । ବାଦ୍ୟ ବନ୍ଦ ହେଲା, କୋଳାହଳ ଭିନ୍ନ ଆକାର ଧଇଲା-। କାନକୁ କାନ ସବୁଠାରେ କୁହାକୁହି ଚାଲିଲା ।

 

ସଦାଶିବ ବିବାହ ପରେ ଅର୍ଥ ଉପାର୍ଜନ କରିବାପାଇଁ ବଙ୍ଗ ଦେଶକୁ ବାଟକୁ ଯାଇଥିଲା-। ସେ ଗ୍ରାମକୁ ଫେରିବାବେଳେ ବିଦେଶରେ ହଇଜା ରୋଗରେ ପଡ଼ିବାରୁ ସାଥୀ ଲୋକ ତାକୁ ଛାଡ଼ି ପଳାଇ ଆସି, ରଟନା କଲେ ଯେ, ସେ ମରିଗଲା । ତେଣେ ସଦାଶିବ ରୋଗରୁ ଉଠି ଉପାର୍ଜନର ପନ୍ଥା କିଛି ନ ଦେଖି, ଭିକ ମାଗି, ପେଟ ପୋଷିବାରେ ଲାଗିଲା । ଲୀଳା କଥା ସେ ଅବଶ୍ୟ ବେଳେବେଳେ ମନେ ପକାଏ; ମାତ୍ର ସେ ମଧୁର ସ୍ମୃତି ମରୁଭୂମିର ଏକମାତ୍ର ଗୋଲାପ କଢ଼ି ପରି, ମୁହୂର୍ତ୍ତକ ମଧ୍ୟରେ ତା’ ମନରୁ ଝଡ଼ି, ଖସିପଡ଼େ । ଲୀଳା ଯେ ତା’ ଭିକ୍ଷା ପାତ୍ରର ପ୍ରାପ୍ୟ ରତ୍ନ ନୁହେଁ, ସେ ତାହା ବୁଝିପାରି ତାକୁ ଦୂରରୁ ବିଦାୟ ଦିଏ । ଏତେ କାଳ ଏକୁଟିଆ ଦୀନଭାବରେ ଭିକ୍ଷାନ୍ନରେ ଚଳି, ଲୋକଙ୍କଠାରୁ ଗାଳି ପରାଭବ ଖାଇ, ସେ କେବଳ ଯେ ଦେହରେ ଜୀର୍ଣ୍ଣଶୀର୍ଣ୍ଣ ଅବସନ୍ନ ହୋଇଅଛି, ତାହା ନୁହେଁ, ପ୍ରାଣରୁ ଦୟା, ମାୟା, ସ୍ନେହ, ମମତା ସୁଦ୍ଧା ବିସର୍ଜନ ଦେଇଛି ।

 

ମାର୍କଣ୍ଡ ବିନାୟକ ମିଶ୍ରଙ୍କୁ ସକୁଟୁମ୍ବ, ଅର୍ଥାତ୍‌ ସସ୍ତ୍ରୀକ, ସକନ୍ୟକ ଓ ସଜାମାତୃ ହୋଇ, ରହିବାକୁ ଆପଣା ଘର ଛାଡ଼ିଦେଲେ । ପ୍ରାଣରେ ଲୀଳାର କୁମାରୀ ହୃଦୟର ଯେଉଁ ମଳୟଧାରା ଅନୁଭବ କରି ସେ କୋମଳ କମ୍ପନରେ ଖେଳୁଥିଲେ, ତାହାର ପଥ ଆଉ ନିଜ ଆଡ଼କୁ ସେ ଉନ୍ମୁକ୍ତ ଦେଖୁନାହାନ୍ତି । ଲୀଳା ସଦାଶିବର ଗଳାର ମାଳା ହୋଇଅଛି । ସୁତରାଂ ଲୀଳା ସହିତ ସ୍ୱଚ୍ଛନ୍ଦଭାବରେ ପ୍ରକାଶ୍ୟରେ କଥାବାର୍ତ୍ତା କରିବାକୁ ତାଙ୍କୁ ଆଉ ସଙ୍କୋଚ ବୋଧ ହେଉନାହିଁ । ଲୀଳା ମଧ୍ୟ ତାଙ୍କୁ ଆଉ ଲୁଚୁନାହିଁ । ଦୁହେଁ ଭାଇ ଭଉଣୀ ପରି ଚଳୁଛନ୍ତି ।

 

କେତେ ମାସ ପରେ ବିନାୟକ ମିଶ୍ରେ ସ୍ତ୍ରୀ କନ୍ୟା ଜୋଇଁଙ୍କୁ ଧରି କସରଦା ଯିବାକୁ ବସିଲେ । ମାର୍କଣ୍ଡ ଛାଡ଼ିଲେ ନାହିଁ, ଆଉ କେତେଦିନ ରହିବାକୁ ବଳାଇଲେ । ସେଠା ଛାଡ଼ି ଯିବାକୁ ସଦାଶିବର ଆଦୌ ଇଚ୍ଛା ନଥିଲା । ଲୀଳାର ମଧ୍ୟ ଗୋଟିଏ କାମ ବାକି ରହିଛି । ସେ କାମ ନ ସାରି ସେ ଯିବ କିପରି ? ସୁତରାଂ ବାପାଙ୍କର ଯିବା ପ୍ରସ୍ତାବ ଶୁଣି, ସେ ରହିବା ଯିବା ମଧ୍ୟରେ କଳଘଣ୍ଟାର ପିତଳ ଗୋଲି ପରି ଦୋଳାୟମାନ ହେବାକୁ ଲାଗିଲା । ମାର୍କଣ୍ଡଙ୍କୁ ବିଭା ନ କରାଇ ଚାଲିଯିବା ତ ତା’ ପକ୍ଷେ ସମ୍ଭବପର ନୁହେଁ; ମାତ୍ର ମାର୍କଣ୍ଡ ବିଭା ହେବାକୁ ରାଜି ନୁହନ୍ତି । ତାଙ୍କୁ କହି ବୁଝାଇବା ପାଇଁ ଲୀଳାକୁ ଯଥେଷ୍ଟ ଅବସର ମଧ୍ୟ ମିଳିଲା ନାହିଁ । କ୍ରମେ ସଦାଶିବ ଉଦ୍‌ବାର୍ଯ୍ୟ ହୋଇ ଉଠିଲା ଏବଂ ଧନକୁ ପରର ବିଚାରି ବରବାଦ୍‌ କରିବାକୁ ଲାଗିଲା ଯେ, ମାର୍କଣ୍ଡଙ୍କ ନାନା ଆପତ୍ତି ସତ୍ତ୍ୱେ, ବିନାୟକ ଶୀଘ୍ର ଜୋଇଁ, ଝିଅ ଓ ଭାର୍ଯ୍ୟାଙ୍କୁ ଧରି ଆପଣା ଘରକୁ ପଳାଇବାକୁ ସ୍ଥିର କଲେ ।

 

ବାଙ୍କି ଛାଡ଼ିଯିବା ପୂର୍ବଦିନ ସନ୍ଧ୍ୟାରେ ଲୀଳା ମାର୍କଣ୍ଡଙ୍କୁ କହିଲା, ‘‘ମୋର ଶେଷ ଅନୁରୋଧ, ଆଉ ନାହିଁ କର ନାହିଁ ।’’ ତଥାପି ମାର୍କଣ୍ଡ ନାହିଁ ଛଡ଼ା ଆଉ କିଛି କଲେ ନାହିଁ । କ୍ରମେ କଥାବାର୍ତ୍ତା, କାନ୍ଦ, ଶୋକରେ ରାତି ବହୁତ ହେଲା । ମାର୍କଣ୍ଡଙ୍କୁ କିଏ କି କାର୍ଯ୍ୟରେ ଡାକିବାରୁ, ସେ ଲୀଳାର ଆଖିରୁ ଲୁହ ପୋଛି, ପ୍ରବୋଧ ଦେଇ, ଶୁଣି ଆସିବାକୁ ଟିକିଏ ଅନ୍ତର ହୋଇଗଲେ । ଲୀଳା ଜାଣିଲା ମାର୍କଣ୍ଡଙ୍କୁ ବିଭା କରାଇବା ତା’ ପକ୍ଷେ ସମ୍ଭବପର ନୁହେଁ । ସେ କ୍ଷଣକ ମଧ୍ୟରେ କେତେ ବର୍ଷର ସ୍ମୃତି ମନରେ ଆଣି ଠୁଳ କଲା, କେତେ ବର୍ଷର ଚିନ୍ତା ପୁଣି ଭାବିଗଲା । ତାକୁ କୌଣସି ଉପାୟ ଦିଶିଲା ନାହିଁ । ଶେଷରେ ସେ ସ୍ଥିର କଲା ଯେ କେବଳ ମାର୍କଣ୍ଡଙ୍କ ଘରୁ ନୁହେଁ, ସାରା ସଂସାରରୁ ବିଦାୟ ନେଇ ଯିବ, ମାର୍କଣ୍ଡ ଅବିବାହିତ ରହିବା ଆଖିରେ ଦେଖିବ ନାହିଁ ।

 

ମାର୍କଣ୍ଡ କ୍ଷଣକ ମଧ୍ୟରେ ତରତରରେ ଫେରିଆସି ଦେଖିଲେ ଯେ ଲୀଳା ସେ ସ୍ଥାନରେ ନାହିଁ । ତାଙ୍କର ବୁଦ୍ଧି ହଜିଗଲା । ସେ ପାଟିକରି କହିଲେ, ‘‘ମୁଁ ବିଭା ହେବି ଲୀଳା, ମୁଁ ବିଭା ହେବି-।’’ ଲୀଳା ସେ କଥା ଶୁଣିବାକୁ ସେଠାରେ ନଥିଲା । ହଠାତ୍‌ ବଗିଚାର କୂଅ ଭିତରେ ଦୁଲ୍‌ କରି ଶବ୍ଦ ହେଲା । ଧାଇଁଯାଇ ମାର୍କଣ୍ଡ ଶୁଣିଲେ, ଭିତରୁ ଶବ୍ଦ ବାହାରୁଛି, ‘‘ତୁମେ ବିଭା ହେଲ ନାହିଁ-?’‘ ‘‘ହେବି ହେବି’’ ବୋଲି ପ୍ରତିଧ୍ୱନିତ କରି; ମାର୍କଣ୍ଡ ଲୀଳାକୁ ଉଦ୍ଧାର କରିବାକୁ କୂଅ ଭିତରକୁ ଡେଇଁ ପଡ଼ିଲେ ।

 

ସେଦିନ ରାତିରେ, ଆରଦିନ ଦିନଯାକ ଓ ତା’ପରେ ଦୁଇ ଚାରିଦିନ କାଳ ଏଣେତେଣେ କେତେ ଖୋଜା ଲାଗିଲା; ମାର୍କଣ୍ଡ ଲୀଳା ମିଳିଲେ ନାହିଁ । ଶେଷରେ ଦୁହିଁଙ୍କ ଶବକୁ କୂଅରୁ କାଢ଼ି କିଏ କେତେ ପରି କେତେ କଥା କହିଲେ । ତାହାର ପ୍ରତିବାଦ କରି ମାର୍କଣ୍ଡଙ୍କ ମା’ ଓ ଦୁର୍ଗା କହିଲେ, ‘‘ନା, ତା’ଠାରେ ସେ ଦୁର୍ଗୁଣ ନଥିଲା ।’’ କାନ୍ଦ ବୋବାଳିରେ ବାଙ୍କିଗଡ଼ ପୂରିଗଲା । ମାର୍କଣ୍ଡଙ୍କ ମା’ ଘର କୋଣରେ ଲୋଚା ହୋଇ ପଡ଼ି ରହିଲେ । ବିନାୟକ ମିଶ୍ରେ ଓ ଦୁର୍ଗା ସଦାଶିବକୁ ଘରକୁ ଯିବାକୁ ଭିଡ଼ିଲେ । ସେ ମାର୍କଣ୍ଡଙ୍କ ଘରେ ଲୀଳାର ପ୍ରଣୟ ପାଶରେ ବନ୍ଧା ହୋଇ ନଥିଲା ଯେ ସେ ପାଶ ଛିଣ୍ଡିବା ମାତ୍ରେ ସେଠାରୁ ଖସି ଚାଲିଯିବ । ବିନାୟକ ଦୁର୍ଗାଙ୍କୁ ଧରି କସରଦା ଚାଲିଗଲେ । ମାର୍କଣ୍ଡଙ୍କ ଉଆରସଦାରମାନେ ସଦାଶିବକୁ ଧକ୍‍କା ଦେଇ ନ ତଡ଼ିବା ପର୍ଯ୍ୟନ୍ତ, ସେ ସେ ଘରୁ ପାଦ କାଢ଼ିଲା ନାହିଁ ।

Image

 

ଗଳ୍ପମାଳା

ବନ୍ଦୀ

 

‘‘ଦେଖନ୍ତୁ, ସେମାନେ ଆପଣମାନଙ୍କ ପରି ଜମି ଚାଷ କରି ଚଳନ୍ତି ନାହିଁ । ଏହିପରି ଗୋଟିଏ ଗୋଟିଏ ଇଲାକା ତାଙ୍କର ଜମିଦାରି, ଦରମାଟା ପାନଖିଆ ଖର୍ଚ୍ଚ ମାତ୍ର । ଏହି ମୂର୍ଖ ଲୋକଙ୍କଠାରୁ ଖଜଣା ଅସୁଲ କରି ସେମାନେ ଆପଣାର ପେଟପାଟଣା ଚଳାନ୍ତି । ଆପଣ ସେଥିରେ ବାଧା ଦେଲେ ଚଳିବ କିପରି ? ଆପଣ ଆପଣଙ୍କ ରାଜଭାଗ ମାସକୁ ଦୁଇଶ ପାଇବେ, ନାହିଁ ଯଦି ସେଥିରେ ରାଜି ନୁହନ୍ତି, ଧରନ୍ତୁ ଆଉ ପଚାଶ; ମାତ୍ର ଆପଣ ଏ ପ୍ରସ୍ତାବରେ ସ୍ୱୀକାର କରିବାକୁ ହେବ । ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ, ତୁନି ହୋଇ ଘରେ ବସିଥିବେ; ସରକାରୀ ଦରମା ଭଳି ମାସ ଶେଷରେ ଦୁଇଶ ଅଢ଼େଇଶ ଆସି ଗୋଡ଼ତଳେ ହାଜର ହେବ । ରାଜା ଆପଣ ।’’

 

ଏହିପରି କେତେକ କଥାରେ ଆପଣାର ସୁଦୀର୍ଘ ବକ୍ତବ୍ୟର ଉପସଂହାର ଅଂଶ ସାରି, ମଧ୍ୟସ୍ଥ କୃଷ୍ଣବାବୁ, ନିଜ ଭଦ୍ରଲୋକି କାର୍ଯ୍ୟରେ କେତେକ ପରିମାଣରେ ସନ୍ତୋଷ ଅନୁଭବ କରି ଚାଲିଗଲେ । ନୀଳାମ୍ବର ଶ୍ରାଦ୍ଧର ବ୍ରାହ୍ମଣ ଶାଳଗ୍ରାମ ପରି ଅନେକ ସମୟ ଅବାକ୍‌ ହୋଇ ରହିଲେ । ସେ ସତେ କାହାର କଥା ଶୁଣୁଥିଲେ ନା କେବଳ ସ୍ୱପ୍ନ ଦେଖୁଥିଲେ, ଠିକ୍‌ ବୁଝିପାରିଲେ ନାହିଁ । ଏପରି ସମୟରେ ସନାତନ ଆସି କହିଲା, ‘‘ଏହି ପୁଣି କେତେଜଣ ଆସି କହୁଛନ୍ତି ଯେ ତାଙ୍କୁ ମାରି ଜବରଦସ୍ତି ଦେଢ଼ଶ ଟଙ୍କା ନେଇଛି । କ’ଣ କରାଯିବ, କହନ୍ତୁ । ଉପର ହାକିମମାନେ ତ କାଲା, କହିଲେ ଶୁଣିବାକୁ ନାହାନ୍ତି । ଏ କ’ଣ ଏହିପରି ଲୁଟି କରୁଥିବେ ? ଆପଣ ଯୋଗୀ ଲୋକ; ଶୁଣିଲେ ଭ୍ରୂକ୍ଷେପ କରି ନ ପାରନ୍ତି । କହିବେ, ‘ମିଥିଲାୟାଂ ପ୍ରଦୀପ୍ତାୟାଂ ନ ମେ ଲାଭୋ ନ ମେ କ୍ଷତିଃ ।’ ମୁଁ କିନ୍ତୁ ଟୋକା ଲୋକ; ରକ୍ତର ତେଜ ପୂରା ରହିଛି । କହନ୍ତୁ ଯାଇ ଲୋକଟାର ମୁଣ୍ଡ ଉଡ଼ାଇଦେବି । କଥାଟା ଶୁଣି କ୍ରୋଧରେ ମୋ ହୃଦୟ ଜଳୁଛି ।’’

 

ଘର ଭିତରେ ସନାତନ କହୁଥିବା କଥା ବାହାରୁ ଶୁଣି ଅଧିକ ସାହସରେ ପାଞ୍ଚ ସାତ ଜଣ ଲୋକ ଆସି, ମୁଣ୍ଡିଆ ମାରି, ପାଁପୁଡ଼ି ଥୋଇ କହିଲେ, ‘‘ହଜୁର, ଗାଳିଫଜିତ୍ ମାଡ଼ ଦେଇ ଦେଢ଼ଶ ଟଙ୍କା ନେଲା ।’’ ନୀଳାମ୍ବର ଶୁଣି, ନିତାନ୍ତ ହତାଶ ବ୍ୟକ୍ତି ପରି ଦୀର୍ଘନିଃଶ୍ୱାସ ପକାଇଲେ । ମୁହଁଟା ମୁହୂର୍ତ୍ତକ ପାଇଁ ଫିକା ପଡ଼ିଗଲା । ପୋଖରୀର ବାସି ପଦ୍ମଫୁଲ ପ୍ରଭାତର ଭ୍ରମରକୁ ଦେଖି ଫୁଟି ଉଠିଲା ପରି, ସେ ମନର ଦୁଃଖ ଦୁର୍ଭାବନା ଲୁଚାଇ ରଖି ଟିକିଏ ହସି କହିଲେ, ‘‘ନା, ଗାଳିଫଜିତ୍ ମାଡ଼ ଖାଇ, ତୁମେ ଦେଢ଼ଶ ଦେଲ, କହୁନାହଁ କାହିଁକି ?’’ ପ୍ରକୃତରେ କନକପୁର ତରଫର ଲୋକେ, ସବୁ ଆଡ଼ ପଲ୍ଲୀର ଲୋକଙ୍କ ଭଳି, ବଡ଼ ଭୀରୁ ଦୁର୍ବଳ ଓ ସାହସହୀନ । ସେଥିପାଇଁ ସେମାନେ ବାବୁଭୟା ଧୋବଧାଉଳିଆ ହାକିମହୁକୁମାମାନଙ୍କ ପାଇଁ ଗୋଟିଏ ପ୍ରଶସ୍ତ ସହଜସାଧ୍ୟ ଜମିଦାରି ଗଢ଼ି ରହିଥାନ୍ତି ।

 

ସତେଅବା ପୋଷା ମୃଗଶିଶୁ ଦଳ ନିଜ ନିଜ ଦେହରୁ ପୁଳାଏ, ଦୁଇପୁଳା ଲେଖାଏଁ ମାଂସ ହରାଇ ବନର ବାଘ ହାବୁଡ଼ରୁ ବର୍ତ୍ତି, ବାଣୁଆ ପାଖେ ଆଶ୍ରୟ ନେବାକୁ ଧାଇଁ ଆସିଥିଲେ, ବାଣୁଆ ଆଶ୍ରୟ ନ ଦେଇ ତାଙ୍କୁ ପୁଣି ସେହି ବନ ମଧ୍ୟକୁ ପଠାଇଦେଲା; ସେହିପରି ଭାବରେ ଲୋକଗୁଡ଼ିକ ନିଜ ଗ୍ରାମକୁ ଫେରିଗଲେ । ନୀଳାମ୍ବର କୌଣସି ସାହାଯ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ କହିଲେ, ଟିକିଏ ବିରକ୍ତି ମଧ୍ୟ ଦେଖାଇଲେ । ଶୁଣି, ସନାତନ ନିତାନ୍ତ ବିସ୍ମିତ ହେଲା । କାରଣ ତ ନିଜେ ଅନୁମାନ କରି କିଛି ବୁଝିପାରିଲା ନାହିଁ, ପଚାରିବାକୁ ତା’ର ସାହସ ମଧ୍ୟ ପଟିଲା ନାହିଁ । ସେ ନିଜର ଆଖିକି ଅବିଶ୍ୱାସ କରିବା ଉପରେ ବସିଲା; ମାତ୍ର ଲୋକେ ଏଣେତେଣେ ଗୁପ୍‌ଚୁପ୍‌ ହେଲେ । କେହି କେହି ଆହୁରି ଦୂରକୁ ଯାଇ କହିଲେ, ‘‘ଏ ଏହାରି ପରାକ୍ରମ । ନୋହିଲେ କି ନୀଳାମ୍ବରବାବୁ ଏପରି ହୁଅନ୍ତେ ?’’ କହି, ଡାହାଣ ହାତ ବୁଢ଼ାଆଙ୍ଗୁଳିର ଟିପ ତର୍ଜନୀ ଆଙ୍ଗୁଠି ଅଗ ପଗର ତଳଆଡ଼ୁ ଉପରକୁ ଟିକିଏ ଜୋରରେ ଫିଙ୍ଗି, ଗୋଟାଏ କୌଣସି ପରିଚିତ କ୍ରିୟାର ସଙ୍କେତରେ ଲକ୍ଷିତ ପଦାର୍ଥ ବିଶେଷର ସୂଚନା ଦେଲେ ।

 

କିନ୍ତୁ ନୀଳାମ୍ବରଙ୍କ ଠାରେ ଏପରି ଦୋଷାରୋପ କରିବାର କୌଣସି କାରଣ ନଥିଲା । କେତେଦିନ ତଳେ ଦାରୋଗାବାବୁ ଆଉ ଜଣଙ୍କଠାରୁ ଶହେ ଟଙ୍କା ନେଇଥିଲେ । ସେ ଲୋକ କଂସା, ଥାଳି, ଗୋରୁ ବିକି, ଟଙ୍କା ଦେଇ, ପରେ ନୀଳାମ୍ବରଙ୍କ ଆଗେ ଆସି ଗୁହାରି କରିବାରୁ, ନୀଳାମ୍ବର ଖବରକାଗଜଦ୍ୱାରା ସେ ବିଷୟର ସୂଚନା ଦେଇଥିଲେ । ଉପର ହାକିମ ତାହା ଦେଖି ଗୋପନରେ ତଦନ୍ତ କଲେ; ମାତ୍ର ଟଙ୍କା ଦେଇଥିବା ଲୋକଟି ନିଃସନ୍ଦେହ ଭାବରେ କହିଲା, ‘‘ହଜୁର, ମୁଁ ତାଙ୍କୁ କାହିଁକି ଟଙ୍କା ଦିଅନ୍ତି ?’’ କହି ଜିଭ କାମୁଡ଼ିଲା, ଦୁଇ ହାତରେ ଦୁଇ କାନ ମୁଦିଲା-। ହାକିମଙ୍କ ଅନ୍ୟାନ୍ୟ କେତେକ ପ୍ରଶ୍ନର ଉତ୍ତରରେ ପୁଣି କହିଲା, ମୁଁ ନେହାତ୍‍ ଗରିବ ଲୋକ ହଜୁର-! ମୁଁ କେଉଁଠୁଁ ଟଙ୍କା ପାଇବି ? ଶହେ ଟଙ୍କା ଦୂରର କଥା, ଶହେ ପଇସା ତ ମୋତେ ମିଳିବ ନାହିଁ, ବାନ୍ଧି ମାଇଲେ । ମୁଁ କାହିଁକି ନୀଳାମ୍ବରବାବୁଙ୍କୁ ଏପରି ଗୋଟାଏ ନ ହେବା କଥା କହନ୍ତି-? ସେ ଆଉ କୋଉଆଡ଼ୁ ଶୁଣିଥିବେ, କି ନିଜେ ଲଗେଇ ଯୋଡ଼ି କହିଥିବେ । ସେ କ’ଣ ଦାରୋଗାବାବୁଙ୍କ ଛାଇ ଦେଖିପାରନ୍ତି କି ? ସେ ତ ବାଘରେ ବାଘରେ ଲଢ଼େଇ କରିବେ, ଆମ ପରି ଛେଳିମୁଣ୍ଡକୁ ନେଇ ତା’ ଭିତରେ ଭର୍ତ୍ତି କରୁଛନ୍ତି କାହିଁକି ? ମଲା, ଦାରୋଗାବାବୁ ଶୁଣିଲେ ମତେ ରଖିବେଟି କି-? ହଜୁର ଆପଣେ ତାଙ୍କ କାନରେ ଯେପରି ନ ପଡ଼ିବ ।’’ ନୀଳାମ୍ବରବାବୁ ପୋଲିସ୍‌ଙ୍କ ବିରୁଦ୍ଧରେ ମିଥ୍ୟା ଅପବାଦ ପ୍ରକାଶ କରିଥିବା ଅପରାଧ ଯୋଗେ ତାଙ୍କ ବିପକ୍ଷରେ ଅଦାଲତରେ କିଛି ଗୋଟାଏ ମାମଲା ମକଦ୍ଦମା ଚଳିପାରେ କି ନା, ହାକିମ ଓ ଦାରୋଗା ଦୁହେଁ ସେ ବିଷୟ ନେଇ କେତେଦିନ ଆଇନ ବହି ଘଣ୍ଟାଘଣ୍ଟି କଲେ, ଓକିଲ ମୁକ୍ତାରଙ୍କ ପରାମର୍ଶ ନେଲେ; ମାତ୍ର ସେପରି ଲେଖାରେ ମାନହାନି ଚଳିପାରେ ନା ଜାଣି, ଆହତ ସର୍ପତୁଲ୍ୟ କ୍ରୋଧାଗ୍ନି ହୃଦୟ ମଧ୍ୟରେ ଜାଳି, ପ୍ରକାଶ୍ୟରେ ତୁନି ରହିଲେ । ନିଳାମ୍ବର ଏ ଘଟଣା ଜାଣିଥିବାରୁ, ସେଦିନ ସେ ପଦ୍ମପୁର ଲୋକଙ୍କ ଅଭିଯୋଗରେ କର୍ଣ୍ଣପାତ ନ କରି ଫେରାଇଦେଲେ ।

 

କେତେଦିନ ଚାଲିଗଲା । ତା’ପରେ କୃଷ୍ଣବାବୁ ଯେଉଁଦିନ ନୀଳାମ୍ବରଙ୍କ ପାଖକୁ ଆସନ୍ତି, ସେ କହିଲେ, ‘‘ଦେଖନ୍ତୁ, ଆପଣ ଆମ କଥା ରଖିଲେ ନାହିଁ । ଆପଣଙ୍କ ଦ୍ୱାରା ଆମର କିଛି କ୍ଷତି ହେବନାହିଁ ସେପରି, ତେବେ କାର୍ଯ୍ୟରେ ସେତେ ସୁବିଧା ହେବ ନାହିଁ । ଦାରୋଗା ପଦ୍ମପୁର ଲୋକଙ୍କଠାରୁ ସେଦିନ ଦେଢ଼ଶ ଟଙ୍କା ନେଇଯିବା ବିଷୟ ଆପଣ ଉପର ହାକିମଙ୍କୁ ଜଣାଇଥିଲେ-। ତା’ର କୈଫିୟତ ଦେବାକୁ ଦାରୋଗାଙ୍କଠାକୁ ଆସିଥିଲା । ସେ କ’ଣ କଇଫିୟତ ଦେଇଥିବେ, ତାହା ଆପଣଙ୍କର ଦଶଭାଗରୁ ଭାଗେ ମୁଣ୍ଡ ଥିଲାବାଲା କହିପାରିବେ । ମୁଁ ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ କହୁଛି । ଏପରି ଲେଖାଲେଖିରେ କିଛି ଫଳ ହେବନାହିଁ । ହାକିମମାନେ ତାଙ୍କ କଥାରେ ନା ଆପଣଙ୍କ କଥାରେ ବିଶ୍ୱାସ କରିବେ ? ଆପଣ ଏସବୁ ବୃଥା ପରୋପକାର ଛାଡ଼ିଦିଅନ୍ତୁ-। ଆମମାନଙ୍କର ଉପକାର କଲେ, ସେଥିରେ ପରୋପକାର ହେବ, ଆତ୍ମୋପକାର ମଧ୍ୟ ହେବ-। ଏପରି ଅଭାବ କଷ୍ଟରେ ରହିବାକୁ ପଡ଼ିବ ନାହିଁ । କହନ୍ତୁ ଦେଖି, ଆପଣଙ୍କ ପରି ଲୋକ ପକ୍ଷେ ଏସବୁ ଅଭାବ କଷ୍ଟ କି ନା ? ଏ କଥା ଆପଣଙ୍କୁ କେତେଥର କହିଛି; ଆଜି ମଧ୍ୟ ପୁଣି କହୁଛି; ମାତ୍ର ଏ ଶେଷଥର କହିଗଲି । ଦେଖନ୍ତୁ ଯାହା ଆପଣଙ୍କର ଇଚ୍ଛା ।’’

 

କହି, ଅଳ୍ପ ହସି, ଅନ୍ୟାନ୍ୟ ଦିନଠାରୁ ବିପରୀତ ରୀତିରେ ସିଧା ମୁଣ୍ଡ ପାଖେ ଦୁଇହାତ ଯୋଡ଼ି ନମସ୍କାର କରି, କୃଷ୍ଣବାବୁ ଚାଲିଗଲେ । ନିଳାମ୍ବର ସନାତନକୁ ଡାକି ପରାମର୍ଶ କରିବାରେ ଲାଗିଲେ । ସନାତନ କହିଲା, ‘‘ମୁଁ ତ କହୁଥିଲି, ସେମାନେ ସମସ୍ତେ ଏକା କଳର ବିଭିନ୍ନ ଅଙ୍ଗ । ମୋ ଉପାୟକୁ କିଛି ପାଏ ନାହିଁ । ହାତଗୋଡ଼ ଭାଜି, ଶେଯରେ ଦିନ ପନ୍ଦରଟା ପଡ଼ିଗଲେ, ତେଣିକି ସୁବୁଦ୍ଧି ଘଡ଼ଘଡ଼ି ଚଡ଼ଚଡ଼ି ପରେ ମେଘରୁ ପାଣି ବର୍ଷିଲା ପରି, ଛାଏଁ ଆସିବ । ଏଠୁ ଛାଡ଼ି ପଳାଇବେ ।’’

 

ସନାତନ ଯୁବକ, ବୟସ ବାଇଶ ବର୍ଷ ପାର ହୋଇ ନାହିଁ । ତା’ର ବାପ ମା’ଙ୍କୁ ଇହସଂସାରରୁ ନେଇଯାଇ, ବିଧାତା ତା’ ମୁଣ୍ଡ ଉପରୁ ମନୁଷ୍ୟ ଜୀବନର ସମୁଦାୟ ଭାର କାଢ଼ିନେଇଛି, ପୁଣି ତଳଆଡ଼ୁ ପାଦରେ ପ୍ରଣୟର ସୁବର୍ଣ୍ଣ ଶିକୁଳି ଛନ୍ଦି ହୋଇନାହିଁ । ସୁତରାଂ ତା’ର ହୃଦୟ ପବନର ହିଲ୍ଲୋଳରେ ଉଡ଼ି ବୁଲିବାକୁ ପ୍ରସ୍ତୁତ ହୋଇ ରହିଛି । ଅନ୍ୟାୟ, ଅତ୍ୟାଚାର, ଉତ୍ପୀଡ଼ନ ଦେଖିଲେ, କ୍ରୋଧରେ ତା’ର ତରୁଣ ପ୍ରାଣ ଜଳିଉଠୁଛି ।

 

ନୀଳାମ୍ବର କିନ୍ତୁ ବୟସରେ ପ୍ରୌଢ଼, ସନ୍ତାନସନ୍ତତି ନେଇ ଘର କରୁଛନ୍ତି । ସେ ବିଦ୍ୱାନ, ରକ୍ତପୁର ଗଡ଼ଜାତରାଜ୍ୟର ଏକମାତ୍ର ଗ୍ରାଜୁଏଟ୍‌ । ବି.ଏ. ପରୀକ୍ଷାରେ ସେ ଖୁବ୍‌ ଭଲ ଫଳ କରିଥିଲେ । ସେଥିପାଇଁ ହାକିମ-ହୁକୁମା, ସାହେବ ସୁବା ତାଙ୍କୁ ବଡ଼ ଚାକିରି ଯାଚିଥିଲେ; ମାତ୍ର ନୀଳାମ୍ବର କହିଲେ, ଲୋକସାଧାରଣଙ୍କ କାର୍ଯ୍ୟରେ ଲଗାଇବାକୁ ତ ବିଦ୍ୟା ଅର୍ଜନ କରାଯାଏ । ଏଥିପାଇଁ ବେତନ ନେବାର କାହାର କି ଅଧିକାର ଅଛି ?’’ ଫଳରେ ସମସ୍ତେ ତାଙ୍କୁ ପାଗଳ ବୋଲି କହିଲେ । ବିଶେଷରେ ନିଳାମ୍ବରଙ୍କର ଆର୍ଥିକ ଅବସ୍ଥା ଖୁବ୍‌ ସ୍ୱଚ୍ଛଳ ନୁହେଁ । ଖାଇ ପିଇ ସୁଖେ ଦୁଃଖେ ଚଳିବା ଭଳି ବିଷୟ ସମ୍ପତ୍ତି ଅବଶ୍ୟ ତାଙ୍କର ଅଛି; କିନ୍ତୁ ଭୋଗବିଳାସ ପାଇଁ ତା’ ମଧ୍ୟରେ ବିସ୍ତୀର୍ଣ୍ଣ କ୍ଷେତ୍ର ନାହିଁ । ସେ ଲୋକଙ୍କ ସମୂହ ଉନ୍ନତି ନିମନ୍ତେ ଗ୍ରାମେ ଗ୍ରାମେ ପାଠଶାଳା ବସାଇଛନ୍ତି; ଲୋକେ କିପରି ସାହସୀ, ମିତବ୍ୟୟୀ ଓ ଧର୍ମପରାୟଣ ହେବେ, ତା’ ଲାଗି ଶିକ୍ଷା ଦେଇଛନ୍ତି, ନାନା ସ୍ଥାନରେ ନାନା ଅନୁଷ୍ଠାନ ଗଢ଼ିଛନ୍ତି । ସେଥିପାଇଁ ବ୍ୟକ୍ତିଗତ ଓ ସାଧାରଣ ଜୀବନରେ ନାନା ବନ୍ଧନରେ ସେ ଆବଦ୍ଧ । ପାଦେ ଘୁଞ୍ଚିବାକୁ ହେଲେ, ତାଙ୍କୁ ଅନ୍ତତଃ ଗୋଟେ ଦୁଇଟା ଡୋର ଛିଣ୍ଡାଇବାକୁ ପଡ଼େ; ତଥାପି ସେ ଲୋକସେବାରେ ନିଜକୁ ନିୟୋଜିତ କରିଛନ୍ତି । ନିଜ ସ୍ୱାର୍ଥ ଓ ପରୋପକାର ମଧ୍ୟରେ ଯେଉଁଠାରେ ବିରୋଧ ଘଟେ, ସେଠାରେ ସେ ନିଜ ସ୍ୱାର୍ଥରେ ଜଳାଞ୍ଜଳି ଦିଅନ୍ତି । ସନାତନ ସଙ୍ଗେ ତାଙ୍କର ଉଦ୍ଦେଶ୍ୟରେ ଏକତା ଥିଲେ ସୁଦ୍ଧା, ତା’ର ଉପାୟରେ ସେ ସର୍ବଦା ଏକମତ ହୁଅନ୍ତି ନାହିଁ; ସୁତରାଂ ସେ ଦିନେ ସନାତନକୁ କହୁଥିଲେ, ‘‘ତୁମେ ଯଦି ଦାରୋଗୋକୁ ଗୋପନରେ ମାଡ଼ଦ୍ୱାରା ବା ମିଥ୍ୟାରେ ଦୋଷାରୋପ କରି ଜବତ କରିବାକୁ ଚାହଁ, ସେଥିରେ ମୋଠାରୁ ସହାନୁଭୂତି ପାଇବ ନାହିଁ ବରଂ ତୁମେ ଏପରି କିଛି କଲେ, ମୁଁ ହୁଏତ କେବଳ ନ୍ୟାୟର ଅନୁରୋଧରେ ତା’ ପକ୍ଷ ନେବି । ଯେ ଯେଉଁ କ୍ଷେତ୍ରରେ ଅନ୍ୟାୟ କରୁଛି, ତାକୁ ସେହିଠାରେ ହିଁ ଶାସନ କରିବା ନ୍ୟାୟସଙ୍ଗତ ।’’ ସନାତନ ସହିତ ନୀଳାମ୍ବରଙ୍କର ରକ୍ତର କୌଣସି ସମ୍ପର୍କ ନାହିଁ । ସେ ତାଙ୍କର କ୍ଷୁଦ୍ର ସ୍ୱେଚ୍ଛାସେବକ ଦଳର ଜଣେ ବଡ଼ଚାଟ ମାତ୍ର ।

 

କେହି କିଛି ଅନ୍ୟାୟ ଅପରାଧ କଲେ, ବିଚାର ଅଦାଲତରେ ତାହାର ଫଳ ଭୋଗ କରିବା ଉଚିତ; କିନ୍ତୁ ପୋଲିସ୍‌କୁ ଟଙ୍କାଦେଇ ଅଦାଲତ ବିଚାରର ଦ୍ୱାର ବନ୍ଦ କରିବା ଉଚିତ ନୁହେଁ-। ଏହି ନୀତି ନୀଳାମ୍ବର କନକପୁର ଅଞ୍ଚଳରେ ଯେତିକି ଜୋରରେ ପ୍ରଚାର କଲେ, ଲୋକେ ତାହା ଗ୍ରହଣ କରିବାକୁ ପରାଙ୍‌ମୁଖ ବୋଲି ତାଙ୍କୁ ତେତିକି ଅଧିକ ବୋଧ ହେବାକୁ ଲାଗିଲା-। ରତ୍ନପଲ୍ଲୀର ଜଣେ ସ୍ତ୍ରୀଲୋକ ସାପ କାମୁଡ଼ାରେ ମରିଯିବାରେ ସେ ଗ୍ରାମର ଲୋକଙ୍କଠାରୁ ଘର ପିଛା ପାଞ୍ଚଟଙ୍କା ହିସାବରେ ଦାରୋଗା ମୋଟରେ ଦୁଇଶ ସତୁରି ଟଙ୍କା ନେଇଥିବାରୁ, ସେ ଲୋକମାନଙ୍କର ଆପତ୍ତି ଶୁଣି ନୀଳାମ୍ବର ପୋଲିସ୍ ବିଭାଗର ବଡ଼ ହାକିମଙ୍କୁ ଜଣାଇଲେ । ହାକିମ ତଦନ୍ତ କରିବାକୁ ଦାରୋଗାଙ୍କ ଉପର କର୍ମଚାରୀଙ୍କୁ ପଠାଇଦେଲେ । ସେ କର୍ମଚାରୀ ନିଜେ ଦିନେ ଦାରୋଗା ଥିଲେ । ଝଡ଼ିପୋକ ଡେଣା ଲାଗିଲାପରେ ସେ ଯେପରି ଜନ୍ଦା, ପିମ୍ପୁଡ଼ି, ଉଇ ଆଦିଙ୍କ ପ୍ରତି ସହାନୁଭୂତି ରଖି ଚଳେ, ତଦନ୍ତରେ ସେ ସେହିପରି ଦାରୋଗାଙ୍କୁ ଘୋଡ଼ାଇ ଚାଲିଲେ । ସୁତରାଂ ନୀଳାମ୍ବରଙ୍କ ଏତାଲା ଅପ୍ରମାଣ ହେଲା । ତାଙ୍କର ଆଉ ମୁହଁ ରହିଲା ନାହିଁ । ତଥାପି ସେ ସନାତନକୁ କହିଲେ, ‘‘ଯାହା କହ ସନାତନ, ତୁମ ଉପାୟ ଭୁଲ । ସେଥିରେ ଆପାତତଃ ଫଳ ଫଳିପାରେ; ମାତ୍ର ଯାହା ବିବେକ ଅନୁମୋଦିତ ନୁହେଁ, ତାହା କରିବା କି ଠିକ୍‌ ?’’ ସନାତନ ନୀଳାମ୍ବରଙ୍କ କଥାରେ ବରାବର ମୁଣ୍ଡ ପୋତି ତୁନି ହୋଇ ରହିଯାଏ, ଆଜି ଶୁଣି କହିଲା; ‘‘ଆପଣଙ୍କ ବିବେକର କ’ଣ କେବଳ ଏହି ଶକ୍ତି ଅଛି ଯେ, ସେ ତା’ର ଅଧିକାରୀଙ୍କୁ ବିପଦ ଆପଦ ଓ ନିନ୍ଦାରେ ପକାଇପାରେ ?’’

 

ସନାତନ କଥା କହି ସାରିନାହିଁ, କୃଷ୍ଣବାବୁ ଆସି ପହଞ୍ଚିଲେ । ତାଙ୍କୁ ଦେଖିଲେ ବୋଧ ହେଲା, ସେ ବେଶ୍‌ ଖୁସି ଅଛନ୍ତି, ଯେପରିକି କୌଣସି ପ୍ରବଳ ଯୁଦ୍ଧରେ ଜିଣି ଆସିଛନ୍ତି; ଅଥଚ ଦେହ ହାତ ଗୋଡ଼ କେଉଁଠି କିଛି କ୍ଷତ ହୋଇନାହିଁ । ସେ ନୀଳାମ୍ବରକୁ କହିଲେ, ‘‘ଆମ କଥା ତେବେ ପିତା ଲାଗିଲା । ଆଚ୍ଛା, ଆପଣ ଆପଣଙ୍କ ବାଟେ ଚାଲନ୍ତୁ, ଆମେ ଆମ ବାଟେ ଚାଲିବୁଁ । ଦେଖାଯାଉ, କାହାର କି ଫଳ ଘଟୁଛି ।’’ ସେ ଆଉ ଅବା କ’ଣ କହିଥାନ୍ତେ; ସନାତନ ବାଧା ଦେଇ କହିଲା, ‘‘ଆପଣ ଏପରି ଅଭଦ୍ର ଭାବରେ କଥାବାର୍ତ୍ତା କରିବେ ନାହିଁ, କୃଷ୍ଣବାବୁ !’’

 

‘‘କଲେ ? ଏ କ’ଣ ଅଭଦ୍ରତା ହେଲା ? ଆଉ ଗୋଟାଏ ନିର୍ଦ୍ଦୋଷ ଲୋକ ବିରୁଦ୍ଧରେ ପନ୍ଦର ହାକିମଙ୍କ ପାଖକୁ ଚିଠି ଉପରେ ଚିଠି ଲେଖି ପଠାଇବା ଭଦ୍ରତା ? ଏଇ ତୁମ ପାଠପଢ଼ା ! ଭଗବାନ ତୁମକୁ ବଡ଼ କରିଛନ୍ତି, ରାଜା ଦେବାନ୍‍ଙ୍କ ପାଖେ ଆସନ ଦିଆଇଛନ୍ତି । ଆପଣା ମର୍ଯ୍ୟାଦା ଆପେଆପେ ରଖି ଚଳ ବାବୁ । ପରର ଅନିଷ୍ଟ ଚିନ୍ତା କାହିଁକି ? କହିଲେ ପୁଣି ଆମେ ହେଲୁ ଅଭଦ୍ର-। ଏ ଟୋକାଟାର ମୁହଁ ବଢ଼ାଇବା ଲୋକ କିଏ ? ଏ ପୁଣି ଆମକୁ କହିବେ ଅଭଦ୍ର । ହଉ ଆପଣଙ୍କ ଭଦ୍ରତା ନେଇ ରହନ୍ତୁ, ନୀଳାମ୍ବରବାବୁ ।’’ କହି, କୃଷ୍ଣବାବୁ ଠୋଠୋ ହସି, ଦପ୍‌ ଦପ୍‌ ହୋଇ ଚାଲିଗଲେ । ଘରପୋଡ଼ିବେଳେ ପାଟଳ ହୁତାଶନ ପିଣ୍ଡ ମଧ୍ୟରେ ଦରପୋଡ଼ା କାଠ ଦେହରୁ ଯେପରି ନୀଳ ଅଗ୍ନିଶିଖା ଅଳ୍ପ ଅଳ୍ପ ଉଠୁଥାଏ, କୃଷ୍ଣବାବୁଙ୍କ କ୍ରୋଧରକ୍ତ ମୁଖ ମଧ୍ୟରୁ ପାନବୋଳାରେ କଳା ପଡ଼ିଥିବା ଦାନ୍ତ ଦୁଇପାଟି ଅନେକ ପରିମାଣରେ ସେହିପରି ଦିଶିଲା ।

 

ଦାରୋଗା ଯେତେବେଳେ ଦେଖିଲେ ଯେ ନିଳାମ୍ବରଙ୍କୁ ହାତରେ ରଖିବାକୁ ଚେଷ୍ଟା କରିବା ବୃଥା, ସେ ପ୍ରଥମେ ପ୍ରଥମେ ଗୋପନରେ ଓ ପରେ କ୍ରମେ ପ୍ରକାଶ୍ୟରେ ତାଙ୍କ ବିରୁଦ୍ଧରେ ଲାଗିଲେ । ସେ କ୍ରମାଗତ ମନେକଲେ ଯେ ନୀଳାମ୍ବର ତାଙ୍କ ନ୍ୟାଯ୍ୟ ଅଧିକାର ଉପରେ ଅକାରଣ ହସ୍ତକ୍ଷେପ କରୁଛନ୍ତି; ତାଙ୍କର ପାଉଣା ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ସୌଭାଗ୍ୟ-ଲକ୍ଷ୍ମୀଙ୍କ ଶ୍ରୀଚରଣରୁ ତାଙ୍କ ମୁଣ୍ଡ ଉପରକୁ ଅନୁଗ୍ରହରେ ଯେ କ୍ଷୁଦ୍ର ଧାରାଟି ପ୍ରବାହିତ ରହିଛି, ତାହାର ଗତିରୋଧ କରିବାକୁ ନାନା ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି; ସୁତରାଂ ସେ ପ୍ରତିବନ୍ଧକଟି ଭାଙ୍ଗି ଚୂର୍ଣ୍ଣ କରିବାକୁ ବସିଲେ; କିନ୍ତୁ ନୀଳାମ୍ବର ସହଜଭେଦ୍ୟ ପ୍ରତିବନ୍ଧକ ନୁହନ୍ତି । ସେ ରକ୍ତପୁର ରାଜ୍ୟର ଜଣେ ଗଣ୍ୟମାନ୍ୟ ବ୍ୟକ୍ତି । ପ୍ରଜାମାନେ ଏକସ୍ୱରରେ ତାଙ୍କର ଗୁଣଗାନ କରନ୍ତି । ସେ କୌଣସି ଗ୍ରାମରେ ପହଞ୍ଚିଲେ, ପୂର୍ଣ୍ଣକୁମ୍ଭ ବସେ, ହୁଳହୁଳି ପଡ଼େ । ଲୋକେ ରୁଣ୍ଡ ହୋଇ ତାଙ୍କ ପାଦଧୂଳି ନେଇ ନିଜ ନିଜକୁ ଧନ୍ୟ ମଣନ୍ତି । ସେମାନେ ଜାଣନ୍ତି ଯେ ଶ୍ୱାପଦସଂକୁଳ ସଂସାର ଅରଣ୍ୟ ମଧ୍ୟରେ ନୀଳାମ୍ବର ହିଁ ସେମାନଙ୍କର ଏକମାତ୍ର ରକ୍ଷକ । ସେମାନେ ଯେତେବେଳେ ତାଙ୍କ ବିରୁଦ୍ଧରେ ଯିବା ଭଳି କୌଣସି କଥା କହନ୍ତି, ତାହା କେବଳ ନିଜର ସ୍ୱଭାବସିଦ୍ଧ ଭୟ ଯୋଗେ-। ସେମାନେ କହନ୍ତି, ‘‘ସେ ତ ମେରୁ ପର୍ବତ, ତାଙ୍କର କିଏ କ’ଣ କରିବ; ମାତ୍ର ଆମେ ଦାଣ୍ଡର ଧୂଳି, ଯେ ଆସିବ ମାଡ଼ି ଚାଲିଯିବ ।’’ ବାସ୍ତବରେ ନିଜକୁ ଧୂଳିକଣା ଓ ନୀଳାମ୍ବରଙ୍କୁ ମେରୁ ପର୍ବତ ମଣି, ରକ୍ତପୁରର ଓ ବିଶେଷରେ କନକପୁର ଅଞ୍ଚଳର ପ୍ରଜାମାନେ ଚଳନ୍ତି । ରାଜା ରାମଚନ୍ଦ୍ର ସିଂହଙ୍କ ପାଖେ ମଧ୍ୟ ନୀଳାମ୍ବରଙ୍କର ଖାତିର ଥାଏ; ଫଳରେ ଦାରୋଗା ତାଙ୍କ ସୁନାମରେ ଯେତେ ନିଆଁ ଲଗାଇଲେ ମଧ୍ୟ, ତାହା ଅଧବାଟରେ କେଉଁଠାରେ ଲିଭିଯାଏ; ବରଂ ଗୋପନରେ ଫେରି ଆସି ତାଙ୍କ ନିଜ ପ୍ରାଣରେ ଜଳି ରହେ ।

 

ମାତ୍ର ଦାରୋଗାଙ୍କୁ ନିଜର ଅଗ୍ନିରେ ନିଜେ ବହୁକାଳ ଦଗ୍ଧ ହେବାକୁ ପଡ଼ିଲା ନାହିଁ । ନିଜ ରାଜ୍ୟ ମଧ୍ୟରେ ନୀଳାମ୍ବରଙ୍କର ଅସାଧାରଣ ପ୍ରତିପତ୍ତି ଦେଖି, ରାମଚନ୍ଦ୍ର ସିଂହଙ୍କ ମନରେ ଈର୍ଷାର ଯେଉଁ କ୍ଷୁଦ୍ର ବୀଜଟି ଥରେ ସ୍ଥାନ ପାଇଲା, ତାହା କ୍ରମଶଃ ଅଙ୍କୁରିତ ହୋଇ ବଢ଼ିବାକୁ ଲାଗିଲା । ଫଳରେ ରାଜା ଦିନେ ମନ୍ତ୍ରୀଙ୍କୁ କହିଲେ, ‘‘ପୂର୍ବ ପ୍ରଚଳିତ ସିଦ୍ଧି ଅଛି ଯେ ରାଜା ବିଜେ ହେଲେ, ପ୍ରଜାମାନେ ଶଙ୍ଖଧ୍ୱନି କରିବେ, ହୁଳହୁଳି ପକାଇବେ, ପୂର୍ଣ୍ଣକୁମ୍ଭ ବସାଇବେ । ଏବେ ପୁଣି ଏ ଏକ ନୂଆ କଥା କ’ଣ ? ନୀଳାମ୍ବର ଯେପରି ଏ ରକ୍ତପୁର ରାଜ୍ୟର ରାଜା, ଆଉ ଆମେ ରାଜା ହୋଇ କିଛି ନୋହୁ ।’’ ଆତ୍ମପ୍ରତିଷ୍ଠାରେ ରାଜାଙ୍କର ଏ ପ୍ରକାର ସନ୍ଦେହ ଦୂର କରିବାକୁ ମନ୍ତ୍ରୀ ଅବଶ୍ୟ ନାନା ଯୁକ୍ତିତର୍କ ଦେଖାଇଲେ । ନୀଳାମ୍ବର ମନ୍ତ୍ରୀଙ୍କ ଶଳାଙ୍କର ଭାଣେଜୀ ଜୋଇଁ । ସେ ପ୍ରଥମେ ପ୍ରଥମେ ନୀଳାମ୍ବରଙ୍କୁ ପାଗଳ ବୋଲି ମଣୁଥିଲେ; କିନ୍ତୁ ସମୟ ତାଙ୍କର ଏ ଧାରଣା ପରିବର୍ତ୍ତନ କରିବାକୁ ଦୁଇ ଚାରିବର୍ଷରୁ ବେଶି ନେଲାନାହିଁ । ପୋଲିସ୍-ବିଭାଗର ଲୋକେ ନୀଳାମ୍ବରଙ୍କ ପଛରେ ଲାଗିଛନ୍ତି ବୋଲି ସେ ଜାଣିଥିଲେ । ବର୍ତ୍ତମାନ ରାଜାଙ୍କ ତୁଣ୍ଡରୁ ଏପରି ଗୋଟାଏ କଥା ଶୁଣି ହଠାତ୍‌ ଚମକି ପଡ଼ିଲେ; ସୁତରାଂ ତାଙ୍କ ମନରୁ ଧାରଣା ଦୂର କରିବାକୁ କେତେ ଚେଷ୍ଟା କଲେ । ଶେଷରେ ରାଜା ଯେତେବେଳେ କହିଲେ, ‘‘ତା’ ଠିକ୍‌, ଦେଉଳ ଭିତରେ ଯେ ପଥର ରହିବ, ସେ କ’ଣ ଠାକୁର ହୋଇଯିବ ?’’ ମନ୍ତ୍ରୀ ଆଶ୍ୱସ୍ତ ହୋଇ ମନେମନେ ଭାବିଲେ, ‘ଯା, ଏ ଗୋଟାଏ ଚିନ୍ତା ଗଲା’; କିନ୍ତୁ ଘଟଣାଟା କ୍ରମେ ବାୟୁମଣ୍ଡଳରେ ସଞ୍ଚରି ଯେତେବେଳେ କନକପୁର ଥାନାରେ ପହଞ୍ଚିଲା, କୃଷ୍ଣବାବୁ ଓ ଦାରୋଗା ବସି ଅନେକ ସମୟ ଏକାନ୍ତରେ କଥାବାର୍ତ୍ତା ହୋଇ ଶେଷରେ କହିଲେ, ‘‘କେବଳ କନକପୁର ଅଞ୍ଚଳରୁ କାହିଁକି, ସମଗ୍ର ରକ୍ତପୁର ରାଜ୍ୟପୁର ତା’ର ଅସ୍ତିତ୍ୱ ଲୋପ କରିବାର ବାଟ ସୁଗମ ହୋଇଗଲା ।’’

 

ଦାରୋଗା ଓ କୃଷ୍ଣବାବୁଙ୍କ ମଧ୍ୟରେ ପ୍ରକାଶ୍ୟ ଓ ଅନୁଭବ ସୁଲଭ ସମ୍ପର୍କ କିଛି ନାହିଁ । ଦାରୋଗା ପୋଲିସ୍ ବିଭାଗର କର୍ମଚାରୀ; କୃଷ୍ଣବାବୁ ତହସିଲଦାର, କନକପୁର ଅଞ୍ଚଳର ରାଜା ରାମଚନ୍ଦ୍ର ସିଂହଙ୍କ ଖଜଣା ଅସୁଲ କରନ୍ତି । ଦାରୋଗା ଜାତିରେ ବ୍ରାହ୍ମଣ, କୃଷ୍ଣବାବୁ କରଣ । ଦାରୋଗା ବର୍ଣ୍ଣରେ କଳା, ଆକାରରେ ବାଙ୍ଗର; କୃଷ୍ଣବାବୁ ଗୋରା, ଲମ୍ବଆସିଆ ଲୋକ । ଦାରୋଗାଙ୍କର ଦୁଇଟି ଭାର୍ଯ୍ୟା ସତ୍ତ୍ୱେ, ପୁଅ ଝିଅ କିଛି ନାହାନ୍ତି, କୃଷ୍ଣବାବୁଙ୍କର ଗୋଟିଏ ଭାର୍ଯ୍ୟାଠାରୁ ପାଞ୍ଚୋଟି ପିଲା, ପୁଣି ପୋଇଲୀ ଆଡ଼ୁ ମଧ୍ୟ ଗୋଟିଏ; ସୁତରାଂ ବାହ୍ୟିକ ସାମଞ୍ଜସ୍ୟ ବଳରେ ଉଭୟଙ୍କ ମଧ୍ୟରେ ମିଳନର କୌଣସି କାରଣ ନଥିଲା; ମାତ୍ର ଦୁହିଁଙ୍କ ହୃଦୟର ଭାବରାଶି ଓ ଜୀବନର ଉଦ୍ଦେଶ୍ୟ ପ୍ରାୟ ଏକ ଥିଲା ବୋଲି କହିଲେ ଚଳେ । ପ୍ରକୃତି ସତେଅବା ଗୋଟାଏ ମାଠିଆ ଓ ଗୋଟାଏ ପଲମରେ ଖୁବ୍‌ ବହଳା ଜାମୁଅର୍କ ସଞ୍ଚି ରଖିଥିଲା, ଅଥଚ ବହିଯିବା ନିମନ୍ତେ ଉଭୟଙ୍କ ତଳେ ଗୋଟିଏ ଗୋଟିଏ ବସୁନ୍ଧରା ରନ୍ଧ୍ର ଦେଇଥିଲା । ବାହ୍ୟିକ ଅସାମଞ୍ଜସ୍ୟ ସତ୍ତ୍ୱେ, ଦାରୋଗା ଓ କୃଷ୍ଣବାବୁ କେବଳ ହୃଦୟର ଗୁଣ ବଳରେ ଏକ ଅଚ୍ଛେଦ୍ୟ, ଅଭେଦ୍ୟ, ଅପରିବର୍ତ୍ତନୀୟ ପ୍ରୀତିରେ ଗୁନ୍ଥା ହୋଇ ରହିଥିଲେ ।

 

କୃଷ୍ଣବାବୁଙ୍କ ପରାମର୍ଶ ଓ ଦାରୋଗାଙ୍କ ଲେଖନୀର ଅନୁଗ୍ରହ ଯୋଗେ ନୀଳାମ୍ବରଙ୍କ କାର୍ଯ୍ୟକଳାପ ବିଷୟରେ ସେ ସବୁ ସାମୟିକ ବିବରଣ ଉପରକୁ ପଠାଗଲା । ତହିଁରେ ତାଙ୍କର ଦୋଷ ଅପେକ୍ଷା ପ୍ରଶଂସା ଏବଂ ସୁଖ୍ୟାତିର ଆଲୋଚନା ଅଧିକ ରହିଲା । କେଉଁ ଗ୍ରାମର ଲୋକେ ତାଙ୍କୁ ଅଭ୍ୟର୍ଥନା କଲେ, କେଉଁ ଗ୍ରାମର ତାଙ୍କ ପାଦର ଧୂଳି ଲୋକଙ୍କ ମୁଣ୍ଡରେ ଲାଗିଲା, ସେ ଯିବାରେ କେଉଁଠାରେ ଶଙ୍ଖ ବାଜିଲା, ହୁଳହୁଳି ପଡ଼ିଲା–ଏହି ସବୁ ବିବରଣରେ ନୀଳାମ୍ବରଙ୍କ ବିଷୟରେ ଦାରୋଗାଙ୍କ ଗୁପ୍ତ ଆଲେଖ୍ୟ ପୂର୍ଣ୍ଣ ହେବାକୁ ଲାଗିଲା । ରାମଚନ୍ଦ୍ର ସିଂହ ତାହା ଯେତିକି ପାଇଲେ, ତେତିକି ଆହୁରି ପାଇବାକୁ ତାଙ୍କର ଆଗ୍ରହ ଜନ୍ମିଲା । ସେ ସମୟ ସମୟରେ ମନେକଲେ ଯେ କନକପୁର ହୁଏତ ସେ ସମ୍ପର୍କରେ ସବିଶେଷ ବିବରଣ ନ ଲେଖି କିଛି ଲୁଚାଇ ରଖୁଥିବେ । ନୀଳାମ୍ବରଙ୍କ ପ୍ରଶଂସା ଶୁଣିବାକୁ ଗୃହଦାହ ସମୟର ଅଗ୍ନିଶିଖା ପରି ତାଙ୍କର ବୁଭୁକ୍ଷା କ୍ରମଶଃ ବଢ଼ିବାକୁ ଲାଗିଲା । ତାଙ୍କ ହୃଦୟର ଯେ କ୍ଷୁଦ୍ର ଅଗ୍ନିକଣାଟି ଦେଖି ଦିନେ ମନ୍ତ୍ରୀ ନିଭାଇ ଦେବାକୁ ଚେଷ୍ଟା କରିଥିଲେ । ମନ୍ତ୍ରୀଙ୍କ ଅଗୋଚର ତାହା ପୁଣି କନକପୁରରୁ ବହୁଥିବା ପବନରେ ଜଳି ପ୍ରବଳ ଆକାର ଧଇଲା । ରାଜା କ୍ରମେ ମନ୍ତ୍ରୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଲେ । ମନ୍ତ୍ରୀ ମଧ୍ୟ କ୍ରମଶଃ ରାଜାଙ୍କ ମନର ଉତ୍ତାପ ଯୋଗେ ପାଖକୁ ଭରସି ନ ପାରି ଦୂରରୁ ଦୂରତର ହୋଇଗଲେ । ଦାରୋଗା ଓ କୃଷ୍ଣବାବୁ ଦେଖି କହିଲେ, ‘‘ଏ ଭୀଷଣ ଅଗ୍ନିକୁଣ୍ଡରେ ପଡ଼ିଲେ, ନୀଳାମ୍ବର ବଞ୍ଚି ଖସିଯିବା ଅସମ୍ଭବ ।’’

 

ରାମଚନ୍ଦ୍ର ସିଂହଙ୍କ ହୃଦୟରେ ବହ୍ନି ଯେପରି ହୋମର ବହ୍ନି । ଖାଦ୍ୟ ଖୋଜି ବୁଲିବା ତା’ର କାର୍ଯ୍ୟ ନୁହେଁ; ଖାଦ୍ୟର କର୍ତ୍ତବ୍ୟ ଯେ ତାହା କୌଣସି ନିମିତ୍ତର ସାହାଯ୍ୟରେ ସେ ବହ୍ନିରେ ଆସି ଆତ୍ମବଳି ଦେବ । ସୁତରାଂ ଦିନେ କୃଷ୍ଣବାବୁ କହିଲେ ‘ଦେଖ, ସୁରମା, ତୁ ନୀଳାମ୍ବରବାବୁଙ୍କ ଘରେ କାମଦାମ କରିବୁ, ତାଙ୍କର ଜଣେ ଦାସୀ ଦରକାର । ତୁ ବାସନକୁସନ ମାଜିବୁ, ପାଣି ଆଣିବୁ; କିନ୍ତୁ ସାବଧାନ, ନିଜ ଗୁଣ ପ୍ରକାଶ କରିବୁ ନାହିଁଟି । ସେଠି ଏକଥା ଚଳିବ ନାହିଁ । ସେ ଖଣ୍ଡାଦାଢ଼ରେ ଚାଲିବା ଲୋକ ।’’

 

ଶୁଣି ସୁରମା, ଟିକିଏ ବିରକ୍ତିଭାବ ଦେଖାଇ ଉତ୍ତର ଦେଲା, ‘‘ନା ବାବୁ, ମୁଁ ଏତେ କାମ କରିପାରିବି ନାହିଁ । ତୁମେ ଯେବେ ନ ରଖିପାରୁଛ, ଦାରୋଗାବାବୁଙ୍କ ଘରକୁ ପଠାଇ ଦିଅ; ମାତ୍ର ମୁଁ ସେଠାକୁ ଯିବିନାହିଁ । ମୋର ଖଣ୍ଡାଦାଢ଼ରେ ଚାଲିବ କିଏ ? ଗୋଡ଼ କାଟି ହୋଇ ମରିବି ସିନା ! ଏ ଛାର ଜୀବନ-ଭେଳା ତୁମ ପରି ଗୋଟାଏ ଟାଣୁଆ ଖୁଣ୍ଟରେ ବାନ୍ଧିଥିଲି କ’ଣ ଏଇଥିପାଇଁ ଯେ ଖୁଣ୍ଟ ମୋତେ ତଡ଼ି ଦୂର କରିଦେବ, ଆଉ ମୁଁ ନଈ ସୁଅରେ ଭାସିଯାଇ ବୁଡ଼ିବି ? ନା, ତା’ ହେବନାହିଁ । ଏ ଘର ଛାଡ଼ିବି ନାହିଁ କି ବାରଦ୍ୱାର ତେର ପନ୍ଦାଡ଼ ବୁଲିପାରିବି ନାହିଁ ।

 

କୃଷ୍ଣବାବୁ ନିଜର ଇଚ୍ଛା ସୁରମାର ମୁଣ୍ଡରେ ଭର୍ତ୍ତି କରିବାକୁ ଯେତେ ଯତ୍ନ କଲେ, ମାତ୍ର ପାରୁ ନଥିଲେ । ତାହାକୁ ହାତୁଡ଼ିରେ ପିଟି ସୁରମାର କଠିନ ଢାଙ୍କୁଣି ଆବୃତ ମସ୍ତିଷ୍କରେ ପୂରାଇବା ନିମନ୍ତେ ଯେପରି ଜଣେ ବଳଶାଳୀ ଲୋକର ଆବଶ୍ୟକ ଥିଲା । ହଠାତ୍‌ ଦାରୋଗାବାବୁ ଆସି ପହଞ୍ଚିଲେ । ଅନେକ ଯୁକ୍ତିତର୍କ ପରେ ସ୍ଥିର ହେଲା ଯେ ସୁରମା ନୀଳାମ୍ବରଙ୍କ ଘରେ ଯାଇ ଚାକିରି କରିବ; ନୀଳାମ୍ବରଙ୍କ ସ୍ତ୍ରୀ ଅସୁସ୍ଥ ଅଛନ୍ତି; ଘରର ଜଞ୍ଜାଳ ଉଠାଇବା ନିମନ୍ତେ ସେ ସେହି ସମୟରେ ଜଣେ ଦାସୀ ରଖିବାକୁ ରାଜିହେବେ, ମାତ୍ର ବିଳମ୍ବ ହେଲେ, ସ୍ତ୍ରୀଙ୍କ ଦେହ ଭଲ ହୋଇଗଲା ପରେ, ସେ ଦାସୀ ଆବଶ୍ୟକ କରିବାର କାରଣ ରହିବ ନାହିଁ; ସୁତରାଂ ସୁରମା ଶୀଘ୍ର ଯିବା ଦରକାର । ତାକୁ ନେଇ ରଖାଇଦେବା ନିମନ୍ତେ ଦାରୋଗା ମଧ୍ୟସ୍ଥ ବନ୍ଦୋବସ୍ତ କରିଦେବେ । ନୀଳାମ୍ବର ଯେ ଦରମା ଦେବେ, ତା’ ଛଡ଼ା ସେ ଆଉ କିଛି ଦାରୋଗାଙ୍କଠାରୁ ପାଇବ; ଅଥଚ ସେ କଥା ନୀଳାମ୍ବର ବା ଅନ୍ୟ କେହି ଜାଣିବେ ନାହିଁ । ସୁରମା କଷ୍ଟ ସ୍ୱୀକାର କରି ସବୁ କାମପତ୍ର କରିବ, ନୀଳାମ୍ବର ରଖିବାକୁ ଯେପରି ନାରାଜ ନ ହେବେ । କିଛିଦିନ ରହି ପରେ ସୁବିଧା ବୋଧକଲେ, କାମକୁ ନ ପାରିଲେ, ସେ ଚାଲିଆସିପାରେ; ମାତ୍ର ପ୍ରଥମେ ଯାଇ ମାଟି କାମୁଡ଼ି ପଡ଼ି ରହିବାକୁ ହେବ ।

 

ଏ ସବୁ କଥା ସ୍ଥିର ହେଲାପରେ ସୁରମା ଯେଉଁଦିନ ନୀଳାମ୍ବରଙ୍କ ଘରେ ଯାଇ ରହେ, ସେ ଦିନକୁ ତା’ର ଗର୍ଭରେ ପ୍ରାୟ ଦେଢ଼ ମାସ । ନିଳାମ୍ବରଙ୍କ ଭାର୍ଯ୍ୟା କମଳା ତା’ର କାର୍ଯ୍ୟପତ୍ରରେ ପ୍ରଥମେ କେତେଦିନ ଅସନ୍ତୁଷ୍ଟ ହେଲେ ନାହିଁ । ତା’ପରେ ସେ ନିଜେ ଅନେକ ସମୟ ରୋଗ ଶେଯରେ ଶୋଇ ରହୁଥିଲେ । ସୁତରାଂ ସୁରମାର କାର୍ଯ୍ୟ ତାଙ୍କ ଦୃଷ୍ଟିରେ ପଡ଼ିବାର ସେତେ ସୁଯୋଗ ମିଳୁ ନଥିଲା । ଫଳରେ ତା’ର ଦୋଷ ବାଛିବାର ସୁବିଧା ତାଙ୍କୁ ପୂରାଭାବରେ ମିଳିଲା ନାହିଁ । ସୁରମା ମଧ୍ୟ ତା’ର ପ୍ରଧାନ ଦୋଷ, ପେଟ ଭିତରର କଳଙ୍କଟି, ଲୁଚାଇ ରଖିପାରିଲା ।

 

ଏକେ ନୀଳାମ୍ବରଙ୍କ କୁଟୁମ୍ବ ବଡ଼, ସେଥିରେ ପୁଣି ରୋଜେ ଜଣେ ଦୁଇଜଣ କୁଣିଆ ଥାନ୍ତି-। ସୁରମା କୃଷ୍ଣବାବୁଙ୍କ ଘରେ ଓ ସେଠାକୁ ଆସିବା ପୂର୍ବରୁ ଡାକ୍ତର ଲିଙ୍ଗରାଜ ବାବୁଙ୍କ ବସାରେ, ବିଳାସରେ ବଢ଼ିଥିଲା; ଏତେ କାର୍ଯ୍ୟ କେବେ କରି ନଥିଲା; ସୁତରାଂ ଲାଗିପଡ଼ି କାମ କରିବାକୁ ତା’ର ମନ ଥିଲେ ସୁଦ୍ଧା, ହାତ ପାଦ ପଛାଇଲେ । ତା’ପରେ ପୁଣି ମନଟା ମଧ୍ୟ ବେଶି ଦିନ ଦୃଢ଼ଭାବରେ ପ୍ରଥମ ପରି ରହିବାର କୌଣସି କାରଣ ନଥିଲା । ଅତଏବ ରୋଗଶେଯରେ ଶୋଇ ମଧ୍ୟ, ତା’ର କାର୍ଯ୍ୟରେ ଅସନ୍ତୁଷ୍ଟ ହେବାର କାରଣ କମଳାଙ୍କ ଭାଗ୍ୟରେ ଘଟିବାରେ ବିଶେଷ ବିଳମ୍ବ ହେଲା ନାହିଁ । କ୍ରମେ ତା’ର ଗର୍ଭ ଲକ୍ଷଣ ମଧ୍ୟ ଜଣାପଡ଼ିଲା । ଏ ସବୁ ଯୋଗେ ନୀଳାମ୍ବର ତାକୁ ବାହାର କରିଦେବାକୁ କହିଲେ । ସୁରମା ସେଠାରେ ସ୍ଥାୟୀ ଭାବରେ ରହିବ ନାହିଁ ବୋଲି ଜାଣି, ଠିକ୍‌ କରି ଆସିଥିଲା । ତା’ଛଡ଼ା କାମରୁ ନିଷ୍କୃତି ପାଇଲେ ତା’ର ଖୁସି ହେବାର କଥା । ତଥାପି ନୀଳାମ୍ବରଙ୍କ ଘରୁ ଚାଲିଗଲାବେଳେ, ଚୁଲିରେ ପଡ଼ି ଜଳୁଥିବା ଜଳନ୍ତା କାଠ ଜଳି ଜଳି ଶେଷରେ ଆତ୍ମରକ୍ଷା ପାଇଁ ଚୁଲି ଭିତରୁ ବାହାରି ପଡ଼ିଲା ପରି, ସୁରମା ଦୁଃଖ, ରାଗ ଓ ଘୃଣାରେ, ନିଜ ଭାଗ୍ୟକୁ ଯେତେ ଧିକ୍‌କାର କଲା, ତା’ଠାରୁ ଅଧିକ କମଳା ଏବଂ ନୀଳାମ୍ବରଙ୍କ ଉପରେ ବିରକ୍ତ ହୋଇ, ଅନ୍ତର ହୋଇଗଲା, ମାତ୍ର କୃଷ୍ଣବାବୁଙ୍କ ଘରେ ସେ ପଶିଲା ଯେପରି କି ବଗିଚାର ସ୍ଥଳପଦ୍ମ, ସ୍ଥାନେ ସ୍ଥାନେ ଗଛ ଡାଳରେ ତା’ର ରହିବାର ଜାଗା ଅଛି, ରୂପ ଅଛି, ଅଙ୍ଗରେ ମାତ୍ର ଗନ୍ଧ ନାହିଁ, ପରାଗ-ଆହାରୀ ଭ୍ରମର ବ୍ୟତୀତ ଅନ୍ୟ କାହାରି ପ୍ରତି ହୃଦୟର ମଧୁ ମଧ୍ୟ ନାହିଁ ।

 

କୃଷ୍ଣବାବୁଙ୍କ ଘରେ, ତାଙ୍କ ଓ ଦାରୋଗାଙ୍କ ମଧ୍ୟରେ ସୁରମାକୁ ଘେନି ଯେଉଁ ଦୀର୍ଘ ମନ୍ତ୍ରଣା ଚାଲିଥିଲା, ତା’ ଭିତରେ ସୁରମା ଥରେ ଜିଭ କାମୁଡ଼ି କହିଲା, ‘‘ନା, ମୁଁ କିପରି ଏଡ଼େବଡ଼ କଥାଟାଏ କହିବି ? ସେ ଭାରି ସିଧା ଲୋକ । ମୁଁ ତୁମ କାମ କରିବାରୁ ତୁମେ ଯେପରି ମୋତେ ରଖିଛ, ତାଙ୍କ କାମ କରି ନ ପାରିବାରୁ ସେ ସିନା ସେହିପରି ମୋତେ ତଡ଼ିଦେଲେ, ନୀଳାମ୍ବରବାବୁଙ୍କ ବିରୁଦ୍ଧରେ ମୁଁ ଏପରି ପ୍ରମାଣ ଦେଇପାରିବି ନାହିଁ । କହିଲେ, କେହି କ’ଣ ସତ କରିବେ ? ତା’ପରେ ଆମେ ଯେତେ ଯାହା ହେଉ ପଛକେ, ଆମର ଲାଜ ସରମ, ଧର୍ମ ଅଧର୍ମ ବିଚାର କ’ଣ ଏକାବେଳକେ ତୁଟି ଯାଇଛି ବୋଲି ଭାବିଛ ? ସେ କମଳା ରାଣ୍ଡୀ ଯୋଗେ ଅବଶ୍ୟ ମୁଁ ସେଠୁ ଲାଜ ଅପମାନ ପାଇ ଆସିଲି । ନୀଳାମ୍ବରବାବୁ ବିଚାରିଥିଲେ, କ’ଣ ମୋତେ କହିପାରି ନଥାନ୍ତା, ‘ନା, ହୀରାମା ଆମର ଆଉ ପୋଇଲୀ ଦରକାର ନାହିଁ ?’ ସେ ଦିହିଁଙ୍କ ଯୋଗେ ମୁଁ ଦାଣ୍ଡରେ ମୁଣ୍ଡ ଟେକି ପାରୁନାହିଁ । ହେଲେ ଏ କଥା କହିବାକୁ ମୋ ତୁଣ୍ଡ ଲେଉଟିବ ନାହିଁ । ମୋତେ ମାଫ୍‌ କର ।’’

 

କୃଷ୍ଣବାବୁ ସୁରମାକୁ ମାଫ୍‌ କରିବା ପରିବର୍ତ୍ତେ, ନିଜେ ମାଫି ମାଗି, ତାକୁ ଦାରୋଗାଙ୍କ ହାତରେ ଛାଡ଼ି ଚାଲିଗଲେ । ଅନେକ ସମୟରେ କଥାବାର୍ତ୍ତା, ବାକ୍‌ବିତଣ୍ଡା ପରେ ସୁରମା ଦାରୋଗାଙ୍କୁ ନିଜ ଟିପଚିହ୍ନ ଓ ଅହ୍ୟଶଙ୍ଖା ସନ୍ତକ ସହିତ ଲେଖିଦେଲା ଯେ, ସେ ତା’ର ପ୍ରଥମ ଯୌବନରେ ଥରେ ଭ୍ରୂଣହତ୍ୟା କରିଥିଲା । ସେ ଦାରୋଗା ଓ କୃଷ୍ଣବାବୁଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ ନ କଲେ, ଦାରୋଗା ତା’ର ସେ ଲେଖା ସାହାଯ୍ୟରେ ତା’ ବିରୁଦ୍ଧରେ କୌଣସି ଉପାୟ କରିପାରିବେ, କଥା ରହିଲା । ବିଦାୟବେଳେ, ଦିଆସିଲି କାଠି ଘଷି ବାହାର କରିବା ଅଗ୍ନିଶିଖା ପରି, ସୁରମା ଈଷତ୍‌ ହସି କହିଲା, ‘‘ମୋ ଦାରୋଗାବାବୁ ସତେ ଯେପରି ନାଗସାପ; ପେଡ଼ିରେ ଥିବାଯାଏଁ ପଦ୍ମତୋଳାରେ ଖେଳୁଥିବେ, ବାହାରକୁ ଟିକିଏ ବାହାରି ଚାଲିଗଲେ ଫଁ କିନି ମାରିଦେବେ-। ଆଲୋ ବାପ ଲୋ !’’

 

ଦାରୋଗା କୃଷ୍ଣବାବୁଙ୍କ ପରାମର୍ଶରେ ଅନ୍ଧାର ଘରକୁ ଯେତେ ଟେକା ମାରିଥିଲେ, ସେ ସବୁ ଯାଇ ଅଲକ୍ଷିତ ଭାବରେ ଗୋଟାଏ ସ୍ଥାନରେ ଉପର୍ଯ୍ୟୁପରି ଆଘାତ କରି, ତାହାର ଆଭ୍ୟନ୍ତରୀଣ ଉତ୍ତାପ ବହୁତ ବଢ଼ାଇଥିଲା । ରାମଚନ୍ଦ୍ର ସିଂହ ମନେମନେ ସ୍ଥିର କରିଥିଲେ, ‘‘ନା, ଏ ସାରା ସଂସାରରେ ମୋର ଗୋଟାଏ ଶତ୍ରୁ, ଏହି ନୀଳାମ୍ବର । ରାହୁ ସୂର୍ଯ୍ୟକୁ ଗ୍ରାସିଲା ପରି ମୋତେ ଗ୍ରାସ କରିବାକୁ ବସିଛି; କିନ୍ତୁ ସୂର୍ଯ୍ୟ ନିଜର ତାପରେ ତାକୁ ଦଗ୍‍ଧ କରିବ, ତା’ର ସତ୍ତା ଲୋପ ନ କରି ଛାଡ଼ିବ ନାହିଁ ।’’ ତାଙ୍କ ମନ ମଧ୍ୟରେ ଯେ ଅଗ୍ନିକଣା ଦିନକୁଦିନ ବଢ଼ି କୁହୁଳୁ ଥିଲା, ତହିଁରେ ଦିନେ ହଠାତ୍‌ ଆହୁତି ପଡ଼ିଲା, ପବନ ବାଜିଲା । କନକପୁରରେ ହାକିମ ହୁକୁମା ଆସି ଜମା ହେଲେ, ଚାରିଆଡ଼ ପଡ଼ିଲା ଉଠିଲା । ରସଦାରେ ହାଟ ବଜାର ଖାଲି ହୋଇଗଲା । ଗାଡ଼ିଘୋଡ଼ାରେ ବାଟଘାଟ ପୂରି ରହିଲା । କିଏ କହିଲା, ‘‘ମହାବଳ ବାଘ ଯନ୍ତାରେ ପଡ଼ୁଛି; ଫିଟି ବାହାରିଲେ, କେତେ ଲୋକଙ୍କୁ ଘାଉଲା କରିଦେବ ।’’ ଆଉ କିଏ କହିଲା, ‘‘ଚନ୍ଦ୍ରରେ ଏ କଳଙ୍କ ସତେ କ’ଣ ଲାଗିବ ? ନୀଳାମ୍ବର ଗିରଫଦାର ହେଲେ । କନକପୁର ଅଞ୍ଚଳରେ ଗ୍ରାମେ ଗ୍ରାମେ ସେଦିନ ସନ୍ଧ୍ୟାରେ ସନ୍ଧ୍ୟାଦୀପ ଜଳିଲା ନାହିଁ, ଚୁଲି ଲାଗିଲା ନାହିଁ; ସତେଅବା ପ୍ରତି ଘରୁ ନିଜ ନିଜର ପ୍ରିୟଜନ କେହି ଚାଲିଯାଇଛି ।

 

ମକଦ୍ଦମା ବିଚାର ହେଲା । କଚେରିରେ ନୀଳାମ୍ବର ହାତକଡ଼ି ପିନ୍ଧି ଗାରଦ ଭିତରେ ଠିଆ ହୋଇ ରହିଲେ । ସାକ୍ଷ୍ୟ ପ୍ରମାଣ ନିଆଗଲା । ସୁରମା ଆସି ଶପଥ କରି କହିଲା, ‘‘ନିୟମ କରି କହୁଛି, ଯାହା କହିବି ସତ କହିବି, କିଛି ମିଛ କହିବି ନାହିଁ, କିଛି ଲୁଚାଇବି ନାହିଁ । ମୁଁ କୃଷ୍ଣବାବୁଙ୍କ ଘରେ ଦାସୀ ହୋଇଥିଲି । ନୀଳାମ୍ବରବାବୁ ମୋତେ ଅନେକ ଫୁସୁଲାଇ ନିଜ ଘରକୁ ନେଲେ । ମୋତେ କାମଦାମ କିଛି ଦେଲେ ନାହିଁ । ମୁଁ ବିଚାରିଲି, ମୁଁ ଯେପରି ତାଙ୍କ ଘରେ ଖଟୁଳିର ଦେବତା, କେବଳ ପୂଜା ପାଇବାକୁ ଯାଇଛି । ତା’ପରେ ତାଙ୍କ ଘରେ ମୋର ଗର୍ଭ ଜାତ ହେଲା । ତହୁଁ ସେ ମୋତେ ମାରି ତଡ଼ିଦେଲେ ।’’ ଅନ୍ୟାନ୍ୟ ସାକ୍ଷୀମାନେ ମଧ୍ୟ ଏ ମଧ୍ୟରୁ କିଏ କ’ଣ ଦେଖିବାର କହିଗଲେ । କୃଷ୍ଣବାବୁ ସେମାନଙ୍କ ମଧ୍ୟରେ ଜଣେ ପ୍ରଧାନ ସାକ୍ଷୀ ।

 

ସୁରମା ନୀଳାମ୍ବରବାବୁଙ୍କ ଘରକୁ କେବେ ଗଲା, କେବେ ତା’ର ଗର୍ଭ ଉଦୟ ହେଲା, ଏ କଥାର ପ୍ରକୃତ ତଥ୍ୟ ବୁଝିବାକୁ ଚେଷ୍ଟା ନ କରି, ଅନ୍ୟାନ୍ୟ ଅନେକ ବାଜେ କଥା ଧରି, ବିଚାରପତି ନୀଳାମ୍ବରଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ଦେଲେ । ନୀଳାମ୍ବର ଦେବାନଙ୍କ ପାଖେ ଅପିଲ୍ କଲେ, ମାତ୍ର ଫଳ କିଛି ହେଲାନାହିଁ । ନୀଳାମ୍ବର ନିରପରାଧ ବୋଲି କହି, ତାଙ୍କୁ ଦଣ୍ଡରୁ ମୁକ୍ତି କରିବା ନିମନ୍ତେ ମନ୍ତ୍ରୀ ରାମଚନ୍ଦ୍ର ସିଂହଙ୍କ ନିକଟରେ ଯେତେ ଆପତ୍ତି ଓଜୋର, ଅଳି କଲେ, ସେ ସବୁ ବୃଥା ହେଲା-। ଫଳରେ ମନ୍ତ୍ରୀ କହିଲେ, ‘‘ଏ ଅବୁଝାମଣା ରାଜ୍ୟରେ ମନ୍ତ୍ରୀ ହୋଇ ରହିବା ଏକ ମୂର୍ଖାମି ମାତ୍ର-।’’ ସେ ଇସ୍ତଫା ଦେଇ ଘରକୁ ଗଲେ । ନୀଳାମ୍ବର ଯେଉଁଦିନ ଜେଲ୍‍ଖାନାକୁ ନିଆଗଲେ, ସେ ଦିନ ଦାରୋଗା ଓ କୃଷ୍ଣବାବୁଙ୍କର ମେଳା ମହୋତ୍ସବ ଭୋଜି ଲାଗିଲା । କନକପୁରର କେତେଜଣ ବିଶିଷ୍ଟ ଲୋକ ସେଥିରେ ଯୋଗ ମଧ୍ୟ ଦେଲେ; କିନ୍ତୁ ଜନସାଧାରଣଙ୍କ ମୁହଁରୁ ଶୁଣାଗଲା, ‘‘ଏ ରାଜ୍ୟରେ ନ୍ୟାୟ ଆଉ ନାହିଁ ।’’

 

ଦିନେ ରାଜା ରାମଚନ୍ଦ୍ର ସିଂହ କାରାବାସ ପରିଦର୍ଶନ କରିବାକୁ ଯାଇ ଯେତେବେଳେ ପଚାରିଲେ, ‘‘ନୀଳାମ୍ବରବାବୁ ଆପଣ ଯେ ଏଠି ?’’ ନୀଳାମ୍ବର ହୃଷ୍ଟମନରେ ପୁଷ୍ଟସ୍ୱରରେ ହସି ହସି ଉତ୍ତର ଦେଲେ, ‘‘ମହାରାଜ, ମୁଁ ଯେ ବନ୍ଦୀ ।’’ ସେ ଘଟଣା ପରେ କାରାବାସର ଅବଶିଷ୍ଟ ସମୟ ଜେଲ୍‍ଖାନାରେ କଟାଇ, ଦୁଇବର୍ଷ ବାଦେ ନୀଳାମ୍ବର ଘରକୁ ଫେରି ଦେଖନ୍ତି, ସୁରମା ଘେନି ଦାରୋଗା ଓ କୃଷ୍ଣବାବୁଙ୍କ ମଧ୍ୟରେ ମନୋମାଳିନ୍ୟ ହେତୁ ତା’ର ସେହି ଲେଖାଖଣ୍ଡକ ଯୋଗେ ସୁରମା ଜେଲ ଯାଇଛି; ନୀଳାମ୍ବରଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟଦେବାକୁ ନିଜର ଜାମିନ୍‍ ସ୍ୱରୂପ ସୁରମା ଯେ ଦାରୋଗାଙ୍କ ହାତେ ସେପରି ଲେଖା ଦେଇଥିଲା, ତାହା ସେ ଅଦାଲତରେ କାନ୍ଦି, ମୁଣ୍ତରେ ହାତ ପିଟି କହିଲେ ସୁଦ୍ଧା, ହାକିମ ତାହା ବିଶ୍ୱାସ ନ କରି, ତାକୁ ବର୍ଷେ ଜେଲ ଦଣ୍ତ ଦେଇଛନ୍ତି । କୃଷ୍ଣବାବୁଙ୍କ ମୃତ୍ୟୁ ନେଇ ହୁଲସ୍ତୁଲ ପଡ଼ିଛି, ନାନା ତଦନ୍ତ ତଦାରଖ ଚାଲିଛି; ଦାରୋଗା ସସ୍‌ପେଣ୍ତ ହୋଇ ହାଜତରେ ରହିଛନ୍ତି । ନୀଳାମ୍ବରବାବୁ କେବେ ଆସିବେ ବୋଲି ଲୋକେ ଅଧୀର ଉତ୍ସୁକ ହୋଇ ଚାହିଁଛନ୍ତି । ବିଚାରପତିଙ୍କ ଭେଣ୍ତାପୁଅ ସୁରେନ୍ଦ୍ର ସନାତନ ସହିତ ମିଶି, ତାଙ୍କ ଅଭ୍ୟର୍ଥନାର ଆୟୋଜନ କରୁଛି ।

 

ଅଭ୍ୟର୍ଥନା ସଭା ଭାଜିଲାବେଳକୁ ଜଣେ ସ୍ତ୍ରୀଲୋକ ପବନ ବେଗରେ ଧାଇଁ ଆସି ନୀଳାମ୍ବରଙ୍କ ପାଦରେ ମୁଣ୍ତିଆ ମାରି, କାନ୍ଦି କାନ୍ଦି କହିଲା, ‘‘ମୁଁ ମହାପାପୀ, ମୁଁ ପରବୁଦ୍ଧିରେ ପଡ଼ି ଆପଣଙ୍କୁ ବୁଡ଼ାଇ ଦେଇଛି । କଚେରିରେ କଞ୍ଚା ମିଛ କହି ଆପଣଙ୍କୁ ଦଣ୍ତ ଦିଆଇଛି । ମୁଁ ନର୍କରେ ପଡ଼ିବି; ମାତ୍ର ମୋତେ ଆଶୀର୍ବାଦ କରନ୍ତୁ; ମୁଁ ନର୍କରୁ ବାହାରି ଆରଜନ୍ମରେ ଯେପରି ଆପଣଙ୍କ ଘରେ ପୋଇଲୀ ହୋଇ ରହିବି ।’’ ନୀଳାମ୍ବର ତାକୁ ଉଠାଇ ତା’ର ହାତ ଧରି କହିଲେ, ‘‘ନା, ସୁରମା, ତୁମେ ଉଠ; ତୁମର ଦୋଷ କ’ଣ ?’’ କିନ୍ତୁ ସୁରମା ଉଠିଲା ନାହିଁ, ସେ ନର୍କପଥରେ ଯିବ ବୋଲି ସେଦିନ ଜେଲ୍‍ଖାନାରୁ ଫିଟି ଧାଇଁ ଧାଇଁ ଆସିଥିଲା । ଜେଲ୍‍ଖାନାରେ ସେ ଝୁରି ଝୁରି କାନ୍ଦି କାନ୍ଦି ବର୍ଷେ କାଳ କଟାଇଥିବ । ସେଥିରେ ତା’ର ଅସ୍ଥି ଚର୍ମ ମାତ୍ର ରହିଥିଲା; ରୂପଶ୍ରୀ ଅନୁତାପ ବହ୍ନିରେ ଭସ୍ମରେ ପରିଣତ ହୋଇଥିଲା । ରହିଥିଲା କେବଳ ତା’ର ସ୍ୱର ଟିକେ, ଯାହା ଶୁଣି ନୀଳାମ୍ବର ତାକୁ ଚିହ୍ନିପାରିଲେ । ସେ ସ୍ୱର ମଧ୍ୟ ମୁହୂର୍ତ୍ତକ ମଧ୍ୟରେ ଲୋପ ପାଇଗଲା ।

Image

 

ଦମ୍ଭିଲା ବନ୍ଧୁ

 

ଗୋବିନ୍ଦ ଜୀବନରେ ସ୍ୱଚ୍ଛନ୍ଦରେ ଚଳିବାର, ବେଶି ପଢ଼ାପଢ଼ି କରିବାର ଓ ବନ୍ଧୁବାନ୍ଧବ ସମ୍ପର୍କ ବଳରେ ସମାଜର ନାମ ଭିଆଇବାର ଅନ୍ୟ କୌଣସି ଉପାୟ ନ ଦେଖି, ଅଭିରାମ ଦାସଙ୍କ ଝିଅ ପ୍ରେମଶୀଳାକୁ ବିଭାହେବା ପ୍ରସ୍ତାବରେ ରାଜି ହୋଇପଡ଼ିଲା । ଶୁଭଦିନରେ ନିର୍ବନ୍ଧ ବଢ଼ିଲା । ତା’ ଆଗରୁ ଗଦାଧରଙ୍କ ଝିଅ ସଙ୍ଗେ ତା’ର ଯେ ନିର୍ବନ୍ଧ ହୋଇଥିଲା, ସେ ସରୁ ଡୋରିଟି କଟିବାକୁ କେବଳ ମୁହୂର୍ତ୍ତକର ଇଚ୍ଛା ଛଡ଼ା ଗୋବିନ୍ଦର ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ଆବଶ୍ୟକ ହେଲାନାହିଁ । ଗଦାଧର ଓ ଗୋବିନ୍ଦ ଏକପାହ୍ୟାର ଲୋକ । ଆର୍ଥିକ ଅବସ୍ଥା ଓ ସାମାଜିକ ସମ୍ପର୍କର ସୋପାନରେ ଗୋବିନ୍ଦ ଓହ୍ଲାଇ ଆସି ଏବଂ ଗଦାଧର ଚଢ଼ିବାକୁ ଚେଷ୍ଟା କରି ବର୍ତ୍ତମାନ ଏକ ପାହାଚ ଉପରେ ପହଞ୍ଚିଛନ୍ତି; ବରଂ ଗଦାଧରଙ୍କର ରୋଜ୍‌ ଦୁଇ ଓଳି ଚୁଲି ନ ଜଳିଲେ ସୁଦ୍ଧା ଅଇଁଠା ପଡ଼େ, ବର୍ଷର ଏ ମୁଣ୍ତ ସେ ମୁଣ୍ତ କୌଣସି ପ୍ରକାରେ ଭୋକ ଉପାସ ନ ଭୋଗି, ଲାଗିଯାଏ । ଗଦାଧରଙ୍କ ଭଳି ଭଲ ବୈଦିକ ବ୍ରାହ୍ମଣ ଘରେ ଅଭାବ ଅସୁବିଧା କଷ୍ଟ ଭିତରେ, ବଣିଆ ସୁନାକୁ ଥରକୁଥର ପୋଡ଼ି ତା’ର ଝଟକ କାଢ଼ିଲା ପରି, ବିଧାତା ତାଙ୍କ ଝିଅଟିର ରୂପ ଗୁଣ ସୁନ୍ଦର କରି ଗଢ଼ି ରଖିଛି । ସୁତରାଂ ଗୋବିନ୍ଦ ଲୋଭରେ ପଡ଼ି ତା’ ପ୍ରସଙ୍ଗ ଭାଙ୍ଗିବା ପରେ, ତା’ର ବରପୂର୍ବା ଦୋଷସତ୍ତ୍ୱେ, ତାକୁ ଭଲ ବରପାତ୍ର ମିଳିବାରେ କୌଣସି ଅସୁବିଧା ହେଲା ନାହିଁ ।

 

ଅଭିରାମ ଦାସ ଜଣେ ଛୋଟଆସିଆ ଜମିଦାର; ବର୍ଷକୁ ପାଞ୍ଚ ସାତ ହଜାର ଟଙ୍କା ଆଦାୟ କରନ୍ତି । ଅଧିକାଂଶ ସମ୍ପତ୍ତି ତାଙ୍କର ବାପ ଭିକ ପଣ୍ତା କେବଳ ଶଙ୍ଖସାରୁ ଚାଷରେ ଉପାର୍ଜନ କରିଥିଲେ । ବାର୍ଷିକ ଆୟବ୍ୟୟ ତାଲିକାର ବ୍ୟୟ ପାଖରେ କିଛି ଲେଖା ନୋହିବାରୁ, ସମୁଦାୟ ଉପାର୍ଜିତ ଧନ ସଞ୍ଚିତ ହୋଇ ରହିଲା ଏବଂ ଭିକ ପଣ୍ତାଙ୍କ ଅନ୍ତେ ଉତ୍ତରାଧିକାରୀସୂତ୍ରେ ତାଙ୍କ ପୁଅ ପାଖକୁ ଓହ୍ଲାଇ ଆସିଲା । ଫଳରେ ପଇସା ବଳରେ ରାମ ପଣ୍ତା ନିଜ ନାମରେ ଅଳଙ୍କାର ଯୋଗ କରି, ପୈତୃକ ନୀଚକୁଳର ଚିହ୍ନ ଲୋପ କରିବା ନିମନ୍ତେ ଅଭିରାମ ଦାସ ହୋଇଛନ୍ତି; ବନ୍ଧୁବାନ୍ଧବ ସମ୍ପର୍କ ଉଚ୍ଚରେ କରୁଛନ୍ତି; ଏପରିକି ଭଲ ବୈଦିକ ବ୍ରାହ୍ମଣ ଘରେ ମଧ୍ୟ ଜାତି କିଣୁଛନ୍ତି । କେତେକ ଗରିବ ବ୍ରାହ୍ମଣ, ବର୍ଷାକାଳର ପ୍ରଥମ ଦଳଛିନ୍ନ ପତଙ୍ଗଙ୍କ ପରି ତାଙ୍କର ଅର୍ଥ-ବହ୍ନି ମଧ୍ୟକୁ ଡେଇଁ ପଡ଼ିଛନ୍ତି । ଗୋବିନ୍ଦ ଡେଇଁଲାବେଳେ କହିଲା, ‘‘ବନ୍ଧୁ କଲେ, ଦମ୍ଭିଲା ଘରେ କରିବା ଦରକାର । ଖାଇପିଇ ସୁଖରେ ରହିବ, ଆପଦ ବିପଦରେ ସାହାଯ୍ୟ ମିଳିବ ।’’ ଏପରି କହିବା ତା’ର କିଛି ଭୁଲ ହୋଇନାହିଁ । ନିର୍ବନ୍ଧ ପୂର୍ବରୁ ଅଭିରାମ ଦାସ ଜବାବ ଦେଇଛନ୍ତି, ‘‘ତୁମେ ଯେତେଦୂର ପଢ଼ିବ ଆମେ ତୁମକୁ ପଢ଼ାଇବୁ, ବାଟିଏ ଜମି ଝିଅ ନାମରେ କରିଦେବୁ, ଝିଅକୁ ଦୁଇହଜାର ଟଙ୍କାର ଅଳଙ୍କାର ଦେବୁ, ବାକି ନଗଦ ହଜାରେ ଦେବୁ ।’’

 

ନିର୍ବନ୍ଧର କ୍ଷୀଣ ବନ୍ଧନ କିପରି ସହଜରେ ଛିଣ୍ତି ଯାଇପାରେ, ଗୋବିନ୍ଦ ତାହା ବେଶ୍‍ ଜାଣେ । ସୁତରାଂ ଶ୍ୱଶୁରଙ୍କଠାରୁ ନ୍ୟାଯ୍ୟ ସୂତ୍ରରେ ପ୍ରାପ୍ୟ ଏତେ ଭୂମି ବାଡ଼ି, ଗହଣାପତ୍ର, ନଗଦ ଟଙ୍କା ଏପରି ଏକ ସରୁ ଦଉଡ଼ିରେ ଝୁଲି ରହିବା ତାକୁ ଆଦୌ ନିରାପଦ ବୋଧ ହେଲାନାହିଁ । ଅଭିରାମ ଦାସ ମଧ୍ୟ କେବଳ ଗୋଟାଏ ତୁଣ୍ତ ସ୍ୱୀକାରର ସାମାନ୍ୟ ବନ୍ଧନରେ ସାମନ୍ତ ବ୍ରାହ୍ମଣ ପିଲା ଗୋବିନ୍ଦକୁ କେତେଦିନ ବାନ୍ଧି ରଖିପାରିବେ, ସେଥିରେ ସନ୍ଦିହାନ ହେଲେ; ସୁତରାଂ କେତେକ ପରିମାଣରେ ଗୋବିନ୍ଦର ଚେଷ୍ଟାରେ ଓ କେତେକ ପରିମାଣରେ ଅଭିରାମ ଦାସଙ୍କ ଆଡ଼ୁ ଉତ୍କଣ୍ଠା ଯୋଗେ ବିବାହ କାର୍ଯ୍ୟ ଅଳ୍ପ ବେଶି ଆଡ଼ମ୍ବରରେ ବଢ଼ିଗଲା । ଗୋବିନ୍ଦ ଆଶ୍ୱସ୍ତ ହୋଇ ନିଃଶ୍ୱାସ ମାଇଲା । ଅଭିରାମ ଦାସ ମଧ୍ୟ ଆଉ ଗୋଟିଏ ବଡ଼ ଚଢ଼େଇ ସହଜରେ ଓ ସାମାନ୍ୟ ବ୍ୟୟରେ ଜାଲରେ ବାନ୍ଧି ଖୁବ୍‌ ଖୁସିହେଲେ । କୌଣସି ପକ୍ଷରୁ କୌଣସି ପ୍ରକାର ଆପତ୍ତି ବା ଅଭିଯୋଗର କାରଣ ରହିଲା ନାହିଁ ।

 

ଗୋବିନ୍ଦ ଦୁଇବର୍ଷ ମାଇନର୍ ଫେଲ୍ ହୋଇ, ତୃତୀୟ ବର୍ଷ ପାସ୍‌ କରି, ହାଇସ୍କୁଲ୍‍ରେ ପଢ଼ିବାକୁ ଠିକ୍‌ କରି, ଅଭିରାମ ଦାସଙ୍କୁ କହନ୍ତେ, ସେ ଉତ୍ତର ଦେଲେ, ‘‘ଏଠି ଆମ ଘରେ ରହି, ଖାଇ ପିଇ ସ୍କୁଲ୍‍ରେ ପଢ଼ିବ; ଖର୍ଚ୍ଚର ଦରକାର କ’ଣ ? କଟକରେ କ’ଣ ଏଠାଠାରୁ ଭଲ ପଢ଼ା ହେବ-? ଏଠି ଆମ ପିଲାମାନେ ପଢ଼ୁଛନ୍ତି, ସାଥୀ ମିଳିବେ, ଅଲଗା ବହି କିଣିବାକୁ ପଡ଼ିବ ନାହିଁ-। ତା’ପରେ ପୁଣି ଘରର ପିଲା ଘରେ ରହିବ, ଏତେ ଅଳ୍ପ ବୟସରେ ପ୍ରବାସ କରିବା ଦରକାର କ’ଣ-? ବିଦେଶରେ ଖାଇବା ପିଇବାର ସୂତ୍ର ହେବ ନାହିଁ; ଆହୁରି ମଧ୍ୟ ପଣ୍ତା ପୂଜାରୀ ହାତରେ ଖାଇବାକୁ ପଡ଼ିବ, ଏଟା କ’ଣ ଭଲ ମନେ କରୁଛ ? ଦଉଡ଼ି ଥରେ ଟାଣି ଦେଲେ, ଘୁଡ଼ି ଅଳ୍ପ ତଳକୁ ଖସିପଡ଼ି ପୁଣି ପବନରେ ଉପରକୁ ଭାସି ଉଠିଲା ପରି ଗୋବିନ୍ଦ ଶଶୁରଙ୍କ କଥା ଶୁଣି, ନିଜ ସ୍ୱାଧୀନତାରେ ଟିକିଏ ବାଧା ପଡ଼ିବାର ପ୍ରଥମେ ଅନୁଭବ କରି, ମାତ୍ର ସେଥିରେ ହତୋତ୍ସାହ ନ ହୋଇ ଅଭିରାମ ଦାସଙ୍କ ଘରେ ତାଙ୍କ ପିଲାମାନଙ୍କ ସାଥିରେ ରହି ଇସ୍କୁଲକୁ ଯିବାଆସିବା କରିବାରେ ଲାଗିଲା । ତା’ ମନରେ ଦୁଃଖ ତ ଟିକିଏ ହେଲା; ସେ କଟକ ସହରରେ ରହିବାର ଯେ କଳ୍ପନା ଜଳ୍ପନା କରିଥିଲା, ତାହା ଶଶୁରଙ୍କର ପଦେ କଥାରେ ମୁହୂର୍ତ୍ତକ ମଧ୍ୟରେ ଭାଜିଗଲା; କିନ୍ତୁ ତା’ ସଙ୍ଗେ ସଙ୍ଗେ ତା’ ମନରେ ଆନନ୍ଦ ମଧ୍ୟ ହେଲା ଯେ ନିତି ପ୍ରେମଶୀଳାକୁ ଦେଖିପାରିବ, ତା’ ସଙ୍ଗେ‌ ବସିବ, ଉଠିବ, ଖାଇବ, ପିଇବ, ଏକାଠି ରହିବ; ଫୁଲଟିକୁ କଢ଼ି ଅବସ୍ଥାରୁ ପାଇଲେ ଆପଣା ରୁଚି ଅନୁସାରେ ଫୁଟାଇ ପାରିବ ।

 

କେତେଦିନ ଗୋବିନ୍ଦ ଘରର ପିଲାମାନଙ୍କ ସଙ୍ଗେ ତାଙ୍କ ଭିତରର ଜଣକ ପରି ଚଳିଲା-। ପରେ କ୍ରମେ ସେ ବୁଝିପାରିଲା ଯେ ସେ ଯେପରି ପରଲୋକ ଜଣେ, ଆସି ସେଠାରେ ଆଶ୍ରୟ ନେଇଛି । ପଢ଼ିଲାବେଳେ ଶଳାମାନେ ତା’ଠୁ ବହି ଛଡ଼ାଇ ନିଅନ୍ତି, ଇସ୍କୁଲକୁ ଯିବା ସମୟରେ ତାକୁ କେତେଦିନ ଓଦା ପିନ୍ଧି ଯିବାକୁ ହୁଏ, ନିତି ଅଲଗା ଏକୁଟିଆ ହୋଇ ଖାଏ, ରାତିରେ ବିନା ଶେଯ ମଶାରିରେ ବାହାର ଘରେ ପୂଜାରୀ ସଙ୍ଗେ ଶୁଏ । ତା’ର କଳ୍ପନାର ସମ୍ପଦ ପ୍ରେମଶୀଳା ସଙ୍ଗେ ମିଳିମିଶି ଚଳିବାର ସମ୍ଭାବନା ତାକୁ ଦେଖାଗଲା ନାହିଁ । ସେ କିଛି ବୋଲଣା କଲେ, ଶଳାମାନେ ତାକୁ ଶାସନ କରନ୍ତି; କେତେକ ପରିମାଣରେ ଥଟ୍ଟାରେ ଓ କେତେକ ପରିମାଣରେ ରାଗି ତା’ର କାନ ମୋଡ଼ିଦିଅନ୍ତି । କ୍ରମେ ତାକୁ ଶାସନ କରିବାର ସୁଯୋଗ ଅଭିରାମଙ୍କ ଜୀବନରେ ପ୍ରାୟ ପ୍ରତିଦିନ ଘଟିଲା । ଗାଳିର ଦରକାର ହେଲେ, ସେ ତାହା ନିଜେ ଅକୁଣ୍ଠିତ ଭାବରେ ଦିଅନ୍ତି, ଦୋଷ ସେ ଶ୍ରେଣୀର ଶାସନ ସୀମା ପାର ହୋଇଗଲେ, କହନ୍ତି, ‘‘ପ୍ରେମଶୀଳା, ଆଣିଲୁ ଦେଖି ବେତଟି ସେ ଘରୁ ।’’ ପିତା ଯେପରି ଶିକ୍ଷା ପ୍ରଣାଳୀର ନବୀନ ପଦ୍ଧତି ଅନୁସରଣ କରି କନ୍ୟାକୁ ଶିକ୍ଷା ଦେବାରେ ବ୍ରତୀ ହୋଇଥିଲେ, ଗୋଟିଏ ପାଠ ସେ ପାରାୟଣ କରିସାରିଲା ପରେ ତାକୁ ପୂର୍ବବର୍ତ୍ତୀ ପାଠର ସାହାଯ୍ୟରେ ପରବର୍ତ୍ତୀ ପାଠରେ ନେଇ ମଡ଼ାଉଥିଲେ, ସେହିପରି ପ୍ରଥମେ ଘର କଣରୁ ପିତାଙ୍କ ହାତ ପର୍ଯ୍ୟନ୍ତ ବେତ ବହନ କରିବା କାର୍ଯ୍ୟରେ ସେ ଅଭ୍ୟସ୍ତ ହେବା ଉତ୍ତାରୁ, କ୍ରମେ ବେତର ବ୍ୟବହାର ଶିଖିବାକୁ ଉପଯୁକ୍ତ ହୋଇ ପଡ଼ିଲା । ସେତେବେଳେ ପିତା ଗୋବିନ୍ଦକୁ ନିଜେ ଶାସନ ନ କରି କହନ୍ତି, ‘‘ପ୍ରେମଶୀଳା, କି ଦୁଃଖ ଲେଖି ନଥିଲା ବିଧାତା ତୋ କପାଳେ-! ଏ କୁଳାଙ୍ଗାରର ହାତ ଧଇଲୁ । ଦେଲୁ ଦେଖି ଦି’ ପାହାର ସେ ନିର୍ବଂଶିଆ ପିଠିରେ ।’’ ପ୍ରେମଶୀଳା ଅନ୍ୟାନ୍ୟ ଘଟଣାରେ ଯାହା କରୁ, ଗୋବିନ୍ଦର ଶାସନବେଳେ ପିତାଙ୍କ ଆଦେଶ ଶିରୋଧାର୍ଯ୍ୟ କରିଥାଏ । ଶାଶୁଙ୍କ ଦେହ ନ ସହିଲେ, ସେ ଦିନେ ଦିନେ କହନ୍ତି, ‘‘ମଲା, ଭାରିଯା-ପିଲା ହାତେ ଜୋଇଁପୁଅକୁ ମରଉଚ କ’ଣ ବୋଲି ମ ?’’ ଶୁଣି ଅଭିରାମ ଉତ୍ତର ଦିଅନ୍ତି, ‘‘ତୁ ଡାହାଣୀ ତୁନି ହୁଅ; କ’ଣ ଜାଣିଛୁ ? ଆଜି ବାଟରେ ରଘୁକୁ ମାରିପକାଇଛି ଯେ, ଗାଲ ରଙ୍ଗ ପଡ଼ିଯାଇଥିବ ତା’ର, ସେ କାନ୍ଦି କାନ୍ଦି ଆସିଲା । ଏ ମାଗିଖିଆ ଘରର ପିଲା ପୁଣି ମୋ ପୁଅକୁ ମାରିବ ?’’ ଶୁଣି ମଝିଆଁ ପୁଅ ରଘୁନାଥ ଗୋବିନ୍ଦ ବିରୁଦ୍ଧରେ ତୁଣ୍ତରୁ ଅଭିଯୋଗର ଆଗ୍ନେୟଗିରି ଫିଟାଇ ଦିଏ । ଭାଇର ସଙ୍ଗୀତରେ ତାଳ ଧରି ପ୍ରେମଶୀଳା ସ୍ୱାମୀର ପିଠିରେ ଗୋଟାକେତେ ପ୍ରହାର ଦିଏ । ଭବିଷ୍ୟତରେ ନିଜ ପୁଅଝିଅଙ୍କୁ କିପରି ଶାସନ କରିବ, ତାହା ସେ ସ୍ୱାମୀ ପିଠିରେ ଘୋଷି ରଖୁଥିଲା ପରି ଜଣାପଡ଼େ ।

 

ଯେଉଁଦିନ ଅଭିରାମ ଦାସଙ୍କ ହୁକୁମରେ ପ୍ରେମଶୀଳା ଗୋବିନ୍ଦକୁ ଖମ୍ବରେ ବାନ୍ଧି ରଖି, ଗୁଡ଼େଇ ତୁଡ଼େଇ ମନ ଇଚ୍ଛା ମାରି ଚାଲିଗଲା, ଗୋବିନ୍ଦ ସେଦିନ ନ ଖାଇ ନ ପିଇ, ବହିପତ୍ର ବାନ୍ଧି, ଶଶୁର ଘରେ ରହି ପାଠପଢ଼ି ତାଲିମ୍‍ ହେବା ଆଶା ନିଜ ପାଖ ଆଡ଼ୁ ଛିଣ୍ତାଇ ପକାଇ, ଆପଣା ଘରକୁ ପଳାଇଲା । ନଗଦ ଟଙ୍କା ଓ ଜମିବାଡ଼ି ଆଦି ଯୌତୁକ ଦାବି କରି ନେବାକୁ ତା’ର ଇଚ୍ଛା ହେଲାନାହିଁ, ହୃଦୟରେ ସାହସର ମଧ୍ୟ ଅଭାବ ଘଟିଲା । ସେ ଭୟରେ, ରାଗରେ, ନୈରାଶ୍ୟରେ ଶଶୁରଘର ଛାଡ଼ି ଚାଲିଗଲା ।

 

ଘରେ କିଛିଦିନ ଟିକିଏ ନିଶ୍ଚିନ୍ତରେ ନିଃଶ୍ୱାସ ମାରି, ସ୍ୱାଧୀନ ଭାବରେ ରହି ଶଶୁର ଘରର ହୀନସ୍ତା ମନରୁ କେତେକ ପରିମାଣରେ ପାସୋରି ରହିଛି, ଅଭିରାମ ଦାସଙ୍କଠାରୁ ଖବର ଆସିଲା, ‘‘ଘରଦ୍ୱାର ଠିକ୍‌ କର, ଆମର ଝିଅ ଯିବ ।’’ ଗୋବିନ୍ଦ ପେଟରେ ଥିଲାବେଳେ ତା’ ବାପ ମରିଥିଲେ-। ସେ ଜନ୍ମହେଲା ଦିନୁ ମା’ କୋଳେ, ମାଆର ସ୍ନେହ ଆଦର ଓ କୋମଳ ଶାସନରେ ରାଣ୍ତୀପୁଅ ଅନନ୍ତା ହୋଇ, ବଢ଼ି ଆସିଥିଲା । ଜଗତରେ ଯେ ଭିନ୍ନ ପ୍ରକାରର ଶାସନ ଅଛି, ସେ ପ୍ରଥମେ ଜାଣିଲା ଅଭିରାମ ଦାସଙ୍କ ଘରେ ରହି । ଶଶୁରଙ୍କଠାରୁ ଖବର ପାଇ, ଗୋବିନ୍ଦ ପୈତୃକ ସମ୍ପତ୍ତିରୁ ଦେଢ଼ମାଣ ବିକ୍ରି କରି ଘର ଖଣ୍ତିକ ସଜାଡ଼ିଲା । ପ୍ରେମଶୀଳା ଆସିଲେ ତ ରହିବ-। ବାପାଙ୍କ କଥାରେ ସିନା ସେ ମାରୁଥିଲା, ତା’ପରେ ପୁଣି ପିଲା ହୋଇଥିଲା; ଈଶ୍ୱର ପାର୍ବତୀଙ୍କର ପିଲା ବୟସରେ ପାର୍ବତୀ କ’ଣ କେବେ ଈଶ୍ୱରଙ୍କୁ ମାରି ନଥିବେ ? ମାତ୍ର ବଡ଼ ହେଲାପରେ ତ ପାର୍ବତୀ ଦିନେ ଈଶ୍ୱରଙ୍କ ଦେହରେ ଟିପ ଛୁଆଁଇ ନାହାନ୍ତି । ଥିଲେ, ଶାସ୍ତ୍ର ପୁରାଣରେ ତାହା ଲେଖାଥାନ୍ତା ନିଶ୍ଚୟ । ଏହିପରି ମନେମନେ ଅନେକ ଯୁକ୍ତିତର୍କ କରି, ଗୋବିନ୍ଦ ନିଜର ପୈତୃକ ଘରଖଣ୍ତି କେଉଁଠାରେ ମରାମତ କଲା, କେଉଁଠାରେ ବା ନୂଆକରି ଗଢ଼ିଲା । ପ୍ରେମଶୀଳା ରହିବା ନିମନ୍ତେ ଯେ ଭଲ ଘର ଲୋଡ଼ା, ତାହା ସେ ବୁଝିଥିଲା; ମାତ୍ର ତାହାଠାରୁ ଭଲ ଘର ତୋଳିବାର ଆଉ ଗୋଟିଏ କାରଣ ତା’ର ମନ ମଧ୍ୟରେ ରହିଥିଲା । ସେ ଭାବୁଥିଲା ଯେ ଉପଯୁକ୍ତ ସ୍ଥାନ ଅଭାବରେ ପ୍ରେମଶୀଳାର ଦୁଇହଜାର ଟଙ୍କାର ଅଳଙ୍କାର, ନଗଦ ହଜାରକ ଓ ବାଟିଏ ଜମିର ବାର୍ଷିକ ଫସଲ ତା’ ଘରକୁ ଆସିବାକୁ କାଳେ ନାରାଜ ହେବ । ସେ ଭାବନାରେ ସେ ଭାଜିପଡ଼ିବାକୁ ଲାଗିଲା-

 

ଅଭିରାମ ଦାସ ଲୋକ ପଠାଇ, ଗୋବିନ୍ଦର ଘରଦ୍ୱାର ପରୀକ୍ଷା କରାଇ ନିତାନ୍ତ କ୍ଷୁବ୍‍ଧ ମନରେ, ଝିଅକୁ, ସମୁଦ୍ରକୁ ପେଲିଦେଲାପରି, ଗୋବିନ୍ଦ ଘରକୁ ହରିରାଜପୁର ଉଠାଇ ଦେଲେ । ଜମି, ଟଙ୍କା ପଇସା, ପନିପରିବା ପରି ଅସ୍ଥାବର ଜିନିଷ ନୁହେଁ ଯେ ଯାଜପୁରରୁ ହରିରାଜପୁର ଚାଲିଆସିବ । ଅଳଙ୍କାରପତ୍ର ଓ ନଗଦ ଟଙ୍କା ମାଟିଘରୁ କାଳେ ଚୋରି ଯିବ ଏ ଆଶଙ୍କାରେ ଅଭିରାମ ତାକୁ ଝିଅ ସଙ୍ଗେ ନ ପଠାଇ, ଆପଣା ଘରେ ସିନ୍ଦୁକ ମଧ୍ୟରେ, ଝିଅର କରି ଅଲଗା ରଖିଦେଲେ; ସୁତରାଂ ପ୍ରେମଶୀଳା ସାଧାରଣ ଘର ଝିଅ ପରି ଅଳ୍ପ କିଛି ବୋଝ ଭାର ଆଣି, ଅନିଚ୍ଛାସତ୍ତ୍ୱେ ଗୋବିନ୍ଦର ଘରେ ପାଦ ପକାଇଲା । ଜ୍ଞାତିକୁଟୁମ୍ବରୁ ଯେଉଁମାନେ ଅଭିରାମ ଦାସଙ୍କ ଘରେ ଜାତି ବିକିବାକୁ ତାକୁ ବାରମ୍ବାର ମନା କରୁଥିଲେ, ସେମାନେ କେବଳ ପଛରେ ନୁହେଁ, ଗୋବିନ୍ଦ ଆଗରେ ମଧ୍ୟ, ଥଟ୍ଟା ପରିହାସ କରିବାରେ ଲାଗିଲେ, ଦେଖେଇ ଶିଖେଇ ନାନା କଥା କହିଲେ । ପ୍ରେମଶୀଳା ଆସିଲେ ପୂର୍ଣ୍ଣକୁମ୍ଭ ହେବ ବୋଲି ଗୋବିନ୍ଦ ଯେଉଁ ଘରତକ ତୋଳିଥିଲା, ତାହା ଅପୂର୍ଣ୍ଣ ରହିଲା; ମାତ୍ର ତା’ର ଖାଲି ଘର ପୂର୍ଣ୍ଣ କରିବାକୁ ପ୍ରେମଶୀଳାକୁ ବେଶି ଦିନ ଲାଗିଲା ନାହିଁ । ପ୍ରଥମେ ଶାଶୁବୁଢ଼ୀର ରନ୍ଧା, ତା’ର କଠୋର ପରୀକ୍ଷାରେ ପରାସ୍ତ ହୋଇଗଲା । ସେଥିପାଇଁ ବୁଢ଼ୀ ରୋଜ୍ ଦିନରେ ତିନିଥର ଗାଳି ଖାଇଲା । ମାଟିର ଘର, ପଦା ଝାଡ଼ାଫେରା, ସାଙ୍ଗସାଥୀର ଅଭାବ ସବୁ ପ୍ରେମଶୀଳା ମନରେ ଅନବରତ ଅଶାନ୍ତିର ନିଆଁ ଜାଳି ରଖିଲା । ସେ ବାରମ୍ୱାର କହିଲା, ‘‘ବଡ଼ ଘର ଝିଅ ପୋଷିବାକୁ ଯେବେ ବଳ ନଥିଲା, ହାତ ଧଇଲୁ କାହିଁକି, ଅଳପେଇସା-?’’ ଏ ପ୍ରଶ୍ନର ଉତ୍ତର କାହାଠାରୁ ନ ପାଇ, ସେ ଆହୁରି ରାଗ ହେଲା, ଗାଳି ଦେଲା ଏବଂ ଘରର ଜିନିଷ ଫିଙ୍ଗା ଫୋପଡ଼ା କରିବାରେ ଲାଗିଲା ।

 

ପ୍ରେମଶୀଳାର ମନ ଧରି ଚଳିବାକୁ ନାନାପ୍ରକାର ଉଦ୍ୟମ କରିବା ଗୋବିନ୍ଦର ଗୋଟିଏ ଭୀଷଣ କର୍ତ୍ତବ୍ୟ ହୋଇ ପଡ଼ିଲା । ସେ ଦିନବେଳେ ତାସ ପଶା ଖେଳିବା ଏବଂ ଏଣେତେଣେ ବୁଲିବା ଛାଡ଼ି, ଘର ମଧ୍ୟରେ ଶାନ୍ତ ସୁଶୀଳ ପିଲାଟି ପରି, ପ୍ରେମଶୀଳାର ଗାଳି ଭର୍ତ୍ସନା ସହି, ବସି ରହିବାକୁ ଲାଗିଲା । ପ୍ରେମଶୀଳାର ବାପାଙ୍କ ଘରେ ଅବଶ୍ୟ ସମ୍ପତ୍ତି ବେଶି, ରହିବାକୁ ତାଙ୍କର ପକ୍‍କା ଘର ଅଛି-। ରୋଷେଇବାସ କରିବା ନିମନ୍ତେ ବାର୍ଷିକ ନ’ ଟଙ୍କା ବେତନରେ ଜଣେ ପୂଜାରୀ ବ୍ରାହ୍ମଣ ରହିଛି-। ସେ ଅଭିରାମ ଦାସଙ୍କର ମାମୁପୁଅ ଭାଇ । ସୁତରାଂ ସାଧାରଣ ପୂଜାରୀଙ୍କ ଅପେକ୍ଷା ସେ ତାଙ୍କ ଘରେ ବେଶି ବେତନ ଓ ଭଲ ବ୍ୟବହାର ପାଏ; କିନ୍ତୁ ତା’ର ରନ୍ଧାବଢ଼ା ସେତେ ଉତ୍କୃଷ୍ଟ ଧରଣର ନୁହେଁ । ଅନ୍ତତଃ ଗୋବିନ୍ଦଙ୍କ ନଥିଲା ଘରେ ତରକାରୀ ପତ୍ରର ଯେ ସ୍ୱାଦ ମିଳେ, ଅଭିରାମ ଦାସଙ୍କ ଘରେ ତାହା ଦୁର୍ଲ୍ଲଭ । ଗୋବିନ୍ଦଙ୍କ ବାପା ଜନାର୍ଦ୍ଦନ ରଥଙ୍କ ସମୟରେ ତାଙ୍କର ଚାରିବାଟି ପୈତୃକ ସମ୍ପତ୍ତି ଥିଲା । ସେ ତାକୁ ଖାଇବା ଓ ଖୁଆଇବାରେ ଖର୍ଚ୍ଚ କରି, ପୁଅ ପାଇଁ ତେରମାଣ ମାତ୍ର ଛାଡ଼ି ଦେଇଗଲେ । ତାଙ୍କ ଅନ୍ତେ ତାଙ୍କ ଭାର୍ଯ୍ୟା ପୁଅକୁ ହେପାଜତ କରିବା ନିମନ୍ତେ ତା’ର ନାବାଳକି ସମୟରେ ଛ’ମାଣ ବିକ୍ରି କରିଥିଲେ । ପ୍ରେମଶୀଳା ଆସିବା ପୂର୍ବରୁ ଗୋବିନ୍ଦ ପୁଣି ଦେଢ଼ମାଣ ବିକିଲା । ଅପାଳକ ସମୟରେ ବିଲର ପାଣି ଯେତେବେଳେ ଶୁଖିବାକୁ ଆରମ୍ଭ କରେ, ଶେଷ ପାଣି ମନ୍ଦିକ ଚାହୁଁଚାହୁଁ ଅଳ୍ପ ସମୟରେ ଉଡ଼ିଯାଏ । ସେହିପରି ଗୋବିନ୍ଦର ଅବଶିଷ୍ଟ ଜମି ଖଣ୍ତିକ ଉପରେ ଭାଗ୍ୟର ଉତ୍ତାପ ଦ୍ରୁତବେଗରେ ପ୍ରଭାବ ବିସ୍ତାର କରିବାକୁ ଲାଗିଲା-। ପ୍ରେମଶୀଳାକୁ ଖାଇବା ପିନ୍ଧିବା ଆଦିରେ ସନ୍ତୁଷ୍ଟ କରିବାକୁ ସେ ଅଢ଼େଇମାଣ ବିକ୍ରି କଲା-। ସେତେବେଳେ କହିଲା, ‘‘ବାଟିଏ ତ ସେ ଆଡ଼ୁ ଆସିବ । ଏ କେବଳ ମୀନ ପକାଇ ବାଳିହା ଛାଟିବା କଥା । ବାଳିହା ପାଇବାକୁ ହେଲେ, ମୀନ କିଏ ନ ପକାଇଛି ?’’

ପ୍ରେମଶୀଳା ସେତେବେଳେ ଦେଖିଲା ଯେ ତା’ର ଖାଇବା ପିନ୍ଧିବା ପାଇଁ ସ୍ୱାମୀର ପୈତୃକ ସ୍ଥାବର ସମ୍ପତ୍ତି ନିଜକୁ ଏତେ ସହଜରେ ଅସ୍ଥାବର ଟଙ୍କାରେ ପରିଣତ କରିପାରୁଛି; ସେ କ୍ରମେ ନାନାପ୍ରକାର ଅଳଙ୍କାର ବରାଦ କଲା, ବିଳାସର ସାମଗ୍ରୀ ଆଣିବାକୁ ଗୋବିନ୍ଦକୁ କହିବାରେ ଲାଗିଲା । ପ୍ରେମଶୀଳା ଗୋବିନ୍ଦର କଳ୍ପନାରେ ଆଉ କିଛି ନୋହୁ ପଛକେ ସେ ଗୋଟାଏ ଟଙ୍କାର ଗଛ, ସେଥିରେ ଆଉ ସନ୍ଦେହ ନାହିଁ । ସେ ଗଛ ବଢ଼ିଲେ ଫଳିବ; ସୁତରାଂ ତାକୁ ଉପଯୁକ୍ତ ଖତ, ପିଡ଼ିଆ, ପାଣି ଦେଇ ବଢ଼ାଇବା ଦରକାର । ସେଥିପାଇଁ ପ୍ରେମଶୀଳାକୁ କଷ୍ଟରେ ରଖିବା, ତାକୁ କୌଣସି ବିଷୟରେ ନିରାଶ କରିବା ଆଦୌ ଗୋବିନ୍ଦର ଅଭିପ୍ରାୟ ନୁହେଁ । ଫଳରେ ସେ ଯେତିକି ଉଦ୍‌ବାର୍ଯ୍ୟ ହେଲା, ଗୋବିନ୍ଦ ତାକୁ ସେତିକି ପ୍ରଶ୍ରୟ ଦେଲା, ସେ ଉଡ଼ି ଯେତିକି ଖସିଯିବାକୁ ବସିଲା, ଗୋବିନ୍ଦ ଦଉଡ଼ି ସେତିକି କୋହଳ କଲା । ଅବଶିଷ୍ଟ ତିନିମାଣ ଜମି ବନ୍ଧକ ଦେଇ ପ୍ରେମଶୀଳା ପାଇଁ ସୁନାର ମାଳ, ପାଟଶାଢ଼ି, ଅତର, ପିକଦାନି କିଣି ଆଣିଲା ।

ଗୋବିନ୍ଦ ପ୍ରେମଶୀଳାକୁ ଯେତେ ଅଧିକ ଧରି ରଖିବାକୁ ଚାହିଁଲା, ପ୍ରେମଶୀଳା ସେତିକି ଅଧିକ ତାକୁ ଛାଡ଼ି ଅପର ଆଶ୍ରୟମାନ ଧରିବାକୁ ଚେଷ୍ଟା କଲା । କ୍ରମେ ପ୍ରେମଶୀଳାକୁ କେନ୍ଦ୍ର କରି ହରିରାଜପୁରର ଯୁବକମାନେ ଗୋଟିଏ ବୃତ୍ତ ଗଢ଼ିବାକୁ ବସିଲେ । ଗୋବିନ୍ଦର ଯେତେ ସାଙ୍ଗସାଥୀ ତା’ ସହିତ ତା’ ଘରକୁ ଆସନ୍ତି, ସେମାନେ ପ୍ରେମଶୀଳାର ସଙ୍ଗୀ ହୋଇ ପଡ଼ିଲେ । ସେ ସଙ୍ଗୀମାନଙ୍କ ମେଳରେ ଗୋଟାଏ ଦୁର୍ଭେଦ୍ୟ ବ୍ୟୂହ ଗଠିତ ହେଲା । ସେ ବ୍ୟୂହ ଭେଦ କରିବା ଗୋବିନ୍ଦ ପକ୍ଷରେ ପ୍ରଥମେ କଷ୍ଟକର ଓ ପରେ ଅସମ୍ଭବ ହେଲା । ବୁଢ଼ୀ ଦଶ ପାଞ୍ଚଥର ମନା କରି କିଛି ଫଳ ଦେଖିଲା ନାହିଁ, ବରଂ ଅଧିକ ଗାଳି ଖାଇଲା । ଗାଳି ଯେ କେବଳ ପ୍ରେମଶୀଳା ଦେଲା, ତା’ ନୁହେଁ; ଗ୍ରାମର ଟୋକାଗୁଡ଼ାକ ମଧ୍ୟ ତାକୁ ଗାଳି ଦେଇ, ମାରି ମିଶିଲେ । ଘରର ନିଆଁ ପୋଡ଼ୁ ଜଳୁ, ଅଣ୍ଟିରେ ପୂରାଇ ରଖିବାକୁ ହେବ । ବୁଢ଼ୀ ଗାଳି ଖାଇ ତୁନି ହୋଇ ରହିଲା । ଗୋବିନ୍ଦ ରାଗରେ ଜଳିଲା । ଗାଁ ପିଲାମାନେ କାନକୁ କାନ ନାନାକଥା କୁହାକୁହି ହେଲେ । ଗୋବିନ୍ଦକୁ ଥଟ୍ଟା ପରିହାସ ଟାପରା ଟାହୁଲି କଲେ । ଗୋବିନ୍ଦ ପ୍ରେମଶୀଳାକୁ କେତେ ପରିମାଣରେ ସ୍ନେହ କରେ, ତାହା ପ୍ରଶ୍ନ କରିବାର ବିଷୟ ନୁହେଁ; କିନ୍ତୁ ସେ ଯେ ପ୍ରେମଶୀଳାକୁ ଡରେ ସେଥିରେ ସନ୍ଦେହ ନାହିଁ । ଅଭିରାମ ଦାସଙ୍କ ଘରେ ରହି ପଢ଼ୁଥିବା ସମୟର ସ୍ମୃତି ତା’ର ମନରେ ଖୋଳା ହୋଇ ରହିଅଛି । ତଥାପି ସେଦିନ ନିଜର ସାହସଟିକ ହୃଦୟ ଭିତରୁ ଜିଭ ଅଗକୁ ବାହାର କରି ଆଣି, କହିଲା, ‘‘ଦେଖ ପ୍ରେମଶୀଳା, ତୁମେ ଏପରି କରିବାଟା ଠିକ୍‌ ହେଉନାହିଁ ।’’

‘‘କିପରି ?’’

‘‘ଏତେ ଲୋକଙ୍କ ସଙ୍ଗେ ମିଳାମିଶା କରିବା ।’’

‘‘ତୁ କ’ଣ ଘର ଭିତରେ ଏକା ହୋଇ ବସିଛୁ ?’’

‘‘ମୁଁ କ’ଣ ମନା କରୁଛି ? ତୁମେ ହରିବୋଉ, ମଧୁନାନୀ, ଜଗନ୍ନାଥ ଭାରିଯା ଆଦିଙ୍କ ସଙ୍ଗେ ସାଥୀ ହୁଅନା, ସେଥିରେ କିଏ କ’ଣ କହିବ ? ଶୁଣୁନାହଁ, ସମସ୍ତେ କିପରି ଛି ଛି କରୁଛନ୍ତି-?’’

 

‘‘ତୋତେ କରୁଥିବେ, ମୋତେ କେହି କରୁ ନାହାନ୍ତି । କାହା ଜିଭରେ ହାଡ଼ ଅଛି ଯେ ମୋତେ ଛି ଛି କରିବ ? ମୋଡ଼ି ଏକାବେଳକେ ଖାଇଯିବି । ମୁଁ ସାମାନ୍ୟ ଲୋକ ନୁହେଁ । ଅଭିରାମ ଦାସ ଝିଅ ମୁଁ । ମୋତେ ବାଘ ଦେଖିଲେ, ବାଟ ଛାଡ଼ିଦେବ । ମୋତେ ପୁଣି କିଏ ଛି ଛି କରିବ ? ମୁଁ ଏଗୁଡ଼ାଙ୍କୁ ଖାତିର କରିଛି ନା ତୋତେ ଡରି ରହିଛି ।’’

 

ଗୋବିନ୍ଦ ତିନିମାଣ ଜମି ବନ୍ଧକ ଦେଇ, ବୁଡ଼ାବୁଡ଼ି ଚାରିଶ ପଚାଶ ଟଙ୍କା କରଜ ଆଣିଥିଲା । ତା’ପରେ ପୁଣି ତା’ର ହାତ ଉଧାରି ଶହକ ଉପରେ କିଛି ଥିଲା । ପ୍ରେମଶୀଳାର ଅଭାବ ମେଣ୍ଟାଇବାକୁ ତାକୁ ଆଉ ଟଙ୍କା ମିଳିଲା ନାହିଁ । ଶଶୁର ଯେ ହଜାର ହଜାର ଟଙ୍କା ନଗଦ ଦେବାକୁ ଅଙ୍ଗୀକାର କରିଥିଲେ, ତାହା ପଠାଇବାକୁ ଚିଠି ଲେଖିଲା, ମାତ୍ର କୌଣସି ଉତ୍ତର ଆସିଲା ନାହିଁ । ଅଭାବରେ ପଡ଼ି ପ୍ରେମଶୀଳା ନିଜର ତୁଣ୍ତ ଧନୁରେ ଘଷିମାଜି, ତୀକ୍ଷ୍ଣ ବାକ୍ୟ-ଶରମାନ ପ୍ରୟୋଗ କରିବାକୁ ଲାଗିଲା । ଗୋବିନ୍ଦ ଟଙ୍କା ପାଇଁ ଶଶୁରଙ୍କୁ ଯେ ଶେଷ ଚିଠି ଲେଖିଲା, ସେଥିରେ କେବଳ ଶହେ ଟଙ୍କା ପଠାଇବାକୁ ଅନୁରୋଧ କଲା । ଅଭିରାମ ଦାସ ଏ ଚିଠିର ଉତ୍ତରରେ ଲେଖିଲେ, ‘‘ତୁ ଚଣ୍ତାଳ ମୋ ଝିଅକୁ ନେଇକି ସୁଖରେ ରଖିନାହୁଁ ଯେ ପୁଣି ଟଙ୍କା ମାଗୁଛୁ-! ଟଙ୍କା ତ ଟଙ୍କା, ଧୋଇ ଟିକିଏ ପାଣି ସୁଦ୍ଧା ଦେବି ନାହିଁ । ତୁ ମୋ ଝିଅର ହାତ ଧରିଛୁ ବୋଲି କ’ଣ ବିଚାରୁଛୁ, ମୁଁ ମୋ ପୁଅ ଭାର୍ଯ୍ୟାଙ୍କୁ ଭସାଇଦେଇ, ଟଙ୍କା ପଇସା ସବୁ ତୋ ପାଦତଳେ ନେଇ କୁଢ଼େଇବି ?’’

 

ଗୋବିନ୍ଦ ଭାର୍ଯ୍ୟାଠାରୁ ସ୍ନେହ ଆଦର ପାଇଲା ନାହିଁ । ଧନ ଲୋଭରେ ସେ ଯେ ଗଦାଧରଙ୍କ ଝିଅକୁ ଛାଡ଼ି, ପ୍ରେମଶୀଳାର ହାତ ଧରିଥିଲା, ସେ ଧନ ଅଭିରାମ ଦାସଙ୍କ ସିନ୍ଦୁକରେ ଯାଜପୁର ସରକାରୀ ଖଜଣାଖାନାରେ ତାଲା ପଡ଼ି ରହିଲା ପରି ରହିଲା । ଏଣେ ପୁଣି ନିଜର ପୈତୃକ ସମ୍ପତ୍ତିରୁ ଯାହା କିଛି ବାକି ଥିଲା, ଭାର୍ଯ୍ୟାର ପୂଜାରେ ସେତକ ଉଡ଼ିଗଲା । ଗୋବିନ୍ଦର ହାତ ତ ଶୁଷ୍କ, ତା’ପରେ ଯେଉଁଠାରୁ ପାଣି ଆସିଲେ ସେ ହାତ ଓଦା ହୁଅନ୍ତା ସେଠି ମଧ୍ୟ ଟୋପାଏ ନାହିଁ, ବରଂ ତାହା ନିଜେ ଫାଟି ପାଣି ପାଇବାକୁ ଆଁ କରି ରହିଛି, ଗୋବିନ୍ଦର ସୁଧ ମୂଳ ହୋଇ ଦୁଇଶ ପର୍ଯ୍ୟନ୍ତ କରଜ । ଏ ସବୁ ଚିନ୍ତାରେ ସେ ଘାରି ହୋଇପଡ଼ିଲା । ସେ ମନେମନେ କହିଲା, ‘‘ମୁଁ ଗଦାଧର ମହାପାତ୍ରଙ୍କ ଝିଅ କମଳାର ହାତ ଧରିଥିଲେ କେଡ଼େ ନିଶ୍ଚିନ୍ତରେ ନଥାନ୍ତି ।’’

 

ନିଶ୍ଚିନ୍ତରେ ରହିବା ଷଠୀ ଗୋବିନ୍ଦର ପାଞ୍ଜିରେ ଲେଖି ନଥିଲା । ସେ ରାଗରେ ଜଳିବାକୁ ଲାଗିଲା, ଦୁଃଖରେ ସଢ଼ିଲା, ଅଭାବରେ କାଣ୍ତି ହୋଇଗଲା । ଜୀବନକୁ ସେ ମୃତ୍ୟୁଠାରୁ ଭୟଙ୍କର ମଣିଲା । ଦିନେ ସାରା ଦିବସ ଖାଇନାହିଁ । ପଇସା ଦୁଇଅଣା ପାଇଁ ସକାଳୁ ସନ୍ଧ୍ୟାଯାଏଁ ଦାନ୍ତ ଅଘଷା, ଅଗାଧୁଆ ବୁଲି ବୁଲି, ଥକା ହୋଇ, ଶୂନ୍ୟ ହାତରେ ଘରକୁ ଫେରି ଦେଖିଲା, ପ୍ରେମଶୀଳା ଓ ଗଙ୍ଗାଧର ଗୋଟିଏ ଥାଳିରୁ ଚୁଡ଼ାଘଷା, କଦଳୀ ଚକଟା ଖାଇ ବସିଛନ୍ତି । ବୁଢ଼ୀ ଦ୍ୱାଦଶୀ ତିଥିରେ ଏକାଦଶୀ କରି, ଟୋକୀ କ’ଣ ନ କରୁଛି’’–କହି, ଘରୁ ବାହାରି, ବାଡ଼ିଦ୍ୱାରରେ ଜିଭ କାମୁଡ଼ି ଠିଆ ହୋଇଛନ୍ତି ଦେଖି, ସହିଷ୍ଣୁତାର ବନ୍ଧ ଭାଙ୍ଗି, ଗୋବିନ୍ଦର କ୍ରୋଧ ବଢ଼ି ଉଠିଲା । ସେ କିଛି ନ କହି ହୃଦୟ ରୁଦ୍ଧ, ରାଗ, କ୍ରୋଧ, ଅପମାନ ତୁଣ୍ତବାଟେ କିଛି ମାତ୍ର ଯିବାକୁ ନ ଛାଡ଼ି, ଗୋଟାଏ ଠେଙ୍ଗାରେ ପାହାରକେ ଗଙ୍ଗାଧରର ମୁଣ୍ତ ଫଟାଇ ଦେଲା । ଗଙ୍ଗାଧର ରକ୍ତାକ୍ତ ଓ ମୂର୍ଚ୍ଛିତ ହୋଇ ପଡ଼ିଗଲା ।

 

ହରିରାଜପୁର ପଡ଼ିଲା ଉଠିଲା । କିଏ କେତେ କଥା କହିଲା । ବଡ଼ ଘର ଝିଅ ଆଣି କଳଙ୍କ ସମୁଦ୍ରରେ ଗୋବିନ୍ଦର ବୋଉ ଯେ ଥରେ ବୁଡ଼ିଲେ, ଆଉ ବାହାରିଲେ ନାହିଁ । ଦାରୋଗା, ସିପାହି, ଲାଲ ପଗଡ଼ିଆ ଆସି ଦୁଇ ଚାରିଦିନ ହରିରାଜପୁରରେ ନାଟ କଲେ । ବୁଢ଼ୀର ଲାସ୍ ଖୋଜି ମିଳିଲା ନାହିଁ । ଗୋବିନ୍ଦ ହାତକଡ଼ି ପିନ୍ଧି ଚାଲାନ ହେଲା । ତାକୁ ସିପାହିମାନେ ଅଣ୍ଟାରେ ଦଉଡ଼ି ବାନ୍ଧି ଭିଡ଼ି ଭିଡ଼ି ନେଲାବେଳେ ଗ୍ରାମର ମହାଜନମାନେ ଆସି ପହଞ୍ଚି ଟଙ୍କା ଦାବି କଲେ । କିଏ କ’ଣ କହି ତାକୁ କେଳେଇ ପକାଇଲେ । କିଏ କିପରି ସିପାହିଙ୍କୁ କହି ଚଟକଣିଏ ବିଧାଏ ମାଇଲେ ମଧ୍ୟ । ନିଧି ସାହୁ କହିଲା, ‘‘ବ୍ରାହ୍ମଣ ଟୋକା, ଟଙ୍କା ମୋର ଦେଇଯା; ନୋହିଲେ; ମାଇପ ଟୋକୀକି କହିଯା ମୁଁ ତା’ଠୁଁ ଅସୁଲ କରିନେବି ।’’ ଗୋବିନ୍ଦ ଗାଳି ମାଡ଼ ଖାଇ କାହାକୁ କିଛି ଉତ୍ତର ଦେଲାନାହିଁ-। ସବୁ ସହି ମୁଣ୍ତ ପୋତି ଚାଲିଲା । ତା’ର ସଂସାର-ଭେଳା ବୁଡ଼ିଛି ବୋଲି ସେ ବୁଝିଗଲା ।

 

ଭଦ୍ରକ ଫୌଜଦାରି ଅଦାଲତରେ ଡେପୁଟି ହାକିମ ଅନନ୍ତବାବୁ ନିଜ ସ୍ତ୍ରୀ ସହିତ ଗୋବିନ୍ଦର ମକଦ୍ଦମା ବିଷୟ ହଠାତ୍‌ କାହିଁକି କଥାବାର୍ତ୍ତା ହେଲେ । ସ୍ତ୍ରୀ କହିଲେ, ‘‘ମକଦ୍ଦମାରେ ସାକ୍ଷ୍ୟ ପ୍ରମାଣ କ’ଣ ହେଉଛି; ମୋତେ ବରାବର କହୁଥିବ ।’’ ମକଦ୍ଦମା ପଡ଼ି ପ୍ରମାଣ ହେଲା ଯେ ଗଙ୍ଗାଧର ଘରୁ ଗୋବିନ୍ଦ ଚାଉଳ ବେତାଏ ଚୋରେଇ ନେଇ ଆସିଲା ବେଳେ, ଗଙ୍ଗାଧର ପଛରୁ ଗୋଡ଼ାଇ ଆସି ଦାଣ୍ତରେ ଧରି ପକାଇବାରୁ, ଗୋବିନ୍ଦ ତାକୁ ପିଟିଦେଲା । ଗାଁର ଯୁବକମାନେ ସାକ୍ଷ୍ୟ ଦେଲେ । ଅଭିରାମ ଦାସଙ୍କ ଘରଠାରେ ରହି ପ୍ରେମଶୀଳା କମିଶନ ସାକ୍ଷ୍ୟରେ କହିଲା ଯେ ଦୁଇଦିନ ହେଲା ଘରେ ଚୁଲି ଜଳି ନଥିଲା; ତା’ର ଶାଶୁବୁଢ଼ୀ ପେଟ ବିକଳରେ ପ୍ରାଣ ହରାଇ ଦେବେ ବୋଲି କହୁଥିଲେ ଏବଂ ଗୋବିନ୍ଦ ଅନେକ ଦିନ ଘର ଖର୍ଚ୍ଚ ପାଇଁ ସନ୍ଧ୍ୟା ପରେ ଅନ୍ଧାରରେ ଚାଉଳ ଆଣେ । ସବୁ ପ୍ରମାଣ ତୁଳି ହାକିମ ଗୋବିନ୍ଦକୁ ଦୁଇବର୍ଷ ସଜାଦେବେ ବୋଲି ସ୍ଥିର କଲେ; ମାତ୍ର କମଳା ଜିଦ୍‌ ଧରି ବସିଲେ, କହିଲେ, ‘‘ତା’ ହେବ ନାହିଁ । ମୁଁ ସେ ଗୋବିନ୍ଦକୁ ଜାଣେ । ସେ ନିତାନ୍ତ କର୍ମହୀନ ଲୋକ-। ଦୁର୍ବୁଦ୍ଧିରେ ପଡ଼ି ଅଭିରାମ ପଣ୍ତା ଝିଅକୁ ବିଭା ହେଲା; ମାତ୍ର ତା’ ନୋହିଥିଲେ, ମୋତେ ତୁମେ ପାଇଥାନ୍ତ କୁଆଡ଼ୁ ? ସେ ନିର୍ଦ୍ଦୋଷ ଲୋକ । ତା’ର ଦଣ୍ତ ହେବନାହିଁ-।’’ ମକଦ୍ଦମାର ରାୟ କ’ଣ ହେବ, ସେ ବିଷୟରେ ଅନ୍ୟାନ୍ୟ ହାକିମମାନେ ଯାହା କରନ୍ତୁ ପଛକେ, ଅନନ୍ତ ବାବୁ କେବେ ଭାର୍ଯ୍ୟାଙ୍କ ମତରେ ଅପେକ୍ଷା ରଖନ୍ତି ନାହିଁ । କମଳା ମଧ୍ୟ ନିଜ ଆଡ଼ୁ କୌଣସି ମତ ଦିଅନ୍ତି ନାହିଁ; କିନ୍ତୁ ଏ ଘଟଣାରେ ଅନନ୍ତ ବାବୁ ଗୋବିନ୍ଦକୁ ଖଲାସ କରି, ଅଭିଯୋଗଟା ନିତାନ୍ତ ମିଥ୍ୟା ବୋଲି ରାୟ ଦେଲେ । ଲୋକେ କହିଲେ, ‘‘ଅନନ୍ତ ବାବୁ କଥାରୁ ସାର ଚିପୁଡ଼ି ନେବା ଲୋକ । ଗୋବିନ୍ଦ ଟଙ୍କାପଇସା ଖର୍ଚ୍ଚ କରି, ଓକିଲ ମୁକ୍ତାର ଦେଇ, ମକଦ୍ଦମା ଲଢ଼ି, ସାକ୍ଷୀମାନଙ୍କୁ ଜେରା କରାଇଥିଲେ, ଫଳ ଯାହା ହୋଇଥାନ୍ତା, ଡେପୁଟି ବାବୁଙ୍କ ନ୍ୟାୟ ବିଚାର ବଳରେ ତାହାହିଁ ହେଲା । ଏବେ ହାକିମ ମକଦ୍ଦମା ମିଥ୍ୟା ବୋଲି କହିବାରୁ ପୋଲିସ୍‌ ଦୁଇଶ ଏଗାରରେ କ’ଣ କରୁଛନ୍ତି ଦେଖାଯାଉ । ନିଜେ ଅଭିରାମ ଦାସେ ଖସୁଛନ୍ତି କି ନା କିଏ କହିପାରେ-?’’

Image

 

ସାବତ ପୁଅ

 

ଘନଶ୍ୟାମଙ୍କ ଭାର୍ଯ୍ୟା ରତ୍ନମଣି ମଲାବେଳେ ନିଜର ମାସେ ପାଞ୍ଚଦିନର ପିଲା ଦୁଃଖିଶ୍ୟାମକୁ ସାନ ଭଉଣୀ ହେମମଣି ହାତେ ଦେଇ କହିଗଲେ, ‘‘ହେମ, ଏ ପିଲାଟି ତୋର; ମୁଁ ତ ଗଲି, ୟାକୁ ଛେଉଣ୍ତ କରିବୁ ନାହିଁ ।’’ ଏଡ଼େ ବଡ଼ ସମ୍ପଦର ଜୀବନବ୍ୟାପୀ ଭାର ଅର୍ପଣ କରିବା ରତ୍ନମଣି କ’ଣ ଏତେ ଅଳ୍ପ କଥାରେ ସାରିଥାନ୍ତେ ? ମାତ୍ର ପାଟି ପଡ଼ିଗଲା, ଆଉ କହିପାରିଲେ ନାହିଁ; ଚାହୁଁଚାହୁଁ ପ୍ରାଣ ମଧ୍ୟ ଛାଡ଼ିଗଲା । ହେମମଣି ପିଲାଟିକି କୋଳରେ ଧରି, ନୟନର ଅଶ୍ରୁଜଳରେ ଅପାଙ୍କ ସ୍ନେହଲତାଟି ତିନ୍ତାଇ ରଖିବାରେ ଲାଗିଲେ ।

 

ରତ୍ନମଣି କୋଳର ପିଲା ଦୁଃଖିଶ୍ୟାମକୁ କ’ଣ ବିଚାରି ହେମମଣି ହାତେ ଦେଇଥିଲେ କେଜାଣି ତାଙ୍କର ସେ ମଧୁମୟ ଭାର ଯଥାର୍ଥ କରିବା କାମନାରେ ଅବା, ରତ୍ନମଣି ମରିବାର ପ୍ରାୟ ପନ୍ଦର ମାସ ପରେ ହେମମଣି ଘନଶ୍ୟାମଙ୍କ ହାତ ଧରିଲେ । ଭ୍ରମର ବସିଥିବା ଫୁଲ ଝଡ଼ି ପଡ଼ିଲେ, ସେହି ଡାଳରେ ଯଦି ଅନ୍ୟ ଖାଲି ଫୁଲ ଥାଏ, ତାହାର ମଧୁ ଗ୍ରହଣ କରିବା ନିମନ୍ତେ ଭ୍ରମରକୁ ଯେପରି ଆୟାସ ପଡ଼େନାହିଁ, ହେମମଣିଙ୍କ ସହିତ ଆପଣାକୁ ପ୍ରୀତିର ଡୋରିରେ ଛନ୍ଦାଛନ୍ଦି କରିବାରେ ଘନଶ୍ୟାମଙ୍କୁ ସେହିପରି ବିଶେଷ ଚେଷ୍ଟା କରିବାକୁ ହେଲାନାହିଁ । ଯେତେ କ୍ଷୀଣ ହେଲେ ସୁଦ୍ଧା, ହେମମଣିଙ୍କ ସହିତ ପୂର୍ବରୁ ତାଙ୍କର ଗୋଟାଏ ବନ୍ଧନ ତ ରହିଥିଲା, ହେମମଣି ଅନ୍ୟ କୌଣସି ସମପ୍ରକୃତିର ବନ୍ଧନର ଆକର୍ଷଣ ପ୍ରାଣରେ ଅନୁଭବ କରି ନଥିବାରୁ ସେହି ବନ୍ଧନରେ ଆବଦ୍ଧ ହୋଇ ରହୁଥିଲେ, ସୁତରାଂ ତାହା କ୍ରମେ କ୍ରମେ ଦୃଢ଼ ହୋଇ ଆସୁଥିଲା; ତା’ପରେ ପୁଣି ଦୁହେଁ ଦାମ୍ପତ୍ୟ ଡୋରିରେ ବନ୍ଧା ହେଲେ । ଜୀବନର ଦୁଇଗୋଟି ସମମୁଖୀ ଡୋରି ମିଶି ଗୋଟିଏ ବଡ଼ ରଜ୍ଜୁରେ ପରିଣତ ହେଲା । ହେମମଣି ଅତି ଶୀଘ୍ର ରତ୍ନମଣିଙ୍କ ଅପେକ୍ଷା ଘନଶ୍ୟାମଙ୍କର ପ୍ରିୟ ହୋଇ ପଡ଼ିଲେ । କେହି କାହାକୁ ଛାଡ଼ି ମୁହୂର୍ତ୍ତେ ରହିପାରିଲେ ନାହିଁ । ଲୋକେ କହିଲେ, ‘‘ବିଧାତା ପୁରୁଷ, ନିଜ ପ୍ରଜାପତି ପାଞ୍ଜିରେ ହେମମଣି ବଦଳରେ ରତ୍ନମଣି ପଢ଼ି ଯେ ଭୁଲ କରିଥିଲା, ଏବେ ନିଜେ ତାହା ପୁଣି ସଂଶୋଧନ କରିଛି; ଘନଶ୍ୟାମଙ୍କ ସହିତ ତାଙ୍କ ଲାଗି ନିର୍ଦ୍ଦିଷ୍ଟ ହୋଇଥିବା ପାତ୍ରୀ ଜୁଟାଇଛି ।’’

 

ମାତ୍ର ଲୋକଙ୍କର ଏ ନିଷ୍ପତ୍ତି ଶୀଘ୍ର ଅମୂଳକ ବୋଲି ପ୍ରମାଣିତ ହେଲା । ହେମମଣିଙ୍କ ସହିତ ଘନଶ୍ୟାମଙ୍କର ପ୍ରେମର ଡୋରି ଘଷା ମଜାରେ ପାକଳ ଓ ଚିକ୍‌କଣ ହେବା ପୂର୍ବରୁ, ସ୍ନେହ-ବନ୍ଧନ ସତେଅବା ତାଙ୍କୁ ସହେ ନାହିଁ, ସେହି ଭାବରେ, ହେମମଣିଙ୍କ ଗର୍ଭରୁ ଜାତ ଗୋଟିଏ ଦେଢ଼ ବର୍ଷର ପିଲା ନରସିଂହକୁ ମା’ କୋଳରେ ଛାଡ଼ି, ଘନଶ୍ୟାମ ଇହଧାମରୁ ଚାଲିଗଲେ । ହେମମଣି ପ୍ରାୟ ଚାରିବର୍ଷ ସାନ ବଡ଼ ଦୁଇଟି ପିଲା ଧରି ସ୍ୱାମୀଙ୍କର ସାମାନ୍ୟ ଭୂସମ୍ପତ୍ତିରେ କୌଣସି ପ୍ରକାରେ, କଷ୍ଟେମଷ୍ଟେ ଚଳିବାକୁ ଲାଗିଲେ । ଘନଶ୍ୟାମଙ୍କର ନିତ୍ୟ ରୋଜଗାର ଧନ ଆଉ ନ ଆସିବାରୁ, ପିଲା ଦିଓଟିଙ୍କ ଦୁଧ ତେଲ ହଳଦିରେ ମଧ୍ୟ ମଝିରେ ମଝିରେ ଅଭାବ ଘଟୁଥାଏ-। ତଥାପି ହେମମଣି ପୈତୃକ ସ୍ୱଭାବସୁଲଭ ବିଚକ୍ଷଣତା ଯୋଗେ ପିଲାମାନଙ୍କୁ ସକଳ ପ୍ରକାର ଅନାବଶ୍ୟକ ଦୁଃଖ କଷ୍ଟ ଓ ଅଭାବବୋଧରୁ ରକ୍ଷା କରି ଚଳନ୍ତି ।

 

ହେମମଣି ମନ ମଧ୍ୟରେ ଦୁଃଖିଶ୍ୟାମ ବା ନରସିଂହ କାହାକୁ ଅଧିକ ସ୍ନେହ କରନ୍ତି, ତାହା ଠିକ୍‌ କହି ହେବନାହିଁ; କିନ୍ତୁ ସେ ଯେ ନରସିଂହ ଅପେକ୍ଷା ଦୁଃଖିଶ୍ୟାମକୁ ଖାଇବା ପିନ୍ଧିବା ଆଦି ବିଷୟରେ ଟିକିଏ ଅଧିକ ଆଦର ଦେଖାନ୍ତି, ଏ କଥାରେ ସନ୍ଦେହ ନାହିଁ । ଯୋଡ଼ିଏ ଆମ୍ବ ଆଣିଲେ, ବଡ଼ଟି ଦୁଃଖିଶ୍ୟାମକୁ ଦେଇ, ସାନଟି ନରସିଂହକୁ ଦିଅନ୍ତି; ଦୁଇ ଖଣ୍ତି ଲୁଗା ମଧ୍ୟରୁ ଭଲଟି ଦୁଃଖିଶ୍ୟାମ ପିନ୍ଧେ; ଭଳିଆ ଖଣ୍ତକ ନରସିଂହ ଭାଗରେ ପଡ଼େ । ଏହିପରି ଦୁଃଖୀ ପରିବାରର ଦୈନନ୍ଦିନ ଜୀବନରେ ପ୍ରାୟ ପ୍ରତ୍ୟେକ ବିଷୟରେ ଦୁଃଖିଶ୍ୟାମ ହେମମଣିଙ୍କଠାରୁ ନରସିଂହ ଅପେକ୍ଷା ଏତେ ଭଲ ବ୍ୟବହାର ଓ ହେପାଜତ ପାଏ ଯେ, ଦେଖିଲେ ଲୋକେ ମନେକରନ୍ତି, ଦୁଃଖିଶ୍ୟାମ ଯେପରି ତାଙ୍କ ନିଜ ଜନ୍ମ କଲା ଏବଂ ନରସିଂହ ସଉତୁଣୀର ପୁଅ ।

 

ଦୁଃଖିଶ୍ୟାମ ପରି ସେ ଯେ ମାଆଙ୍କଠାରୁ ଆଦର ଓ ଭଲ ବ୍ୟବହାର ପାଉନାହିଁ, ତାହା ବୁଝିବାକୁ ନରସିଂହକୁ କେତେକ ସମୟ ଲାଗିଗଲା । ପଡ଼ୋଶୀ ଲୋକେ ତାକୁ ଏ ବିଷୟରେ ସାହାଯ୍ୟ କରି ନଥିଲେ, ଏହି ସମୟର ଦୀର୍ଘତା ହୁଏତ ଆହୁରି ବଢ଼ିଥାନ୍ତା । ଏକେ ନରସିଂହର ବୟସ ବଢ଼ିବା ସଙ୍ଗେ ବୁଦ୍ଧି ମଧ୍ୟ ବଢ଼ିଲା । ସେ ନିଜ ପର ଭେଦ ଜାଣିପାରିଲା । ତା’ପରେ ତା’ କାନରେ କିଏ କେତେ ପ୍ରକାର କହିଲେ । ଫଳରେ ଦୁଃଖିଶ୍ୟାମ ଭଲ ଖାଇଲେ, ଭଲ ପିନ୍ଧିଲେ, କ୍ରମେ ନରସିଂହର ଈର୍ଷା ହେବାକୁ ଲାଗିଲା । ମା’ କାହିଁକି ଏପରି କରୁଛନ୍ତି; ସେ ପ୍ରଥମେ କିଛି ବୁଝିପାରିଲା ନାହିଁ; କିନ୍ତୁ ସେ ପରେ ବୁଝି ଠିକ୍‌ କଲା ଯେ, ତା’ ପ୍ରତି ମାଆଙ୍କର ଅନାଦରର କାରଣ ଏକମାତ୍ର ଦୁଃଖିଶ୍ୟାମ; ସୁତରାଂ ତା’ ପ୍ରତି ଗୁପ୍ତ ଈର୍ଷାରୁ କ୍ରମଶଃ ପ୍ରକାଶ୍ୟ ବିଦ୍ୱେଷ ଜନ୍ମିଲା; ସେ ବିଦ୍ୱେଷ ପୁଣି କାଳକ୍ରମେ ପ୍ରଥମେ କଳହ, ବାକ୍ୟ-ଯୁଦ୍ଧ ଏବଂ ପରେ ସାମୟିକ ମରାମରିର ଆକାର ଧାରଣା କଲା । ଅନେକ ଦିନ ଦୁଇ ଭାଇ ଦାଣ୍ତରୁ ମାରପିଟ କରି, ହାତଗୋଡ଼ ଛିଣ୍ତାଇ ଘରକୁ ଫେରନ୍ତି । ପ୍ରଥମେ ପ୍ରଥମେ ଦୁଃଖିଶ୍ୟାମ ନରସିଂହର ଗାଳି ପରାଭବ ନୀରବଭାବରେ ସହି ନେଉଥିଲା, ମାତ୍ର ପରେ ନରସିଂହର ଆକ୍ରମଣ ଯେତେବେଳେ ତା’ର ସହିଷ୍ଣୁତାର ସୀମା ଅତିକ୍ରମ କଲା, ସେତେବେଳେ ସେ ସେଥିରେ ବାଧା ଦେଇ ଆତ୍ମରକ୍ଷା କରିବାକୁ ବସିଲା । ଦୁଃଖିଶ୍ୟାମ ବୟସରେ ବଡ଼ ହୋଇଥିବାରୁ ଇଚ୍ଛା କଲେ, ନରସିଂହକୁ ସହଜରେ ମାରି ହଟାଇପାରନ୍ତା; ମାତ୍ର ନିଜ ବିଜୟ ଲାଳସା ନରସିଂହଠାରେ ଚରିତାର୍ଥ କରିବା ତା’ ପ୍ରତି ଗୌରବର ବିଷୟ ବୋଲି ସେ ମନେ କରୁ ନଥିଲା । ସୁତରାଂ ସେ ମନେମନେ କହେ, ‘‘ମାରୁ ସେଥିରେ କ’ଣ ମୋର ଦେହ ସରିଯିବ ? ମୁଁ ହାତ ଉଠାଇବା ଭଲ ହେବନାହିଁ ।’’ ଦୁଃଖିଶ୍ୟାମ ନିଜେ ଅବଶ୍ୟ କେବେ ହାତ ଉଠାଇ ନରସିଂହକୁ ମାରେନାହିଁ । ନରସିଂହ ତାକୁ ମାରିବା ଚେଷ୍ଟାରେ ନିଜେ ବେଳେବେଳେ ଆଘାତ ପାଏ ମାତ୍ର । ଆହୁରି ମଧ୍ୟ ‘‘ଭାଇ ମୋତେ ମାଇଲା’’ ବୋଲି ଲୋକଙ୍କ ଆଗରେ କହିବାକୁ ସେ ସୁବିଧା ଖୋଜୁଥାଏ ।

 

ଦୁଇ ଭାଇଙ୍କ ମଧ୍ୟରେ ମନୋମାଳିନ୍ୟ ମେଣ୍ଟାଇବା ହେମମଣିଙ୍କର ଗୋଟାଏ କଠିନ କର୍ତ୍ତବ୍ୟ ହୋଇ ପଡ଼ିଲା । ଉଭୟଙ୍କ ପ୍ରତି ସମାନ ବ୍ୟବହାର ଦେଖାଇଲେ ହୁଏତ ଏବଂ ନରସିଂହକୁ ଦୁଃଖିଶ୍ୟାମ ଅପେକ୍ଷା ବେଶି ହେପାଜତ କଲେ ନିଶ୍ଚୟ, ସେ ମନୋମାଳିନ୍ୟ, ବର୍ଷାଦିନର ନିଆଁ ଗଦା ପରି, ଆପେଆପେ ନିଭିଯାନ୍ତା; ମାତ୍ର ତାହା ହେମମଣିଙ୍କ ପକ୍ଷେ ସମ୍ଭବପର ନୁହେଁ । ନରସିଂହ ତାଙ୍କର ନିଜ ପେଟର ପୁଅ । ପ୍ରାକୃତିକ ସମ୍ପର୍କରେ ତାଙ୍କ ହୃଦୟରେ ତା’ପାଇଁ ଗୋଟିଏ ସ୍ଥାନ ନିର୍ଦ୍ଦିଷ୍ଟ ରହିଛି । ସେ ମଧ୍ୟ ସେହି ସ୍ଥାନଟି ବଳପୂର୍ବକ ଅଧିକାର କରିପାରେ; କିନ୍ତୁ ଦୁଃଖିଶ୍ୟାମ ପର ପିଲା । ତା’ପାଇଁ ପ୍ରକୃତି ତାଙ୍କ ଅନ୍ତର ମଧ୍ୟରେ ବିନ୍ଦୁ ମାତ୍ର ଶୂନ୍ୟ ରଖି ନାହିଁ ଯେ ସେ ଟାଣି ହୋଇ ଆସି ସେଠାରେ ଛପି ରହିଯିବ, କୌଣସି ବାଧାବିଘ୍ନ ମାନିବ ନାହିଁ । ସୁତରାଂ ତା’ପାଇଁ ସର୍ବଦା ତାଙ୍କ ହୃଦୟର ଦ୍ୱାର ଫିଟାଇ ରଖିବା ଦରକାର, ସ୍ନେହ ଆଦର ଅକାତର ଭାବରେ ଢାଳିବା ପ୍ରୟୋଜନ । ନୋହିଲେ ସେ ଫେରି ଯାଇପାରେ । ଫଳରେ ହେମମଣି ନରସିଂହ ଅପେକ୍ଷା ଦୁଃଖିଶ୍ୟାମକୁ, ଏହି ନୀତିର ଅନୁସରଣରେ, ବରାବର ଅଧିକ ଆଦର ଦେଖାଉଥିଲେ । ତା’ପରେ ପୁଣି ତାଙ୍କର ସେହି ପକ୍ଷପାତ ବ୍ୟବହାର ଯୋଗେ ଦୁଃଖିଶ୍ୟାମ ନରସିଂହର ହିଂସା ବିଦ୍ୱେଷର ପାତ୍ର ହୋଇ ପଡ଼ିବାରୁ, ତାହା କ୍ଷତିପୂରଣ କରିବା ଅଭିପ୍ରାୟରେ ସେ ଦୁଃଖିଶ୍ୟାମକୁ ହୃଦୟରେ ପୂର୍ବ ଅପେକ୍ଷା କ୍ରମଶଃ ବେଶି ସ୍ନେହ କରିବାକୁ ଆରମ୍ଭ କଲେ ।

 

ଏହିପରି କିଛିଦିନ ଚାଲିଗଲା । ଦୁଃଖିଶ୍ୟାମ ଏକେ କାନକୁହା ଶୁଣିବାର ପିଲା ନୁହେଁ; ତା’ପରେ ପୁଣି ତା’ କାନରେ କହିବାର ଉପଯୁକ୍ତ ବିଷୟ ତା’ ସପକ୍ଷରେ ବିଶେଷ କିଛି ନଥିଲା । ଅନ୍ତତଃ ନରସିଂହ ତୁଳନାରେ ତା’ର ଯେ ତାହା କିଛି ନଥିଲା, ସେଥିରେ ସନ୍ଦେହ ନାହିଁ । ନରସିଂହର ସେ ବିପୁଳ ସମ୍ପଦ କ୍ରମେ ତା’ର ହୃଦୟର ବଳ ବଢ଼ାଇବାକୁ ଏବଂ ଚିନ୍ତାର ମାର୍ଗ ବଦଳାଇବାକୁ ଲାଗିଲା । ଫଳରେ ଦିନେ ନରସିଂହ ଅନେକ ଭାବି ଭାବି ଠିକ୍‌ କଲା–‘‘ଠିକ୍‌ କଥା, ଦୁଃଖିଶ୍ୟାମର କି ଦୋଷ ? ଗୋଟାଏ ବିଲରେ ଯଦି ଭଲ ପାଣି ବର୍ଷେ, ତେବେ ଦୋଷ ତ ସେ ବିଲର ନୁହେଁ, ଦୋଷ ମେଘର ।’’ ନରସିଂହର ଈର୍ଷା ଓ ବିଦ୍ୱେଷ କ୍ରମେ ବିରାଗ ଓ ଶତ୍ରୁତାରେ ପରିଣତ ହେଲା; ଦୁଃଖିଶ୍ୟାମକୁ ଛାଡ଼ି ସେ ହେମମଣିଙ୍କି ଧଇଲା । ତାଙ୍କୁ ପ୍ରଥମେ କେବେ ଗାଳି ଓ ତା’ପରେ କେବେ ମାଡ଼ ଦେବାକୁ ସେ ଆରମ୍ଭ କଲା, ସେ ଦିନ ତା’ର ଅବଶ୍ୟ ମନେ ନାହିଁ; କିନ୍ତୁ ତା’ର ଫଳରେ ସେ ଜୀବନର ଏକ ନୂତନ ସୋପାନରେ ପ୍ରବେଶ କଲା । ସେ ସୋପାନରୁ ସେ ତା’ର ମାତୃକୁଳର କେତେ ପୁରୁଷ ଉପରେ ପାଦ ଥୋଇବାକୁ କ୍ଷମ ହେଲା । ସେ କିଛି ପିଲା ନୁହେଁ ଯେ ତାକୁ କିଏ ଶାସନ କରିବ, ସଦ୍‌ବୁଦ୍ଧି ଦେବ, ସୁପରାମର୍ଶଦ୍ୱାରା କୁପଥରୁ ଫେରାଇ ଆଣିବ । ସେ ଆଜି ବାଇଶ ବର୍ଷ ବୟସର ବର୍ଦ୍ଧିଷ୍ଣୁ, ଦର୍ପୋନ୍ମତ୍ତ ଭେଣ୍ତା ।

 

ନରସିଂହର ଦୁର୍ବ୍ୟବହାରରେ ହେମମଣି ଓ ଦୁଃଖିଶ୍ୟାମଙ୍କ ମଧ୍ୟରେ ସ୍ନେହ ବନ୍ଧନ କ୍ରମେ ଦୃଢ଼ତର ହୋଇଉଠିଲା । ବାଧାପ୍ରାପ୍ତ ନଦୀ ସ୍ରୋତ ସେହି ବାଧା ଚୂର୍ଣ୍ଣ କରିବାକୁ କ୍ରମେ ଯେପରି ଅଧିକ ଅଧିକ ବଳଶାଳୀ ହୋଇପଡ଼େ, ହେମମଣି ସେହିପରି ନିଜ ପୁଅଠାରୁ ବାରମ୍ୱାର ଗାଳି ମାଡ଼ ଖାଇ ହୃଦୟର ସ୍ନେହ ଧାରା ଦୁଃଖିଶ୍ୟାମ ଉପରେ ଢାଳିବାରେ ଲାଗିଲେ । ଦୁଃଖିଶ୍ୟାମ କେତେଥର ତାଙ୍କୁ କହିଲା, କେତେ ବୁଝାଇଲା, କେତେ ଅନୁନୟ ବିନୟ କରି ତାକୁ ଦୂର କରିବାକୁ ଅନୁରୋଧ କଲା, ମାତ୍ର କାହିଁରେ କିଛି ଫଳ ହେଲା ନାହିଁ । ସେ ସବୁର ଉତ୍ତରରେ କେବଳ ଶୁଣିଲା, ‘‘ପିଲାଟା କ’ଣ ବୁଝୁଛି ମ ? ତୁ ତ ମଧ୍ୟ ମୋ କୋଳର ନିଧି । ବିଧାତା ତାକୁ ଦେବା ଆଗରୁ ତୋତେ ଆଣି ମୋ ହାତରେ ସମ୍ପିଥିଲା । ତୁ ପଳାଇଲେ, ମୁଁ ବଞ୍ଚିବି କିପରି ଆଉ ପୁଣି, ଅପାର ପ୍ରେତଆତ୍ମା ମୋତେ କହିବ କ’ଣ ? ସେ କଥା କହି ହେବନାହିଁ । ପେଟର ପିଲାଟା ମତେ ଦି’ଟା ମାରି ଦେଉଛି ଯେ ସେଥିରେ ପୁଣି ମୋ ଦେହ ଭାଜି ଯାଉଛି । କି ବାୟା ହେଲୁରେ ପୁଅ !’’ ହେମମଣିଙ୍କ କଷ୍ଟ ଦେଖି ଦୁଃଖିଶ୍ୟାମର ଦୁଃଖ ଯେତେବେଳେ ଶିଖରେ ଚଢ଼େ, ସେ ଖସି ପଳାଇ ଅନନ୍ତ ପବନରେ ଭାସିଯିବାକୁ ଭାବେ, ମାତ୍ର ପର ମୁହୂର୍ତ୍ତରେ ଭାଜି ପୁଣି ସେହିଠାରେ ତଳେ ପଡ଼େ । ଫଳରେ ପ୍ରତିକାରର ଉପାୟ ତାକୁ ଦିଶେ ନାହିଁ ।

 

ଏହିପରି ଭାବରେ କେତେଦିନ ଗଲା ପରେ, ଦିନେ ଦୁଃଖିଶ୍ୟାମ ଘରୁ ପଳାଇଗଲା । ଜାଣିଲେ ହେମମଣି ଛାଡ଼ନ୍ତେ ନାହିଁ, ସେଥିପାଇଁ ତାଙ୍କ ସହିତ ନିଜର ଗାଢ଼ ଦୃଢ଼ୀଭୂତ ବନ୍ଧନ, ଦୁଇଆଡ଼ୁ ଦୁଇ ଜଣଯାକ ଛିଣ୍ତାଇବା ଅପେକ୍ଷା, ସେ ନିଜେ ଦୁଇଗୁଣ ବଳ ପ୍ରୟୋଗରେ କାଟିଦେଇ ଚାଲିଗଲା । ସେ ଯେ ଜୀବନରେ ଅକେନ୍ଦ୍ରଗାମୀ ଗତିରେ ସଂସାରର କେଉଁ ଅଜ୍ଞାତ ବିଜନ ପ୍ରାନ୍ତକୁ ଚାଲିଗଲା, ହେମମଣି ଠଉରାଇ ପାରିଲେ ନାହିଁ । କେବଳ ଘର ଭିତରର ଓ ନିଜ ହୃଦୟ ମଧ୍ୟର ଶୂନ୍ୟସ୍ଥାନ ଦେଖି ଝୁରିବାକୁ ଲାଗିଲେ । ଦୁଃଖିଶ୍ୟାମ ଚାଲିଯିବା ପରେ, ମାଆଙ୍କ ସ୍ନେହର ସ୍ରୋତ ଏକ ମୁଖରେ ତା’ ନିଜ ଆଡ଼କୁ ବହିବ ବୋଲି ନରସିଂହ ଯେ ଆଶା କରିଥିଲା, ସେ ଆଶା ଅମୂଳକ ବୋଲି ତାକୁ ଜଣାପଡ଼ିବାରେ ବିଳମ୍ବ ଘଟିଲା ନାହିଁ । ଫଳରେ ତାଙ୍କ ଉପରେ ତା’ର ଅତ୍ୟାଚାର ନ କମି, ବଢ଼ିବାକୁ ଲାଗିଲା । ସେ ଅତ୍ୟାଚାର ଓ ହେମମଣିଙ୍କ ଜୀବନ ମଧ୍ୟରେ ଦୁଃଖିଶ୍ୟାମ ଯେ ବ୍ୟବଧାନ ହୋଇ ରହିଥିଲା, ସେ ଚାଲିଯିବାରୁ ହେମମଣିଙ୍କି ଅତ୍ୟାଚାର ପୂର୍ଣ୍ଣମାତ୍ରାରେ ସହିବାକୁ ପଡ଼ିଲା ।

 

ଦୁଃଖିଶ୍ୟାମ ହେମମଣିଙ୍କ ସହିତ ବନ୍ଧନ କାଟି ଦେଇ ଚାଲିଯାଇଥିଲା ଅବଶ୍ୟ; କିନ୍ତୁ ସେ ବନ୍ଧନ ସେ ଏକାବେଳକେ କାଟି ପାରି ନଥିଲା । ଗଛର ଡାଳରୁ ଖଣ୍ତେ କାଟି ପକାଇଲେ, ପ୍ରକୃତିର ନୈସର୍ଗିକ ଆରୋଗ୍ୟ କ୍ରିୟାରେ ତାହା ଯେପରି ସମୟରେ ପୁଣି ପୂରିଯାଏ, କେତେଦିନ ପରେ ସେହିପରି ଉଭୟଙ୍କର ସ୍ନେହ ଡୋରି ପୁନରାୟ ବାନ୍ଧିହୋଇ ଆସିଲା । ପୃଥିବୀରେ ଇଟା ପଥର ଆଦି କେତେଗୁଡ଼ାଏ ପଦାର୍ଥ ଅଛି, ଯାହା ଗୋଟା ଅପେକ୍ଷା ଭାଙ୍ଗି ଯୋଡ଼ିଲେ, ଅଧିକ ଟାଣ ହୁଏ । ସ୍ନେହ ବନ୍ଧନ ମଧ୍ୟ ସେହି ଶ୍ରେଣୀର ଅନ୍ତର୍ଗତ । ଦୁଃଖିଶ୍ୟାମ କାଟି ଦେଇଯାଇଥିବା ବନ୍ଧନ ଯୋଡ଼ି ହୋଇ ପୂର୍ବଠାରୁ ଅଧିକ ଶକ୍ତ ହୋଇ ପଡ଼ିଲା । ସେଥିରେ ଟାଣି ହୋଇ ସେ ଦିନେ ହଠାତ୍‌ ଆସି ହେମମଣି ପାଖରେ ପହଞ୍ଚି, କହିଲା, ‘‘ମା, ନମସ୍କାର ।’’ ହେମମଣି କଥା କହି ପାରିଲେନାହିଁ; ନେତ୍ରର ଜଳରେ ତା’ର ଅଭ୍ୟର୍ଥନା କଲେ ମାତ୍ର । କେତେଦିନ ଭିତରେ ସେ ଦୁର୍ବଳ ହୋଇ ପଡ଼ିଛନ୍ତି, ଆଖିକି ସେତେ ଦିଶୁନାହିଁ, କାନକୁ ଭଲ ଶୁଭୁନାହିଁ । ଦୁଃଖିଶ୍ୟାମ କାନ୍ଦି ଉଠିଲା; ହେମମଣି ତୁନି କରିବାକୁ ଯାଇ ଧୈର୍ଯ୍ୟର ବନ୍ଧ ସମ୍ଭାଳି ପାରିଲେ ନାହିଁ । ସେ ମଧ୍ୟ ପାଟିକରି କାନ୍ଦିବାରେ ଲାଗିଲା । ଦୁଃଖିଶ୍ୟାମ ବୁଝିଲା ଯେ ତା’ର ଘର ଛାଡ଼ି ଚାଲିଯିବା ଗୋଟାଏ ମସ୍ତ ଭୁଲ ହୋଇଛି । ତା’ ବିନା ହେମମଣିଙ୍କ ଜୀବନ ଯେ ଶୁଷ୍କ, ନୀରସ, ଯାତନାମୟ ହେବ, ତାହା ଜାଣିବାରେ ତା’ର ଆଉ ବାକି ରହିଲା ନାହିଁ ।

 

ହେମମଣିଙ୍କର ସହିବା ଶକ୍ତି କମିବା ସଙ୍ଗେ ସଙ୍ଗେ ନରସିଂହର ଦୁର୍ବ୍ୟବହାର କ୍ରମେ ବଢ଼ିବାକୁ ଲାଗିଲା । ଫଳରେ ଦୁଃଖିଶ୍ୟାମକୁ ମରଣାନ୍ତକ ଦୁଃଖରେ ରହିବାକୁ ପଡ଼ିଲା । ତା’ର ଦୁଃଖ ନିଜ ପାଇଁ ତିଳେମାତ୍ର ନୁହେଁ । ହେମମଣିଙ୍କ ପ୍ରତି ନରସିଂହର ଭଲ ବ୍ୟବହାର ଦେଖିଲେ ସେ ନିଶ୍ଚିନ୍ତ ହୁଅନ୍ତା; ମାତ୍ର ତାହାହିଁ ସମ୍ଭବ ଦିଶୁନାହିଁ । ସେ ହେମମଣିଙ୍କି ଧରି ଅନ୍ୟ କେଉଁଆଡ଼େ ଚାଲିଯିବାର କଳ୍ପନା କଲା; କିନ୍ତୁ ହେମମଣି କହିଲେ, ‘‘ପୁଅ ଘରଟା ଛାଡ଼ିଯିବା କି ଭଲ ଦିଶିବ ? ମାଟି କାମୁଡ଼ି ପଡ଼ିଥାଏଁ, ଯେତେ ଦିନ ଜୀଇଛି ।’’

 

ଘର ଛାଡ଼ି ଯିବା ଭଲ ନ ଦିଶିଲେ ମଧ୍ୟ କେତେଦିନ ପରେ ହେମମଣି ଓ ଦୁଃଖିଶ୍ୟାମ ଦୁହିଁଙ୍କୁ ତାହାହିଁ କରିବାକୁ ପଡ଼ିଲା । କାରଣ ନରସିଂହ ଉଭୟଙ୍କୁ ଘରୁ ମାରି ବାହାର କରିଦେଲା । ଘରୁ ବାହାରି ଯାଇ ସେମାନେ କେଉଁଠାରେ ଆଶ୍ରୟ ନେବେ ବୋଲି ଯେ ନରସିଂହ ଭାବିଥିଲା, ତାହା ସେ ଜାଣେ; ମାତ୍ର ଦୁହେଁ ଯେତେବେଳେ ଯାଇ ହେମମଣିଙ୍କ ଭାଇଙ୍କ ଘରେ ରହିଲେ, ନରସିଂହ କେତେଦିନ ପରେ ଯାଇ ସେଠାରେ ପହଞ୍ଚିଲା । ତା’ର ବହୁଦିନର ଅଭ୍ୟାସ ମେଣ୍ଟାଇବାର ସୁବିଧା, ସେ ନିଜ ପୈତୃକ ଘରେ ଏକା ରହି, ପାଇପାରିଲାନାହିଁ । ପୁଣି ଦୁଃଖିଶ୍ୟାମ ମାଆଙ୍କ ପାଖେ ରହି ତାଙ୍କର ସ୍ନେହ, ମମତା, ଆଦର ଯେ ଏକା ଉପଭୋଗ କରୁଛି, ତାହା ଭାବି ତା’ର ହୃଦୟ ଚିରି ହୋଇଗଲା । ସୁତରାଂ, ନୂଆଗାଁରେ ପ୍ରତିଦିନ ଯେ କାଣ୍ତ ଘଟୁଥିଲା, ମଠପୁରରେ ମଧ୍ୟ ସେହି କାଣ୍ତର ଅଭିନୟ ହେବାକୁ ଲାଗିଲା । ମାମୁ, ମାଈଁ ନରସିଂହକୁ କେତେ ବୁଝାଇଲେ, ସେ ନିଷ୍ଠୁର ଆଚରଣ ଛାଡ଼ିବାକୁ କେତେ ଅନୁରୋଧ କଲେ, କାହିଁରେ କିଛି ଫଳ ହେଲାନାହିଁ ।

 

ଦୁଃଖିଶ୍ୟାମ ବୁଝିଥିଲା ଯେ ତାଙ୍କର ନୂଆଗାଁର ସେ ହତଭାଗ୍ୟ ପରିବାରର ତ୍ରିଭୁଜ ମଧ୍ୟରୁ ସେ ନିଜେ ବିଲୟ ପାଇଲେ, ହେମମଣିଙ୍କ କୋଣଟିକୁ ମଧ୍ୟ ଲୋପ ପାଇବାକୁ ହେବ । ତାହା ସାଧାରଣ ଭାବରେ ଲୋପ ପାଇବାରେ ହୁଏତ ତା’ର ସେତେ ଆପତ୍ତି ହୁଅନ୍ତା ନାହିଁ; କିନ୍ତୁ ତାଙ୍କ ଅନ୍ତେ ହେମମଣିଙ୍କର ଯେ କି ଅବସ୍ଥା ହେବ, ସେ ତାହା କଳ୍ପନାରେ ସ୍ପଷ୍ଟ ବୁଝିଥିଲା । ଏପରିକି, ତାଙ୍କର ଦୁର୍ଗତିର ଚିତ୍ର ସେ ଗୋଟି ଗୋଟି କରି ନିଜ ଆଖି ଆଗରେ ଦେଖୁଥିଲା । ପୃଥିବୀରୁ ନରସିଂହର ସତ୍ତା ଲୁଚିଗଲେ, ହେମମଣି ଦୁଃଖିତ ହୋଇପାରନ୍ତି, କିନ୍ତୁ ଖଣ୍ତ ଖଣ୍ତ ହୋଇ ସଢ଼ି ଯେ ମରିବେ ନାହିଁ, ତା’ର ସେ ଧାରଣା ହୋଇଥିଲା । ସେ କେତେଥର ଇଚ୍ଛା କରେ, ନରସିଂହର ସତ୍ତା ସେ ଏକାବେଳକେ ଲୋପ କରିଦେବ, ତାକୁ ନିଜ ହାତରେ ପ୍ରାଣରେ ମାରିଦେବ; କିନ୍ତୁ ପର ମୁହୂର୍ତ୍ତରେ ଭାବେ ‘‘ମୋର ତା’ ପ୍ରାଣ ଉପରେ କି ଅଧିକାର ଅଛି । ମୁଁ ତ ତାକୁ ସ୍ନେହ କରୁନାହିଁ ଯେ, ସେ ମରିଗଲେ ତା’ର ସ୍ମୃତିରେ ନିଜ ଜୀବନ ଉତ୍ସର୍ଗ କରିବି, ନିଜେ ଜୀବନ୍ମୃତ ଅବସ୍ଥାରେ ପଡ଼ି କାଳ କଟାଇବି । ତାକୁ ମାରିବାରେ ମୋର ଲାଭ ଅଛି, ତ୍ୟାଗ କିଛି ନାହିଁ । ଏ କାର୍ଯ୍ୟ ନିତାନ୍ତ ଅସଂଗତ ଏବଂ ହୁଏତ ନୀତିଶାସ୍ତ୍ରର ଅନୁମୋଦିତ ନୁହେଁ । ମୁଁ ଚାହେଁ, ମାଆଙ୍କୁ ଦୁଃଖ ନିର୍ଯାତନାରୁ ରକ୍ଷା କରିବାକୁ । ତା’ର କ’ଣ ଏକମାତ୍ର ଉପାୟ ନରସିଂହଙ୍କୁ ମାରିଦେବା ? ହେଲେ ମଧ୍ୟ, ମୁଁ ତାକୁ ମାରିବି କି ନ୍ୟାଯ୍ୟ ଦାବିରେ ?’’

 

କିଛିଦିନ ଚାଲିଗଲା । ଦୁଃଖିଶ୍ୟାମ କ୍ରମେ କ୍ରମେ ଅଧିକ ଅଧୀର ଓ ଚିନ୍ତାମଗ୍ନ ହୋଇପଡ଼ିଲା । ସେ ପାଗଳଙ୍କ ପରି କେତେବେଳେ କ’ଣ କରିବାକୁ ଲାଗିଲା । ମୁହୂର୍ତ୍ତ ବିଶେଷରେ ତାକୁ ଦେଖିଲେ, କାହାରି କାହାରି ଭୟ ମଧ୍ୟ ହେଲା । ସେ ସମୟ ସମୟରେ ଏକା ବସି ଭାବେ; ‘ମା’ ତ ମୋର, ଆଉ ମୁଁ ମାଆଙ୍କର । ତାଙ୍କ ଜୀବନ ଉପରେ ମୋର ଯେତେ ଦାବି ଅଛି, ସେଥିରୁ ଅଧେ କି ଚଉଠେ ଯେବେ ଏ ନରସିଂହ ଉପରେ ଥାଆନ୍ତା, ତାହାହେଲେ କ’ଣ ମା’ ଏତେ ଦୁଃଖ ଭୋଗନ୍ତେ ? ମୁଁ ଥାଉଁ ଥାଉଁ ସେ ପୁଣି କଷ୍ଟରେ ସଢ଼ନ୍ତେ !’’ ଦୁଃଖିଶ୍ୟାମ କେତେବେଳେ କ’ଣ ଭାବେ, କେତେବେଳେ କ’ଣ କରେ, କେତେବେଳେ କ’ଣ କହେ, ତାହା କେହି ବୁଝିପାରନ୍ତି ନାହିଁ; ଏପରିକି ନିଜେ ହେମମଣି ମଧ୍ୟ ପାରନ୍ତି ନାହିଁ, କିନ୍ତୁ ସେ ନିଜେ ତା’ ମନର କଥା ବେଶ୍‌ ବୁଝେ । ତା’ର ତୁଣ୍ତର କଥା ଓ ହାତର କାର୍ଯ୍ୟର ଅନ୍ତରାଳରେ ଯେ ଚିନ୍ତାର କି ଗୋଟାଏ ପ୍ରବଳ ଝଞ୍ଜା ସ୍ରୋତ ଚାଲିଛି, ସେ ତାହା ବରାବର ଅନୁଭବ କରୁଛି । ସେଥିରେ କେତେବେଳେ ଉଡ଼ି ଭାସିଯାଉଛି, କେତେବେଳେ ଅବା ଜଳୁଛି; କିନ୍ତୁ ତା’ ମଧ୍ୟରୁ ଚାଲିଯାଇ ଅନ୍ୟତ୍ର ମୁଣ୍ତ ଗୁଞ୍ଜିବାକୁ ସ୍ଥାନ ପାଉନାହିଁ । ମା’ ବଞ୍ଚିଥିବା ପର୍ଯ୍ୟନ୍ତ, ଆଜୀବନ ଯେ କୋଳର ପୁତ୍ର ନରସିଂହଠାରୁ ଦୁଃଖକଷ୍ଟ ନିର୍ଯାତନା ପାଇବେ, ସେଥିରେ ଆଉ ସନ୍ଦେହ ନାହିଁ । ତାହା ବନ୍ଦ କରିବାର ଉପାୟ ସେ ମନେମନେ ଠିକ୍‌ କରିଛି । ସେ ଉପାୟ କାର୍ଯ୍ୟରେ ପରିଣତ ହେଲେ ତେଣିକି ଦୁଃଖକଷ୍ଟ ତ ସେ ଏକା ପାଇବ, ମା’ ସଂସାର ଜ୍ୱାଳାରୁ ମୁକ୍ତ ହୋଇ ନିତ୍ୟ ସୁଖ ଅନୁଭବ କରିବେ ।

 

ଦିନେ ହେମମଣି ବସିଛନ୍ତି । ତାଙ୍କର ଦୁଇ ଆଖିରେ ବର୍ଷାକାଳର ମେଘ ପରି ଲୁହ ଢଳଢ଼ଳ ହେଉଅଛି । ଦୁଃଖିଶ୍ୟାମ ବସି ନ ପାରି, ତାଙ୍କ କୋଳରେ ମୁଣ୍ଡ ରଖି ଟିକିଏ ଶୋଇ ପଡ଼ିଛି-। ଆଖିରୁ ଲୁହ ବୋହିଗଲେ ତା’ ମୁଣ୍ଡରେ ପଡ଼ିବ ଏବଂ ସେ ଉଠି ପୁଣି କହିବ, ‘‘ମା’, ତୁମେ କାନ୍ଦନାହିଁ,’’ ନିଜେ ମଧ୍ୟ କାନ୍ଦି ପାଗଳ ହେବ–ଏସବୁ ବିଚାରି ହେମମଣି ଆଖିର ଲୁହ ଆଖିରେ ମାରିବାକୁ ଚେଷ୍ଟା କରୁଛନ୍ତି, ଅଥଚ କ୍ଷମ ହେଉ ନାହାନ୍ତି । ହୃଦୟର ଜ୍ୱାଳା ଯନ୍ତ୍ରଣା ନିଭାଇବାକୁ ପ୍ରକୃତି ଯେ ଆଖିରେ ପାଣିର ଗୋଟିଏ ଭଣ୍ଡାର ସଞ୍ଚିରଖିଛି, ତାହା ଉପରେ କାହାର ହାତ ଅଛି-? ହଠାତ୍‌ ଟପ ଟପ ହୋଇ ଦୁଃଖିଶ୍ୟାମ ଗାଲରେ କେତେ ଟୋପା ସଞ୍ଚିତ ଲୁହ ଏକାବେଳକେ ପଡ଼ିଗଲା । ଉଠି ସତେ ଦୁଃଖିଶ୍ୟାମ କହିଲା, ‘‘କାନ୍ଦନାହିଁ, ମା’ ।’’ ଦୁଃଖିଶ୍ୟାମ ଯେପରି ହେମମଣିଙ୍କ ଅଶ୍ରୁନଦୀର ପ୍ରତିବନ୍ଧକ ହୋଇଥିଲା, ସେ ଜାଣିଯିବାରୁ ହେମମଣି ପାଟିକରି କାନ୍ଦିବାକୁ ଲାଗିଲେ । ଦୁଃଖିଶ୍ୟାମ ମଧ୍ୟ କାନ୍ଦିଲା ।

 

ସେ ଦିନ ଅନେକ ସମୟ ପରେ ଦୁଃଖିଶ୍ୟାମ ହେମମଣିଙ୍କି ନାନା କଥା ପଚାରି ଶେଷରେ ଶୁଣିଲା, ‘‘ମୁଁ ମଲେ ସିନା ଏକା ଏଥିରୁ ରକ୍ଷା ପାଇବିରେ ବାପା, ନୋହିଲେ କ’ଣ ମୋ ଦୁଃଖର ଅନ୍ତ ଅଛି ? ତୁ ମିଛରେ ମୋ ସଙ୍ଗେ ଘାଣ୍ଟି ହେଉଛୁ ।’’ ତା’ପରେ ଦୁଃଖିଶ୍ୟାମର ପ୍ରାଣ ଅନେକ ପରିମାଣରେ ହାଲୁକା ବୋଧହେଲା । ସେ ଯେଉଁ ବାଟେ ଚାଲି ହେମମଣିଙ୍କ ଦୁଃଖ ଦୂର କରିବ ବୋଲି ଭାବୁଥିଲା, ସେ ବାଟ ବେଶ୍‌ ପ୍ରଶସ୍ତ ଦିଶିଲା । ତା’ର ସାହସ ମଧ୍ୟ ବଢ଼ିଲା । ସୁତରାଂ, ସେ ହେମମଣିଙ୍କି କହିପାରିଲା, ‘‘ମା’, ତୁମେ ଯେ କହୁଥିଲ, ମଲେ ଏକା ଏଥିରୁ ମୁକ୍ତି ପାଇବ, ମୁଁ ଦେଖୁଛି ତାହାହିଁ ଠିକ୍‌ ।’’ ହେମମଣି ଶୁଣି ସେଥିରେ ହଁ ଭରିଲେ । ତହିଁ ଦୁଃଖିଶ୍ୟାମ କହିଲା, ‘‘ଆଚ୍ଛା, ମୁଁ ତା’ର ଉପାୟ କରିବି ।’’ ହେମମଣି ସେଥିରୁ ତା’ର ମନରେ ଦୁଃଖ କଷ୍ଟର ସୀମା ହୃଦୟଙ୍ଗମ କରିପାରିଲେ । ଭାବିଲେ, ‘‘ଏ ତ ମୋ ଦୁଃଖରେ ପାଗଳ ହୋଇଯାଉଛି । କେତେବେଳେ କ’ଣ କହୁଛି । ବଞ୍ଚି ରହି, ସଂସାରରେ ଘରଦ୍ୱାର କରିବାକୁ ଇଚ୍ଛା କରି, ସେ ଯେ ଏ କଥା କହିଲେ, ତା’ ନୁହେଁ । ତାଙ୍କର ପ୍ରାଣରେ ଲୋଭ ନଥିଲା । ତେବେ ସେ ମରିଗଲେ, ଦୁଃଖିଶ୍ୟାମ ଯେ ଛେଉଣ୍ତ ହେବ, ସଂସାର-ସମୁଦ୍ର ମଧ୍ୟରେ ଏକା ପଡ଼ି ଭାସିବ, ସେଥିରେ ଅପାଙ୍କ ଅନ୍ତିମ ମୁହୂର୍ତ୍ତର କଥାଟି ବିଫଳ ହେବ, ଏହାହିଁ ତାଙ୍କର ଭାବନା । କେବଳ ସେତିକି ନୁହେଁ, ବିଧାତା ମାତୃ ହୃଦୟରେ ଏପରି ଏକ ଭାବ ଦେଇଛି, ଯାହା ଆକ୍ରମଣ କରିବା ସନ୍ତାନର ଶତ ନିଷ୍ଠୁରତା, ସହସ୍ର ଦୁର୍ବ୍ୟବହାର ସତ୍ତ୍ୱେ ଲୋପ ପାଇବା ସମ୍ଭବପର ନୁହେଁ । ସେଥିପାଇଁ ହେମମଣି ବେଳେବେଳେ ଭାବନ୍ତି, ‘‘ଆହା, ନରସିଂହ ଦୁଃଖ ବିପଦରେ ପଡ଼ି, ଆଉ କାହାକୁ ମା’ ବୋଲି ଡାକିବ ?’’

 

କେତେଦିନ ଚାଲିଗଲା, ଦୁଃଖିଶ୍ୟାମ ସଂସାର ସହିତ ନିଜର ଯାବତୀୟ ବନ୍ଧନ ନିଜ ହାତରେ ଗୋଟି ଗୋଟି ଛିଣ୍ତାଇ, ସମୁଦ୍ର ବକ୍ଷର ବନ୍ଧନହୀନ ଭାସନ୍ତା କାଠଖଣ୍ତ ପରି ଦୋଳାୟମାନ ହେବାକୁ ଲାଗିଲା । କେତେଥର ଆଗ ପଛ ହେଲା । ମନର ପ୍ରତିଜ୍ଞା ମୁଖର ବାକ୍ୟଦ୍ୱାରା ଦୃଢ଼ୀଭୂତ କରିବା ଅଭିପ୍ରାୟରେ ଶେଷରେ କହିଲା, ‘‘ନା, କର୍ତ୍ତବ୍ୟ ତ ସ୍ଥିର କରିଛି । ଏହି ଖଣ୍ତାରେ ପ୍ରଥମେ ତାଙ୍କର ମୁଣ୍ତ, ତା’ପରେ ତାଙ୍କର ଘାତକ ଏହି ପିଶାଚର ମୁଣ୍ତ ।’’ ଏହା କହି ନିଜର ଛାତିକି ଆଙ୍ଗୁଠିରେ ଦେଖାଇଲା ।

 

ଦିନେ ହେମମଣି ଟିକିଏ ନିଦରେ ଶୋଇପଡ଼ି, ସଂସାରର ଦୁଃଖ ବେଦନା କ୍ଷଣକ ନିମନ୍ତେ ଭୁଲିଯାଇଥିଲେ । ଦୁଃଖିଶ୍ୟାମ ଦୁଇଥର ତାଙ୍କ ପାଖକୁ ଗଲା, ଦୁଇଥରଯାକ ଫେରିଆସିଲା । କହିଲା, ‘‘ଓଃ, କି ଦୁର୍ବଳ ମୁଁ !’’–କହି ସାରି କିଛିକ୍ଷଣ କ’ଣ ଭାବିଲା । ପୁଣି ଆଉଥରେ ଯାଇ, ହେମମଣିଙ୍କ ପାଦତଳେ ଗୋଟିଏ ମୁଣ୍ତିଆ ମାଇଲା । ତାଙ୍କ ପାଦର ଧୂଳି ନେଇ ମୁଣ୍ତରେ ଲଗାଇଲା । ତଥାପି ପାରିଲା ନାହିଁ, ଫେରିଆସିଲା । ପୁଣି ଯାଇ ଦେଖିଲା ତାଙ୍କ ପିଠିରେ ନରସିଂହ ମାରିବାର ଚିହ୍ନ ରହିଛି । ତହୁଁ କହିଲା, ‘‘ନା, ଆଉ କେତେ ଦିନ ଏ ଯାତନା ? ମୁଁ ଦୁର୍ବଳତା ଦେଖାଉଛି । ଭଗବାନ୍‌ ମୋତେ ବଳ ଦିଅ, ହୃଦୟରେ ସାହସ ଢାଳ । ନା, ଏ ଦୃଶ୍ୟ ଆଉ ଦେଖିପାରିବି ନାହିଁ’’–କହି ସେ ଖଣ୍ତାରେ ଆଘାତ କଲା । ଅଜ୍ଞାତ ଭାବରେ ହାତ କୋହଳ ହୋଇଗଲା । ହେମମଣି ମୁଣ୍ତ ସମ୍ପୂର୍ଣ୍ଣ ଛିଣ୍ତିଲା ନାହିଁ । ତହିଁରୁ ଶବ୍ଦ ବାହାରିଲା, ‘ଆହା, ମୋ ନରସିଂହ ।’’ ଦୁଃଖିଶ୍ୟାମ ଦେଖିଲାବେଳକୁ ସବୁ ସରିଗଲାଣି, ତା’ ହାତରେ ଆଉ ବଳ ନାହିଁ, ମନର ପ୍ରତିଜ୍ଞା ନାହିଁ, ସତେ ଯେପରି ସେ ଏକ ପଥରର ମୂର୍ତ୍ତି ।

 

ଲୋକ ଜମା ହୋଇଗଲେ । ଦୁଃଖିଶ୍ୟାମକୁ ଛି ଛି କଲେ, ଗାଳି ଦେଲେ, ନରହନ୍ତା, ମାତୃହନ୍ତା ବୋଲି ନିନ୍ଦା କରିବାକୁ ଲାଗିଲେ । ଅନେକ ସମୟ ପରେ ସଂଜ୍ଞା ଲାଭ କରି ଦୁଃଖିଶ୍ୟାମ ଦେଖିଲା ତା’ ଜୀବନ ଉପରେ ଆଉ ତା’ର ଅଧିକାର ନାହିଁ, ଅଛି ଲୋକଙ୍କ ଘୃଣାରେ ଦେଶର ପ୍ରଚଳିତ ଆଇନର ଏବଂ ହୁଏତ ଶେଷରେ ଭାଇ ନରସିଂହର ପ୍ରତିହିଂସାର । ଜଗତର କେନ୍ଦ୍ରୀଭୂତ ପାପବିନ୍ଦୁ ପରି ଦୁଃଖିଶ୍ୟାମ ଆଉ ସାରା ସଂସାର ମଧ୍ୟରେ ସ୍ଥାନ ପାଇଲା ନାହିଁ । କେବଳ ନରସିଂହ ଦେଖିଲା ଯେ ତା’ର ଦୀନତାର କାରଣ ମା’ ଚାଲିଯାଇଛି । ଦେଖି, ଯେପରି ସେ ଆଶ୍ୱସ୍ତ ହେଲା, ବହୁବର୍ଷ ପରେ ଦୁଃଖିଶ୍ୟାମକୁ ପ୍ରଥମେ କଥା କହି, କହିଲା, ‘‘ଭାଇ, ତୁମେ କ’ଣ ମୋ ମନର କଥା ଜାଣିପାରିଥିଲ ? କଲ, ବେଶ୍‌ କଲ ।’’

 

ଦୁଃଖିଶ୍ୟାମ ସ୍ଥିର କଲା ଯେ ସେ ନିଜେ ନ ମରି ବଞ୍ଚି ରହିବ । ନରସିଂହର ସେବା କରିବ, ସମାଜର ଘୃଣା ଲାଞ୍ଛନା ସହିବ ଓ ନିଜ ପାପ ଲାଗି ଯଥାସମୟରେ ରାଜଦଣ୍ତ ଭୋଗିବ । ହେମମଣିଙ୍କ ମରିବା ପରେ ନିଜ ରକ୍ତ ପ୍ରତି ତା’ ପ୍ରାଣରେ ଯେ ପ୍ରବଳ ପିପାସା ଜନ୍ମିଥିଲା, ତାକୁ ସେ ଏହି ଉପାୟରେ ଶାନ୍ତ କରିବାକୁ ସ୍ଥିର କଲା । କହିଲା, ‘‘ନା, ମରି ତ ଆଉ ଲାଭ ନାହିଁ । ମୃତ୍ୟୁ ଅପେକ୍ଷା ଜୀବନ୍‍ମୃତ ହୋଇ ରହିବା ଅଧିକ ଦଣ୍ତ ।’’ ଏଥିରେ ତା’ କ୍ଷୁବ୍‍ଧ ପ୍ରାଣରେ କେତେକ ପରିମାଣରେ ଶାନ୍ତି ମିଳିଲା ମଧ୍ୟ ।

Image

 

ନାରୀର ଗତି

 

ଗୋପୀନାଥ ବିଦେଶରେ ମରିଯିବା ଖବର ଆଣି ଚିଠି ଯେଉଁଦିନ ପହଞ୍ଚିଲା, ସେଠାରୁ ତିନିଦିନ ଧରି ଗଙ୍ଗାଧରଙ୍କ ଘରେ ବିଷମ କାନ୍ଦବୋବାଳି ପଡ଼ିଛି, ଚୁଲି ଲାଗୁନାହିଁ, ଅଇଁଠା ପଡ଼ୁନାହିଁ, ରାତିରେ ଦୀପ ବଳିତା ଜଳୁ ନାହିଁ, କାହାରି ଆଖିର ଲୁହ ଶୁଖୁନାହିଁ । ଘରର ନିତ୍ୟନୈମିତ୍ତିକ କାର୍ଯ୍ୟରେ ଏ ପ୍ରକାର ବ୍ୟାଘାତ ଏପରି ହଠାତ୍‌ ଘଟିବାର କାରଣ ସୁଲକ୍ଷଣା କିଛି ଠିକ୍‌ରୂପେ ଜାଣେନାହିଁ । ଖାଲି ଶୁଣିଛି ଯେ କ’ଣ ଖଣ୍ତେ ମନ୍ଦ ଚିଠି ଆସିଛି । ବାପା ମା’ ଭାଇ କାନ୍ଦିବାରୁ ସେ କାନ୍ଦୁଛି, ସେମାନେ ଖାଉ ନାହାନ୍ତି ବୋଲି ସେ ଖାଉ ନାହିଁ । ସେହିମାନଙ୍କ ଉପସ୍ଥିତ ଦୁଃଖରେ ଦୁଃଖିତ ହେବା ଛଡ଼ା ତା’ର ମନରେ ଯେ ଅନ୍ୟ କୌଣସି ଭାବ କାର୍ଯ୍ୟ କରୁଥିଲା, ତାହା ଅତ୍ୟନ୍ତ ସନ୍ଦେହର ବିଷୟ । କେବଳ ସେତିକି ନୁହେଁ, ଆପଣାର ବାପା ମା’ ଭାଇ ଓ ଦୁଇ ତିନିଜଣ ପଡ଼ୋଶୀ ଖେଳ ସାଥୀଙ୍କ ବ୍ୟତୀତ ତା’ର ମନର ଭାବନା ଉପରେ ଦାବି କରିବାକୁ ସଂସାରରେ ଯେ ଆଉ କେହି ଅଛି, ତା’ ମଧ୍ୟ ସେ ଭଲରୂପେ ଜାଣେନାହିଁ ।

 

ସୁଲକ୍ଷଣାର ବୟସ ଆଠବର୍ଷ ପୂରିନାହିଁ । ସାତବର୍ଷ ବେଳେ ତା’ର ବିବାହ ହୋଇଥିଲା-। ବିବାହ ଲଗ୍ନ ଗୋଧୂଳି ସମୟରେ ଥିବାରୁ ବର ବିଳମ୍ବରେ ଆସୁଥିଲେ । ତହିଁରେ ପୁଣି, ବାଟରେ ପାଲିଙ୍କି ଭାଜି ପଡ଼ିଲା । ଫଳରେ, ବର ଆସି ବେଦିରେ ବସିଲାବେଳକୁ ରାତି ପାଞ୍ଚ ଘଡ଼ି, ବସନ୍ତପଞ୍ଚମୀର ଚନ୍ଦ୍ର ବୁଡ଼ିବା ଉପରେ । ସୁଲକ୍ଷଣା ନିଦରେ ଟେକା ହୋଇ ଆସି ଲୁଗା ଗଣ୍ତିରାଟିଏ ପରି ବେଦିରେ ଥୁଆ ହୋଇଥିଲା । ବେଦିର କାର୍ଯ୍ୟ ଶେଷରେ ସେହିପରି ଭାବରେ ମଧ୍ୟ, ସେ ଘରକୁ ଫେରିଥିଲା । ସୁତରାଂ, ଆରଦିନ ସକାଳେ ସେ ମାଆଙ୍କୁ ପଚାରିଲା, ‘‘ବୋଉ, ମୋତେ କାଲି ରାତିରେ ଆଉ ଖାଇବାକୁ ଉଠାଇଲୁ ନାହିଁ ?’’ ନିର୍ଜଳ ଏକାଦଶୀ କହିଲେ, ଅନେକ ଯେପରି ଜଳଶୂନ୍ୟ ଚୁଡ଼ା ଗୁଡ଼ ପୁରି ମିଠେଇ ବୁଝନ୍ତି, ସେହି ଅଭିଧାନ ବିଧିରେ ସୁଲକ୍ଷଣା ବୁଝିଥିବ ଯେ ବିବାହ ଦିନକର ଉପବାସ ମାତ୍ର; ସୁତରାଂ, ବାଲ୍ୟ ଜୀବନର ନିତ୍ୟ ବୁଭୁକ୍ଷୁ ବୟସରେ ତାହା ବାଞ୍ଛନୀୟ ନୁହେଁ ।

 

ଦିଗମ୍ବର ନନ୍ଦ ସେ ଅଞ୍ଚଳରେ ଜଣେ ଛୋଟିଆ ଜମିଦାର । ଖଜଣା, ମାଗଣ, ଜରିମାନା, କ୍ଷତିପୂରଣି, ଜବରଦସ୍ତି–ସବୁ ବାବଦ ମିଶି ବର୍ଷରେ ପ୍ରାୟ ତିନି ହଜାର ଅସୁଲ କରନ୍ତି । ରାଜଭାଗ ଦିଅନ୍ତି ଛ’ଶ । ଆୟୁର ଭିନ୍ନ ଭିନ୍ନ ବୟସରେ ଦୁଇଟି ଭାର୍ଯ୍ୟା ବିଭା ହୋଇଛନ୍ତି । ଶାସ୍ତ୍ରୀୟ ନିୟମ ଅନୁସାରେ ସେ ସେମାନଙ୍କର ହାତ ଧରିଛନ୍ତି ମାତ୍ର; କିନ୍ତୁ ହୃଦୟକୁ ସୁଦ୍ଧା ଧରି ରଖିବା ଯେ ବିବାହର ଅଙ୍ଗ, ତାହା ଶାସ୍ତ୍ରରୁ ପଠନୀୟ; କିନ୍ତୁ କରଣୀୟ ନୁହେଁ ବୋଲି ମନେ କରନ୍ତି । ଆହୁରି ମଧ୍ୟ ବିବାହ ସୂତ୍ରରେ ବାନ୍ଧିବା ବିଷୟରେ ପୁରୁଷର ନାରୀ ଉପରେ ଯେଉଁ ଦାବି ଅଛି, ତାହାକୁ ସେ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟାଦ୍ୱାରା ସୀମାବଦ୍ଧ କରିବା ପୁରୁଷତ୍ୱର ବିରୁଦ୍ଧ ନୀତି ବୋଲି ମଣନ୍ତି । ତାଙ୍କର କେବଳ ନିରୀହ ଇଚ୍ଛା କାହିଁକି, ଚେଷ୍ଟା ଥିଲା ସୁଲକ୍ଷଣାର ହାତ ଧରିବେ । ଆପଣାର ଜୀବନଯାନ ସମଭାବରେ ନିରାପଦରେ ଚଳାଇବାକୁ ସେ ଦୁଇଟି ପ୍ରୌଢ଼ ନାରୀ-ଚକ୍ର ସହିତ ଗୋଟିଏ ଛୋଟିଆ ବାଳିକା ଗୁଳି ଯୋଡ଼ିବା ବୁଦ୍ଧିର କାର୍ଯ୍ୟ ବୋଲି ସ୍ଥିର କରିଥିଲେ । ସୁଲକ୍ଷଣାର ଭାଇ ଚିନ୍ତାମଣି ଜିଦ୍‌ ଧରି ନଥିଲେ ଗଙ୍ଗାଧର ହୁଏତ ଦିଗମ୍ବରଙ୍କ ହାତେ ଝିଅକୁ ସମର୍ପି ଦେଇଥାନ୍ତେ ।

 

ସୁଲକ୍ଷଣା ପରି ଗଙ୍ଗାଧରଙ୍କ ବଗିଚାର ଫୁଲର କଢ଼ି ଦିନେ ଫୁଟି ଚହଟିଥାନ୍ତା, ତାହା ହାତରୁ ଖସିଯିବାରୁ ଦିଗମ୍ବରଙ୍କ ମନରେ ବଡ଼ ଦୁଃଖ; ମାତ୍ର ଦୁଃଖ ଅପେକ୍ଷା ରାଗର ପରିମାଣ ଆହୁରି ଅଧିକ । ଏପରିକି ଦୁଃଖରୂପ ଶୀତଳ ତରଳ ମନୋଭାବ ରାଗର ତପ୍ତ ଶିଖାରେ ଫୁଟି ଉଷ୍ଣ ବାଷ୍ପରେ ପରିଣତ ହୋଇ ରହିଅଛି । ଏହି ରାଗ ମେଣ୍ଟାଇବାକୁ ସେ କେତେ ବାଟ ଖୋଜିଲେ, କେତେ ଉପାୟ ପାଞ୍ଚିଲେ, ଫଳରେ କିଛି ହେଲାନାହିଁ । ପରାହତ ଷଣ୍ଢର କ୍ରୋଧ ପରି ତାଙ୍କର କ୍ରୋଧ ହୃଦୟରେ ଅଧିକ ଜଳିଉଠିଲା ମାତ୍ର । ସେ ସ୍ଥିର କଲେ ଯେ ତାଙ୍କ ହାତେ ଯେଉଁ ପଦାର୍ଥ ପଡ଼ିଲାନାହିଁ, ତାକୁ ଜଗତରେ ଯେପରି ଆଉ କେହି ପାଇ ନ ରଖେ, ଉପଭୋଗ କରି ନ ପାରେ ।

 

ସୁଲକ୍ଷଣା ହାତରୁ ଯେଉଁଦିନ ଅହ୍ୟଶଙ୍ଖା ପିଟି ଭଙ୍ଗାହେଲା, ସେ ଦିନ ଦିଗମ୍ବରଙ୍କ ଘରେ ମହାଉତ୍ସବ । ଆପଣାର ଖାଲି ହାତ, ତୁଚ୍ଛା ନାକ କାନ ଦର୍ପଣରେ ଦେଖି, ସୁଲକ୍ଷଣା ବୁଝିଲା ଯେ ତା’ର ପ୍ରକୃତରେ କାନ୍ଦିବା ଭଳି କିଛି ଘଟିଅଛି । ସେ ଆଠ ବର୍ଷର ପିଲା ହେଲେ କ’ଣ ହେବ, ରୂପଗୁଣରେ ବଡ଼ ସୁନ୍ଦର । ଗାଁ ମାଇପେ କହନ୍ତି, ସେ ଗୋଟିଏ ଚାଉଳରେ ଗଢ଼ା । ଅଳଙ୍କାର ଳୁଗାପଟା ସତେଅବା ତା’ର ରୂପକୁ ଘୋଡ଼େଇ ରଖିଥିଲା । ବିଧବା ହୋଇ ସୁଲକ୍ଷଣା ପ୍ରକୃତିର ଅନାବୃତ ବେଶରେ ଆହୁରି ସୁନ୍ଦର ଦିଶିଲା ।

 

ସୁଲକ୍ଷଣା ବିଧବା ହୋଇ ରହିଲେ, ଚିନ୍ତାମଣି ଅଭିଆଡ଼ା ହୋଇ ରହିବ ବୋଲି ଅଡ଼ି ବସିଲା । ବାପା ମା’ କ’ଣ କରିବେ କିଛି ବୁଝି ନ ପାରି, ଶେଷରେ, ସମ୍ପୂର୍ଣ୍ଣ ଅରାଜି ସତ୍ତ୍ୱେ, ସୁଲକ୍ଷଣାକୁ ପୁଣି ବିବାହ କରାଇବାକୁ ରାଜି ହେଲେ । ଗଙ୍ଗାଧର ମନୁ, ପରାଶରରୁ ଶ୍ଳୋକ କାଢ଼ି ଜ୍ଞାତିକୁଟୁମ୍ବଙ୍କୁ ବୁଝାଇ କହିଲେ; କିନ୍ତୁ ଫଳରେ ସେ ସମସ୍ତଙ୍କର ଘୃଣା ଓ ଗାଳିର ପାତ୍ର ହୋଇ ରହିଲେ ମାତ୍ର । ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ କାହାରିଠାରୁ ଅନୁମତି ମିଳିଲା ନାହିଁ । ଅଥଚ ଚିନ୍ତାମଣିର ଜିଦ୍‌ ଯେ ସୁଲକ୍ଷଣା ବିଧବା ହୋଇ ରହିବ ନାହିଁ ।

 

ପୋଷିବା ଲୋକ ଯଦି ଜିଦ୍‌ କରେ ଯେ ତା’ ପାରା ପଞ୍ଜୁରୀରେ ନ ରହି ଆକାଶରେ ଉଡ଼ିବ, ସେଥିରେ ସଞ୍ଚାଣ ଯେପରି ଖୁସି ହେବାର କଥା, ଚିନ୍ତାମଣିର ଏହି ଯୌବନସୁଲଭ ଅପରିଣତ ବୟସର ଜିଦ୍‌ରେ ଦିଗମ୍ବର ସେହିପରି ଖୁସି ହୋଇ ସହଚର ଅନ୍ତର୍ଯ୍ୟାମୀଙ୍କି କହିଲେ, ‘‘କର ଉପାୟ ବିଧାତା, ଆଉ ବିଳମ୍ୱ କାହିଁକି ? ଲଗାଅ ତୁମର ଯୋଗାଡ଼ । ଗଙ୍ଗାଧର ମୋ ପ୍ରସଙ୍ଗରେ ପ୍ରଥମେ ହଠାତ୍‌ ରାଜି ନୋହିପାରେ । ସେପରି ଅନିଶ୍ଚିତ କଥାକୁ ଯିବା କାହିଁକି ? ତମେ ତମ ପାଇଁ ଠିକ୍‌ କର । ହାତରେ ପଡ଼ିଲେ, ତୁମର ହାତ ମୋର ହେବାକୁ କେତେବେଳ ? ସେ ତ ମହୁଘରାର ମହୁ । ତୁମେ ଟିକିଏ ଚିପୁଡ଼ି ଦେଲେ, ମୋ ହାତକୁ ଛାଏଁ ବହିଆସିବ ।’’

 

ଦିଗମ୍ୱର ସ୍ତ୍ରୀ ଜାତିର ସମ୍ପର୍କରେ ନିଜର ନିର୍ଦ୍ଧାରିତ ନୀତି ଅନୁସରଣ ନ କରି କୌଣସି କାର୍ଯ୍ୟ କରନ୍ତି ନାହିଁ । ସ୍ତ୍ରୀ ପୁରୁଷର ଭୋଗ୍ୟ ପଦାର୍ଥ ଏବଂ ପୁରୁଷ ଯେପରି ତା’ର ଭୋଜ୍ୟ ଚାଉଳ ଡାଲି ଘିଅ । କେତେକ ନିଜେ ଉତ୍ପନ୍ନ କରି, କେତେକ ଅନ୍ୟଠାରୁ କିଣି, ଆଉ କେତେକ ଭେଟି ଇତ୍ୟାଦିରେ ପାଇ ବ୍ୟବହାରରେ ଲଗାଏ, ସେହିପରି କୌଣସି ସ୍ତ୍ରୀ ବ୍ୟକ୍ତିକୁ ପ୍ରାଜାପତ୍ୟ, କାହାକୁ ଗାନ୍ଧର୍ବ, କାହାକୁ ବା ପୈଶାଚ–ଏହିଭଳି ଆଠ ପ୍ରକାର ଶାସ୍ତ୍ରୀୟ ରୀତିରେ ଆପଣାର ପତ୍ନୀତ୍ୱରେ ଗ୍ରହଣ କରିପାରେ ବୋଲି ତାଙ୍କର ମତ । ଏହି ଆଠ ପ୍ରକାର ବିବାହରୁ କୌଣସି ଗୋଟାକରେ ସୁଲକ୍ଷଣା ତାଙ୍କର କରଗତ ହେଲେ ହେଲା ।

 

ଦିଗମ୍ୱର ବୁଦ୍ଧି ହେଲେ, ଅନ୍ତର୍ଯ୍ୟାମୀ ହାତ । ଦୁହିଁଙ୍କ ମଧ୍ୟରେ କାର୍ଯ୍ୟକାରଣର ଗାଢ଼ ସମ୍ପର୍କ, ମାତ୍ର ଅନ୍ତର୍ଯ୍ୟାମୀ ପ୍ରକାଶ୍ୟରେ କାହାରି ଜଣକର ନୁହନ୍ତି, ବରଂ ଜଗତର; କେବଳ ଗୋପନରେ, ଗମ୍ଭିରି ଘର ମଧ୍ୟରେ ଏକା ଦିଗମ୍ୱରଙ୍କର । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ । ତାଙ୍କର ଭାର୍ଯ୍ୟା କମଳା ଗୋପନରେ ଦୌଡ଼ି ଲଗାଇ ମଲାଦିନୁ ଦୁଇବର୍ଷ ଆସି ହେଲାଣି । ସେ ଆଉ ବିଭା ହୋଇ ନାହାନ୍ତି । ସେ ଯେତେବେଳେ ସୁଲକ୍ଷଣାର ସମ୍ପର୍କ ପକାଇଲେ, ଗଙ୍ଗାଧର ଏକପ୍ରକାର ଖୁସିହେଲେ । ଚିନ୍ତାମଣି ମଧ୍ୟ ଭାବିଲା, ‘ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍‌’ । ବାସ୍ତବରେ ଅନ୍ତର୍ଯ୍ୟାମୀ ଅର୍ଦ୍ଧାଙ୍ଗିନୀଙ୍କୁ ହରାଇ ଅଧେ ହୋଇ ରହିଛନ୍ତି । ସୁଲକ୍ଷଣା ମଧ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଅଧକର ଅଭାବ କ୍ରମେ ଅଧିକ ଅନୁଭବ କରୁଛି । ଏପରି ସ୍ଥଳେ ଦୁହିଁଙ୍କର ସଂଯୋଗ ଅପେକ୍ଷା ମଧୁରତର ଘଟନା ପୃଥିବୀରେ ଆଉ କ’ଣ ହୋଇପାରେ !

 

ବିବାହ ପ୍ରସ୍ତାବରେ ଅନ୍ତର୍ଯ୍ୟାମୀଙ୍କି ବାରମ୍ୱାର ଗଙ୍ଗାଧରଙ୍କ ଘରକୁ ଆସିବାକୁ ପଡ଼ିଲା । ସୁଲକ୍ଷଣାକୁ ଦେଖି ଦେଖି ସେ କ୍ରମେ ସ୍ଥିର କଲେ ଯେ ସେ ଟଙ୍କା ଶାଳର ଟଙ୍କା ବା ମୋହର ପରି ଏକ ହାତରୁ ଅନ୍ୟ ହାତକୁ ଏତେ ସହଜରେ ଗତି କରିବାର ପଦାର୍ଥ ନୁହେଁ । ଫଳରେ ସୁଲକ୍ଷଣା ପ୍ରତି ତାଙ୍କର ଆକର୍ଷଣ ଯେତିକି ବଢ଼ିଲା, ସେ ସେହି ପରିମାଣରେ ଦିଗମ୍ୱରଙ୍କ ସଙ୍ଗେ ଅଧିକ ଅଧିକ ଦୂରତା ଅନୁଭବ କଲେ । ପୃଥିବୀରେ ସୁଲକ୍ଷଣାର ସ୍ଥିତି ଯେତେ ବାଞ୍ଛନୀୟ ମଣିଲେ, ଦିଗମ୍ୱରଙ୍କ ଅସ୍ତିତ୍ୱ ଲୋପ ହେବାର ଆବଶ୍ୟକତା ହୃଦୟରେ ତେତିକି ଅନୁଭବ କରିବାକୁ ଲାଗିଲେ-

 

ଦିନେ ହାତରେ ବିଷପାତ୍ର ଧରି ଅନ୍ତର୍ଯ୍ୟାମୀ ଦିଗମ୍ୱରଙ୍କ ଘରକୁ ଯାଉଛନ୍ତି, ବାଟରେ ମନେମନେ କହିଲେ, ‘‘ନା ଦୁରାତ୍ମା ତ ସେ ନୁହେଁ, ଦୁରାତ୍ମା ମୁଁ । ତା’ କଥାରେ ସୁଲକ୍ଷଣାକୁ ବିଧବା କରାଇଛି ମୁଁ, ପୁଣି ସମୁଦ୍ରରେ ଆଣି ଭସାଇ ଦେବାକୁ ରାଜି ହୋଇଅଛି । ମୁଁ ପ୍ରଥମେ ସଂସାରକୁ ମୋ ନିଜ ଭାରରୁ ମୁକ୍ତ କରିବା ଦରକାର ।’’ ଏହିପରି କେତେ ଭାବି, ସମୁଦ୍ର ମୁହାଣରେ ନଦୀର କର୍ଣ୍ଣଧାରହୀନ ନୌକା ପରି କେତେଥର ଆଗପଛ ହୋଇ, ଶେଷରେ ଅନ୍ତର୍ଯ୍ୟାମୀ ନିଜ ମୁଖରେ ହାତର ପାତ୍ର ଢାଳି ଖାଲି କରିଦେଲେ । ପିଣ୍ଡରୁ ପ୍ରାଣ ଚାଲିଯିବାର ସ୍ଥିର ହେବାରୁ ମନଟା ହାଲୁକା ଲାଗିଲା । କହିଲେ, ‘‘ଚାଲିଯାଅ ପ୍ରାଣ, ସେଠାକୁ–ଯେଉଁଠି କମଳାର ଆତ୍ମା ଦୁଃଖ ନୈରାଶରେ ଏକାକୀ ପର-ଜୀବନର ସତ୍ତା କ୍ଷୟ କରୁଛି । ସବୁ ସହିଥିଲା, ଶେଷରେ ଦିଗମ୍ୱର ତା’ର ସୌନ୍ଦର୍ଯ୍ୟ ସୁଧା ପ୍ରତି ଆପଣାର ଲୋଲୁପ ଜିହ୍ୱା ବଢ଼ାଇ ନଥିଲେ, ଏ ସଂସାରରେ ରହି ଆହୁରି କଷ୍ଟ ନିର୍ଯାତନା ସହିଥାନ୍ତା, ପ୍ରେୟସୀ ।’’ ଆଉ ବେଶି କହିପାରିଲେ ନାହିଁ, ପାଟି ବନ୍ଦ ହୋଇଗଲା ।

 

ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁରେ ସବୁ ଆଡ଼େ ଘୋର ଚହଳ ପଡ଼ିଗଲା । ସୁଲକ୍ଷଣାର ବୟସ ଆସି ବାରବର୍ଷର ଆଖପାଖ । ଯୌବନ ଘଟ ଯେପରି ଫନ୍ଦ ପର୍ଯ୍ୟନ୍ତ ପୂରି ରହିଛି, ଭିତରେ ଆଉ ଟୋପାଏ ରସ ଜନ୍ମିଲେ, ଉଛୁଳି ପଡ଼ିବ । ସୁଲକ୍ଷଣା ତୋଫାନବେଳର କଇଁଫୁଲଟି ପରି ମୁଣ୍ଡ ନୁଆଁଇ କଳଙ୍କ ହ୍ରଦରେ କେତେବେଳେ ବୁଡ଼ୁଥାଏ, କେତେବେଳେ ବା ନିଜର ବିଶୁଦ୍ଧତା ବଳରେ ଉପରକୁ ଟିକିଏ ଉଠିଯାଏ; ମାତ୍ର ତୋଫାନର ବିରାମ ନାହିଁ ।

 

ଏପରି ସମୟରେ ଦିନେ ହଠାତ୍‌ ଗୋପୀନାଥ ନିଜର ପ୍ରେତ ପୁରୁଷ ପରି ଆସି ହାଜର ହେଲେ । ସେ ବଙ୍ଗ ଦେଶକୁ ବାଟ କରିବାକୁ ଯାଇ ସେଠାରେ ଅନେକ ଦିନ ରହିଯାଇଥିଲେ । ଚିଠିପତ୍ର ଯାହା ଦେଉଥିଲେ, ତାହା ସବୁ ଦିଗମ୍ୱରଙ୍କ ବନ୍ଦୋବସ୍ତ ଅନୁସାରେ ଡାକଘରୁ ତାଙ୍କ ହାତକୁ ଆସୁଥିଲା । ଗୋପୀନାଥ ବିଦେଶରୁ ସହଯାତ୍ରୀ ଅନ୍ତର୍ଯ୍ୟାମୀଙ୍କ ହାତେ ନିଜ ଘର, ଶଶୁର ଘରର ହାଲ୍‍ଚାଲ୍ ଜାଣିବାକୁ ଖବର ପଠାଇଥିଲେ । ତା’ର ଫଳରେ ସେ ଚିଠି ପାଇଥିଲେ ସେ ସୁଲକ୍ଷଣା ମରିଯାଇଛି । ଅନ୍ୟ ଚିଠିପତ୍ର ତାଙ୍କ ପାଖେ ପହଞ୍ଚୁ ନଥିଲା । ସେଥିପାଇଁ ସେ ଦେଶରୁ ଉନ୍ମୁକ୍ତ ବିରହ-ଗ୍ରସ୍ତ କପୋତଟି ପରି ଦେଶକୁ ଉଡ଼ି ଆସିଥିଲେ, ଆଉ ଗୋଟିଏ ଅନୁରୂପ କପୋତୀ ଖୋଜିବେ ବୋଲି ।

 

ଗୋପୀନାଥ ଆସି ଯେତେବେଳେ ଦେଖିଲେ ଯେ ସୁଲକ୍ଷଣା ମରିନାହିଁ, ବରଂ ତା’ ବଦଳରେ ମନ ମଧ୍ୟରେ ତାଙ୍କୁ ମାରି, ନିଜେ ବିଧବା ହୋଇ ବସିଛି ଏବଂ ତାକୁ ବିବାହ ହେବା ପ୍ରସ୍ତାବ ଭିତରେ ପଡ଼ି ଅନ୍ତର୍ଯ୍ୟାମୀ ବିଷ ପ୍ରୟୋଗଦ୍ୱାରା ମରିଛନ୍ତି, ତାଙ୍କର ଆଉ କୌଣସି ସନ୍ଦେହ ରହିଲା ନାହିଁ । ସେ ସ୍ଥିରରୂପେ ବୁଝିଗଲେ ଯେ ସୁଲକ୍ଷଣା ତାଙ୍କ ଅନୁପସ୍ଥିତି ସମୟରେ ଅନ୍ତର୍ଯ୍ୟାମୀଙ୍କ ପ୍ରଣୟ ଫାନ୍ଦରେ ପଡ଼ି, ନିଜର ବିବାହିତ ସ୍ୱାମୀକି ଅସ୍ୱୀକାର କରି, ବିଧବା ହୋଇଅଛି ଏବଂ ପରେ ଦିଗମ୍ୱରଙ୍କ ଧନ ଲୋଭରେ ଅନ୍ତର୍ଯ୍ୟାମୀଙ୍କି ମଧ୍ୟ ବିଷ ଦେଇ ମାରିଛି । ଜନରବର ଧ୍ୱନି ପ୍ରତିଧ୍ୱନି ଶୀଘ୍ର ତାଙ୍କ ମନରେ ଏହି ନୀରବ ଧାରଣାକୁ କଥାରେ ପ୍ରକାଶ କରାଗଲା-। ସେ ଗଙ୍ଗାଧରଙ୍କ ବିରୁଦ୍ଧରେ ସମାଜ ନିକଟରେ ଆପତ୍ତି ଉଠାଇଲେ । ସୁଲକ୍ଷଣା ପ୍ରତି ଈର୍ଷା, କ୍ରୋଧ, ଘୃଣାରେ ଜଳିବାକୁ ଲାଗିଲେ ।

 

ଶେଷରେ ଅନେକ ଦିନର କଥାବାର୍ତ୍ତା, ବାକ୍‌ବିତଣ୍ଡା, ଧମକ ଚମକ, କ୍ଷମାଭିକ୍ଷା, ଖୁସାମତ ପରେ ସ୍ଥିର ହେଲା ଯେ, ଗଙ୍ଗାଧର ସୁଲକ୍ଷଣାକୁ ଘରୁ ବାହାର କରିଦେବେ, ପ୍ରାୟଶ୍ଚିତ୍ତ କରିବେ, ବ୍ରାହ୍ମଣ ଭୋଜନ କରାଇବେ, ତାହାହେଲେ ଜାତିରେ ଚଳିବେ । ସମାଜର ଏ କଠୋର ଆଦେଶ ନିକଟରେ ଗଙ୍ଗାଧର ମୁଣ୍ଡ ନ ନୁଆଁଇ ଆଉ ବାଟ ଦେଖିପାରିଲେ ନାହିଁ । ପ୍ରାୟଶ୍ଚିତ୍ତ, ବ୍ରାହ୍ମଣ ଭୋଜନ ଯଥାବିଧି କଲେ ।

 

ସୁଲକ୍ଷଣା ସଙ୍ଗେ ଚିନ୍ତାମଣି ମଧ୍ୟ ଘରୁ ବାହାରିଗଲା । ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁର କାରଣ ଘେନି ପୋଲିସ୍ ଯେ ଅନୁସନ୍ଧାନ କରୁଥିଲେ, ସେଥିରେ ସ୍ଥିର କଲେ ଯେ, ଚିନ୍ତାମଣି ହିଁ ତା’ର କାରଣ-। ଅନ୍ତର୍ଯ୍ୟାମୀଙ୍କ ସଙ୍ଗେ ସୁଲକ୍ଷଣାର ବିବାହ ନ ହେଉ, ଏ ଇଚ୍ଛା ତା’ର ଥିଲା; ମାତ୍ର ତାହା କାର୍ଯ୍ୟକାରୀ କରିବାର ଅନ୍ୟ ଉପାୟ ନ ଦେଖି, ସେ ଏ ନୃଶଂସ ଅଥଚ ସହଜ କାଣ୍ଡ କରିଛି-। ଦିଗମ୍ବରଙ୍କ ତହସିଲଦାର, ପିଆଦା ସାକ୍ଷ୍ୟଦେଲେ, ମକଦ୍ଦମା ବିଚାର ହେଲା, ହାକିମ ପୂର୍ଣ୍ଣ ପ୍ରମାଣ ଅଭାବରେ ଚିନ୍ତାମଣିକି ଫାଶି ହୁକୁମ ନ ଦେଇ ଦଶବର୍ଷ ଜେଲ ଦଣ୍ଡ ଆଦେଶ କଲେ-

 

ସୁଲକ୍ଷଣା ସଂସାର-ସମୁଦ୍ର ମଧ୍ୟରେ ଏକା; ଭାସୁଛି, ବୁଡ଼ୁଛି, ଭାସି ରହିବାକୁ ପ୍ରାଣରେ ବଳ ନାହିଁ, ବୁଡ଼ିବାକୁ ଇଚ୍ଛା କରି ସୁଦ୍ଧା ବୁଡ଼ୁନାହିଁ । ଏ ସମୟରେ କର୍ଣ୍ଣଧାର ହୋଇ ଦିଗମ୍ବର ଆସି ପହଞ୍ଚିଲେ । ସେ ସୁଲକ୍ଷଣାକୁ ଧରାଇ ଦେଇ ନିଜ ଘରେ ଦାସୀ ହୋଇ ରହିବାକୁ କହିଲେ । ଗଙ୍ଗାଧରଙ୍କର ସୁଲକ୍ଷଣା ଉପରେ ପୂର୍ବ କନ୍ୟାଦାବି ଥିଲେ, ସେ ଆଜି ପ୍ରାଣପଣେ ବାଧା ଦେଇଥାନ୍ତେ । ଦିଗମ୍ବର ସମାଜର ଜଣେ ସାଧାରଣ, ଅଳ୍ପବିତ୍ତ ବା ମଧ୍ୟବିତ୍ତ ଲୋକ ହୋଇଥିଲେ ସମାଜ ମଧ୍ୟ ନାନା ଆପତ୍ତି ଉଠାଇଥାନ୍ତା; ସୁତରାଂ ବର୍ତ୍ତମାନ ଦିଗମ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ କେବଳ ସୁଲକ୍ଷଣାର କ୍ଷୀଣ ରମଣୀସୁଲଭ ବାହୁଯୁଗଳ ଓ ସେ ଯୋଡ଼ିକ ପଛରେ ତା’ର ହୃଦୟର ନୈତିକ ବଳ । ବାହୁ ଦୁଇଟି ଯେତେବେଳେ ପରାସ୍ତ ହେଲେ, ସୁଲକ୍ଷଣା ନିଜ ହାତର ଶକ୍ତି ନିଜ ବିରୁଦ୍ଧରେ ପ୍ରୟୋଗ କଲା । ସବୁ ପ୍ରହାର, ତାଡ଼ନା, ନିର୍ଯାତନା ସହିଥିଲା, ଜାଣେ ନାହିଁ କାହିଁକି ବା କାହାପାଇଁ, କିନ୍ତୁ ଅସତୀ ହେବାର କଳଙ୍କ ସେ ସହିବ କିପରି ? ନିଜ ହାତରେ ଗଳା ଚିପି ଦିଗମ୍ବରଙ୍କ କୋଳରେ ମରି ଶୋଇ ପଡ଼ିଲା ।

Image

 

ଗଳ୍ପମାଳା

ବରଯାତ୍ରୀ

 

ବରକର୍ତ୍ତା ଦାଶରଥି ଓ ବରଯାତ୍ରୀମାନେ ଯେତେବେଳେ ସ୍ଥିର କଲେ ଯେ ସେମାନେ, ଆଉ ଆଗକୁ ନ ଯାଇ, ସେହି ଆମ୍ବତୋଟାରେ ବିଶ୍ରାମ କରିବେ, ସେତେବେଳକୁ ରାତ୍ରି ପ୍ରାୟ ଦୁଇଘଡ଼ି । ସାବିତ୍ରୀ ଅମାବାସ୍ୟାକୁ ଆଉ ଦୁଇଦିନ ବାକି ଅଛି । ସନ୍ଧ୍ୟାର ଈଷତ୍ ଉଜ୍ଜ୍ୱଳ କିରଣ ପଶ୍ଚିମ ଆକାଶରୁ କେତେବେଳୁ ନିଭିଗଲାଣି । ଶୁକ୍ର ତାରା ସମ୍ପୂର୍ଣ୍ଣ ଅସ୍ତ ନୋହିଥିଲେ ସୁଦ୍ଧା, ଦିଗ୍‌ବଳୟର କୃଷ୍ଣକାୟ ତରୁଲତାମୟ ପ୍ରାଚୀର ପଛରେ ଲୁଚିଲାଣି । ଚାରିଆଡ଼େ ଭାରି ଅନ୍ଧାର । ବାଟଘାଟ ଦିଶୁନାହିଁ । ସଙ୍ଗରେ ଯେଉଁ ସାମାନ୍ୟ କେତେଗୋଟି ହୁଳା ଦିହୁଡ଼ି ପଡ଼ିଅଛି, ଜାଳି ଦେଲେ ତାହା ସବୁ ସରିଯିବ ବୋଲି, ଦାଶରଥି ଚିପି ହେଉଛନ୍ତି । ସେଥିପାଇଁ ବରଯାତ୍ରୀମାନଙ୍କଠାରୁ ତାଙ୍କୁ ଗାଳି ଶୁଣିବାକୁ ହେଉଛି, କିଏ ନାକ ଟେକୁଛି, କିଏ ସେଠାରୁ ଫେରିଯିବ ବୋଲି ଡରାଉଛି । ଦାଶରଥି, ବର୍ଷା ତୋଫାନବେଳର ବରଡ଼ା ପତ୍ରଟି ପରି, ଥରି ଥରି ସଙ୍କୁଚିତ ହୋଇ, ସବୁ ସହୁଛନ୍ତି ।

 

ସେଠାରେ ରାତି ବିଶ୍ରାମ ନେବାପାଇଁ ସ୍ଥିର ହେଲାରୁ, ଦାଶରଥିଙ୍କ ଅନୁମତି ପାଇବା ପୂର୍ବରୁ ଭଣ୍ଡାରି ଗୋଟିଏ ଆଲୁଅ ଜାଳିଲା । ଆଲୁଅରେ ବରଯାତ୍ରୀମାନେ ଲୁଗାପଟା ରଖିଲେ । କିଏ କିପରି ଥକି ଶୋଇ ପଡ଼ିଲେ । ଯେଉଁମାନେ ଚେଇଁ ରହିଲେ, ଖିଆପିଆ ଯୋଗାଡ଼ କରିବାକୁ ଦାଶରଥିଙ୍କି ବାରମ୍ବାର ତାଗଦା କରିବାରେ ଲାଗିଲେ । ଦାଶରଥିଙ୍କ ଶିଥିଳତା ଦେଖି, କେହି କେହି କ୍ଷୁଧା ଓ କ୍ଳାନ୍ତି ଯୋଗେ ଧୈର୍ଯ୍ୟ ହରାଇ ପଦେଅଧେ ଟାଣ ବାକ୍ୟବାଣ ପ୍ରୟୋଗ ସୁଦ୍ଧା କଲେ ।

 

ଏ ସବୁ ଗୋଳମାଳରେ ପାଖ ଆମ୍ବଗଛ ମୂଳରୁ ପିଲାଟିଏ ଉଠି ସେମାନଙ୍କ ନିକଟକୁ ଆସିଲେ । ତାକୁ ଦେଖି କେତେପ୍ରକାର ପ୍ରଶ୍ନ ପଚାରିବାରେ ଲାଗିଲେ । ସେ ଯେଉଁସବୁ ଉତ୍ତର ଦେଲା, ତାହା ଏକତ୍ର କରି, ସେଥିରୁ ତା’ର ପରିଚୟ ସଂଗ୍ରହ କରିବା ଅତି ସହଜ ହୋଇପଡ଼ିଲା । ତା’ର ମା’ ନାହିଁ, ଘର ନାହିଁ; ବାପ ଅଛି କି ନା ସେ କଥା ସେ ଭାଷାରେ ପ୍ରକାଶ କରିବାକୁ ନାରାଜ-। ନିଜର ପେଟ ପୋଷିବାକୁ କେବେ କାହାକୁ କିଛି ମାଗେ ନାହିଁ, ଯେ ଯାହା ଫିଙ୍ଗିଦିଏ, ଯାହାକି କାହାର ଦରକାରରେ ଆସିବ ନାହିଁ, ଯାହା ନେଲେ ଦାବି କରିବାକୁ ଆଉ କେହି ନଥିବ, ସେହିଭଳି ପଦାର୍ଥମାନ ଖାଇ ସେ ପେଟ ପୂରାଏ । ସେ ବର୍ଷ ସେ ଆମ୍ବତୋଟାରେ ଅନେକ ଆମ୍ବ ଥିଲା । ଜଗାଳିମାନେ ତୋଳି ନେଇ ଛାଡ଼ି ଗଲାପରେ ସେ ଆସି ସେଠାରେ ଜୁଟିଛି । ତୋଳାଳି ଆଖିରୁ ଖସି ଗଛରେ ରହିଯାଇଥିବା ଆମ୍ବ କେବେ କିପରି ଝଡ଼ିଲେ ଗୋଟାଏ ଓ ଖାଏ । ରାତିରେ ସେହି ତୋଟାରେ ଗଛ ମୂଳେ ଶୁଏ । ପିଲାଟି ଦେଖିବାକୁ ବର୍ଣ୍ଣରେ ଗୋରା, ଗଠନରେ ସୁନ୍ଦର-। ତା’ ପ୍ରତି ଯତ୍ନ କରିବାକୁ ଜଗତର ମନୁଷ୍ୟ ସମାଜରେ କେହି ନଥିବାରୁ, ପ୍ରକୃତି ଯେପରି ଆପଣାର ଅନୁଗ୍ରହଟିକ ଉଦାସଭାବରେ ତା’ ଉପରେ ଢାଳି ଦେଇଛି । ତା’ର ବୟସ ତେର ଚଉଦ ବର୍ଷ ହେବ-। ସେ ରଘୁନାଥ ପଟ୍ଟନାୟକଙ୍କ ଅନ୍ତର ପୁଅ; ନାମ ବନମାଳୀ ।

 

ବନମାଳୀ ପିଲାହେଲେ କ’ଣ ହେବ, କଥାବାର୍ତ୍ତାରେ ଯେପରି ବରଯାତ୍ରୀମାନଙ୍କ ମନ ଭୁଲାଇ ନେଲା, ସେବା-ସତ୍କାରଦ୍ୱାରା ତା’ଠାରୁ ଅଧିକ ସନ୍ତୁଷ୍ଟ କଲା । ତା’ର ବ୍ୟବହାରରେ ସେମାନେ ପଥଶ୍ରମ ଭୁଲିଗଲେ, ପ୍ରବାସର ଅଭାବ ଅସୁବିଧାମାନ ବୁଝିପାରିଲେ ନାହିଁ । ରନ୍ଧାବଢ଼ା ପରେ ବରଯାତ୍ରୀମାନେ ଖାଇ ବସିଲାବେଳେ ତା’ପାଇଁ ଖଣ୍ଡିଏ ପତ୍ର ପକାଇ ଡାକିବାରୁ ସେ କହିଲା, ‘‘ମୁଁ ସନ୍ଧ୍ୟାବେଳୁ ଖାଇ ଶୋଇପଡ଼େ, ରାତିରେ ଖାଏ ନାହିଁ ।’’

 

ବରପାତ୍ର ହରିହର ଶୋଇଲାବେଳକୁ ବନମାଳୀକି ଡାକି କହିଲେ, ‘‘ଆଚ୍ଛା, ବନମାଳୀ, ତୁ କାଲି ସକାଳେ ଆମ ସାଙ୍ଗରେ ଚାଲ ।’’ ‘‘କହିଲେ, ଯିବି,’’ ବୋଲି ଉତ୍ତର ଦେଇ ବନମାଳୀ ତା’ର ଗଛମୂଳେ ମାଟିରେ ଶୋଇ ପଡ଼ିଲା । କେତେକ ସମୟ ପରେ ଚତୁର୍ଦ୍ଦିଗ ନିଃଶବ୍ଦ ହୋଇଗଲା-। ଦିବସର ଶ୍ରାନ୍ତ ପଥିକମାନେ ରଜନୀ କୋଳରେ ଗାଢ଼ନିଦ୍ରାରେ ନିମଗ୍ନ ହୋଇ ରହିଲେ-। କାହାରି ସ୍ୱର ଶବ୍ଦ ଶୁଣାଗଲା ନାହିଁ । କେବଳ ଘଡ଼ିକେ ପହରକେ ପବନରେ ଗଛରୁ ଗୋଟାଏ ଗୋଟାଏ ଆମ୍ବ ଝଡ଼ି ତଳେ ପଡ଼ିବାଦ୍ୱାରା ସେ ବିଶାଳ ତୋଟାର ନିସ୍ତବ୍‍ଧତା ବେଳେବେଳେ ମୁହୂର୍ତ୍ତକ ପାଇଁ ଭାଙ୍ଗୁଥିଲା ମାତ୍ର ।

 

ପରଦିନ କନ୍ୟାକର୍ତ୍ତା ବ୍ରଜବନ୍ଧୁ ପଟ୍ଟନାୟକଙ୍କ ଘରେ ବର, ବରଯାତ୍ରୀ ପହଞ୍ଚିଲାବେଳେ ବନମାଳୀ ମଧ୍ୟ ଯାଇ ହାଜର । ବ୍ରଜବନ୍ଧୁଙ୍କ ନିକଟରେ ବନମାଳୀ ବରଯାତ୍ରୀ; କନ୍ୟା ଗୃହରେ ବରଯାତ୍ରୀର ଆଦର ଅଭ୍ୟର୍ଥନା ସମ୍ପୂର୍ଣ୍ଣ ପାଇଲା । ରଘୁନାଥଙ୍କ ପ୍ରଣୟ ବନ୍ଧନର ସନ୍ଦେହ ବାତ୍ୟାରେ ପଡ଼ି ମା’ ମଲା ଦିନୁ ଆଦର ପାଇବା ଆଜି ତା’ ଜୀବନରେ ପ୍ରଥମ । ସେ ମଧ୍ୟ ନିଜ ବ୍ୟବହାର ସୌଜନ୍ୟ ଯୋଗେ ବାରମ୍ବାର ବ୍ରଜବନ୍ଧୁଙ୍କ ଦୃଷ୍ଟିରେ ପଡ଼ିବାକୁ ଲାଗିଲା । କ୍ରମେ ବ୍ରଜବନ୍ଧୁ ଦେଖିଲେ ଯେ ବନମାଳୀ ନହେଲେ, ଅତିଥି ଚର୍ଚ୍ଚା ହେଉନାହିଁ, ବନମାଳୀ ଉପସ୍ଥିତ ନଥିଲେ, ଲୋକେ ଠାଆରେ ବସି ପରଷୁଣି ଦୋଷରୁ ଖାଇବାକୁ ପାଉନାହାନ୍ତି; ଏପରିକି ଜୋଇଁ ହରିହର ବନମାଳୀକି ପାଖରୁ ଛାଡ଼ିଲେ, ସେ ପୁଣି ଫେରି ଆସିବା ପର୍ଯ୍ୟନ୍ତ ତା’ର ବାଟ ଚାହିଁ ରହୁଛନ୍ତି । ବ୍ରଜବନ୍ଧୁ ବନମାଳୀକୁ ନାନା କାର୍ଯ୍ୟରେ ଲଗାଇଲେ, ତାକୁ ପାଖରେ ବସାଇ ଖୁଆଇଲେ, ନିଜର ଆତ୍ମୀୟସ୍ୱଜନ ପରି ତା’ର ସୁବିଧା ଅସୁବିଧା ପ୍ରତି ଲକ୍ଷ୍ୟ ରଖି ଚଳିଲେ । ଫଳରେ ସେ କ୍ରମେ ବରଯାତ୍ରୀ ଗୋଷ୍ଠୀରୁ ଆସି କନ୍ୟା ଗୃହର ଜଣେ ହୋଇଗଲା । ବିନ୍ଧାଣି ଦେଉଳ ଗଢ଼ି ପରେ ମୂର୍ତ୍ତି ରଖିବାପାଇଁ ଠଣା ଛାଡ଼ିଯାଇଥିଲା ପରି, ସେହି କନ୍ୟାଗୃହରେ ବିଧାତା ବନମାଳୀ ପାଇଁ ଯେପରି ଗୋଟିଏ ସ୍ଥାନ ଖାଲି ରଖିଥିଲା । ବନମାଳୀ ସେ ଶୂନ୍ୟସ୍ଥାନଟି ଆଜି ପୂର୍ଣ୍ଣ କଲା ।

 

ବରଜୁ ନାୟକ ଚାଷ ଓ ମହାଜନୀ ବ୍ୟବସାୟରେ ଅନେକ ସମ୍ପତ୍ତି କରି, ତା’ ବଳରେ ନିଜ ଦେହର ପୁରୁଣା ପୈତୃକ ମଳିନତା ପୋଛି, ନୂତନ ଅଳଙ୍କାରରେ ଆପଣାକୁ ମଣ୍ଡାଇ, ବ୍ରଜବନ୍ଧୁ ପଟ୍ଟନାୟକ ନାମରେ ଲୋକସମାଜରେ ପରିଚିତ । ଅନେକ ନଗଦ ଟଙ୍କା ଓ ଭୂସମ୍ପତ୍ତି ଯୌତୁକସ୍ୱରୂପ ଦେଇ ଶ୍ରେଷ୍ଠ କରଣ ସାମନ୍ତ ଦାଶରଥିଙ୍କ ପୁଅ ହରିହରଙ୍କ ହାତେ ଆପଣାର ଏକମାତ୍ର କନ୍ୟା ପାର୍ବତୀକୁ ସମର୍ପଣ କରୁଛନ୍ତି । ତାଙ୍କର ପୁଅ ନାହିଁ, ସେ ଓ ତାଙ୍କର ସହଧର୍ମିଣୀ ଦୁର୍ଗା ପୁତ୍ରନିଧି ପାଇବା ସକାଶେ ବହୁ ଦାନ ପୁଣ୍ୟ କରି ଶେଷରେ ପାର୍ବତୀକୁ ପାଇଛନ୍ତି । ଯେ ପୁରୁଷ ପାର୍ବତୀର ହାତ ଧରିବେ, ତାଙ୍କୁହିଁ ହୁଏତ ଦିନେ ବ୍ରଜବନ୍ଧୁଙ୍କ ସକଳ ସମ୍ପତ୍ତିର ମାଲିକ ହେବାକୁ ହେବ ।

 

ବିବାହ ପରେ ବର, କନ୍ୟା, ବରଯାତ୍ରୀ, ବରକର୍ତ୍ତା ସମସ୍ତେ ଆସିବାବେଳଠାରୁ ସମ୍ପୂର୍ଣ୍ଣ ଭିନ୍ନ ସଲଟଣରେ ଆନନ୍ଦରେ ଘରକୁ ଫେରିଗଲେ । ବନମାଳୀ ସେମାନଙ୍କ ସଙ୍ଗେ ଫେରିଥିଲେ, ସେମାନଙ୍କର ଆନନ୍ଦରେ ପୂର୍ଣ୍ଣତାର କିଛିମାତ୍ର ଅଭାବ ଘଟି ନଥାନ୍ତା; ହରିହର ମଧ୍ୟ ଅବିମିଶ୍ରିତ ସୁଖରେ କନ୍ୟା ସହିତ ନିଜ ଘରେ ଉପସ୍ଥିତ ହୋଇଥାନ୍ତେ; କିନ୍ତୁ ବନମାଳୀ ରତ୍ନପୁରରେ ବ୍ରଜବନ୍ଧୁଙ୍କ ଘରେ ରହିଲା । ବଡ଼ ଘରେ ସେ ଜନ୍ମ ହୋଇଛି, ବଢ଼ିଛି, ବଡ଼ଆଡ଼ା ମଧ୍ୟରେ ବାଲ୍ୟଜୀବନରୁ କେତେ ବର୍ଷ କଟାଇଛି; ସୁତରାଂ ପରେ ଦୁଇ ତିନିବର୍ଷ ନାନା ଦୁଃଖ, କଷ୍ଟ ଓ ଅଭାବରେ ପଡ଼ିଲେ ସୁଦ୍ଧା; ଦିନେ ମନଟା ଛୋଟ କରିନାହିଁ । ଫଳରେ ସେ ଅତି ଶୀଘ୍ର ବ୍ରଜବନ୍ଧୁଙ୍କ ଘରେ ଖାପଖାଇଗଲା । ତାଙ୍କ ମନ ବୁଝି କାର୍ଯ୍ୟ କରିନେଲା, ସତେଅବା ସେ ଯେପରି ବ୍ରଜବନ୍ଧୁଙ୍କ ମାନସିକ କଳ୍ପନାବଳୀର ସାକ୍ଷାତ ଶରୀରୀ ମୂର୍ତ୍ତି ।

 

ନିଜର ପୁଅ ନ ହେବାର ଦେଖି, ବ୍ରଜବନ୍ଧୁ ଓ ଦୁର୍ଗା ପୋଷ୍ୟପୁତ୍ର କରିବାର ସ୍ଥିର କରିବେ କି ସକଳ ସମ୍ପତ୍ତି କନ୍ୟାକୁ ଉତ୍ସର୍ଗ କରିବେ, ବହୁକାଳ ଭାବି ଭାବି କିଛି ଠିକ୍ କରି ପାରି ନଥିଲେ । ବ୍ରଜବନ୍ଧୁ ଦିନେ ହଠାତ୍ ହଇଜା ରୋଗରେ ଆଖି ବୁଜିବା ପୂର୍ବରୁ ବନମାଳୀ ନାମରେ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିମାନ ଉଇଲ୍ କରିଦେଇ ଗଲେ । ସେତେବେଳକୁ ବନମାଳୀ ତାଙ୍କ ଘରେ ପୂରା ଚାରିବର୍ଷ ରହିଥିଲା । ସିନ୍ଦୁକର କୁଞ୍ଚିକାଠି ତା’ ହାତରେ ରହୁଥିଲା । ଗୃହକାର୍ଯ୍ୟ ଓ ଚାଷ ଏବଂ ବ୍ୟବସାୟ ପରିଚାଳନାର ଭାର ତା’ ଉପରେ ପଡ଼ିଥିଲା, ଖାତକମାନେ ୠଣ ପରିଶୋଧ କରି ଫେରିଲାବେଳେ ବନମାଳୀକୁ ଆଶୀର୍ବାଦ କରିବାର ଶୁଣିଲେ ବ୍ରଜବନ୍ଧୁ ମନେମନେ କହୁଥିଲେ, ‘‘ମୁଁ ମୋର ଜୀବନସାରା ଯାହା ଦିନେ ପାଇନାହିଁ, ମୋ ଏ ଦରିଦ୍ରପସରା ମୁଣ୍ଡରେ ରୋଜ୍ ବରଷୁଛି । ପାଞ୍ଚ ମୁଖରେ ହରି । ସେହି ଏକା ସୃଷ୍ଟିର ମଙ୍ଗଳକର୍ତ୍ତା, ଯେପରି ଦୈବ ମାୟାରେ ଆସିଛି, ଦୈବ ତାକୁ ସେହିପରି ଘଣ୍ଟ ଘୋଡ଼ାଇ ରଖିବ ନିଶ୍ଚୟ ।’’ ବ୍ରଜବନ୍ଧୁଙ୍କୁ ବାପା ଓ ଦୁର୍ଗାଙ୍କୁ ମା’ ବୋଲି ଡାକିଲେ, ବନମାଳୀର ତୁଣ୍ଡ ଆଡ଼ୁ ନଥିଲା କି ସେ ହୁହିଁଙ୍କର କାନକୁ କିଛି ଅଡ଼ୁଆ ଲାଗୁ ନଥିଲା । ଜ୍ଞାତିକୁଟୁମ୍ବ ପଡ଼ୋଶୀମାନେ ପ୍ରଥମେ ପ୍ରଥମେ କିଏ କ’ଣ କେତେବେଳେ ନିଜ ନିଜ ମଧ୍ୟରେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ, ମାତ୍ର କାଳକ୍ରମେ ସମାଲୋଚନା ହିଂସା ବା ହାସ୍ୟ ନିମନ୍ତେ ଆଉ କ୍ଷେତ୍ର ରହିଲା ନାହିଁ । ଲୋକେ ବ୍ରଜବନ୍ଧୁଙ୍କ ଗୃହର ନୂତନ ବ୍ୟବସ୍ଥା ବିଷୟରେ ଅଭ୍ୟସ୍ତ ହୋଇ ଯାଇଥିଲେ ।

 

ସତର ଅଠର ବର୍ଷ ବୟସରେ ବନମାଳୀ ବ୍ରଜବନ୍ଧୁଙ୍କର ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତିର ମାଲିକ ହୋଇ ରାଜଭୋଗରେ ରହିଲା । ଲକ୍ଷ୍ମୀ ତା’ର ମୁଠା ମଧ୍ୟରେ ରହି କ୍ରମେ ନିଜର କଳେବର ବଢ଼ାଇବାକୁ ଲାଗିଲେ । ଲୋକେ ‘‘ବନମାଳୀ ପଟ୍ଟନାୟକ’’ ବୋଲି ନାମ ସ୍ମରଣ କରି ତା’ର ପଛରେ ମଧ୍ୟ ହାତ ଯୋଡ଼ିଲେ । ମୋଟ ଉପରେ ଜଣାପଡ଼ିଲା ଯେ ବ୍ରଜବନ୍ଧୁଙ୍କ ସକଳ ସମ୍ପତ୍ତି ପ୍ରକୃତରେ ବନମାଳୀ ପଟ୍ଟନାୟକଙ୍କର; କେବଳ ବନମାଳୀଙ୍କ ଅନୁପସ୍ଥିତିରେ ବ୍ରଜବନ୍ଧୁ ଗୁମାସ୍ତା ଭାବରେ ତାହାର ରକ୍ଷଣାବେକ୍ଷଣର ଭାର ନେଇଥିଲେ ଏବଂ ବନମାଳୀ ନିଜେ ସେ ଭାର ବହନ କରିବାକୁ ଉପଯୁକ୍ତ ହେବାର ଦେଖି ବିଧାତା ପୁରୁଷ ବ୍ରଜବନ୍ଧୁଙ୍କୁ ଗୁମାସ୍ତା ପଦରୁ ଅନ୍ତର କରିଦେଲା-

 

ଯମଦେବତା ବ୍ରଜବନ୍ଧୁଙ୍କୁ ନେବାର କିଛିଦିନ ପରେ ତାଙ୍କର ଲାଭସ୍ୱରୂପ ତାଙ୍କ ସମ୍ବନ୍ଧୀ ଦାଶରଥିଙ୍କୁ ମଧ୍ୟ ଘେନି ଚାଲିଗଲେ । ଦାଶରଥି ନିଜେ ଟିକିଏ ବ୍ୟବସାୟ ବୁଦ୍ଧିର ଲୋକ । ଆପଣାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ, ବ୍ୟବସାୟ ବୁଦ୍ଧିରେ ଚାଳିତ ହୋଇ ଜାତି ବିକି, ବ୍ରଜବନ୍ଧୁ ପଟ୍ଟନାୟକଙ୍କ ଘରେ ବନ୍ଧୁ ସମ୍ପର୍କ କରିଥିଲେ; ମାତ୍ର ସେ ପ୍ରକାର ହିସାବକୁ ତାଙ୍କ ବୁଦ୍ଧି ଖଟିଲା ନାହିଁ । ଛୋଟ ଜାତିରେ ସମ୍ପର୍କ କରିବାରୁ, ଜ୍ଞାତି କୁଟୁମ୍ବ ଲୋକେ ତାଙ୍କ ଘରେ ଖାଇବା, ତାଙ୍କୁ ଭୋଜିଭାତକୁ ଡାକିବା, ତାଙ୍କର ଶବ କାନ୍ଧେଇବା, ଏପରି ପ୍ରତ୍ୟେକ ସମ୍ପଦ ବିପଦର ଘଟଣାରେ, ତାଙ୍କଠାରୁ ଟଙ୍କା ଦାବି କଲେ । ଏହି ସବୁ ଦାବି ପୂର୍ଣ୍ଣ କରିବାରେ ପୁଅ ଶଶୁରଘରୁ ପାଇଥିବା ସମସ୍ତ ଯୌତୁକ ଯାଇ, ନିଜର ପୈତୃକ ସମ୍ପତ୍ତିରୁ ମଧ୍ୟ ଅଧାଅଧି ଉଡ଼ିଗଲା । ବାକି ଯାହା ଥିଲା ତାଙ୍କ ନିଜ ଶୁଦ୍ଧିକ୍ରିୟାର ଗ୍ରାସରେ ପଡ଼ିଲା । ଫଳରେ ହରିହର ପିତୃହୀନ ହେବା ସଙ୍ଗେ ସଙ୍ଗେ ବାସହୀନ ମଧ୍ୟ ହେଲେ ।

 

ଦାଶରଥି ବଞ୍ଚିଥିଲାବେଳେ ନିଜର ସାମୟିକ ଅଭାବ ପୂର୍ଣ୍ଣ କରିବା ନିମନ୍ତେ କେତେଥର ବ୍ରଜବନ୍ଧୁଙ୍କ ଦ୍ୱାରସ୍ଥ ହୋଇଥିଲେ । ବ୍ରଜବନ୍ଧୁ ମଧ୍ୟ ପ୍ରଥମେ ପ୍ରଥମେ ସେ ସବୁ ଅଭାବ ଅଳ୍ପାଧିକ ଭାବରେ ଦୂର କରୁଥିଲେ; ମାତ୍ର ଗୋଟିଏ ଛୋଟ ନାଳ ଖୋଳି ସେ ବାଟେ ପାଣିର ସ୍ରୋତ ଛାଡ଼ିଦେଲେ, ନାଳଟି ଯେପରି କ୍ରମଶଃ ବଢ଼ିବାକୁ ଲାଗେ, ଦାଶରଥିଙ୍କ ଅଭାବର ସଂଖ୍ୟା ଓ ତାହା ଦୂର କରିବା ନିମନ୍ତେ ଦାବିର ପରିମାଣ ମଧ୍ୟ ସେହିପରି କ୍ରମେ କ୍ରମେ ବୃଦ୍ଧି ପାଇବାକୁ ବସିଲା । ବ୍ରଜବନ୍ଧୁ ବିରାଗ ବହ୍ନି ଅନେକ ଦିନ ମନ ମଧ୍ୟରେ ରଖି କୁହୁଳିଲେ, କିନ୍ତୁ ଶେଷରେ ଦିନେ ତାହା ଟିକିଏ ଜଳି ଉଠିବାରୁ କହି ପକାଇଲେ, ‘‘ତୁମେ ସମ୍ବନ୍ଧୀ; ସବୁ ବୁହାଇ ନେଲେ ମୋ ବନମାଳୀ କ’ଣ ଭିଖ ମାଗି ଯିବ ?’’ ସେଥିରେ ଦାଶରଥିଙ୍କ ପ୍ରାଣକୁ ବଡ଼ ବାଧିଲା; ହରିହର ମଧ୍ୟ ଅଭିମାନରେ କମ୍ପି ଉଠିଲେ । ପାର୍ବତୀ ରୋଗରେ ଅଧୀର ହୋଇ କହିଲେ, ‘‘ମୁଁ ପେଟର ଝିଅ ହୋଇ ହେଲି ପର, ଆଉ ସେ ଗୋବରଗୋଟିଆ, ମାଗିଖିଆ ଟୋକା ହେଲା ଆପଣାର । ଛି, ସେ ମୁହଁ ଆଉ ଚାହିଁକରି ଅଛି ? ସେ ମୋର କି ବାପ, ମୁଁ ତା’ର କି ଝିଅ ମ ? ବନା ପୁଣି ହେଲା ଘରର ମାଲିକ, ଆଉ ମୁଁ କୁଆଡ଼େ ଗଲି !’’

 

ବ୍ରଜବନ୍ଧୁ ଓ ଦାଶରଥି ବଞ୍ଚି ଥାଉଁ ଥାଉଁ ଉଭୟଙ୍କର ସମ୍ବନ୍ଧୀ ବନ୍ଧନ ଛିଣ୍ଡି ଯାଇଥିଲା ବୋଲି କହିଲେ ଚଳେ । ବ୍ରଜବନ୍ଧୁ ବନମାଳୀ ନାମରେ ସମ୍ପତ୍ତି ଉଇଲ୍ କରିଦେବା ପରେ ପାର୍ବତୀ ସମ୍ପତ୍ତିରେ ନିଜର ଦାବି ଦେଖାଇ ଉଇଲ୍ ଅସିଦ୍ଧ କରିବାକୁ କଚେରିରେ ଏକ ମକଦ୍ଦମା ମଧ୍ୟ କରିଥିଲେ । ହାକିମ ସେ ମକଦ୍ଦମା ଡିସ୍‌ମିସ୍ କରି ରାୟରେ ଲେଖିଦେଲେ ଯେ ବ୍ରଜବନ୍ଧୁଙ୍କ ସମ୍ପତ୍ତିରେ ପାର୍ବତୀ କିମ୍ବା ତାଙ୍କର ସ୍ୱାମୀ ହରିହର କାହାରି କୌଣସି ଦାବି ନାହିଁ । ଫଳରେ ବ୍ରଜବନ୍ଧୁଙ୍କ ମୃତ୍ୟୁ ପରେ ବନମାଳୀ ତାଙ୍କ ସମ୍ପତ୍ତିରେ ଅପ୍ରତିହତ ଅଧିକାର ଲାଭ କଲା । ଦାଶରଥି, ହରିହର ଏବଂ ପାର୍ବତୀ ନିଜ ଘରର ସୀମା ମଧ୍ୟରେ ପରସ୍ପର ଭିତରେ ଯୁକ୍ତିତର୍କ ଓ ସାମୟିକ ବିବାଦ କଳହଦ୍ୱାରା ସେ ଅଧିକାର ଖଣ୍ଡନ କରିବା ଛଡ଼ା ଅନ୍ୟ କୌଣସି ଚେଷ୍ଟା କରିପାରିଲେ ନାହିଁ-

 

ଏ ସବୁ କାରଣରୁ, ପିତାଙ୍କ ମୃତ୍ୟୁ ପରେ ହରିହର ଯେତେବେଳେ ବାସହୀନ ଓ ଜୀବିକା-ନିର୍ବାହର ଉପାୟଶୂନ୍ୟ ହୋଇପଡ଼ିଲେ, ତାଙ୍କର ବନମାଳୀ ନିକଟକୁ ଯାଇ ସାହାଯ୍ୟ ଆଶା କରିବାର ବାଟ ବନ୍ଦ ହୋଇଥିଲା । ସେ ବାଟ ପୁନରାୟ ଫିଟାଇବାର ଇଚ୍ଛା ସହଧର୍ମିଣୀଙ୍କ ନିକଟରେ କେବେ କିପରି ପ୍ରକାଶ କଲେ, ପାର୍ବତୀ ଉତ୍ତର ଦିଅନ୍ତି, ‘‘ମଲା, ପୋଷିବାକୁ ଯେବେ ବଳ ନଥିଲା, ଗୋଟାକ ହାତ ଧରି ତାକୁ ବୁଡ଼ାଇବାକୁ ଗଲୁ କିଆଁ ?’’ ଅଭାବ କ୍ରମଶଃ ବଢ଼ିବାକୁ ଲାଗିଲା, କଷ୍ଟ ଦିନକୁଦିନ ବଳି ପଡ଼ିଲା । ସୁବିଧାରେ ପେଟକୁ ଦାନା, ପିନ୍ଧିବାକୁ କନା ମିଳିବା ଦୁର୍ଘଟ ହେଲା । ହରିହର ଏକା ହୋଇଥିଲେ, ପୁରୁଷ ପିଲା, ଏଣେତେଣେ ବୁଲି, ଶକ୍ତି ଅନୁସାରେ ରୋଜଗାର କରି, ଆପଣା ବ୍ୟବସ୍ଥା ଚଳାଇ ନିଅନ୍ତେ । ମାତ୍ର ବେକରେ ଏ ଯେ ଆଉ ଜଣକୁ ବାନ୍ଧିଛନ୍ତି । ବାପା ପୁତ୍ରର ମଙ୍ଗଳ କାମନାରେ ବଡ଼ ଭେଳା ଖୋଜି ବସାଇଥିଲେ, ମାତ୍ର ବୁଡ଼ିଲାବେଳକୁ ତାହା ସାନ ସାନ ଭେଳାମାନଙ୍କଠାରୁ ଅଧିକ ଭାରୀ ଏବଂ ବିପଦମୟ ହୋଇ ପଡ଼ିଲା । ହରିହର ପାର୍ବତୀଙ୍କ ଯୋଗେ ସଂସାର ସାଗରରେ ଅଧିକ ଘାଣ୍ଟିହେଲେ । ପାର୍ବତୀ କଷ୍ଟରେ ଅଧୀର ହୋଇ ବେଳେବେଳେ ସ୍ୱାମୀଙ୍କ ପ୍ରତି କଠୋର ବାକ୍ୟବାଣ ପ୍ରୟୋଗ କରୁଥିଲେ ସୁଦ୍ଧା, ତାଙ୍କର ଦୁଃଖରେ ନିଜେ ସମବେଦନା ମଧ୍ୟ ଅନୁଭବ କରୁଥିଲେ । ହରିହରଙ୍କୁ ଦୁଃଖରେ ଘାରି ହେବାର ଦେଖିଲେ ତାଙ୍କ ଛାତି ଫାଟି ଯାଉଥିଲା; ବିଶେଷତଃ ବନମାଳୀର ସମ୍ପଦ ସହିତ ହରିହରଙ୍କର ଦୁର୍ଗତି ତୁଳନା କଲେ, ତାଙ୍କର ଆହତ ହୃଦୟ ସ୍ୱତଃ ହରିହରଙ୍କ ପ୍ରତି ସହାନୁଭୂତିରେ କେତେକ ସାନ୍ତ୍ୱନା ଅନୁଭବ କରୁଥିଲା । ଏପରି ସାନ୍ତ୍ୱନାର ଅଭାବ ସମୟରେ ସେ ନିଜର ଜୀବନ ଭାର ନିଜ ପ୍ରତି ଅସହ୍ୟ ବୋଧ କରୁଥିଲେ । ସେ ଭାର ହରିହରଙ୍କ ସହିତ ବାଣ୍ଟି ବହିବାର ସୁବିଧା ତାଙ୍କର ନଥିଲା । ବରଂ ହରିହର ନିଜ ଭାର ନିଜେ ବହନ କରିବାକୁ ଅସମର୍ଥ ବୋଲି ସେ ବରାବର ଦେଖୁଥିଲେ । ସୁତରାଂ ସେ କେତେଥର ମନେ କରନ୍ତି ଯେ ହରିହରଙ୍କ ସହିତ ନିଜର ଦାମ୍ପତ୍ୟ ଡୋରିଟି କାଟି ଦେଇ ନିଜେ ସଂସାର-ସମୁଦ୍ରରେ ବୁଡ଼ି ଅତଳ ତଳକୁ ଚାଲିଯିବେ ଏବଂ ତା’ର ଫଳରେ ହୁଏତ ହରିହର ସମୁଦ୍ର ବକ୍ଷରେ ଭାସି ରହିପାରିବେ ।

 

ତେଣେ ବାଇଶ ବର୍ଷ ବୟସରେ ବନମାଳୀର ବିବାହ ପ୍ରସ୍ତାବ ସ୍ଥିର ହେଲା । ସେତେବେଳକୁ ହରିହରକୁ ସମୁଦ୍ରବକ୍ଷରେ ଭସାଇ ରଖି ପାର୍ବତୀ ତା’ର ଅନନ୍ତ ଗର୍ଭରେ ବୁଡ଼ି ସାରିଛନ୍ତି । ସୁତରାଂ ସେ କିପରି ଜାଣିବେ ଯେ ହରିହର ଆଜି ସେ ସମୁଦ୍ର ବକ୍ଷରେ ସ୍ୱଚ୍ଛନ୍ଦରେ ଭାସି ପହଁରୁ ନାହାନ୍ତି; ବରଂ ସ୍ରୋତରେ ତଡ଼ିହୋଇ କେଉଁ ସୁଦୂର ଅଜ୍ଞାତ ସ୍ଥାନକୁ ଅନବରତ ଚାଲିଯିବାରେ ଲାଗିଛନ୍ତି ।

 

ବନମାଳୀର ମଙ୍ଗଳକୃତ୍ୟକୁ ଆସିବାକୁ ଆଶାତୀତ ଭାବରେ ଦୈବାତ୍ ଅଲଙ୍ଘନୀୟ ନିମନ୍ତ୍ରଣ ପାଇ ହରିହର ତଳ ଉପରକୁ ଚାହିଁ ଆଗପଛ ଅନେକ ଥର ପାଦ ପକାଇ, ଶେଷରେ ମଙ୍ଗଳନ ଦିନ ସନ୍ଧ୍ୟାରେ ଆସି ରତ୍ନପୁରରେ ପହଞ୍ଚିଲେ । ରତ୍ନପୁର ସହିତ ଆଜି ତାଙ୍କର କୌଣସି ସମ୍ପର୍କ ନାହିଁ । ଶ୍ୱଶୁରଙ୍କ ଉଇଲ୍ ସଙ୍ଗେ ଗୋଟାଏ ଅଚ୍ଛେଦ୍ୟ ବନ୍ଧନ ତୁଟିଥିଲା; ଯାହା ବାକି ଥିଲା, ତାହାର ସତ୍ତା ଶ୍ୱଶୁରଙ୍କ ମୃତ୍ୟୁ ସହିତ ଲୋପ ପାଇଥିଲା; ତଥାପି ତାହାଠାରୁ ଆହୁରି ଗୋଟାଏ ଦୃଢ଼ତର ବନ୍ଧନରେ ସେ ନିଜକୁ ରତ୍ନପୁର ସହିତ ଆବଦ୍ଧ ଦେଖୁଥିଲେ । ପାର୍ବତୀଙ୍କ ଆତ୍ମହତ୍ୟା ସଙ୍ଗେ ସେହିଟି ମଧ୍ୟ ଛିଣ୍ଡିଛି । ସେ ଯେ ଆଜି କାହିଁକି ରତ୍ନପୁର ଆସିଛନ୍ତି, ତାହା ସେ ନିଜେ ବୁଝିବାକୁ ଅକ୍ଷମ । ବିବାହ ଉତ୍ସବର ସମୃଦ୍ଧି ସେ ନିଜେ ଉପସ୍ଥିତିଦ୍ୱାରା ବଢ଼ାଇବେ ତ ନାହିଁ, ବରଂ କମାଇବେ । ଉତ୍ସବ ଉଦ୍ୟାନର ସମୁଦାୟ ଜୀବନ୍ତ ସ୍ଫୁଟନ୍ତ ସରସ ପୁଷ୍ପରାଶି ମଧ୍ୟରେ ସେ ଯେପରିକି ଏକମାତ୍ର ଶୁଖିଲା ଫୁଲ; କିଏ ପାଦରେ ଦଳି ଦେଇ ଯିବ, କିଏ ବା ଘରର ଅଳିଆ ସହିତ ଓଳାଇ ପକାଇ ଦେବ । ଭୋଜି ଖାଇବାର ସ୍ପୃହା ମଧ୍ୟ ଆଜି ତାଙ୍କର ମନରେ ନାହିଁ । କଷା, ପିତା, ମିଠା, ଖଟା ଆଦି ସ୍ୱାଦମାନ ଆଜି ତାଙ୍କ ଜିଭରେ ସବୁ ସମାନ । ଫଳରେ ରତ୍ନପୁରରେ ପହଞ୍ଚିବା ମାତ୍ରେ ସେ ନିଜକୁ ପଚାରିଲେ, ‘‘ମୁଁ ଆସିଲି । କାହିଁକି ?’’

 

ବନମାଳୀ ସଙ୍ଗେ ତାଙ୍କର ପ୍ରଥମେ କେଉଁଠାରେ କିପରି ଘଟଣାରେ ଦେଖା, ତାହା ମନେପକାଇ ହରିହର ଆଜି ବନମାଳୀକୁ ନିଜର ଶ୍ୱଶୁରଘରେ ଦେଖି, ହୁଏତ ତାକୁ ସେହି ପ୍ରଶ୍ନ ପଚାରିଥାନ୍ତେ; ମାତ୍ର ସେଥିପାଇଁ ଅବସର ମିଳିଲା ନାହିଁ । ବନମାଳୀ ତାଙ୍କୁ ଅତି ଆଦରରେ ପାଛୋଟି ଘେନିଯାଇ ନାନା ସମ୍ବର୍ଦ୍ଧନା କରିବାରେ ଲାଗିଲେ । ହରିହରଙ୍କର ଏତେ ଦୁଃଖକଷ୍ଟ କଥା ବନମାଳୀକୁ ଜଣା ନଥିଲା । ଏକେ ବିକ୍ରମପୁର ରତ୍ନପୁରକୁ ବହୁଦୂର; ପୁଣି ହରିହର ଦୁଇ ତିନି ବର୍ଷ ହେଲା ବିକ୍ରମପୁର ଛାଡ଼ି ସପରିବାର ଅନ୍ୟ କେଉଁଆଡ଼େ ଚାଲି ଯାଇଥିଲେ, ପାର୍ବତୀ ଇହଲୋକରୁ ଚାଲିଯିବାରୁ ଦୁଃଖ ବିରହର ମାଧ୍ୟାକର୍ଷଣ ବଳରେ ପୁଣି ବିକ୍ରମପୁରକୁ ଫେରୁଛନ୍ତି ।

 

ବନମାଳୀର ଯୌବନ ବୟସର କ୍ଷୁଧିତ ହୃଦୟ ଅବଶ୍ୟ ଆଉ ଗୋଟିଏ ସମହୃଦୟ ସହିତ ମିଳିତ ହେବାକୁ ବରାବର ଆଶାୟୀ ହୋଇ ସମଗ୍ର ସଂସାରରେ ଖୋଜି ବୁଲୁଥିଲା; କିନ୍ତୁ ତା’ ନିକଟକୁ ଯେତେ ବିବାହ ସମ୍ପର୍କ ଆସୁଥିଲା, ସେ ସବୁ ଭାଙ୍ଗି ଦେଉଥିଲା । ତା’ର ଧନ ସମ୍ପଦରେ ଆକୃଷ୍ଟ ହୋଇ ଲୋକେ ତାକୁ କନ୍ୟା ଦେବାକୁ ଇଚ୍ଛା କରୁଛନ୍ତି ବୋଲି ସେ ବୁଝିପାରୁଥିଲା । ସୁତରାଂ ଜୀବନର ପ୍ରେୟସୀକୁ ଅର୍ଥ ମୂଲ୍ୟରେ କିଣି ହୃଦୟରେ ଆଭରଣସ୍ୱରୂପ ବହିବାର ଅଭିଳାଷ ତା’ର ଏକାବେଳକେ ନଥିଲା । ହରିହର ନିଜର ପତ୍ନୀକୁ ହରାଇ ବିଦେଶରୁ ଫେରି ବିକ୍ରମପୁରରେ ପହଞ୍ଚିବା ସମ୍ବାଦ ସେ ଯେଉଁଦିନ ପାଇଲା, ସେଦିନ ବିବାହ ପ୍ରସ୍ତାବରେ ସମ୍ମତ ହେଲା । ସୁନ୍ଦରୀ ସୁଗୁଣବତୀ କନ୍ୟା ବାଛି ଠିକ୍‍ କଲା । ପାର୍ବତୀଙ୍କ ମୃତ୍ୟୁରେ ବ୍ରଜବନ୍ଧୁଙ୍କର ଯେ କୁଳପରମ୍ପରା ଲୋପ ପାଇଥିଲା, ତାହାର ଉଦ୍ଧାର ନିମନ୍ତେ ହୁଏତ ଏହି ଏକମାତ୍ର ପଥ ଉନ୍ମୁକ୍ତ ଥିଲା ।

 

ମଙ୍ଗଳନ ରାତିଯାକ ବନମାଳୀ ଓ ହରିହର ସୁଖଦୁଃଖ କଥାବାର୍ତ୍ତାରେ ପୁହାଇ ଦେଲେ । ଆରଦିନ ସକାଳେ ହରିହର ବରଯାତ୍ରୀଙ୍କ ସହିତ ନୂଆକୋଟ ଚାଲିଲେ । ବାଦ୍ୟ କୋଳାହଳରେ ବାଟ ପୂରି ଉଠିଲା । ସନ୍ଧ୍ୟାରେ ରୋଷଣି ଆଲୁଅରେ ଆକାଶ ମର୍ତ୍ତ୍ୟ ଉଜ୍ଜ୍ୱଳ ହୋଇଗଲା । ବାଣ ଫୁଟିଲା, ଫୁଲଗଛରେ ବାଟ ପଦା ବିଲ ଆଚ୍ଛନ୍ନ ହୋଇପଡ଼ିଲା । ଯଥା ସମୟରେ କନ୍ୟାକର୍ତ୍ତା ନୂଆକୋଟ ଜମିଦାର ମାନଧାତା ମଧୁସୂଦନ ବେବର୍ତ୍ତା ପଟ୍ଟନାୟକ ବାଟବରଣ କରିବାକୁ ଆସିଲେ-। ବନମାଳୀ ହଠାତ୍ ପାଲିଙ୍କିରୁ ଓହ୍ଲାଇ ପଡ଼ି, ତାଙ୍କୁ ହରିହରଙ୍କ ସୁଆରି ପାଖକୁ ଘେନିଯାଇ କହିଲେ, ‘‘ଏହି ଯେ ଆପଣଙ୍କର ବରପାତ୍ର ।’’ ମଧୁସୂଦନ ଅବାକ୍ ହେଲେ, ମାତ୍ର ଉପାୟାନ୍ତର ନ ଦେଖି, ବିସ୍ମିତ ସ୍ତମ୍ଭୀଭୂତ ହରିହରଙ୍କ ପାଦ ଧୋଇଦେଲେ, ତାଙ୍କୁ ଫୁଲଚନ୍ଦନରେ ବରଣ କଲେ-। ହରିହର କାଠର ପିତୁଳାଟି ପରି ବେଦୀରେ ବସି, ସତେଅବା ଯେପରି କେତେବର୍ଷ ତଳର ବିସ୍ମୃତ ଅନୁଭୂତି ପୁନରାୟ ସ୍ୱପ୍ନରେ ଉପଭୋଗ କରୁଛନ୍ତି, ସେହିପରି ଭାବି, ଗୌରୀଙ୍କର ପାଣିଗ୍ରହଣ କଲେ । ମଧୁସୂଦନଙ୍କ ଜ୍ଞାତିକୁଟୁମ୍ବମାନେ ଭୋଜିକି ନ ଆସିବେ ବୋଲି ଯେ ଅଡ଼ିଥିଲେ, ହରିହରଙ୍କ ପରି ଉଚ୍ଚବଂଶର ପାତ୍ର ପାଇ, ଆନନ୍ଦରେ ଆସି ବିବାହ ଉତ୍ସବରେ ଯୋଗ ଦେଲେ ।

 

ବରକନ୍ୟାଙ୍କୁ ଆଣି ବନମାଳୀ ବ୍ରଜବନ୍ଧୁ ପଟ୍ଟନାୟକଙ୍କ ଘରେ ରଖାଇଲା । ଚଉଠି ସାତମଙ୍ଗଳା ବିଧାନ ଯଥାବିଧିରେ ବଢ଼ିଲା । ବନମାଳୀ ବ୍ରଜବନ୍ଧୁଙ୍କର ସମୁଦାୟ ସମ୍ପତ୍ତି ହରିହରଙ୍କ ନାମରେ ଉଇଲ୍ କରିଦେଇ, କାହାକୁ କିଛି ନ କହି, ଦିନେ ଅଜ୍ଞାତ ଭାବରେ ରତ୍ନପୁର ଛାଡ଼ି ଚାଲିଗଲା । ହୁଏତ ପେଟ ପୋଷିବାକୁ କେଉଁ ପରିତ୍ୟକ୍ତ ଆମ୍ବତୋଟାରେ ଯାଇ ଆଶ୍ରୟ ନେଇଥିବ-। ହରିହର ବହୁକାଳ ନାନା ସ୍ଥାନରେ ଖୋଜାଇ ତା’ର କୌଣସି ସନ୍ଧାନ ପାଇଲେ ନାହିଁ ।

Image

 

ଭାଇ ଭାଗ

 

ପ୍ରାୟ ଦେଢ଼ମାସ ହେଲା ନରହରିଙ୍କ ଘରେ ମହା ଗୋଳମାଳ ଲାଗିଛି, ସକାଳୁ ସନ୍ଧ୍ୟା ଓ ସନ୍ଧ୍ୟାରୁ ପୁଣି ରାତି ଅଧଯାଏଁ ପ୍ରଚଣ୍ଡ ତୁଣ୍ଡ ପାଟି କୋଳାହଳ । କେତେବେଳେ କିଏ କାହାକୁ ମାରୁଛି, କିଏ ବା କାନ୍ଦରେ ଘର ଫଟାଇ ଦେଉଛି । ଗ୍ରୀଷ୍ମକାଳୀନ ବର୍ଷା ସମୟର ଆନ୍ଦୋଳିତ ମେଘରାଶି ଆକାଶରୁ ହଠାତ୍ ଦୁମ୍‌ଦାମ୍ କୁଆପଥର ଅସରାଏ ବର୍ଷି ଟିକିଏ ଶାନ୍ତ ହେଲାପରି, କିଏ ବା ରାଗି ପାଟିକରି ପରେ ବିଧା ଗୋଇଠା ମାଡ଼ରେ ସେ ରାଗ କିଛି ସମୟ ପାଇଁ ଖଲାସ କରୁଛି । ଦୁଇ ଚାରିଟା ଠେଙ୍ଗା ବାଡ଼ି ଭାଜିଗଲାଣି, କାହା ମୁଣ୍ଡ ଫାଟିଲାଣି, କାହାର ହାତ ଗୋଡ଼ ଜଖମ ହେଲାଣି, ତଥାପି କଳିର ବିରାମ ନାହିଁ । ମନର କ୍ରୋଧ, ହିଂସା, ମାନ, ଅଭିମାନ କେତେବେଳେ ମୁହଁର ଫାଙ୍କା ଶବ୍ଦରେ କେତେବେଳେ ବା ହାତ ଗୋଡ଼ର ଭାରମୟ ଓଜନି ଶକ୍ତିରେ ପ୍ରକାଶ ପାଉଛି-। ପାଖ ପଡ଼ିଶାଏ ନିଜ ନିଜ ଘରେ ରହି ପାରୁ ନାହାନ୍ତି । ନରହରିଙ୍କ ଘରଟା ଅନନ୍ତପୁର ଗ୍ରାମରୁ ଲୋପ ପାଇଗଲେ, ସେମାନେ ନିଶ୍ଚିନ୍ତ ହୁଅନ୍ତେ; ମାତ୍ର ବର୍ତ୍ତମାନ ସେହି ଘରଟି ତ ପୋଲିସ୍ ଦାରୋଗାଙ୍କ ପ୍ରତି ଅନନ୍ତପୁରର ସର୍ବଶ୍ରେଷ୍ଠ ଘର । ଦାରୋଗା ସିପାହି ଯେତେ ଓଜନ ହୋଇ ସେଠାକୁ ଆସୁଛନ୍ତି, ଫେରିଲାବେଳକୁ ପ୍ରତି ଥର, ନିଜର ପାହ୍ୟା ଅନୁକ୍ରମେ ପନ୍ଦର କୋଡ଼ିଏ, ପାଞ୍ଚ ଦଶ ଭରି ବେଶି ବଢ଼ିଯାଉଛନ୍ତି । ନରହରିଙ୍କ ଘରଟା ଯେପରି ପୃଥିବୀର କେତେଜଣ ଲୋକଙ୍କର ଓଜନ ବୃଦ୍ଧି କରିବା ଲାଗି ଗୋଟାଏ କାରଖାନା ହୋଇପଡ଼ିଛି ।

 

ନରହରିଙ୍କ ଦୁଇ ପୁଅ ନୀଳକଣ୍ଠ ଓ ରାମଚନ୍ଦ୍ର ବୟସରେ ଅଳ୍ପ ସାନ ବଡ଼ । ଦୁହେଁ ବେଶ୍ ଖୁସିବାସିରେ ଚଳୁଥିଲେ । ଗ୍ରାମର ଲୋକେ ତାଙ୍କର ମେଳ ଦେଖି ତାଙ୍କୁ ‘ରାମ ଲକ୍ଷ୍ମଣ’ ନାମ ଦେଇଥିଲେ । ଆଗ ନୀଳକଣ୍ଠର ଭାର୍ଯ୍ୟା ଆସିଲା, ତାକୁ ମଧ୍ୟ ଲୋକେ ‘ସୀତା’ ବୋଲି କହିଲେ; ମାତ୍ର ରାମଚନ୍ଦ୍ରର ଭାର୍ଯ୍ୟା ଆସିଲା ଦିନୁ ଘରେ ନାନା ଖଳବ । ସେ ଟିକିଏ ନଥିଲା ଘର ଝିଅ । ବାପଘରୁ ସାମାନ୍ୟ କିଛି ବୋଝଭାର ଆଣି ପହିଲି ପାଳି ଆସିଥିଲା; କିନ୍ତୁ ସେ ବୟସରେ ପିଲା ଓ ରୂପରେ ଟିକିଏ ସୁନ୍ଦର ହୋଇଥିବାରୁ ଶାଶୁ ଶ୍ୱଶୁର ତାକୁ ଆହ୍ଲାଦ କରୁଥିଲେ । ତାହା ଦେଖି, ନୀଳକଣ୍ଠର ଭାର୍ଯ୍ୟା ଦିନକୁଦିନ, ଅଇଘରା ଗଦା ପରି, ଅଧିକ ଅଧିକ କୁହୁଳିବାକୁ ଲାଗିଲା । ଶେଷରେ ଦିନେ ହଠାତ୍ ଜଳିଉଠି, ଜିଦ୍ ଧରି ବସି କହିଲା, ‘‘ନା, ରାମ ଭିନ୍ନ ନହେଲେ, ମୁଁ ଅନ୍ନ ଛୁଇଁବି ନାହିଁ ।’’

 

ପ୍ରଥମେ ପ୍ରଥମେ ନୀଳକଣ୍ଠ ଓ ରାମଚନ୍ଦ୍ର ରାତିରେ ଶୋଇଲାବେଳେ ମଧୁଶଯ୍ୟା ଉପରେ ଆପଣା ଆପଣା ଭାର୍ଯ୍ୟାଠାରୁ ଭାଇ ଭାଗ ବାଣ୍ଟ ବାର ମନ୍ତ୍ର ଗୋପନରେ ଗ୍ରହଣ କରୁଥିଲେ; ମାତ୍ର କିଛିଦିନ ମଧ୍ୟରେ ଅନନ୍ତପୁରରେ ନରହରିଙ୍କ ଘର ବିଧିମତେ ଗୋଟିଏ ଚାଟଶାଳିରେ ପରିଣତ ହେଲା । ଭାଇ ଭାଗ ବଣ୍ଟାବିଦ୍ୟା ସେଠାରେ ଯେ କେବଳ ସେହି ଘରର ଦୁଇଜଣ ନବବିବାହିତ ଯୁବକ ଶିଖିଲେ, ତାହା ନୁହେଁ; ସେ ଗ୍ରାମରେ ଓ ଅନ୍ୟାନ୍ୟ ଗ୍ରାମର ଅନ୍ୟ କେତେକ ଲୋକ ମଧ୍ୟ କ୍ରମେ ସେଠାରେ ମନ୍ତ୍ର ନେଇ ଯିବାର ସୁବିଧା ପାଇଲେ । ଫଳରେ ଅନନ୍ତପୁରର ସେ ଘରଟି ସେହି ସମଗ୍ର ଅଞ୍ଚଳର ଗୋଟିଏ ପ୍ରସିଦ୍ଧ କେନ୍ଦ୍ରସ୍ଥଳ ହୋଇ ପଡ଼ିଲା ।

 

ଘର ଦାଣ୍ଡପଟେ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ଭିତରେ ଯେପରି କଳହ ଏବଂ ପିଟାପିଟି, ବାରିପଟେ ତାଙ୍କର ଦୁଇ ପ୍ରେୟସୀଙ୍କ ମଧ୍ୟରେ ତା’ଠାରୁ ଆହୁରି ଅଧିକ । ମୋଟ ଉପରେ ନରହରିଙ୍କ ଛୋଟିଆ ଘର ଖଣ୍ଡିକର ଦୁଇଆଡ଼େ ଦୁଇଟି କ୍ଷୁଦ୍ର ମହାଭାରତ ଯୁଦ୍ଧ; କିନ୍ତୁ ନରହରିଙ୍କର ଜିଦ୍ ଯେ ସେ ଭାଗ ବଣ୍ଟାଇ ଦେବେ ନାହିଁ । ସେ କହନ୍ତି, ‘‘ତୁମେମାନେ ମୋ ଅନ୍ତେ ଯାହା କରିବ, ମୁଁ ଜୀଇଥିଲା ଯାଏଁ ଏ ସମ୍ପତ୍ତିରେ ହାତ ଦେଇ ପାରିବନାହିଁ, କି ବାଣ୍ଟି ନେଇ ପାରିବ ନାହିଁ ।’’ ଭଦ୍ରଲୋକ କେତେ ଥର ଆସି ଫେରି ଗଲେଣି । ନରହରି ପୁଅ ବୋହୂଙ୍କର ହାତଗୋଡ଼ ଧରୁଛନ୍ତି, ଲକସ୍ତକ ହେଉଛନ୍ତି, କହୁଛନ୍ତି, ଆଉ କେଇଟା ବର୍ଷ ବଞ୍ଚିବି ଅବା ମୁଁ ? ଏହି ତ ତୁମ୍ଭ କଳିଗୋଳ ଦେଖି ବୁଢ଼ୀ ଆଖି ବୁଜିବା ଉପରେ ବସିଲାଣି । ଧନ ମୋର, ବାପ ମୋର, ମା’ ମୋର ମିଳିମିଶି ଚଳ; ମୁଁ ମଲେ ତେଣିକି ଯାହା କରିବ । କେତେ କଷ୍ଟରେ ଏହି ହାତରେ ଧନ ସମ୍ପତ୍ତି କରିଛି, ମୋ ଦେହ ସହିବ କିପରି ?’’ ଏହା କହି, ସେ ଯେଉଁ ହାତରେ ଧନ ସମ୍ପତ୍ତି କରିଥିଲେ, ତାହା ଦେଖାନ୍ତି; ମାତ୍ର ପୁଅବୋହୂ ଦେଖନ୍ତି ନାହିଁ, ଆଖି ବୁଜି ରହନ୍ତି ।

 

ଅନନ୍ତପୁରର ସୋମନାଥ ସେ ଅଞ୍ଚଳର ଦଶ ପାଞ୍ଚ କୋଶ ଆୟତନ ମଧ୍ୟରେ ଜଣେ ବିଶେଷ ଜଣାଶୁଣା ଲୋକ । ବାଡ଼ି ଅଗରେ ଗୋବାଏ ଜମିବାଡ଼ି ନାହିଁ, ପେଟରେ ବିଦ୍ୟା ମଧ୍ୟ ନାହିଁ, ଘରେ ପିଲାପିଚିକା ନାହାନ୍ତି; କେବଳ ମାମୁ ମାଈଁ ଦୁଇ ପ୍ରାଣୀ । ତେବେ ତାଙ୍କର କଲମ ଅଛି-। ପୋଲିସ୍ ଥାନାରୁ ଯେ ପଇସାଟିଏ ପାଏ, ସେ ବାଘ ପାଟିରୁ ଆହାର କାଢ଼ିନେଲା ପରି କଠିନ କାର୍ଯ୍ୟ କରେ । ସୋମନାଥ ଥାନାରୁ ବର୍ଷକେ ଦଶପଚିଶ ଟଙ୍କା, ଆମ୍ବଦିନେ ଆମ୍ବଟାଏ, ପଣସ ସମୟରେ ପଣସଟାଏ ପାଇଥାନ୍ତି । ତା’ଛଡ଼ା, ଟରଣିଗିରି କରି ସେ ଅଞ୍ଚଳର ଲୋକଙ୍କୁ ସହରର ଓକିଲ ମୁକ୍ତାର ମୋହରିରଙ୍କ ପାଖକୁ ପଠାଇବା ମଧ୍ୟ ତାଙ୍କର ଆଉ ଏକ ପେଶା । ସେଥିରେ ସେମାନଙ୍କଠାରୁ ପାଉଣାରୁ ତାଙ୍କୁ ଅଂଶ ମିଳେ । ଏ ସବୁରେ ତାଙ୍କର ଛୋଟିଆ ପରିବାରଟି ଖାଇ ପିନ୍ଧି ବେଶ୍ ଚଳିଥାନ୍ତି ।

 

ସୋମନାଥଙ୍କ ପରାମର୍ଶରେ ନୀଳକଣ୍ଠ ବାପା ନରହରି ଓ ଭାଇ ରାମଚନ୍ଦ୍ରଙ୍କୁ ପକ୍ଷ କରି ଦେବା ଅଦାଲତରେ ସମ୍ପତ୍ତି ବଣ୍ଟରା ମକଦ୍ଦମା ଦାଏର କଲା । ରାମଚନ୍ଦ୍ର ସଙ୍ଗେ ସଙ୍ଗେ ନୀଳକଣ୍ଠ ନାମରେ ଫଉଜଦାରି ଅଦାଲତରେ ଏକ ମାରପିଟ ମକଦ୍ଦମା ଚଳାଇଲା । ତାହା ମଧ୍ୟ ସେହି ସୋମନାଥଙ୍କ ମନ୍ତ୍ରଣାରେ । ସେ ଅଞ୍ଚଳର ଦୁଇଜଣ ମହାଜନ ଏକ ଏକ ପକ୍ଷ ଆବୋରି ନେଇ ମକଦ୍ଦମା ଖର୍ଚ୍ଚ ନିମନ୍ତେ ଟଙ୍କାପଇସା ଯୋଗାଇଲେ । ସେମାନଙ୍କ ମନ୍ତ୍ରଣା ଓ ମହାଜନମାନଙ୍କ ଅର୍ଥରେ ମକଦ୍ଦମା ଦୁଇଟି ବେଶ୍ ଧମାଧମ୍ ଚାଲିଲା । ଓକିଲ, ମୁକ୍ତାର ଓ ମୋହରିରମାନେ ହାତରେ ଦୁଇ ଚାରି ପଇସା ଧରିବାକୁ ପାଇଲେ ।

 

ନରହରିଙ୍କ ସମ୍ପତ୍ତି ମଧ୍ୟରେ ଚବିଶ ଦସ୍ତିରେ ସାତମାଣ ଦୁଇପା ଶାରଦ ଜମି, ଦୁଇମାଣ ବଗାଏତ, ପାଞ୍ଚମାଣ ପଡ଼ିଆ, ମିହ୍ନା ଡିହରେ ଦୁଇ ବଖରା ଘର, ସତରଟା ନଡ଼ିଆ ଗଛ, ଗୋଟିଏ ଓଦାଖିଆ ଗାଈ, ହଳେ ବଳଦ ଓ ଗୋଟିଏ ମହାଦେବଙ୍କର ବୁଲା ଷଣ୍ଢ । ଏହାଛଡ଼ା ବାସନକୁସନ, ଲୁଗାପଟା, ହାଣ୍ଡିକୁଣ୍ଢେଇ ଆଦି ମଧ୍ୟ ଏ ଅନୁପାତରେ ବେଶ୍ ଥିଲା ।

 

ମକଦ୍ଦମା ଅନେକ ଦିନ ଚାଲିଲା, ଅନେକ ସାକ୍ଷ ପ୍ରମାଣ ନିଆଗଲା । ଫଉଜଦାରୀ କଚେରିରେ ନୀଳକଣ୍ଠକୁ ଜରିମାନା ହେଲା । ତହୁଁ ସେ କସରତରେ ତଳେ ପଡ଼ିଗଲା ମାଲ ପରି, ପୁଣି ହୁଁଙ୍କାର କରି ଉଠିଲା । ମହାଜନଙ୍କ ଟଙ୍କାର ଝଣ୍‍ ଝଣ୍‍ ଶବ୍ଦ ଓ ସୋମନାଥଙ୍କ ପରାମର୍ଶ ସେ ହୁଁଙ୍କାରକୁ ଆହୁରି ଟାଣ କରି ପକାଇଲା । ଫଳରେ ରାମଚନ୍ଦ୍ରକୁ ଥାନା ହାଜତ ଭିତରେ ଯାଇ ହାଜର ହେବାକୁ ହେଲା । ସୋମନାଥ ଗୋପନରେ ଦାରୋଗାଙ୍କ ସହିତ ପରାମର୍ଶ କରି ଟଙ୍କା ପଇସାର ସ୍ରୋତ ବୁହାଇ, ତା’ର ଖସିବା ବାଟ ସରଳ କରି ନଥିଲେ, ମକଦ୍ଦମା ବିଚାଚରେ ହୁଏତ ରାମଚନ୍ଦ୍ରକୁ ଜେଲ୍‍ଖାନା ଯିବାକୁ ପଡ଼ିଥାନ୍ତା । ଫଉଜଦାରୀ ଅଦାଲତର ଏସବୁ ଗୋଳମାଳ ଏଣେ ଚାଲିଥିବାବେଳେ ଦେବାନି ଅଦାଲତରେ ହାକିମ ରାୟ ଦେଲେ ଯେ ବାପ ଓ ଦୁଇ ପୁଅଙ୍କ ଭିତରେ ସମ୍ପତ୍ତି ତିନି ଭାଗରେ ବିଭକ୍ତ ହେବ ।

 

ରେଳ ଷ୍ଟେସନରେ ଯାତ୍ରୀମାନେ ଚାଲବୁଲ, କଥାବାର୍ତ୍ତା, ଗୋଳମାଳ, କିଣାବିକା, ଖିଆପିଆ କରୁଥାନ୍ତି; କାହାରି କିଛି ଧୋକା ନଥାଏ; ମାତ୍ର ହଠାତ୍ ଘଣ୍ଟା ବାଜିଗଲେ, ଗାଡ଼ି ଛାଡ଼ିବାକୁ ବିଳମ୍ବ ଥିଲେ ସୁଦ୍ଧା, ଯେପରି ସେମାନେ ଯେ ଯାହା ସ୍ଥାନକୁ ଯାଇ ଜାଗା ଆବୋରି ବସି ପଡ଼ନ୍ତି, ଦେବାନି ଅଦାଲତ ହାକିମଙ୍କ ହୁକୁମରେ ନୀଳକଣ୍ଠ ଓ ରାମଚନ୍ଦ୍ର ସେହିପରି ତାଙ୍କର ନିତ୍ୟନୈମିତ୍ତିକ କଳିଗୋଳ ପିଟାପିଟି ଆଦି ଛାଡ଼ିଦେଇ, ଟିକିଏ ସ୍ଥିର ହୋଇ ବସିଗଲେ । ସମ୍ପତ୍ତିର ତାଲିକା ହେଲା । ଜମିବାଡ଼ି, ବାସନକୁସନ, ଲୁଗାପଟା–ଘରର ଯାବତୀୟ ଆସବାବ, କୁଲା ଛାଞ୍ଚୁଣି ପର୍ଯ୍ୟନ୍ତ ସ୍ଥାବର ଅସ୍ଥାବର, ଚଳନ୍ତି ଅଚଳନ୍ତି–ସକଳ ସମ୍ପତ୍ତି ତାଲିକାରେ ଭୁକ୍ତ ହେଲା । ବଣ୍ଟରା କରିବାର ଦିନ ମଧ୍ୟ ଧାର୍ଯ୍ୟ କରାଗଲା । ପଞ୍ଚାୟତ ଭଦ୍ରଲୋକ ସ୍ଥିର ହୋଇ ରହିଲେ ।

 

ଭଦ୍ରଲୋକମାନେ ଏକତ୍ର ନୋହିପାରିବାରୁ ସମ୍ପତ୍ତି ବିଭାଗ କରିବାରେ କିଛି ବିଳମ୍ୱ ଘଟିଲା । ଏପରି ସମୟରେ ଦିନେ ହଠାତ୍ ଅଦାଲତ ଚପରାସି ଘର କୋରଖ କରିବାକୁ ଆସି ହାଜର । ସମ୍ପତ୍ତି ବଣ୍ଟା ନୋହିଥିଲେ ସୁଦ୍ଧା, ନୀଳକଣ୍ଠ ଓ ରାମଚନ୍ଦ୍ର ମହାଜନ ଟଙ୍କାରେ ପୃଥକ୍ ଅନ୍ନର ବ୍ୟବସ୍ଥା କରିଥିଲେ; ସେହି ଘର ଭିତରେ ଅଲଗା ଅଲଗା ଦୁଆର ଫିଟାଇ, ଭିନ୍ନ ଭିନ୍ନ ସ୍ଥାନରେ ରୋଷେଇ ଘରର ଚୁଲି ପକାଇଥିଲେ । ନରହରି ସାନ ପୁଅ ରାମଚନ୍ଦ୍ରଙ୍କ ରୋଷେଇରେ ଓ ତାଙ୍କ ଭାର୍ଯ୍ୟା ବଡ଼ ପୁଅ ନୀଳକଣ୍ଠଙ୍କ ପାଗରେ ଖାଉଥିଲେ । ଅଦାଲତ ଚପରାସି ଅସ୍ଥାବର ସମ୍ପତ୍ତି ବାହାର କରିବା ନିମନ୍ତେ ଘରେ ପଶିବାକୁ ଯିବାରୁ ନୀଳକଣ୍ଠ ରାମଚନ୍ଦ୍ରର ଦୁଆର ଓ ରାମଚନ୍ଦ୍ର ନୀଳକଣ୍ଠର ଦୁଆର ଦେଖାଇବାରେ ଲାଗିଲେ । ଜଣେ କହିଲା, ‘‘ଚପରାସି ବାବୁ, ଏ ଘର ନୁହେଁ, ସେ ଘର ।’’ ଆର ଜଣକ କହିଲା, ‘‘ହଜୁର, ସେ ସଇତାନ କଥା ଶୁଣନ୍ତୁ ନାହିଁ, ସେହି ଘର ।’’ ମାତ୍ର ଚପରାସି ଘର ବାଛିବାରେ ଅସୁବିଧା ହେଲାନାହିଁ । ନୀଳକଣ୍ଠ ଓ ରାମଚନ୍ଦ୍ର ଉଭୟଙ୍କର ଦୁଇ ମହାଜନ ତା’ ସମ୍ପତ୍ତି ଚିହ୍ନଟ ଦେବାକୁ ଆସିଥିଲେ ।

 

ଚପରାସି ଉଭୟ ଦ୍ୱାରବାଟେ ଘରେ ପଶି ସମୁଦାୟ ଅସ୍ଥାବର ସମ୍ପତ୍ତି ଗୋଟି ଗୋଟି କରି ବାହାର କରାଇ ନେଲା । ଏପରିକି ଲିପିଲା ମାଟି ଗୋବର ଲୁଣ୍ଡା ସୁଦ୍ଧା ରହିଲା ନାହିଁ । ମହାଜନମାନେ ମକଦ୍ଦମା ଖର୍ଚ୍ଚ ଲାଗି ଯେତେ ଟଙ୍କା କରଜ ଖାତାରେ ଲେଖି ଦେଇଥିଲେ, ସେ ସବୁ ଅଦାଲତରେ ଏକତରଫା ଡିଗ୍ରୀ ହୋଇଥିଲା । ନୀଳକଣ୍ଠ ଓ ରାମଚନ୍ଦ୍ର ଚପରାସିକି ବାଧା ଦେବାକୁ ଗଲେ; ମାତ୍ର ଚପରାସି ସରକାରୀ ତକମା ପିନ୍ଧିଛି, ଅଦାଲତର ହୁକୁମ ଆଣିଛି; ସେ ବଳରେ ସେ ପର୍ବତ ଟାଳିପାରେ, ଚନ୍ଦ୍ର ସୂର୍ଯ୍ୟଙ୍କୁ ଆଗୁଳି ପାରେ । ସେ ରାଗିଲା, ଗାଳିଦେଲା ଏବଂ ମନ ଓ ମୁହଁର ବ୍ୟବହାର ଛଡ଼ା ହାତର ବାଡ଼ିଖଣ୍ଡ ମଧ୍ୟ କାର୍ଯ୍ୟରେ ଲଗାଇଲା । ଏଥିପୂର୍ବେ ନୀଳକଣ୍ଠର ବାଡ଼ି ରାମଚନ୍ଦ୍ର ମୁଣ୍ଡରେ ଏବଂ ରାମଚନ୍ଦ୍ରର ଠେଙ୍ଗା ନୀଳକଣ୍ଠ ପିଠିରେ କେତେଥର ପଡ଼ିଛି; କେତେଥର ଦାରୋଗାଙ୍କ ବେତ ଉଭୟଙ୍କ ପିନ୍ଧା ଲୁଗା ତଳେ ଦେହର ଚମ ଉପରେ ଲମ୍ବା ଲମ୍ବା ରକ୍ତବର୍ଣ୍ଣ ଚିହ୍ନମାନ ତିଆରି କରିଛି । ସେତେବେଳେ ନୀଳକଣ୍ଠ ଗାଳି ମାଡ଼ ଅପମାନ ଖାଇଲେ, ରାମଚନ୍ଦ୍ର ଖୁସି ହେଉଥିଲା, ରାମଚନ୍ଦ୍ର ଉପରେ ପ୍ରହାର ବସିଲେ, ନୀଳକଣ୍ଠର ହୃଦୟ ଆନନ୍ଦରେ ନାଚୁଥିଲା । ଆଜି କିନ୍ତୁ ହଠାତ୍ କି ପରିବର୍ତ୍ତନ ହେଲା ! ଅଦାଲତ ଚପରାସିର ବ୍ୟବହାରରେ ପ୍ରତିବାଦ କରିବା ପାଇଁ ନୀଳକଣ୍ଠ ଓ ରାମଚନ୍ଦ୍ର ଏକତ୍ର ବାହାରିଲେ । କହିଲେ, ‘‘ଚପରାସି ତୁମେ ଜିନିଷ ନେବ ତ, ମାରିବ କିଆଁ ? ସେ ହେଉ, ମୁଁ ହୁଏ–କାହାରି ଦେହରେ ହାତ ଲଗାଇଲେ ତୁମେ ଦେଖିବ, ଆମେ ଦେଖିବୁ ।’’

 

ଅସ୍ଥାବର କ୍ରୋଖ ସମ୍ପତ୍ତି ଯଥାସମୟରେ ନିଲାମ ହେଲା । ମାତ୍ର ସେଥିରୁ ମହାଜନଙ୍କ ପାଉଣାର ଚଉଠେ ସୁଦ୍ଧା ଉଠିଲା ନାହିଁ; ସୁତରାଂ, ସେମାନେ ଜମିବାଡ଼ି ଆଦି ସ୍ଥାବର ସମ୍ପତ୍ତି ନିଲାମ କରାଇ ବାକି ଟଙ୍କା ଆଦାୟ କରିନେଲେ । ନରହରି ଦୁଇ ପୁଅଙ୍କ ବିବାହ ସକାଶେ ବିଧିମତେ କରଜ ତମସୁକ ଲେଖିଦେଇ ଯେଉଁ ମହାଜନଠାରୁ ଭିନ୍ନ ଭିନ୍ନ ସମୟରେ ଦୁଇଶ ଟଙ୍କା ୠଣ ଆଣିଥିଲେ, ସେ ଜାତିରେ ପଣ୍ଡା ବ୍ରାହ୍ମଣ । ବୈଦିକମାନଙ୍କ ସହିତ ବିବାହ ସମ୍ପର୍କ ତାଙ୍କର ଚଳେ ନାହିଁ । ତଥାପି ସେ ନରହରିଙ୍କ ଏକମାତ୍ର କନ୍ୟାକୁ ବିବାହ କରିବାକୁ ଜିଦ୍ ଧରିଥିଲେ । ନିଜ ବଂଶମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ନରହରି ସେ ପ୍ରସ୍ତାବରେ ନାରାଜ ହୋଇ, କନ୍ୟାକୁ ଅନ୍ୟତ୍ର ସତ୍‌କୁଳରେ ଦେଇଥିଲେ । ବିବାହ ପରେ ଚଉଠି ଦିନ କନ୍ୟା ଅବଶ୍ୟ ମରିଗଲା; କିନ୍ତୁ ତା’ର ଚିତାଗ୍ନିରୁ ସମଗ୍ର ଉତ୍ତାପ ମଧୁ ପଣ୍ଡାଙ୍କ ମୁଣ୍ଡରେ ଯାଇ ଜମା ହୋଇ ରହିଲା । ମଧୁ ପଣ୍ଡା ଜଣେ ବେଶ୍ ବୁଡ଼ାମାରି ରହିବା ଲୋକ । ସୁଧ ମୂଳ ହିସାବ କରି ନରହରିଙ୍କଠାରୁ ତମସୁକ ବାବଦ ସମୁଦାୟ ସାତଶ ତେଷଠି ଟଙ୍କା ପାଞ୍ଚଅଣା ଆଠପାହୁଲା ଅଧେ ବୁଝି ନେଇଥିଲେ ସୁଦ୍ଧା ଦଲିଲ୍‍ଟି ତାଙ୍କୁ ଉଆପସ ଦେଇ ନଥିଲେ । ନରହରି ଦଲିଲ୍‍ ମାଗିଲାବେଳେ କହିଥିଲେ, ‘‘ଦଲିଲ୍‍ ନେଇ ଆଉ କ’ଣ ଚାଟିବ, ମହାପାତ୍ରେ ? ଟଙ୍କା ତ ଦେଲ, ଗଲା । ଆଉ ଦଲିଲ୍‍ ରେ କ’ଣ ଥାଏ ?’’ ନରହରି ସେଦିନ ଦଲିଲ୍‍ ନ ନେଇ ଅବଶ୍ୟ ଫେରି ଆସିଲେ; ମାତ୍ର ତା’ପରେ କେତେଥର ଯାଇ ମାଗିଛନ୍ତି । କେତେବେଳେ ମଧୁ ପଣ୍ଡା କହନ୍ତି, ‘‘ସିନ୍ଦୁକର କୁଞ୍ଚିକାଠି ହଜିଯାଇଛି, ଯାଅ, ମୁଁ ପରେ ପଠାଇଦେବି ।’’ ମାତ୍ର ନରହରି ଚାଲିଗଲେ, ନିଜ ନିଜକୁ କହନ୍ତି, ‘‘ଏ ଜିନିଷ ହାତରୁ ଛାଡ଼ିବାର ନୁହେଁ । ଏ ଯେତେଦିନ ମୋ ପାଖରେ ଅଛି, ସେ ବ୍ରାହ୍ମୁଣ ଟୋକାର ଚୁଟି ମୋ ହାତରେ ରହିଛି । ସଜ ଉଣ୍ଡି ଦିନେ ଦେଖିବି, କିମିତି ଭଟ୍ଟ ମିଶ୍ର ସାଆନ୍ତ ସେ, ଆଉ ମୁଁ ହାଡ଼ି ପାଣରୁ ହୀନ ।’’

 

ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ମହାଜନମାନେ ନରହରିଙ୍କ ସମଗ୍ର ସ୍ଥାବର ଅସ୍ଥାବର ସମ୍ପତ୍ତି ନିଲାମ କରାଇ ନିଜ ନିଜ ପାଉଣା ଅସୁଲ କରାଇ ନେଲାପରେ, ମଧୁ ପଣ୍ଡା ସେ ପୁରୁଣା ଦଲିଲ୍‍ ବାବଦ ତିନିଶ ଅଶୀ ଟଙ୍କାର ଡିଗ୍ରୀ ଆଣି ପହଞ୍ଚିଲେ । ତାହା ଦେଖି ନରହରି ତଟସ୍ଥ । ସବୁ ସମ୍ପତ୍ତି ଯାଇ କେବଳ ଘରର ଛପରଟି ବାକି ଥିଲା । ଡିହଖଣ୍ଡି ମିହ୍ନା ହୋଇଥିବାରୁ ତାହା ନିଲାମରେ ଯାଇ ନଥିଲା । ମହାଜନମାନେ ନରହରିଙ୍କର କାକୁତି ମିନତି ଶୁଣି ଘରର ଭୁଆସୁଣୀ ବୋହୂମାନଙ୍କୁ ପଦାରେ ନ ପକାଇବା ପାଇଁ ଛପରଟି ଛାଡ଼ି ଯାଇଥିଲେ । ମଧୁ ପଣ୍ଡା ଛପରଟି ଭାଙ୍ଗି ନିଲାମ କରାଇଲେ, ସେଥିରୁ ତାଙ୍କର ସମୁଦାୟ ପ୍ରାପ୍ୟ ଟଙ୍କା ଉଠିବା ତ ଅସମ୍ଭବ । ସୁତରାଂ, ତାଙ୍କର କ୍ରୋଧାନଳ ଉପରେ ପାଣି ସିଞ୍ଚି ତାକୁ ଶାନ୍ତ କରିବା ନିମନ୍ତେ ନରହରି ନିଜର ଦୁଇ ନେତ୍ରରୁ ଅଶ୍ରୁଧାରା ଢାଳିବାକୁ ନିଜ ଘର ଛପର ନିଲାମଲବ୍‌ଧ ଧନ ଖାଇ ଦେବାନି ଫାଟକରେ ରହିଲେ । ତାଙ୍କୁ ରହିବାର ବାସ ଓ ଖାଇବାର ଭାତ ଲାଗି ଚିନ୍ତା କରିବାକୁ ପଡ଼ିଲା ନାହିଁ ।

 

ଏଣେ ନୀଳକଣ୍ଠ ଓ ରାମଚନ୍ଦ୍ର ମା’ ଏବଂ ଭାର୍ଯ୍ୟାମାନଙ୍କୁ ଧରି ଘର ଭିତର ପଦାକୁ ବାହାରି ଦେଖିଲେ ଯେ ତାଙ୍କୁ ଆଶ୍ରୟ ଦେବାକୁ ଜଗତରେ ସ୍ଥାନ ନାହିଁ । ବାଘ ବାଘୁଣୀଦଳ ବନରେ ମରାମରି, ଲଢ଼ାଲଢ଼ି ହେଉଥାନ୍ତି, ଶିକାରୀ ଆସିବାର ଦେଖିଲେ ହଠାତ୍‌ ଯେପରି ଯାଇ ଏକା କୋଟରରେ ସମସ୍ତେ ପଶନ୍ତି, ବର ଭାର୍ଯ୍ୟା ଚାରିଜଣ ସେହିପରି ବିରହ କାତର ବୁଢ଼ୀଟି ସହିତ ଯାଇ ଗ୍ରାମ ବାହାରେ ବରଗଛ ଛାଇରେ ବସି କାନ୍ଦିଲେ, ଭାଗ୍ୟକୁ ନିନ୍ଦିଲେ, ମହାଜନମାନଙ୍କୁ ଗାଳିଦେଲେ, ସୋମନାଥଙ୍କର ସାତପୁରୁଷର ଶ୍ରାଦ୍ଧ କଲେ; ମଧୁ ପଣ୍ଡାଙ୍କ ଉପରେ ଅଭିଶାପ ବର୍ଷିଲେ-। ଜୀବନର ଅନେକ ଦିନ ଏକା ଘର ମଧ୍ୟରେ ରହି ସୁଦ୍ଧା, ସେମାନେ ଏ ପ୍ରକାର ଏକତ୍ୱ କେବେହେଲେ ଅନୁଭବ କରି ନଥିଲେ । ଆଜି ସମସ୍ତଙ୍କର ଏକ ଉଦ୍ଦେଶ୍ୟ, ଏକ କର୍ତ୍ତବ୍ୟ, ଏକ ଲକ୍ଷ୍ୟ । ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ଭ୍ରାତୃଭାବର ଉଦୟ ହେଲା । ଚମ୍ପା ଓ ଲକ୍ଷ୍ମୀ ଯାଆ ହୋଇ ପରସ୍ପର ପ୍ରତି ସ୍ନେହ ମମତା ଦେଖାଇ ଚଳିଲେ । ବୁଢ଼ୀ କ୍ରମେ ପତିଙ୍କ ବିଚ୍ଛେଦ ଯାତନା ଅଳ୍ପ ଅଳ୍ପ ଭୁଲି, ପୁଅବୋହୂମାନଙ୍କ ସହିତ ରହିବାରେ ଅଭ୍ୟସ୍ତ ହୋଇ ଆସିଲେ ।

 

ଯେଉଁଦିନ ଦେବାନି ଫାଟକରେ ନରହରିଙ୍କ କାଳ ହେଲା, ତାଙ୍କର ଶବ ଆଣି, ଦାହ କରି, କ୍ରିୟା ଧରିବାକୁ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ହାତରେ ପାହୁଲାଟାଏ ସୁଦ୍ଧା ନାହିଁ । ତେବେ ଚମ୍ପା ଓ ଲକ୍ଷ୍ମୀ ଦୁହିଁଙ୍କ ହାତେ ପଟେ ପଟେ ବଳା ଥିଲା, ପୁଷ୍ପିତ ଲତାର କୁଡ଼ମା ଶେଷ ଫୁଲ ଗଣ୍ଡାକ ପରି-। ଶ୍ମଶାନରେ ନରହରିଙ୍କ ଚିତା ଜଳିବା ନିମନ୍ତେ ତାହା ମଧ୍ୟ ପରିଶେଷରେ ଝଡ଼ି ପଡ଼ିବାକୁ ରହିଥିଲା-

Image

 

ବଡ଼ପୁଅ

 

ଶୀର୍ଣ୍ଣ ବିଷଣ୍ଣ ଅବସନ୍ନ ନଟବର କେତେବେଳେ ବାଟରେ, କେତେବେଳେ ବା ଅଣବାଟରେ, ଅତ୍ୟନ୍ତ ଭାବିତ, ଆନ୍ଦୋଳିତ ଏବଂ ବ୍ୟତିବ୍ୟସ୍ତ ହୋଇ ଯାଉଥିବାର ଦେଖି, କୃଷ୍ଣ ସେ ଦିନ କୌତୂହଳରେ ଅନେକ ଦୂର ପଛେ ପଛେ ଯାଇ, ଶେଷରେ ପଚାରିଲା, ‘‘ଆପଣ ଯାଉଛନ୍ତି କେଉଁଆଡ଼େ ?’’ ‘‘ସେପରି କେଉଁଆଡ଼େ ନୁହେଁ, ବାପା’’ କହି ନଟବର ସେ ପ୍ରଶ୍ନର ଉତ୍ତର ଏବଂ ସେହିପରି ଚାଲିବାରେ ଲାଗିଲେ । କୃଷ୍ଣ ପଛେ ପଛେ ଅନୁସରଣ କରି ଗଲା ।

 

‘‘ଏଣିକି ଯେ ବାଟ ଖରାପ ପଡ଼ିବ, ବେଳ ମଧ୍ୟ ବେଶି ହେଲାଣି, ଏଠାରୁ ଫେରିବା ଦରକାର ।’’

 

‘‘ମୁଁ ତ ଫେରିଛି । ତୁ ଏଠାରେ ରହ, ବାପା । ମୁଁ ଯାଏଁ । ତୁ ଗାଁ ପାଖ ଛାଡ଼ି ମୋ ସାଙ୍ଗେ କାହିଁକି ଆସୁଛୁ ?’’

 

‘‘ଆପଣ ଯିବେ କେଉଁଠାକୁ ?’’

 

‘‘ଘରକୁ ଯିବି, ବାପା ।’’

 

‘‘ଏ ତ ଘରଠାରୁ ବିପରୀତ ଦିଗରେ, କ୍ରମେ ଦୂରକୁ ଯାଉଛନ୍ତି ।’’

 

‘‘ହଁ, ଶେଷରେ ଯାଇ ତ ଘରେ ପହଞ୍ଚିବ ପୁଣି ।’’

 

ନଟବରଙ୍କର କୋଷ୍ଠି ନଥିବାରୁ ତାଙ୍କର ବୟସ ଠିକ୍‌ ଜାଣିହୁଏ ନାହିଁ । ତେବେ ପାଖ ଜିନିଷ ଆଖିକି ଭଲ ଦିଶେ ନାହିଁ, ବିନା ପ୍ରଚକ୍ଷୁରେ ପୋଥି କିତାପ ପଢ଼ିହୁଏ ନାହିଁ । ସେଥିରୁ ଚାଳିଶା ହୋଇଥିବାର ଅନୁମାନ ହୁଏ; ମୁଣ୍ଡର ପାଚିଲା ବାଳର ପରିମାଣ ଦ୍ୱାରା ଏ ଅନୁମାନ ସିଦ୍ଧାନ୍ତର ଦୃଢ଼ତା ଲାଭ କରେ । ସେ ବିବାହ କରିବାର ପ୍ରାୟ କୋଡ଼ିଏ ବର୍ଷ ହେଲାଣି । ବଳ ବୟସ ଖସିଲେ, କିଏ ତାଙ୍କର ଓ ତାଙ୍କ ଭାର୍ଯ୍ୟା ବିମଳାଙ୍କର ହାଲ୍‍ଚାଲ୍ ବୁଝିବ, ଖୁଆଇ ପିଆଇ ହେପାଜତରେ ରଖିବ, ତାହାହିଁ ଯେ ତାଙ୍କର ଚିନ୍ତାର ବିଷୟ, ସେ କଥା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ । ବିମଳା ବନ୍ଧ୍ୟା; ସେଥିପାଇଁ ସେ ବର ଭାର୍ଯ୍ୟା ଦୁହିଁଙ୍କ ମଧ୍ୟରୁ କିଏ ଦାୟୀ ତାହା ଠିକ୍‌ ନ ବୁଝି ମଧ୍ୟ ବିମଳା ନିଜ ମୁଖର ପ୍ରଚଣ୍ଡ ପ୍ରଗଳ୍‌ଭତା ନିରୀହ ପ୍ରତିବାଦଶୂନ୍ୟ ନଟବରଙ୍କ ଉପରେ ସର୍ବଦା ଢାଳିବାରେ ଲାଗିଥାନ୍ତି । ବିମଳା ପାଠ ପଢ଼ି ନଥିଲେ । କିଛି ଶିକ୍ଷା ପାଇଥିଲେ, ଉପନ୍ୟାସର ଅଭାବରେ ଅଳ୍ପାଧିକ ଅନୁପ୍ରାଣିତ ହୋଇ ଉନ୍ନତ ଭାଷାର ଅଳଙ୍କାର ଆଦିରେ ନିଜର ଜିହ୍ୱାକୁ କେତେକ ପରିମାଣରେ ମଣ୍ଡିତ କରିବାର ସୁବିଧା ପାଇଥିଲେ, ସେ ସ୍ୱାମୀଙ୍କ ପ୍ରତି ତାଙ୍କର ଦୈନନ୍ଦିନ ବକ୍ତବ୍ୟର ଧ୍ରୁବ ଅଂଶଟି ନିତାନ୍ତ ଗାଉଁଲି କଥାରେ ରୁକ୍ଷ ଭାବରେ ପ୍ରକାଶ ନ କରି, ଶୁଦ୍ଧ ସରସ ଭାଷାରେ କହୁଥାନ୍ତେ–‘‘ଏ ଦଗ୍‍ଧ-ମୁଖର ପାଣିଗ୍ରହଣ କରି ମୁଁ ବନ୍ଧ୍ୟା ହୋଇ ରହିଲି, ବିଧବା ହୋଇ ଉପବେଶନ କରିଥିଲେ କ’ଣ ଭାସମାନ ହୋଇ ଯାଇଥିଲା ?’’

 

ଏକେ ବିମଳାଙ୍କ ଅପ୍ରକାଶିତ ଅସନ୍ତୋଷ ଏବଂ ପ୍ରକାଶିତ ଭର୍ତ୍ସନା, ତହିଁରେ ପୁଣି କେତେକ ପରିମାଣରେ ଭବିଷ୍ୟତ ଚିନ୍ତା, ଏଥିରେ ଘାରି ହୋଇ ନଟବର ସର୍ବଦା ବଡ଼ ଦୁଃଖ ଭାବନାରେ ଥା’ନ୍ତି । ପୁଅଟିଏ ପାଇଁ ଝୁରି ଝୁରି, ପୁଅ ହେଲା ନାହିଁ । ଏପରି କିଛି ବିଷୟ ସମ୍ପତ୍ତି ନାହିଁ ଯେ ଲୋକେ ପୋଷ୍ୟପୁତ୍ର ଦେବେ । ଘର ଭିତରେ ପ୍ରାୟ ପନ୍ଦର ବର୍ଷ ଭାବି ଭାବି ନଟବର ଗତ କେତେଦିନ ହେଲା ବିମଳାଙ୍କ ବାକ୍ୟ ଲହରୀର ସ୍ରୋତରେ ଭାସି ଘର ଭିତରୁ ନିତି ସକାଳେ ପଦାକୁ ବାହାରି ଆସନ୍ତି । ରୋଜ୍‌ କୃଷ୍ଣ ସଙ୍ଗେ ତାଙ୍କର ଦେଖାହୁଏ, କଥାବାର୍ତ୍ତା ମଧ୍ୟ ନାନା ବିଷୟରେ ପଡ଼େ; ମାତ୍ର ନଟବର ଭିତରର କଥା କେବେ କିଛି କହି ନାହାନ୍ତି । ନିତି ନିତି ଦୁଃଖ କଷ୍ଟବେଳେ କୃଷ୍ଣକୁ ଦେଖି, ତା’ ସଙ୍ଗେ କଥାବାର୍ତ୍ତା ହେବାରେ, ସେ ଦୁଃଖ କଷ୍ଟ କେତେକ ଭୁଲି, ତାହା ପ୍ରତି ତାଙ୍କ ମନରେ ଏକ ଅଦୃଶ୍ୟ; ଅକଥନୀୟ ଆକର୍ଷଣ ଜନ୍ମିଛି । ଅନେକ ପରିମାଣରେ ସେ ତାକୁ ବାଟରେ ଦେଖିବେ ବୋଲି ଘରୁ ଆସନ୍ତି । ନୋହିଲେ ବିମଳାଙ୍କ ବାକ୍ୟ-ତରଙ୍ଗ ତଳେ ସେ ନୀରବରେ ମୁଣ୍ଡ ପୋତି, ବାହାରର କୌଣସି ଆନ୍ଦୋଳନ ଅନୁଭବ ନ କରି ଘର ଭିତରେ ରହିପାରନ୍ତେ । ବିଳମ୍ୱ ହେଲେ କାଳେ ବାଟରେ କୃଷ୍ଣ ସଙ୍ଗେ ଦେଖା ନ ହେବ, ସେଥିପାଇଁ ବିମଳାଙ୍କ ବାକ୍ୟସ୍ରୋତ ବହିବା ପୂର୍ବରୁ ମଧ୍ୟ ଅନେକ ସମୟରେ ଘରୁ ବାହାରି ପଡ଼ନ୍ତି । ସୁତରାଂ, ନଟବରଙ୍କୁ ଦେଖିବା ନିମନ୍ତେ କୃଷ୍ଣଙ୍କୁ ଅପେକ୍ଷା କରିବାକୁ ପଡ଼େ ନାହିଁ । ପଡ଼ୁଥିଲେ, ସେ କରୁ ମଧ୍ୟ ଥାନ୍ତା । ତା’ ସଙ୍ଗେ କଥାବାର୍ତ୍ତା ହେବାଦ୍ୱାରା ନଟବରଙ୍କ ଦୁଃଖ ଯେ କେତେକ ପରିମାଣରେ ଊଣା ହୁଏ, ତାହା ସେ ବୁଝିପାରିଛି । ସୁତରାଂ, ସେ ମଧ୍ୟ ଘରୁ ତରତର ହୋଇ ବାହାରି ଆସେ, ନଟବର ପହଞ୍ଚିବା ପୂର୍ବରୁ ତାଙ୍କ ଯିବା ବାଟରେ ଠିଆ ହୋଇଥିବ ବୋଲି ।

 

କେତେଦିନର କଥାବାର୍ତ୍ତା ଓ ସମ୍ପର୍କରେ କୃଷ୍ଣ ବୁଝିପାରିଛି ଯେ ତାହା ଛଡ଼ା ନଟବରଙ୍କ ସାନ୍ତ୍ୱନାର ବସ୍ତୁ ପୃଥିବୀରେ ଆଉ କିଛି ନାହିଁ । ନଟବର ମଧ୍ୟ ସେ କଥା ବୁଝିଥିବାରୁ ନିଜ ହୃଦୟ ମଧ୍ୟରେ ସର୍ବଦା ଏକ ଭୀଷଣ ଯୁଦ୍ଧର ଅଭିନୟ ଅନୁଭବ କରୁଛନ୍ତି । ତାଙ୍କର ବିବେକ ବାରମ୍ୱାର କହିଛି, ‘‘ନା, ସେ ଯେ ପରର ପିଲା ।’’ ତଥାପି ସେ ତାକୁ ଏକାବେଳକେ ଛାଡ଼ିପାରୁ ନାହାନ୍ତି । ତାଙ୍କୁ ଦେଖିବା ନିମନ୍ତେ ଶୀର୍ଣ୍ଣ ଦୁର୍ବଳ ଦେହରେ ରୋଜ୍ ସକାଳୁ ଶ୍ରମ ସ୍ୱୀକାର କରି ଘରୁ ପ୍ରାୟ ଦେଢ଼ କୋଶ ବାଟ ଚାଲି ଆସନ୍ତି । ସକାଳ ହେଲେ କିପରି ଚନ୍ଦ୍ରପୁର ବାଟେ ବୁଲି ଯିବେ, ସେହି ଭାବନାରେ ପ୍ରାୟ ପ୍ରତ୍ୟହ ଶେଷ ରାତ୍ରିରେ ତାଙ୍କର ଭଲ ନିଦ ହୁଏ ନାହିଁ । କୃଷ୍ଣଙ୍କୁ ଦେଖିଲେ ସେ ବେଳେବେଳେ ଅନେକ ପରିମାଣରେ ପାଗଳ ପରି ହୋଇଯାନ୍ତି, କ’ଣ କର୍ତ୍ତବ୍ୟ ଠିକ୍‌ ବୁଝିପାରନ୍ତି ନାହିଁ ।

 

ଆଜି ସେ ଘରୁ ଅନେକ ସମୟ ହେଲା ଆସିଲେଣି । ଅବଶ୍ୟ ସେ ଅନୁତାପରେ ଚାଲିଅଛନ୍ତି ଅତି ଅଳ୍ପ ବାଟ । ବାଟ ଚାଲିବା ତ ତାଙ୍କର ଉଦ୍ଦେଶ୍ୟ ନୁହେଁ ଯେ, ହିସାବ କରି ଘଡ଼ିକେ କୋଶେ ଚାଲିବେ । କାଳୀଅନ୍ଧାରରୁ ବିମଳା ଶେଯରୁ ଉଠିବା ପୂର୍ବରୁ ଘରୁ ବାହାରି ଆସିଛନ୍ତି । ଚନ୍ଦ୍ରପୁର ଗ୍ରାମ ନିକଟରେ ପହଞ୍ଚି କୃଷ୍ଣ ସହିତ ଦେଖା ହୋଇଛି । ଏକେ କୃଷ୍ଣଙ୍କୁ ଦେଖି ତାଙ୍କ ମନରେ ତୁଳାଦଣ୍ଡ ଦୋହଲି ଯାଇଛି, ତହିଁରେ ପୁଣି ସେ ଭାବୁଛନ୍ତି ଯେ ସବୁଦିନ ପରି ଘରକୁ ଫେରିବେ ଏବଂ ଫେରିଲେ, ନଦୀମୁହାଣରେ ଜୁଆର ସମୟରେ ଭାସି ଆସିଲା କାଠଖଣ୍ଡ ପରି ବିମଳାଙ୍କ ଗାଳି ଭର୍ତ୍ସନା-ସ୍ରୋତରେ ପୁଣି ହୁଏତ ପଦାକୁ ବାହୁଡ଼ି ଆସିବାକୁ ହେବ, ଏହି ଚିନ୍ତାରେ ସେ ଭାଜି ପଡ଼ୁଛନ୍ତି । ସୁତରାଂ, ସେ କେଉଁଆଡ଼େ ଯାଉଛନ୍ତି ଏବଂ କେଉଁଆଡ଼େ ଯିବା ତାଙ୍କ ଆବଶ୍ୟକ–ଏ ସବୁ ସେ କିଛି ବୁଝି ପାରୁ ନଥିଲେ । କୃଷ୍ଣର ମନର ଭାବ ଗଳା ପର୍ଯ୍ୟନ୍ତ ଉଠି ଆସିଥିଲା । ଗତ କେତେ ଦିନ ସେ ତାହାକୁ ଅତ୍ୟନ୍ତ କଷ୍ଟରେ ମାଡ଼ି ରଖିଥିଲା; ମାତ୍ର ଆଜି ସେ ଭାବ ଅଧିକ ହୋଇ ଫୁଲିଉଠିବାରୁ, ସେ ସଙ୍କୋଚ ଓ ସୌଜନ୍ୟର ସ୍ୱାଭାବିକ ଅବରୋଧ ଅତିକ୍ରମ କରି, କହି ପକାଇଲା, ‘‘ଆପଣ ମନରୁ ଦୁଃଖ ଛାଡ଼ନ୍ତୁ, ମୁଁ ଆପଣଙ୍କର; ମୋତେ କହନ୍ତୁ ମୁଁ କ’ଣ କରିପାରେ ?’’ ସେ ଯେ କ’ଣ କରିପାରେ ସେ ତାହା ଜାଣିଥିଲା । ନଟବର ଠିକ୍‌ରୂପେ ଜାଣି ନଥିଲେ ସୁଦ୍ଧା, ଅନୁମାନ କରିଥିଲେ; ମାତ୍ର କୃଷ୍ଣର କଥା ଶୁଣି ନଟବର ତୁଣ୍ଡ ଫିଟାଇ ଉତ୍ତରରେ କିଛି କହିଲେ ନାହିଁ, କି କୃଷ୍ଣ କାନରେ କିଛି ଶୁଣିଲା ନାହିଁ ।

 

ଅନେକ ସମୟ ଚାଲିଗଲା ପରେ ନଟବର ପୁନରାୟ କୃଷ୍ଣଙ୍କୁ କହିଲେ, ‘‘ବାପା, ଖରା ହୋଇଗଲାଣି, ଘରକୁ ଯା । ବାପା ମା’ ଚାହିଁଥିବେ’’–କହି ନଟବର ହାତରେ ନିଜର ଆଖି ପୋଛିଲେ । ଉଭୟଙ୍କ ଆଖି ଲୁହରେ ଛଳ ଛଳ ହେଉଥିଲା । କୃଷ୍ଣ କିଛି କହିପାରିଲା ନାହିଁ । ନଟବରଙ୍କ ଅନୁରୋଧରେ ଧ୍ୱନି ପ୍ରତିଧ୍ୱନି ତା’ କାନରେ ବାଜୁଥିଲା । ନଟବର ନିଜର ଘର ଆଡ଼କୁ ଫେରୁଛନ୍ତି ଦେଖି, ସେ ନୀରବ ଭାବରେ ବିଦାୟ ନେଇ ଚାଲିଗଲା ।

 

କୃଷ୍ଣ ଜଣେ ଖାନ୍‌ଦାନ୍‌ ଘରର ପିଲା, ବାପ ମା’ଙ୍କର ବଡ଼ ପୁଅ । ବୟସ ଷୋଳବର୍ଷ । ତା’ ତଳେ ଆଉ ଗୋଟିଏ ଭାଇ । ପଢ଼ାଶୁଣା ବେଶ୍ କରିଛି । ତା’ର ଗୋଟିଏ ବିଶେଷତ୍ୱ ଯେ ବିଦ୍ୟାଳୟର ସହପାଠୀମାନେ, ସୂର୍ଯ୍ୟମୁଖୀ ଲତାର ଛୋଟ ଛୋଟ ଡାଳି ଫୁଲଗୁଡ଼ିକ ଅସଲ ଡେମ୍ଫର ଫୁଲ ନିକଟରେ ମୁଣ୍ଡ ନୁଆଁଇ ରହିଲା ପରି, ତାକୁ ସମସ୍ତେ ମାନି ଚଳନ୍ତି; ସକଳ ବିଷୟରେ ତାହା ସହିତ ପରାମର୍ଶ କରି କାର୍ଯ୍ୟ କରନ୍ତି । ତା’ର କଥା କହିବା, ହସିବା, ଚାଲିବା ରୀତି, ଲୁଗା ପିନ୍ଧିବା ଢଙ୍ଗ, ଅନ୍ୟାନ୍ୟ ପିଲାମାନଙ୍କର ଅନୁକରଣର ବିଷୟ । ତା’ର ରୂପ, ଗୁଣ ଓ ବିଭବ ଦେଖି, ଏତେ ଅଳ୍ପ ବୟସରେ ମଧ୍ୟ କେତେ ଲୋକ ବିବାହ ପ୍ରସଙ୍ଗ ନେଇ ଆସିଲେଣି । ବାପା ଟାଳଟୁଳ ନ କରି ମା’ଙ୍କ କଥାରେ ଚଳିଥିଲେ, କୃଷ୍ଣ ବର୍ଷେ ହେଲା କୁରଞ୍ଜପୁର ଜମିଦାରଙ୍କ ଘରେ ବିଭା ହୋଇସାରନ୍ତାଣି ।

 

ନଟବରଙ୍କ ସଙ୍ଗେ କୃଷ୍ଣର ଦେଖା ସାକ୍ଷାତ୍, କଥାବାର୍ତ୍ତା ସବୁ ଚନ୍ଦ୍ରପୁର ଗ୍ରାମର ତୋଟାରେ ନଟବରଙ୍କ ବୁଲିଯିବା ବାଟରେ । ନଟବର ନିଜ ଘରୁ ଆସି ଚନ୍ଦ୍ରପୁର ନିକଟରେ ପହଞ୍ଚିଲେ, କୃଷ୍ଣ ତାଙ୍କ ସହିତ ଯୋଗ ଦିଏ । ଉଭୟେ ବାଟ ଚାଲୁ ଚାଲୁ କଥାବାର୍ତ୍ତା ହୁଅନ୍ତି, ଆମ୍ବଗଛ ମୂଳେ ଛାଇରେ ବସି ଗଳ୍ପ କରନ୍ତି । ନଟବର ଜଣେ ବେଶ୍‌ ଜ୍ଞାନୀ ବ୍ୟକ୍ତି; କିନ୍ତୁ କୃଷ୍ଣ ତାଙ୍କର ଜ୍ଞାନରେ ମୁଗ୍‍ଧ ନୁହେଁ । ନଟବରଙ୍କର ଗୋଟାଏ ଗୁଣ କୃଷ୍ଣର ହୃଦୟରେ ଛାପ ମାଇଲା ପରି ଲାଗି ରହିଛି । ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଦିନେ ଶୀତକାଳରେ ଜଣେ ଦରିଦ୍ର ଲୋକ ଫୁଙ୍ଗା ହୋଇ ଶୀତରେ ଥୁରୁ ଥୁରୁ ହୋଇ ଯାଉଥିବାର ଦେଖି, ସେ ନିଜର ଘୋଡ଼େଇହେଲାଟି ତାକୁ ଦେଇଦେଲେ । କୃଷ୍ଣ ତାହା ଦେଖିଲା । ଆଉଦିନେ ଦୁଇଟି ବାଳିକା ପଡ଼ିଆର ଘାସପତ୍ର ଖାଇବା ନିମନ୍ତେ ତୋଳୁଥିଲେ । କୃଷ୍ଣ ସେମାନଙ୍କୁ ପଚାରିଲା, ‘‘ଏ ପତ୍ର କ’ଣ କରିବ ପିଲାଏ ?’’ ସେମାନେ ଉତ୍ତର ଦେବା ପୂର୍ବରୁ ନଟବର କହିଲେ, ‘‘ଖାଇବେ ବୋଲି ନେଉଛନ୍ତି । ଭଗବାନ ଏ ଲୋକଙ୍କୁ କି ଦୁଃଖରେ ରଖିଛନ୍ତି । ଏମାନଙ୍କ ତୁଳନାରେ ମୁଁ କେଡ଼େ ସୁଖରେ ଅଛି !’’ –ଏହା କହି ନଟବର ଦୀର୍ଘନିଃଶ୍ୱାସ ପକାଇଲେ; ସଙ୍ଗେ ସଙ୍ଗେ ଆଖିରୁ ଲୁହଧାରା ଗଡ଼ି ପଡ଼ିଲା ।

 

ମନୁଷ୍ୟ ମନୁଷ୍ୟର ହୃଦୟରେ ଯେ ଗୁଣ ଖୋଜେ, କୃଷ୍ଣ ନଟବରଙ୍କଠାରେ ତାହା ପାଇଥିଲା । ସୁତରାଂ, ସେ ତାଙ୍କଠାରେ ନିଜର କୋମଳ ଜୀବନ ମନେମନେ ଅର୍ପଣ କରିଥିଲା; କିନ୍ତୁ ସେ ବଡ଼ ଲାଜକୁଳା ପିଲା । ନିଜର ବ୍ୟବହାରରେ କୌଣସି ପ୍ରକାର ପ୍ରଗଳ୍‍ଭତା ଦେଖାଇବା ତା’ର ସ୍ୱଭାବ ବିରୁଦ୍ଧ । ସେଥିପାଇଁ ଏତେଦିନ ନଟବରଙ୍କ ସହିତ ପରିଚୟ ଓ ଘନିଷ୍ଠତା ହୋଇଥିଲେ ସୁଦ୍ଧା, ସମଗୁଣବିଶିଷ୍ଟ ଚୁମ୍ବକ ଦୁଇଟି ପରସ୍ପରଠାରୁ ମୁହଁ ବୁଲାଇ ଦୂରକୁ ଘୁଞ୍ଚିଲା ପରି, ସେ ନଟବରଙ୍କଠାରୁ ଦୂରରେ ରହୁଥିଲା । ଏତେ ଦିନ ମଧ୍ୟରେ ଦିନେ ନଟବରଙ୍କ ଘରେ ସେ ପାଦ ପକାଇ ନାହିଁ । ନଟବର ତାକୁ ସାହସ କରି ଦିନେ ଡାକି ମଧ୍ୟ ନାହାନ୍ତି । ଆଜି ସେ ନଟବରଙ୍କ ଅନୁରୋଧ ଅନୁସାରେ ତାଙ୍କୁ ଛାଡ଼ି ଘରକୁ ଚାଲିଗଲା ଅବଶ୍ୟ; କିନ୍ତୁ ଘରେ ତା’ର ମନ ମାନିଲା ନାହିଁ । କଳର ପିତୁଳାପରି ସେ ଗାଧୋଇବା, ଖାଇବା ଆଦି ଦୈନନ୍ଦିନ କ୍ରିୟାମାନ କରିଗଲା; କିନ୍ତୁ ମନରେ ରହିଲା, ନଟବର ଯେ ଏତେ ଦୁଃଖରେ ଘରକୁ ଫେରିଲେ, ସେ ଘରେ ଯାଇ କ’ଣ କରୁଥିବେ, କିପରି ରହିଥିବେ ?

 

ସେଦିନ ସନ୍ଧ୍ୟାବେଳେ ନଟବର ଘର ମଧ୍ୟରେ ଶେଯରେ ପଡ଼ି ଗଡ଼ପଡ଼ ହେଉଛନ୍ତି, ଏପରି ସମୟରେ ଶୁଣିଲେ, ଦାଣ୍ଡରେ କିଏ ପଚାରିଲା, ‘‘ନଟବରବାବୁଙ୍କ ଘରଟା କେଉଁଠି ?’’ ସେ ସ୍ୱର ଅନେକ ଦିନ ଶୁଣିଛନ୍ତି; ମାତ୍ର ସେହି ସ୍ଥାନ ସହିତ ସେ ସ୍ୱରର ସମ୍ପର୍କ ତାଙ୍କ ମନ ମଧ୍ୟରେ ଘଟି ପାରିଲା ନାହିଁ । ସୁତରାଂ, ଭୟରେ ଭୟରେ ସନ୍ଦେହରେ ସେ ବାହାରକୁ ବାହାରି ଦେଖିଲେ, କୃଷ୍ଣ ଆସି ଦ୍ୱାର ନିକଟରେ ଉପସ୍ଥିତ । ସେଦିନ ପରେ ନଟବର ଆଉ ବୁଲି ଗଲେ ନାହିଁ, କୃଷ୍ଣ ଗୋବିନ୍ଦପୁର ଆସି ନଟବରଙ୍କ ଘରେ ରୋଜ୍‌ ତାଙ୍କ ସହିତ ଦେଖା ଓ କଥାବାର୍ତ୍ତା କରିବାରେ ଲାଗିଲା ।

 

କୃଷ୍ଣ ନଟବରଙ୍କ ଘରକୁ ଯିବାଆସିବା କଲାଦିନୁ ବିମଳାଙ୍କ ହୃଦୟ-ଧନୁରୁ ଗୁଣ ଅନେକ ପରିମାଣରେ ଖସିଗଲାଣି । ଏକେ ସେ ଜଣେ ପରଲୋକ; ସୁତରାଂ, ବିମଳା ସ୍ୱାମୀଙ୍କ ନିକଟରେ ଯେ ତାଣ୍ଡବ ନୃତ୍ୟ କରୁଥିଲେ, ତା’ ଆଗେ କରିବାକୁ ତାଙ୍କୁ ନାରୀର ସ୍ୱାଭାବିକ ଲଜ୍ଜାଶୀଳତା କ୍ଷାନ୍ତ କରି ରଖିଲା । ପୁଣି କୃଷ୍ଣକୁ ନିଜର ସୌଜନ୍ୟ ଓ ସୁଗୁଣମାନ ଦେଖାଇବା ନିମନ୍ତେ ତାଙ୍କର କ୍ରମଶଃ ଆକାଂକ୍ଷା ବଢ଼ିବାରେ ଲାଗିଲା । ସେ ପ୍ରଥମେ ପ୍ରଥମେ ତାକୁ ଦେଖା ନ ଦେଇ ଲୁଚୁଥିଲେ, ମାତ୍ର କେତେକ ସମୟ ପରେ ବୁଝିଲେ ଯେ ତା’ ନିକଟରୁ ଦୂରରେ ରହିବା ଦ୍ୱାରା ସେ ନିଜ ହୃଦୟର ଗୋଟିଏ କ୍ଷୀଣ ସ୍ନେହ ଉତ୍ସକୁ ସ୍ୱାଧୀନ ଭାବରେ ବହିବାକୁ ନ ଦେଇ ଚିପି ରଖୁଛନ୍ତି ମାତ୍ର । କୃଷ୍ଣ ନଟବରଙ୍କୁ ସମ୍ବୋଧନ କରିବାରେ କୌଣସି ଆତ୍ମୀୟତାସୂଚକ ଶବ୍ଦର ବ୍ୟବହାର ନ କଲେ ସୁଦ୍ଧା, ବିମଳାଙ୍କୁ କେବେ, ‘ମା’ ବୋଲି ଡାକିବାକୁ ଆରମ୍ଭ କରିଛି, ସେ କଥା ତା’ର ମନେ ନାହିଁ । ବିମଳା ମଧ୍ୟ ତାକୁ ମାତୃସୁଲଭ ସ୍ନେହ ଦେଖାଇବାରେ କେବେ ତ୍ରୁଟି କରି ନାହାନ୍ତି ।

 

କୃଷ୍ଣ ବୟସରେ ପିଲା ହେଲେ କ’ଣ ହେବ, ତା’ର ବିଷୟବୁଦ୍ଧି ମନ୍ଦ ନୁହେଁ । ଖାନ୍‌ଦାନ୍‌ ବର୍ଦ୍ଧିଷ୍ଣୁ ଘରେ ବଢ଼ିଛି । ବାପା ମା’ଙ୍କର କାର୍ଯ୍ୟକୁଶଳତା ପୈତୃକ ଗୁଣ ରୂପେ ଯାହା ଜନ୍ମ ସଙ୍ଗେ ପାଇଥିଲା, ତାହା ସଂସାରକ୍ଷେତ୍ରରେ ଦେଖି ଶିଖି ଆହୁରି ବଢ଼ାଇଛି । ତା’ର ତତ୍ତ୍ୱାବଧାନରେ ନଟବରଙ୍କ କ୍ଷୁଦ୍ର କୁଟୀରରେ ସମ୍ପଦ ବଢ଼ିବାକୁ ଲାଗିଲା । ନଟବରଙ୍କ ପୈତୃକ ସମ୍ପତ୍ତିସ୍ୱରୂପ ଦୁଇମାଣ ଜମି ଥିଲା, ବିମଳା ପିତାଙ୍କଠାରୁ ଆଠମାଣ ଯୌତୁକ ଆଣି ନଟବରଙ୍କ ଘରକୁ ଆସିଲାବେଳେ ମନେ କରିଥିଲେ, ‘‘ଚବିଶ ଦସ୍ତିରେ ଦଶମାଣ ଜମି କିଛି କମ୍‌ ନୁହେଁ । ମୋ ପେଟରୁ ଯେ ଧନ ଜନ୍ମ ହେବ, ସେ ନେଇ ଆଣି ଥୋଇ ପାରିଲେ, ମହାଜନ ସାଉକାର ନ ହେଉ ପଛକେ, ଖାଇ ପିଇ ବେଶ୍‌ ସୁଖରେ ରହିବ ।’’ କିନ୍ତୁ ବିମଳାଙ୍କ ପେଟରୁ ତାଙ୍କର ସେ କଳ୍ପିତ ଧନ ଜାତ ହେଲା ନାହିଁ । ସୁତରାଂ, ସେ ଦଶମାଣକ ଆଶ୍ରୟ ଲାଭ କରିବାକୁ ଉପଯୁକ୍ତ ପାତ୍ର ନ ପାଇ ଅନାଶ୍ରିତ ଓ ଦୈନ୍ୟଗ୍ରସ୍ତ ଅବସ୍ଥାରେ ପଡ଼ି ରହିଲା । ନଟବର ନିଜେ ଟିକିଏ ଭାବୁକ ଲୋକ । ସରସ୍ୱତୀ ସ୍ୱତଃ ତାଙ୍କଠାରେ ପ୍ରସନ୍ନ ହୋଇ ନିଜ ପେଡ଼ିର ଗୋଟିଏ ଉଜ୍ଜ୍ୱଳ ଲେଖନୀ ତାଙ୍କ ହାତରେ ଦେଇଛନ୍ତି । ତାହା ଦେଖି ଲକ୍ଷ୍ମୀ କହିଛନ୍ତି, ‘‘ଏ ଲୋକଟା ମୋର ଶତ୍ରୁ; ସରସ୍ୱତୀ ଆଶ୍ରୟ ନ ଛାଡ଼ିଲା ଯାଏଁ, ମୁଁ ୟାକୁ ମୋ ପାଦର ଧୂଳିକଣାଟିଏ ସୁଦ୍ଧା ଦେବିନାହିଁ ।’’ ନଟବର ଲେଖାପଢ଼ାରେ ଅନେକ ସମୟ କଟାଉଥିଲେ । ଜମିବାଡ଼ି ଉଠିଆ କରିବା ତାଙ୍କୁ ଆରଉ ନଥିଲା । ତା’ପରେ ପୁଣି ଭାବୁଥିଲେ ଯେ କାହାପାଇଁ ସମ୍ପତ୍ତି କରିବେ, ତାଙ୍କ ଅନ୍ତେ କିଏ ଭୋଗ କରିବାକୁ ରହିବ ।

 

କୃଷ୍ଣ ତତ୍ତ୍ୱାବଧାନରେ ଜମିବାଡ଼ି ଚାଷ ହେଲା, ଅନ୍ୟାନ୍ୟ ଆୟର ପନ୍ଥା ଫିଟିଲା । କୃଷ୍ଣ କେତେଦିନ ହେଲା ଖାଇବା ଓ ରାତିରେ ଶୋଇବାକୁ ନିଜ ଘରକୁ ଯିବାଆସିବା କରିବା ବନ୍ଦ କଲାଣି, ତାହା କାହାରି ମନରେ ନାହିଁ । ସେ ବର୍ତ୍ତମାନ ନଟବର ଓ ବିମଳାଙ୍କ ପୁଅ । ତା’ର ଜନ୍ମିତ ପିତା ପ୍ରଥମେ ପ୍ରଥମେ ତାକୁ ସ୍ୱାଧୀନତା ଦେଉଥିଲେ; ମାତ୍ର ଅପତ୍ୟଡୋରି ସେ କ୍ରମେ ଏତେ ଲମ୍ୱ ହେବାକୁ ଅବାଧରେ ଛାଡ଼ି ଦେଲେ ଯେ ତାହା ପୁଣି ଟାଣିଲାବେଳକୁ ଛିଣ୍ଡିଯିବାର ଦେଖିଲେ । ସୁତରାଂ, ସେ ଦିନେ କୃଷ୍ଣଙ୍କୁ ଡକାଇ ନେଇ କହିଲେ, ‘‘ବାପା, ତୁ ତ ପିଲା ନୋହୁଁ ଯେ ତୋତେ ମୁଁ ଶାସନ କରିବି, ଘରେ ବାନ୍ଧି ରଖିବି । ଏ ସମ୍ପତ୍ତିରେ ତୋର ଭାଗ ଅଛି । ମୁଁ ଆଖି ବୁଜିଲେ, ରାମ କ’ଣ ତୋତେ ଏଥିରେ ଆଉ ପୂରାଇ ଦେବ ? ମୁଁ ବଞ୍ଚି ଥାଉଁଥାଉଁ ତୁ ତୋ ଭାଗକ ନେଇଯା । କୋଳର ପକ୍ଷୀ ଡେଣା ଲାଗିଲେ ତ ଉଡ଼ିଯିବାର କଥା, ମୁଁ କ’ଣ ପଞ୍ଜୁରୀରେ ବନ୍ଦ କରି ରଖିପାରିବି-?’’

 

ନଟବରଙ୍କ ନିଜ ସାମାନ୍ୟ ସମ୍ପତ୍ତିର ଆୟରେ କୃଷ୍ଣର ପୈତୃକ ସମ୍ପତ୍ତିର ଅର୍ଦ୍ଧାଂଶ ମିଶି, ତାଙ୍କ ଘର ଧନ ଦୌଲତରେ ପୂରି ଉଠିଲା । ବିମଳାଙ୍କର ହୃଦୟର ଦୁଃଖ ଦୂର ହୋଇଗଲା । ସେ କେତେ ବର୍ଷ ହେଲା ଶୂଳରୋଗ ଭୋଗୁଥିଲେ । ତାହା ଉପଯୁକ୍ତ ଚିକିତ୍ସା ନୋହିବାରୁ ତାଙ୍କ ସ୍ୱାସ୍ଥ୍ୟ ଭାଜି ଯାଇଥିଲା । ନଟବର ସେ ବିଷୟରେ ଉଦାସୀନ ଥିଲେ । ସେ ନିଜର ଖାଇବା ପିନ୍ଧିବା କଥା ବୁଝନ୍ତି ନାହିଁ । ଖାଇବାକୁ ଗଲାବେଳେ ଦ୍ୱାରକୁ ଭିକାରି ଆସିଲେ ନିଜ ନିମନ୍ତେ ବଢ଼ା ହୋଇଥିବା ଖାଦ୍ୟ ତାକୁ ଦେଇ ଉପାସରେ ରହନ୍ତି । ନିଜର ରୋଗ ବ୍ୟାଧି ହେଲେ, ବିରାଡ଼ି ପଡ଼ିଆର ଘାସ ଖାଇ ଆପଣାର ଚିକିତ୍ସା ଆପେ କଲା ପରି, ସେ ଉପବାସ ଦ୍ୱାରା ତାହାର ଉପଶମ କରନ୍ତି । ସୁତରାଂ, ବିମଳାଙ୍କ ପ୍ରତି ତାଙ୍କର କୌଣସି ବିରାଗ ନଥିଲେ ସୁଦ୍ଧା କେବଳ ନିଜର ଉଦାସୀନତା ଯୋଗେ ସେ ତାଙ୍କର ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା କରିପାରୁ ନଥିଲେ । ତା’ପରେ ଅର୍ଥର ଅଭାବ ଆଉ ଗୋଟାଏ କାରଣ । ବର୍ତ୍ତମାନ ଆଉ ସେ ଅଭାବ ନାହିଁ । ନଟବର ଓ ବିମଳା ମଧ୍ୟରେ ନଟବରଙ୍କ ଆଡ଼ୁ ଉଦାସୀନତା ଓ ବିମଳାଙ୍କ ଆଡ଼ୁ ବିରାଗର ଯେ ବ୍ୟବଧାନ ଥିଲା, ତାହାର ସ୍ଥାନ ବର୍ତ୍ତମାନ କୃଷ୍ଣ ଅଧିକାର କରିଛି । ଫଳରେ ବିମଳା ନଟବରଙ୍କ ଉଦାସୀନତା ଅନୁଭବ କରିବାର କାରଣ ଆଉ ନାହିଁ । ତାହାର ହୃଦୟକନ୍ଦରର ଯେ ଅଗ୍ନିକଣାଟି ତାଙ୍କୁ ସର୍ବଦା ରାଗ ଓ ଯନ୍ତ୍ରଣାରେ କୁହୁଳାଉଥିଲା, ତାହା କୃଷ୍ଣର ମଧୁର ବ୍ୟବହାର ବାରିରେ ନିବର୍ତ୍ତିଛି । ନଟବର ଓ ବିମଳା ଯେ ସ୍ୱାମୀ ସ୍ତ୍ରୀ ଏବଂ ପରସ୍ପର ପ୍ରତି ପ୍ରେମ ଓ କର୍ତ୍ତବ୍ୟରେ ଆବଦ୍ଧ, କୃଷ୍ଣ ମୋହନ ରୂପ ପୁତ୍ରଡୋର ଯୋଗେ ତାହା ସେମାନେ କ୍ରମେ ଅଧିକ ଅଧିକ ଅନୁଭବ କଲେ । ଉପଯୁକ୍ତ ଚିକିତ୍ସାଦ୍ୱାରା ବିମଳାଙ୍କ ବହୁକାଳର ରୋଗ ଭଲ ହୋଇଗଲା । ମନର ପ୍ରଫୁଲ୍ଲତା ସହିତ ଶରୀର ସ୍ୱାସ୍ଥ୍ୟ ମିଶିବାରୁ ବିମଳା, ପ୍ରୌଢ଼ ବୟସରେ ଯୌବନ ସମ୍ପଦରେ ମଣ୍ଡିତ ହେଲେ ।

 

କୃଷ୍ଣ ନଟବରଙ୍କ ଘରକୁ ଆସିବାର ଛ’ବର୍ଷ ହୋଇଗଲାଣି । ତା’ପାଇଁ ପାତ୍ରୀ ଠିକ୍‌ ହୋଇଛି । ବିବାହ; କେତେ କାଳ ଗଡ଼ି ଗଡ଼ି, ଅତି ଅଳ୍ପ ଦିନରେ ଦୋଳ ପୂର୍ଣ୍ଣମୀ ଦିନ ହେବ, ଏପରି ସମୟରେ ଫଗୁଦଶମୀ ରାତିରେ ବିମଳାଙ୍କ ଗର୍ଭରୁ ଗୋଟିଏ ପୁତ୍ରସନ୍ତାନ ଜନ୍ମଲାଭ କଲା । ସେ ଘଟଣାରେ ଘରେ ଅନେକ ଦିନ ଧରି ଏତେ ଉତ୍ସବ ଆନନ୍ଦ ଲାଗିଲା ଯେ କୃଷ୍ଣର ମଙ୍ଗଳକୃତ୍ୟ ଉତ୍ସବ ପାଇଁ ଆଉ ଖାଲି ଜାଗା ରହିଲା ନାହିଁ । ଅଶୌଚ ଯୋଗେ ମଧ୍ୟ ତାହା ବନ୍ଦ ରଖିବାକୁ ହେଲା-। ସେଠାରୁ ତେର ମାସ ବିବାହ ଯୋଗ ନଥିଲା ।

 

ଦୀନମଣି କ୍ରମେ ବୟସରେ ବଢ଼ିବା ସଙ୍ଗେ ବିମଳାଙ୍କ ହୃଦୟର ଏତେ ସ୍ଥାନ ଅଧିକାର କରିନେଲା ଯେ ସେଠାରେ ତିଷ୍ଠିବା ନିମନ୍ତେ କୃଷ୍ଣ ନିଜକୁ ବିଶେଷ ଭାବରେ ସଙ୍କୁଚିତ କରିବାକୁ ପଡ଼ିଲା । ଏ ସଙ୍କୋଚନ କ୍ରିୟା ଅତି ବେଗରେ ବଢ଼ିବାକୁ ଲାଗିଲା । ସେଥିରେ ଏପରି ଦିନ ଆସିଲା, ଯେତେବେଳେ କି କୃଷ୍ଣ ନିଜର ସତ୍ତା ଅନୁଭବ କରିବା ତା’ ପକ୍ଷେ ଅସମ୍ଭବ ହୋଇପଡ଼ିଲା; ତଥାପି ସେ ମନ ମଧ୍ୟରେ ଦୁଃଖ ବା ଈର୍ଷା ପ୍ରବେଶ କରିବାକୁ ଦେଲା ନାହିଁ । ସେ ଭାବି ସ୍ଥିର କରିନେଲା ଯେ, ବିମଳାଙ୍କର ସଂକୀର୍ଣ୍ଣ ମାତୃ ହୃଦୟ ସେ ଛୋଟିଆ ପିଲା ଭାଇଟି ପାଇଁ ଛାଡ଼ି ଦେଇ, ନିଜେ ଘରଗୁଡ଼ିକର ବିସ୍ତୃତ ପରିସର ଅଧିକାର କରି ରହିବ । କିନ୍ତୁ ସେ ସବୁ ନିର୍ଜୀବ ଜଡ଼ ସ୍ଥାନ ମଧ୍ୟ ପ୍ରଥମେ ବିମଳାଙ୍କର ନୀରବ ଘୃଣା, ଦ୍ୱେଷ ଓ ପରେ ଶବ୍ଦବହୁଳ ତାଡ଼ନା, ଭର୍ତ୍ସନା, ନିନ୍ଦା, ତିରସ୍କାର ଆଦିରେ ଏତେ ପୂରି ଆସିଲା ଯେ, କୃଷ୍ଣ ଘର ଭିତରେ ଆଶ୍ରୟ ନ ପାଇ ପଦାରେ ଅପର ଲୋକଙ୍କ ପିଣ୍ଡାରେ, ଗଛମୂଳେ ଟିକିଏ ଶାନ୍ତିପୂର୍ଣ୍ଣ ସ୍ଥାନ ଖୋଜିବାକୁ ଲାଗିଲା ।

 

ବିବାହ ଯୋଗ ନଥିବାରୁ ତେର ମାସ ସମୟ କେତେଦିନୁ ଗତ ହୋଇଗଲାଣି । କୃଷ୍ଣର ବିବାହ-ପ୍ରସ୍ତାବ ନଟବର କେତେଥର କହି ବିମଳା ଆପତ୍ତି ଯୋଗେ ଆଉ କାର୍ଯ୍ୟରେ ପରିଣତ କରିପାରି ନାହାନ୍ତି । ନିର୍ବନ୍ଧ ହୋଇ ସାରିଥିଲେ ମଧ୍ୟ କନ୍ୟାକର୍ତ୍ତା ନିଜ କନ୍ୟାକୁ ବରପୂର୍ବା କରି ରଖିବା ପଛକେ ଶ୍ରେୟସ୍କର ମଣିଲେ, ତଥାପି କୃଷ୍ଣ ସହିତ ବିବାହ-ସୂତ୍ରରେ ଆବଦ୍ଧ କରିବାକୁ ଆଉ ଆଗ୍ରହ ଦେଖାଇଲେ ନାହିଁ । ସେ ଆଗ୍ରହ ଦେଖାଇଥିଲେ ଏବଂ ବିମଳା ନଟବରଙ୍କ ପ୍ରସ୍ତାବରେ କୌଣସି ଆପତ୍ତି କରି ନଥିଲେ ମଧ୍ୟ, ଅଲଙ୍ଘନୀୟ ଅନିଚ୍ଛା ଏବଂ ଆପତ୍ତି କୃଷ୍ଣ ଆଡ଼ୁ ପ୍ରକାଶ ପାଇଥାନ୍ତା । ସେ ତେର ମାସ ସମୟ ମଧ୍ୟରେ କୃଷ୍ଣ ସ୍ଥିର କରିଥିଲା ଯେ ସେ ଆଉ ବିବାହ କରିବ ନାହିଁ, ବିଶ୍ୱନାଥପୁର ମକଦମଙ୍କ ଏକମାତ୍ର ଝିଅ ସୌଦାମିନୀର ମଧୁର ସ୍ମୃତି ହୃଦୟରୁ ପୋଛି ପକାଇ ଦେଇଥିଲା ।

 

ନଟବର ଦୁଃଖ, ଲଜ୍ଜା ଓ ସନ୍ତାପରେ ମ୍ରିୟମାଣ । କୃଷ୍ଣ ପ୍ରତି ତାଙ୍କର ଯେ କେବଳ ଶୁଷ୍କ କର୍ତ୍ତବ୍ୟ ରହିଛି, ତାହା ନୁହେଁ । ତା’ ସହିତ ତାଙ୍କର ହୃଦୟର ସରସ, ସୁମଧୁର ବନ୍ଧନ ଅଚ୍ଛେଦ୍ୟ ବୋଲି ସେ ଅନୁଭବ କରୁଛନ୍ତି । ସୁତରାଂ, ବିମଳାଙ୍କ ହୃଦୟରୁ କୃଷ୍ଣ ଯେତେ ଯେତେ ବିତାଡ଼ିତ ହୋଇ ଆସିଛି, ସେ ତା’ପାଇଁ ନିଜର ବିଶାଳ ହୃଦୟ କନ୍ଦର ସେତିକି ପ୍ରସାରିତ କରିଛନ୍ତି । ତାଙ୍କ ଗୃହରେ କୃଷ୍ଣର ଦୁର୍ଗତି ଦେଖି ଏକାନ୍ତରେ ଆଖିରୁ ଦୁଃଖ ଓ ଅନୁତାପର ଜାହ୍ନବୀ ସ୍ରୋତ ଢାଳୁଛନ୍ତି । ମନେମନେ କହୁଛନ୍ତି, ‘‘ମୁଁ କାହିଁକି ଜଗତରେ ତା’ର ବସିବାର ନିର୍ଦ୍ଦିଷ୍ଟ ସୁଦୃଢ଼ ଆସନର ଭାର କେନ୍ଦ୍ର ମୋର ସାମାନ୍ୟ ସ୍ୱାର୍ଥମୟ ସ୍ନେହ ରଜ୍ଜୁର ଆକର୍ଷଣରେ ବିଚଳିତ କଲି ?’’ ସେ ନିଜକୁ ଧିକ୍‌କାର କରୁଛନ୍ତି; ଅଭିଶାପ ଦେଉଛନ୍ତି । କୃଷ୍ଣ ସବୁ ଅନୁମାନ କରୁଛି, ମାତ୍ର ଦିନେ ପଦେ ଦୁଃଖର କଥା ତାଙ୍କ ମୁହଁରୁ ଶୁଣୁନାହିଁ । କେବଳ ନଟବରଙ୍କ ନିମନ୍ତେ ସେ ଏକ ପ୍ରବଳ ବର୍ଦ୍ଧିଷ୍ଣୁ, ଅଗ୍ନିଶିଖାକୁ ଆଲିଙ୍ଗନ କରି ରହିଛି । କ୍ରମେ କ୍ରମେ ଜଳି କ୍ଷୟ ପାଉଅଛି; ତଥାପି ତାକୁ ଛାଡ଼ୁନାହିଁ କିମ୍ୱା ନିଜର କଷ୍ଟ ଯନ୍ତ୍ରଣା ତିଳେମାତ୍ର ପ୍ରକାଶ କରୁନାହିଁ ।

 

କୃଷ୍ଣର ଜନ୍ମିତ ପିତା ଏ ମଧ୍ୟରେ ନିଜର ବଂଶ ପରମ୍ପରା ରକ୍ଷା କରିବା ନିମନ୍ତେ, ରାମକୁ ଛନ୍ଦି, ସଂସାର କ୍ଷେତ୍ରରେ ତାକୁ ସହାୟ ଯୁକ୍ତ କରି, ଇହଧାମ ଛାଡ଼ି ଚାଲିଯାଇଛନ୍ତି । ଗଲାବେଳେ ରାମକୁ କହିଥିଲେ, ‘‘ବାପା, କୃଷ୍ଣ ପରି ପିଲା ଜଗତରେ ଦୁଲର୍ଭ । ସେଥିପାଇଁ ମୁଁ ତା’ର କୌଣସି କାର୍ଯ୍ୟରେ ଦିନେ ବାଧା ଦେଇ ନାହିଁ । ଦେଖିବୁ, ବିପଦ ଆପଦରେ ତାକୁ ହୃଦୟରୁ ପାସୋରି ଦେବୁ ନାହିଁ । ସେ ତୋର ବଡ଼ ଭାଇ, ଅତଏବ ପିତୃତୁଲ୍ୟ ।’’ ପିତାଙ୍କ ଅନ୍ତିମକାଳର ପରାମର୍ଶ ଯୋଗେ ହେଉ ବା ନିଜର ସ୍ୱାଭାବିକ ଭ୍ରାତୃପ୍ରେମ ଯୋଗେ ହେଉ, ଆପଣାର ପୈତୃକ ଧନସମ୍ପତ୍ତି ନଟବରଙ୍କ ଘରେ ଛାଡ଼ି ସୁଦ୍ଧା, କୃଷ୍ଣକୁ ନିଜ ଘରକୁ ଫେରିଯିବାକୁ ରାମ ସସ୍ତ୍ରୀକ ବାରମ୍ବାର ଅନୁରୋଧ କଲା; ମାତ୍ର ‘‘ମୋର ତ ସେଠାରେ କୌଣସି ଅସୁବିଧା ହେଉନାହିଁ’’ କହି କୃଷ୍ଣ ରାମର କୌଣସି ଅନୁରୋଧ ରଖିଲା ନାହିଁ । ଏକ ଦିଗରେ ବିମଳା ଓ ଅନ୍ୟ ଦିଗରେ କୃଷ୍ଣ, ଏ ଦୁହିଁଙ୍କ ମଧ୍ୟରେ ନଟବର ଦିନକୁଦିନ କିଂକର୍ତ୍ତବ୍ୟବିମୂଢ଼ ହୋଇ ରହିଲେ ।

 

ଦିନେ ବିମଳା ନଟବରଙ୍କୁ ଡାକି କହିଲେ, ‘‘ଆଚ୍ଛା, ଏ କି ନାଟ ତୁମର ? ପର ପିଲାଟାଏ ଘରେ ଆସି ଏତେ କାଣ୍ଡ କରିବ, ମୁଁ ଯେପରି ଏହି ଘରେ କେହି ନୁହେଁ, ମୋ ଦୀନମଣି କେହି ନୁହେଁ । ଏ କଥା ମୁଁ ଆଉ ବେଶିଦିନ ବରଦାସ୍ତ କରିବି ନାହିଁ, ଆଜିଠାରୁ କହି ରଖୁଛି ।’’ ଶୁଣି ନଟବର ତାଳୁରୁ ତଳିପା ପର୍ଯ୍ୟନ୍ତ ବିଛା କାମୁଡ଼ିଲା ପରି କଷ୍ଟ ଯନ୍ତ୍ରଣା ଅନୁଭବ କଲେ । ବିମଳାଙ୍କୁ କେତେକରି ବୁଝାଇଲେ, କେତେ ଉପଦେଶ ଦେଲେ । ବିମଳା କିଛି ଶୁଣିଲେ ନାହିଁ । ଶେଷରେ କହିଲେ, ‘‘ତେବେ ତୁମେ ତାକୁ ଧରି ଏ ଘରେ ରହ, ମୁଁ ମୋ ଦୀନମଣିକି ଧରି ଭାଗ୍ୟ ଆଦରି ଚାଲିବି ।’’

 

ବିମଳା ଦୀନମଣିକି ଧରି କେଉଁଆଡ଼େ ଯିବେ ବୋଲି ପ୍ରକୃତରେ ଇଚ୍ଛା କରି ଯେ ଏ କଥା କହିଥିଲେ, ତାହା ନୁହେଁ । ଅନ୍ତତଃ ତାଙ୍କ ପରବର୍ତ୍ତୀ କାର୍ଯ୍ୟକଳାପରୁ ତାହାର କୌଣସି ପ୍ରମାଣ ମିଳିଲା ନାହିଁ । କ୍ରମେ ନଟବର ଓ କୃଷ୍ଣ ଖାଇବାକୁ ପାଇଲେ ନାହିଁ । ଉପବାସରେ କାଳ କଟାଇବା ପାଇଁ ଘରକୁ ଆସିବାକୁ ବସିଲେ ମଧ୍ୟ, ଘରେ ପ୍ରବେଶ କରିବାର ଉପାୟ ବନ୍ଦ ହେଲା । ସେଥିରୁ ବୋଧହେଲା, ନଟବରଙ୍କୁ ବିମଳା ସେ ଶେଷକଥା କହିବାର ସାରମର୍ମ ଏହାହିଁ ଥିଲା ଯେ, ସେ ଦୀନମଣିକି ଧରି ସେହି ଘରେ ରହିବେ ଏବଂ ନଟବର ଯଦି କୃଷ୍ଣକୁ ତା’ ଆସିବା ବାଟରେ ଏକା ଯିବାକୁ ପୁଣି ଛାଡ଼ି ନ ଦିଅନ୍ତି, ତାହାହେଲେ ସେ ତା’ ସହିତ ଯେଣେ ଇଚ୍ଛା ଯାଇପାରନ୍ତି । ସେ ଘର ନଟବରଙ୍କର ପୈତୃକ ବାସସ୍ଥାନ, ତାହା ଛାଡ଼ି ଯିବା ତାଙ୍କ ପକ୍ଷେ କଷ୍ଟକର ହୋଇପାରେ-। କୃଷ୍ଣର କାହା ସହିତ କୌଣସି ବନ୍ଧନ ନାହିଁ, ସମଗ୍ର ଜଗତର କାହାରି ସଙ୍ଗେ ସେ ବନ୍ଧା ନୁହେଁ-। କେବଳ ନଟବରଙ୍କ ହୃଦୟରେ ସେ ଆବଦ୍ଧ ହୋଇ ରହିଛି । ସେ ସେହି ଅଦୃଶ୍ୟ ଦ୍ୱାର ଫିଟାଇ ଚାଲିଯାଇପାରୁନାହିଁ । ବିଶାଳ ବନଦେଶର ମୃଗଶିଶୁ ଯେ ପଞ୍ଜୁରୀରେ ପଡ଼ିଛି, ତାହା ଛାଡ଼ିଯିବା ତା’ ପକ୍ଷେ ଅସମ୍ଭବ ହୋଇଛି; କୌଣସି ଲାଭର ଆଶାରେ ନୁହେଁ, କେବଳ ଏହି ବିଶ୍ୱାସ ଯୋଗେ ଯେ, ସେ ଚାଲିଗଲେ ପଞ୍ଜୁରିଆର ପଞ୍ଜୁରୀଟି କାଳେ ଅଯତ୍ନରେ ଭାଙ୍ଗିଯିବ ।

 

କୃଷ୍ଣ ବହୁକାଳ ଭାବିଚିନ୍ତି ସ୍ଥିର କଲା ଯେ, ସେ ସେହିଠାରେ ପଡ଼ିରହିବ, ସବୁ ଗାଳି ଅବହେଳା ଘୃଣା ବୋହିନେବ; କିନ୍ତୁ ଚାଲିଯାଇ ନଟବରଙ୍କ ମନରେ କଷ୍ଟ ଦେବନାହିଁ । ସୁତରାଂ, ସେ ଘରର ଚାକର ପରି ଚଳିଲା, ସବୁ କାମଦାମ କଲା, ବାହାରେ ଖାଇଲା, ପଦାରେ ଶୋଇଲା । ନଟବର ପ୍ରଥମେ ପ୍ରଥମେ ଆପତ୍ତି କରୁଥିଲେ, ମାତ୍ର କ୍ରମେ ଅଭ୍ୟସ୍ତ ହୋଇଗଲେ । ଅତଏବ କୃଷ୍ଣର ନିର୍ଦ୍ଧାରିତ ପନ୍ଥାରେ କୌଣସି ବାଧା ପଡ଼ିବାର କାରଣ ରହିଲା ନାହିଁ; କିନ୍ତୁ ବିମାଳ ସେଥିରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ; ସେ ଦୀନମଣିକି କୃଷ୍ଣ ପାଖକୁ ଛାଡ଼ିବାରେ ଘୋର ଆପତ୍ତି ଦେଖାଇଲେ-। ତାକୁ, ସିନ୍ଦୁକର ଅମୂଲ୍ୟ ମଣିଟି ପରି, କେତେଦିନ ତାଲା ପକାଇ ଘର ଭିତରେ ରଖିଲେ, ସତେଅବା କୃଷ୍ଣ ତାକୁ ଚୋରାଇ ନେବାକୁ କେବଳ ସେଠାରେ ଦୁଃଖ କଷ୍ଟ ସହି ପଡ଼ିରହିଛି-। ଶେଷରେ ଦିନେ ବିମଳା କହି ପକାଇଲେ, ‘‘କୁଷୁନିଅ ଏ ଘରେ ରହିଛି ଖାଲି ମୋ ଦରିଦ୍ରପସରା ଦୀନମଣିର ରିଷ୍ଟ ହେବାକୁ । ଦିନେ ତଣ୍ଟି ଚିପି ମାରିଦେଲେ ତ ମୁଁ ତିନି ପାଞ୍ଜିରୁ ଗଲି-।’’

 

ବିମଳାଙ୍କର ଏ କଥା ଶୁଣି, ତାହା ଯେ କି ପ୍ରକାର ଅସମ୍ଭବ ଓ ଅସଙ୍ଗତ ବୁଝି ନଟବର ପତ୍ନୀଙ୍କର ମୂର୍ଖତାରେ ଟିକିଏ ହସିଲେ; କିନ୍ତୁ ତା’ପରେ କୃଷ୍ଣର ଆଉ ଦେଖା ମିଳିଲା ନାହିଁ । ନଟବର ଅନେକ ଖୋଜାଇଲେ, କେହି ତା’ର ପତ୍ତା ପାଇଲେ ନାହିଁ । ସେ ନିରାଶ ହୋଇ ଦୀର୍ଘନିଃଶ୍ୱାସ ପକାଇଲେ, ଆଖିରୁ ଲୁହଧାର ବୁହାଇ ବକ୍ଷ ତିନ୍ତାଇଲେ, କେତେଦିନ ଆହାର ନିଦ୍ରାରେ ଅବହେଳା କରି ଶରୀର ଶୀର୍ଣ୍ଣ କଲେ । ସେ ସମ୍ୱାଦ ପାଇ ରାମ ମୃତବତ୍‌ ହୋଇ ପଡ଼ିଲା; କିନ୍ତୁ ବିମଳା ନିଜର ଭାରାକ୍ରାନ୍ତ ହୃଦୟ ହାଲୁକା କରି ନିଶ୍ଚିନ୍ତରେ ନିଃଶ୍ୱାସ ମାଇଲେ । ତାଙ୍କର ଦୀନମଣି ନିଷ୍କଣ୍ଟକ ହେଲା । କୃଷ୍ଣର ସମ୍ପତ୍ତିରେ ନଟବରଙ୍କ ଧନ ଦଉଲତ ଗଢ଼ା ହୋଇଛି । କୃଷ୍ଣ ଥିବାଯାଏ ଦୀନମଣି ସେଥିରୁ ଶତ୍ରୁହୀନ ଉତ୍ତରାଧିକାରୀ ହେବା ଅସମ୍ଭବ । ଅତଏବ ବିମଳା କହିଲେ, ‘‘ଯାଇଛି ତ ପାପ, ପୁଣି ବଞ୍ଚିରହି ଫେରି ନ ଆସିଲେ ରକ୍ଷା ।’’

 

କାଳସ୍ରୋତରେ ଦିନ ଉପରେ ଦିନ ବହି ଚାଲିଗଲା । ନଟବର ପୂର୍ବେ ବିମଳାଙ୍କଠାରୁ ଯେ ଦୁର୍ବ୍ୟବହାର ପାଉଥିଲେ, ତାହା ତାଙ୍କୁ ଆଉ ଭୋଗିବାକୁ ପଡ଼ୁନାହିଁ । ଘରେ ଧନ ସମ୍ପତ୍ତି ହୋଇଛି, ତାହା ଉପଭୋଗ କରିବାକୁ ଉପଯୁକ୍ତ ଜନ୍ମିତ ଉତ୍ତରାଧିକାରୀ ମିଳିଛି; ସୁତରାଂ ବିମଳାଙ୍କ ମନରେ ଆନନ୍ଦର ସୀମା ନାହିଁ । ନଟବର ମଧ୍ୟ କ୍ରମଶଃ ନୂତନ ବେଷ୍ଟନୀରେ ନିଜକୁ ଅଭ୍ୟସ୍ତ କରିନେଲେଣି । କୃଷ୍ଣର ସ୍ମୃତି ତାଙ୍କ ଜୀବନରେ ଏକ ଐତିହାସିକ ଘଟଣା ହୋଇ ରହିବା ଉପରେ ବସିଲାଣି । ସେ ଘଟଣା ମନେପଡ଼ିଲେ ଅବଶ୍ୟ ଅତର୍କିତ ଭାବରେ ତାଙ୍କର ନାସିକାରୁ ଏକ ଉଷ୍ମ ଦୀର୍ଘଶ୍ୱାସର ଧାରା ବହିଯାଏ । କିନ୍ତୁ ଦୀନମଣି ତାଙ୍କ ହୃଦୟରେ କୃଷ୍ଣର ଶୂନ୍ୟସ୍ଥାନ ପ୍ରାୟ ପୂର୍ଣ୍ଣ କରି ବସିଛି । କେବଳ ଦୀନମଣି ଗୋପୀଭାଷାର ‘‘କୃଷ୍ଣ ଆସିବେ ବୋଲି ଭଣ୍ଡି’’ ପଢ଼ିଲେ, ନଟବର ମନେମନେ କହନ୍ତି, ‘‘କାହିଁ, ବୋଲି ଭଣ୍ଡିଗଲା କୋଉଠି ? ନ କହି ନ ପୋଛି ତ ଚାଲିଗଲା । ଯେତେହେଲେ ତ ପର, ଯାଉ ।’’

 

ଦୀନମଣି ପରେ ବିମଳାଙ୍କର ଆଉ ଗୋଟିଏ ପୁତ୍ର ଲାଭ ହେଲା । ଅନେକ ଦିନ ଚାଲିଗଲା । ଦୀନମଣିର ବୟସ ଅଠର ବର୍ଷ । ସେ ବର୍ତ୍ତମାନ ଜଣେ ଅତି ଉଗ୍ର ଯୁବକ । ସଂସାରରେ ଭଲ ମନ୍ଦ ପ୍ରତି ତା’ର ଭ୍ରୂକ୍ଷେପ ନାହିଁ, ବଡ଼ ସାନ ଭେଦ ତା’ ନିକଟରେ ନାହିଁ, କାହାକୁ ମାନିବାର ଇଚ୍ଛା ତା’ ହୃଦୟରେ ସ୍ଥାନ ପାଇପାରୁନାହିଁ । ସେ ଏକପ୍ରକାର ନିରଙ୍କୁଶ ହୋଇ ବଢ଼ିଛି । କୁମ୍ଭାରର ମାଟି ପେଣ୍ଡୁଳା ଆକାରରେ ଷଷ୍ଠୀଦେବୀଙ୍କଠାରୁ ତାକୁ ପାଇଲା ପରେ ବିମଳା ନିଜ ହାତରେ ତାକୁ ଗଢ଼ିଛନ୍ତି । ସେ ମା’ଙ୍କୁ ମାରେ, ବାପାଙ୍କ ବୋଲ ମାନେ ନାହିଁ, କୃଷ୍ଣର ସ୍ମୃତି ଉପରେ ପଦାଘାତ କରେ, ଗୋବିନ୍ଦପୁରର ଲୋକେ କୃଷ୍ଣକୁ ଝୁରି ତା’ର ପ୍ରଶଂସାର କଥା ପଦେଅଧେ କହିଲେ, ତା’ର ହୃଦୟ ଈର୍ଷାରେ ଜଳିଉଠେ ।

 

ଦିନେ ଜଣେ ଭିକାରି ନଟବରଙ୍କ ଦ୍ୱାରକୁ ଭିକ ମାଗି ଆସିଥିଲା । ଦୀନମଣି ତା’ ଉପରେ ରାଗି ତାକୁ ମାରୁ ମାରୁ ପ୍ରାଣରେ ମାରିପକାଇଲା । ସବୁଆଡ଼େ ସ୍ୱର ହୋଇଗଲା, ନଟବରଙ୍କ ବଡ଼ପୁଅ ନରହତ୍ୟା କରିଛି । ସେ ମରହଟ୍ଟା ଅମଳ । ଆଜିକାଲି ପରି ସେତେବେଳେ ଆଇନ ଅଦାଲତ ନଥିଲା, ଭୋନ୍‌ସଲାଙ୍କ ଅଧୀନରେ ରାଜାମାନେ ରାଜ୍ୟ ଶାସନ କରୁଥିଲେ । ରାଜା ନରହତ୍ୟା ସମ୍ୱାଦ ପାଇ ଦଣ୍ଡ ବିଧାନ କଲେ, ନଟବରଙ୍କ ବଡ଼ପୁଅ ଫାଶୀ ଘେନିବ ।

 

ନଟବର ବର୍ତ୍ତମାନ ଖୁବ୍‌ ବୁଢ଼ା, ବିମଳା ବୁଢ଼ୀ । ନଟବର, ବିମଳା ଓ ଦୀନମଣି ଧରା ହୋଇ ଆସିଲେ । ନଟବର ଓ ବିମଳା କାନ୍ଦରେ ଆକାଶ ଫଟାଉଛନ୍ତି, ନିଜର ଭାଗ୍ୟକୁ ଦୋଷ ଦେଇ କପାଳରେ ହାତ ପିଟୁଛନ୍ତି । ଦୀନମଣିକୁ ରକ୍ଷା କରିବା ନିମନ୍ତେ, ବ୍ୟାଧ ନିକଟରେ ହରିଣୀ ନିଜର ଶିଶୁ ଶାବକର ପ୍ରାଣ ରଖିବାକୁ ବୃଥା ଚେଷ୍ଟା କଲାପରି, ଦୁହେଁ ନାନା ଉପାୟ କରୁଛନ୍ତି; ତାକୁ କୁଣ୍ଢାଇ ଧରୁଛନ୍ତି; ନୟନର ଅଶ୍ରୁଜଳରେ ତା’ର ମୁଣ୍ଡ ତିନ୍ତାଉଛନ୍ତି; ମାତ୍ର ସେଥିରେ କିଛି ଫଳ ହେଲାନାହିଁ । ଦୀନମଣି ତୂଳାରେ ଗଢ଼ା ନିଜର ପ୍ରତିମାଟି ପରି ଥରି ଥରି ଫାଶିଖମ୍ୱ ପାଖକୁ ନିଆଗଲା ।

 

ଦୀନମଣିକି ଚିରକାଳ ଲାଗି ବିଦାୟ ଦେଲାବେଳେ କୃଷ୍ଣର ଅର୍ଦ୍ଧ ବିସ୍ମୃତି ସ୍ମୃତି ନଟବରଙ୍କ ମନରେ ଆସି ବିଜୁଳି ଚମକ ପରି ମୁହୂର୍ତ୍ତକ ମଧ୍ୟରେ ଖେଳିଗଲା । କୃଷ୍ଣ ତାଙ୍କ ଘରୁ ବିଦାୟ ନେଇ ଯାଇ ଆପଣାର ପିତୃଗୃହକୁ ନ ଫେରି, ବନ ପ୍ରାନ୍ତରରେ ବୁଲି, ଅନେକ ବର୍ଷ କଟାଇ ଦରବୁଢ଼ା ହେଲାଣି । ସୁଖଦୁଃଖ, ହସକାନ୍ଦ ମଧ୍ୟରେ ତା’ ଜୀବନରେ ପ୍ରଭେଦ ସେ ଭୁଲିଯାଇଛି । ଆଖିକୁ ଭଲ ଦିଶୁନାହିଁ, କାନକୁ ସ୍ପଷ୍ଟ ଶୁଣାଯାଉନାହିଁ; କିନ୍ତୁ ଯେତେବେଳେ ନଟବରଙ୍କ ବଡ଼ ପୁଅ ଫାଶି ଘେନିବା ବିଷୟ ଗ୍ରାମ ପ୍ରାନ୍ତରରେ ଲୋକେ ଗଳ୍ପ କଲେ, ସେ ତାହା ଶୁଣି ପାରିଲା । କହିଲା, ‘‘ନଟବରଙ୍କ ବଡ଼ ପୁଅ ! ସେ ତ ମୁଁ ।’’ ତା’ର ଗୋଟାଏ ସ୍ୱପ୍ନ ହଠାତ୍‌ ଭାଜିଗଲା । ମୁହୂର୍ତ୍ତକ ପାଇଁ ଚମକି ପଡ଼ିଲା-

 

ଦୀନମଣି ଫାଶିଖମ୍ୱରେ ଚଢ଼ିବାକୁ ଯାଉଛି, ହଠାତ୍‌ ଦୂରରୁ କିଏ ଜଣେ ଧାଇଁ ଆସି ଡାକି କହିଲା, ‘‘ସତାର କର ଫାଶିଆଳ ।’’ ସମସ୍ତେ ବୁଲି ଚାହିଁଲେ । ସ୍ୱର ପୁନରାୟ ଶୁଣାଗଲା, ‘‘ନଟବରଙ୍କ ବଡ଼ ପୁଅ ମୁଁ । ମୁ୍ଁ ଫାଶି ଘେନିବି ।’’ ମୁଣ୍ଡରେ ଜଟା, ଚିକୁକରେ ଦାଢ଼ି ଶୀର୍ଣ୍ଣ, ଅଥଚ କୃଷ୍ଣ, କପାଳ କୁଞ୍ଚିତ ହୋଇ ପଡ଼ିଛି, ଦୃଷ୍ଟିରେ ବିଷାଦର ଭାର ପୂରି ରହିଛି । ନବାଗତ ଦୀନମଣିକୁ ହଟାଇ ଦେଇ ନିଜେ ଫାଶିଖମ୍ୱରେ ଚଢ଼ିବାକୁ ବାହାରିଲା । ଫାଶିଆଳ ଦେଖି ଅବାକ୍‌ । ଉପସ୍ଥିତ ଲୋକେ କହିଲେ, ‘‘ଏ କ’ଣ ପାଗଳ !’’

 

ନଟବର ଚିହ୍ନିଲେ, ସେ ତାଙ୍କର ଚାଳିଶ ବର୍ଷ ବୟସ ବେଳର ସେହି ଅଯାଚିତ ପୁତ୍ର କୃଷ୍ଣମୋହନ । ତାଙ୍କର ସମୁଦାୟ ପ୍ରାଚୀନ ସ୍ମୃତି କ୍ଷଣକ ମଧ୍ୟରେ ଜାଗ୍ରତ ହୋଇ ଉଠିଲା, ତା’ ପ୍ରତି ପୂର୍ବ ସ୍ନେହର ଉତ୍ସ ପ୍ରବଳ ବେଗରେ ବହିବାକୁ ଲାଗିଲା । ସେ ଧାଇଁଯାଇ ଫାଶିଖମ୍ୱରୁ କୃଷ୍ଣକୁ ପେଲି ପକାଇଦେଇ, କହିଲେ, ‘‘କିଏ ତୁ ଧୂର୍ତ୍ତ, କହୁଛୁ ମୋର ବଡ଼ ପୁଅ ବୋଲି, ପଳା ଏଠାରୁ । ମୁଁ ଚିହ୍ନେ ନାହିଁ ତୋତେ ।’’ ମାତ୍ର କିଛି ଫଳ ହେଲା ନାହିଁ । ଫାଶିଆଳ ନିଜର ଅଭ୍ୟସ୍ତ କାର୍ଯ୍ୟ ଶୀଘ୍ର ଶେଷ କରି ଫେରିବାକୁ ବ୍ୟସ୍ତ ହୋଇ ପଡ଼ିଥିଲା । କୃଷ୍ଣମୋହନ ପୁନରାୟ ଫାଶିଖମ୍ବରେ ଚଢ଼ିବାରୁ, ସେ ତାହାର ଶେଷକୃତ୍ୟ ସମାପନ କଲା । ନଟବର ଗ୍ରୀଷ୍ମକାଳୀନ ଅପରାହ୍ନ ବର୍ଷା ସମୟର ଝଡ଼ତୋଫାନ ଓ ଜଳଧାରା ପରି, ପ୍ରାଣର କୋହ ଛାଡ଼ି, ଯନ୍ତ୍ରଣାରେ ଆହତ ହୋଇ ତଳେ ଲୋଟିବାବେଳେ ଫାଶିଖମ୍ବରେ ଶବ ମୁହଁରେ କଳାକନା ଢାଙ୍କୁଣି ପଡ଼ିଗଲା ।

Image